• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆସନ୍ତା ସପ୍ତାହରେ ଭାରତର ତୃତୀୟ ଚନ୍ଦ୍ର ଅଭିଯାନ । ଜୁଲାଇ ୧୩ରେ ଚନ୍ଦ୍ରୟାନ-୩ ଉତକ୍ଷେପଣ ହେବ ବୋଲି ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ । ସୂଚନା ଅନୁସାରେ, ଚନ୍ଦ୍ରଯାନ-୨ ତୁଳନାରେ ଚନ୍ଦ୍ରଯାନ-୩ରେ ବହୁ ଉନ୍ନତ ତଥା ଆଧୁନିକ ଯନ୍ତ୍ରାଂଶ ଖଞ୍ଜାଯାଇଛି ଏବଂ ଗତ ମାର୍ଚ୍ଚରୁ ହିଁ ସେଗୁଡ଼ିକର ପରୀକ୍ଷଣ ସରିଛି । କାରଣ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରୟାନ-୩ର ସଫ୍ଟ ଲ୍ୟାଣ୍ଡିଂ ଇସ୍ରୋ ପାଇଁ ରହିବ ସବୁଠୁ ବଡ଼ ଚାଲେଞ୍ଜ ।

ଜୁଲାଇ ୧୩, ଚନ୍ଦ୍ରପୃଷ୍ଠରେ ସଫଳତାର ଚିହ୍ନ ଛାଡ଼ିବାକୁ ପୁଣିଥରେ ପ୍ରୟାସ କରିବ ଭାରତ । ଉତକ୍ଷେପଣ ହେବ ଭାରତର ତୃତୀୟ ମୁନ୍ ମିଶନ୍ ଚନ୍ଦ୍ରୟାନ-୩ । ଜୁଲାଇ ୧୩ରୁ ୧୯ ଯାଏଁ ଲଞ୍ଚ ୱିଣ୍ଡୋ ଥିବା ବେଳେ, ଏହାର ପ୍ରଥମ ଦିନରୁ ହିଁ ମିଶନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ଇସ୍ରୋ । ଏନେଇ ସ୍ପଷ୍ଟ କରିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ GSLV ମାର୍କ-ଥ୍ରୀ ରକେଟ୍ ସାହାଯ୍ୟରେ ଚନ୍ଦ୍ରୟାନ-୩କୁ ମହାକାଶକୁ ପଠାଯିବ ।

୬ ସେପ୍ଟେମ୍ବର, ୨୦୧୯ । ଚନ୍ଦ୍ରୟାନ-୨ ପାଇଁ ଥିଲା ଘଡ଼ିସନ୍ଧି ମୁହୂର୍ତ୍ତ । ଚନ୍ଦ୍ରପୃଷ୍ଠରେ ରୋଭର ପ୍ରଜ୍ଞାନକୁ ସାଥିରେ ଧରି ଲ୍ୟାଣ୍ଡର୍ ବିକ୍ରମର ଅବତରଣର ବେଳ । ଭାରତରେ ସେତେବେଳେ ରାତି ପ୍ରାୟ ୨ଟା । ବିଳମ୍ବିତ ରାତିରେ ବି ଚେଇଁଥିଲା ସାରା ଦେଶ । ହେଲେ ସବୁ ଚେଷ୍ଟା ପରେ ବି ଶେଷ ମୁହୂର୍ତ୍ତରେ ଲ୍ୟାଣ୍ଡରର ସଫ୍ଟଲ୍ୟାଣ୍ଡିଂ ବା ସୁରକ୍ଷିତ ଅବତରଣ ସମ୍ଭବ ହୋଇପାରିନଥିଲା । କେବଳ ଅର୍ବିଟରକୁ ଚନ୍ଦ୍ର କକ୍ଷପଥରେ ଅବସ୍ଥାପିତ କରି ଆଂଶିକ ସଫଳତା ଦେଇଥିଲା ଚନ୍ଦ୍ରୟାନ-୨ ।

ଏବେ ଚନ୍ଦ୍ରୟାନ-୩ରେ ସେଇ ଅଧୁରା ସ୍ୱପ୍ନକୁ ସାକାର କରିବା ଅର୍ଥାତ୍ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡରର ସଫ୍ଟ ଲ୍ୟାଣ୍ଡିଂ କରି ତା ଭିତରୁ ରୋଭର ଗଡ଼ାଇବା ପାଇଁ ପୂର୍ଣ୍ଣ ଆଶାବାଦୀ ଅଛି ଇସ୍ରୋ । ଏଥିପାଇଁ ଲ୍ୟାଣ୍ଡରର ଗୋଡ଼ ଗୁଡ଼ିକ ଅଧିକ ମଜବୁତ କରାଯାଇଛି ଏବଂ ଉନ୍ନତ ସେନ୍ସର ଓ ଆଧୁନିକ ଯନ୍ତ୍ରାଂଶ ଲଗାଯାଇଛି । ଏହି ମିଶନ ପାଇଁ ଖର୍ଚ୍ଚ ହେବ ୬୧୫ କୋଟି ଟଙ୍କା ।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ସୂଚନା ଅନୁସାରେ, ଚନ୍ଦ୍ରୟାନ-୩ ଜୁଲାଇ ୧୩ ଅପରାହ୍ଣ ୨ଟା ୩୦ରେ ଲଞ୍ଚ୍ ହୋଇପାରେ ଏବଂ ଅଗଷ୍ଟ ୨୩ରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିପାରେ । ଚନ୍ଦ୍ରପୃଷ୍ଠରେ ଅବତରଣ ପରେ ଏହା ସେଠାକାର ସଂରଚନା, ମୃତ୍ତିକାର ଭୌତିକ ଗୁଣ, କଂପନ ଆଦି ସଂପର୍କରେ ମଧ୍ୟ ତଥ୍ୟ ସଂଗ୍ରହ କରିବ । ଚନ୍ଦ୍ରୟାନ-୨ର ଅର୍ବିଟର ମାଧ୍ୟମରେ ଚନ୍ଦ୍ରୟାନ-୩ର ଲ୍ୟାଣ୍ଡର ଓ ରୋଭର୍ ସହିତ ସଂପର୍କରେ ରହିବ ଇସ୍ରୋ । ମିଶନର ଆୟୁଷ ରହିବ ୧୪ ଦିନ ।

  • Reported by:
  • BIBARTAN PANDA