• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଭୁବନେଶ୍ୱର ବିମାନବନ୍ଦରରେ ଚାଲୁହେଲା ନୂଆ ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ଟାୱାର । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହା ଦେଶର ପ୍ରଥମ ଏକ୍ସପେରିମେଣ୍ଟାଲ ଅତ୍ୟାଧୁନିକ ATC ଟାୱାର । ମାସେ ଯାଏଁ ଚାଲିବ ଟ୍ରାଏଲ ରନ୍ । ସଫଳତା ମିଳିଲେ, ଦେଶର ଅନ୍ୟ ବିମାନବନ୍ଦରରେ ନିର୍ମାଣ ହେବ ଏଭଳି ATC ଟାୱାର । ତେବେ କ’ଣ ଏହି ATC ଟାୱାରର ବୈଶିଷ୍ଟ୍ୟ, ଆସନ୍ତୁ ଜାଣିବା..

କାର୍ଯ୍ୟକ୍ଷମ ହୋଇଛି ଭୁବନେଶ୍ୱର ବିମାନବନ୍ଦର ନୂଆ ଏୟାର ଟ୍ରାଫିକ୍ କଂଟ୍ରୋଲ୍ ବା ଏଟିସି ଟାୱାର । ଅଗଷ୍ଟ ୨୪ରୁ ଆରମ୍ଭ ହୋଇଛି ଟ୍ରାଏଲ ରନ୍ । ଉଭୟ ପୁରୁଣା ଓ ନୂଆ ଏଟିସିରୁ ଚାଲିଛି ସମାନ୍ତରାଳ ଅପରେସନ । ପୁରୁଣା ଏଟିସିର ଉଚ୍ଚତା ୨୩. ୪୬ ମିଟର ଥିଲା ବେଳେ ନୂଆ ଏଟିସିର ଉଚ୍ଚତା ରହିଛି ୪୪.୨ ମିଟର ।

୧୧ ମହଲା ବିଶିଷ୍ଟ ଭୁବନେଶ୍ୱର ବିମାନବନ୍ଦରର ଏହି ATC ଦେଶର ପ୍ରଥମ ଏକ୍ସପେରିମେଣ୍ଟାଲ ଏଟିସି ଟାୱାର । ଏଥିରେ ୩ଟି ସିଫ୍ଟରେ ୭୦ ଜଣ କର୍ମଚାରୀ କାମ କରିବେ । ଭାରତୀୟ ବିମାନବନ୍ଦର ପ୍ରାଧିକରଣ-AAI ଓ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍- BEL ମିଳିତ ଭାବେ ଏହାର ନିର୍ମାଣ କରିଛନ୍ତି । ଟାୱାର ନିର୍ମାଣରେ ଖର୍ଚ୍ଚ ହୋଇଛି ୪୦ କୋଟି ଟଙ୍କା । ହାର୍ଡୱେର ଇନଷ୍ଟଲ ଲାଗି ଆଉ ୨୦ କୋଟି ଟଙ୍କା ଖଟାଇଛି ଭାରତ ଇଲେକ୍ଟ୍ରୋନିକ୍ସ ଲିମଟେଡ୍ ।

ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି, ଏବେ ନୂଆ ଏଟିସିର ଦକ୍ଷତା ଓ ସ୍ଥିରତା ପରୀକ୍ଷା ଲାଗି ମାସେ ଯାଏଁ ଚାଲିବ ସମାନ୍ତରାଳ ପରିଚାଳନା । ଟ୍ରାଏଲ ରନ୍ ସଫଳ ହେଲେ, ସେପ୍ଟେମ୍ବରରୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ନୂଆ ଏଟିସି ।

ନୂଆ ATCର କ’ଣ ରହିଛି ବୈଶିଷ୍ଟ୍ୟ ?  ଏହା କିଭଳି କାମ କରିବ?

ବିମାନବନ୍ଦର ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ନୂଆ ଏଟିସି ଟାୱାରରେ ୩ଟି ସ୍ତର ରହିଛି । ସଂପୂର୍ଣ୍ଣ ଉପର ସ୍ତର ଅର୍ଥାତ୍ ଏକାଦଶ ମହଲାରେ ରହିଛି କଣ୍ଟ୍ରୋଲ ଟାୱାର, ଯାହାକି ବିମାନବନ୍ଦରରୁ ବିମାନର ଉଡ଼ାଣ ଓ ଅବତରଣକୁ ନିୟନ୍ତ୍ରଣ କରିବ । ସେହିପରି ନବମ ମହଲାରେ ଥିବା ଦ୍ୱିତୀୟ ସ୍ତରରେ ରହିଛି ଆଣ୍ଟି ହାଇଜାକିଂ କଣ୍ଟ୍ରୋଲ ରୁମ୍ । ବିମାନ ହାଇଜାକ୍ ଭଳି ଜରୁରୀ ପରିସ୍ଥିତିରେ କାମ କରିବ ଏହି ରୁମ୍ । ଏଠାରେ NSG କଣ୍ଟ୍ରୋଲ ରୁମ୍, ନେଗୋସିଏସନ ରୁମ୍ ଆଦି ରହିଛି ।

ସେହିପରି ଦ୍ୱିତୀୟ ମହଲାରେ ରହିଛି ଏରିଆ ଆଣ୍ଡ ଆପ୍ରୋଚ କଣ୍ଟ୍ରୋଲ ରୁମ୍ । ବିମାନବନ୍ଦର ଛାଡ଼ିବା ପରେ ଏଠାରୁ ବିମାନ ସହ ଯୋଗାଯୋଗ କରାଯାଇଥାଏ। ତେବେ ନୂଆ ଏଟିସିରେ ଆଡଭାନ୍ସଡ ସରଫେସ୍ ମୁଭମେଣ୍ଟ ଗାଇଡାନ୍ସ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ ରହିଛି । ଯାହାକି ଜିରୋ ଭିଜିବିଲିଟିରେ ମଧ୍ୟ ବିମାନକୁ ଟ୍ରାକ୍ କରିପାରିବ । ଏହାଦ୍ୱାରା ବିମାନ ପରିଚାଳନା ନିରପତ୍ତା ସୁଦୃଢ଼ ହେବାସହ ବିମାନ ପରିଚାଳନା ସହଜ ହେବ ।