• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବିଶ୍ୱରେ ଆତଙ୍କବାଦ ବିରୋଧୀ ଅଭିଯାନର ନେତୃତ୍ୱ ନେଉଛି ଭାରତ । ଅନ୍ତର୍ଜାତୀୟ ମଞ୍ଚରେ ଭାରତର ବଢୁଛି ଦବଦବା । ହିନ୍ଦୁସ୍ତାନର ସ୍ୱରକୁ ମିଳୁଛି ସମର୍ଥନ, ସହଯୋଗ ଦେଉଛି ବିଶ୍ୱ ମଞ୍ଚ । ବୈଶ୍ୱିକ ଆତଙ୍କବାଦ ସମସ୍ୟାକୁ ନେଇ ଭାରତ ସବୁବେଳେ ସ୍ୱର ଉଠାଇଛି । ଆତଙ୍କବାଦ ଓ ଆତଙ୍କବାଦୀଙ୍କ ପୃଷ୍ଠପୋଷକ ସାଜିଥିବା ଦେଶକୁ କଳା ତାଲିକା ଭୁକ୍ତ କରିବାକୁ ବାରମ୍ବାର ଦାବି କରିଆସୁଛି । ଏକ ପ୍ରମୁଖ ଦେଶ ଭାବେ ଏହି ସମସ୍ୟା ବିରୋଧରେ ସ୍ୱର ଶାଣିତ କରି ଆସୁଛି । ବିଶ୍ୱରୁ ଆତଙ୍କବାଦ ନିପାତ ପାଇଁ ଭାରତର ପ୍ରୟାସକୁ ମଧ୍ୟ ସବୁବେଳେ ବିଶ୍ୱ ସମୁଦାୟ ସମର୍ଥନ ବି ଦେଉଛନ୍ତି ।

ଏଭଳି ସମୟରେ ଜାତିସଂଘ ସୁରକ୍ଷା ପରିଷଦର ସ୍ୱତନ୍ତ୍ର ବୈଠକ ଭାରତରେ ଆୟୋଜିତ ହେବାକୁ ନେଇ ବେଶ୍ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ନୂଆଦିଲ୍ଲୀ ଏବଂ ମୁମ୍ବାଇରେ ଚଳିତ ମାସ ୨୮ ଏବଂ ୨୯ରେ ଅନୁଷ୍ଠିତ ହେବ ମିଳିତ ଜାତିସଂଘର ଆତଙ୍କବାଦୀ ବିରୋଧୀ ସମିତିର ସ୍ୱତନ୍ତ୍ର ବୈଠକ । ସବୁଠାରୁ ବଡ଼ କଥା ହେଉଛି ଐତିହାସିକ ମୁମ୍ବାଇ ତାଜ୍ ହୋଟେଲରେ ୟୁଏନ୍ଏସସିର ଏହି ବୈଠକ ବସିବ । ୨୬-୧୧ ମୁମ୍ବାଇ ହମଲା ଶିକାର ହୋଇଥିବା ନିରିହ ନାଗରିକଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ।

ୟୁଏନ୍ କାଉଣ୍ଟର ଟେରୋରିଜମ ବା ସିଟିସି ସମ୍ମିଳନୀ ପାଇଁ ଭାରତ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି । ଏହି ବୈଠକରେ ଆତଙ୍କପାତ ନିପାତ ପାଇଁ ରଣନୀତି ପ୍ରସ୍ତୁତି ହେବ । ତେବେ ମୁମ୍ବାଇ ତାଜ୍ ହୋଟେଲରେ ଏକାଠି ୟୁଏନଏସି ସଦସ୍ୟ ବୈଠକରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀଙ୍କ ଗୁଳିମାଡ଼ରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ । ୨୬ ନଭେମ୍ବର ୨୦୦୮ରେ ୧୦ ପାକିସ୍ତାନୀ ଆତଙ୍କବାଦୀ ମୁମ୍ବାଇକୁ ଟାର୍ଗେଟ କରି ନିଜ କବଜାକୁ ନେଇ ନରସଂହାରକୁ ରୂପ ଦେଇଥିଲେ । ୬୦ ଘଣ୍ଟାର ଏହି ନରସଂହାରରେ ୧୬୦ରୁ ଅଧିକ ସ୍ଥାନୀୟ ବାସିନ୍ଦା, ବିଦେଶୀ ପର୍ଯ୍ୟଟକ ରହିଥିଲେ ।

ମୁମ୍ବାଇ ଓ ନୂଆଦିଲ୍ଲୀରେ ହେବାକୁ ଥିବା ଏକ ସ୍ୱତନ୍ତ୍ର ବୈଠକରେ ପୂର୍ବ ଭଳି ଭାରତ ଆତଙ୍କବାଦର ମୂଳୋତ୍ପଟନ ପାଇଁ ଦାବି ରଖିବ । କଠୋରପନ୍ଥୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଭାରତ ଦାବି ଦୋହରାଇବ । ଏହା ସହ ପଡ଼ୋଶୀ ପାକିସ୍ତାନ ଭଳି ଯେଉଁ ସବୁ ଦେଶ ଆତଙ୍କବାଦୀଙ୍କ ଆକ୍କାମାନଙ୍କ ପ୍ରାୟୋଜକ ପାଲଟିଛନ୍ତି, ତ୍ରାଣକର୍ତ୍ତା ସାଜିଛନ୍ତି ଏବଂ ସହଯୋଗ ଓ ସମର୍ଥନ ଦେଉଛନ୍ତି । ତାଙ୍କୁ କଳା ତାଲିକାଭୁକ୍ତ କରି ସେମାନଙ୍କ ବିରୋଧରେ ମଧ୍ୟ ଜାତିସଂଘ ଚେତାବନୀ ଦେଉବୋଲି ଦାବି ରଖିବ ଭାରତ ।

ଭାରତରେ ହେବାକୁ ଥିବା ଏହି ସ୍ୱତନ୍ତ୍ର ବୈଠକର ବିଷୟବସ୍ତୁ ରହିଛି - କାଉଣ୍ଟରିଙ୍ଗ୍ ଦି ୟୁଜ୍ ଅଫ୍ ନ୍ୟୁ ଏଣ୍ଡ ଏମର୍ଜିଂ ଟେକ୍ନୋଲଜଜିସ୍ ଫର୍ ଟେରୋରିଷ୍ଟ ପରପଜ୍ ଅର୍ଥାତ ଆତଙ୍କବାଦୀ ଉଦ୍ଦେଶ୍ୟ ପାଇଁ ନୂତନ ଏବଂ ଉଦୀୟମାନ ପ୍ରଯୁକ୍ତିର ବ୍ୟବହାରକୁ ପ୍ରତିହତ କରିବା । ଏହି ବୈଠକରେ ଭାରତ ଅଧ୍ୟକ୍ଷତା କରିବାକୁ ଥିବା ବେଳେ ଏଥିରେ ସାମିଲ ହେବାକୁ ୟୁଏନ୍ଏସସିର ୧୫ ସଦସ୍ୟଙ୍କ ସମେତ ଅନ୍ୟ କୂଟନୀତିଜ୍ଞ ଭାରତ ଆସୁଛନ୍ତି ।