Advertisment

ସକ୍ରିୟ ହେବ ମୌସୁମୀ ! କାଲିଠୁ ବଢିବ ବର୍ଷାର ପରିମାଣ

ଆଷାଢ଼ ସରିଲା, କାଲିଠୁ ଶ୍ରାବଣ। ହେଲେ ଧାନ ଚାଷର ଚିହ୍ନବର୍ଣ୍ଣ ନାହିଁ। ଯେଉଁ ସମୟରେ ରୁଆ, ବେଉଷଣରେ ଚାଷୀ ମାତିବା କଥା ସେଠି କିନ୍ତୁ ଗଜା ଧାନ ବଞ୍ଚାଇବାକୁ ସଂଘର୍ଷ ଚଳାଇଛି।

author-image
Chandan Shishu
Rainfall increase from 4th July

Rainfall increase from 4th July

ଜୁଲାଇରେ ବି ଉଭାନ୍ ମୌସୁମୀ। ବର୍ଷା ଅଭାବରୁ ସବୁଠି ଚାଷ କାମ ପ୍ରଭାବିତ, ଅନେକ ସ୍ଥାନରେ ଗଜା ମରୁଡ଼ି ସ୍ଥିତି। ଚାଷୀ ଯେନତେନ ପ୍ରକାରେ ତଳି ବଞ୍ଚାଇବାକୁ ଚେଷ୍ଟା ଚଳାଇଛି, ହେଲେ ସ୍ବଳ୍ପ ବୃଷ୍ଟିପାତ ସାଙ୍ଗକୁ ବାଧକ ସାଜିଛି ଶୁଖିଲା କେନାଲ୍। ଏଣେ ପାଣିପାଗ ବିଭାଗ ମାନିଛି, ଜୁନ୍ ଆରମ୍ଭରୁ ଅଦ୍ୟାବଧି ୨୯ ପ୍ରତିଶତ କମ୍ ବର୍ଷା ହୋଇଛି। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେଲେ ଆଗକୁ ବର୍ଷା ସହ ମୌସୁମୀ ସକ୍ରିୟ ହେବ।

Advertisment

ଆଷାଢ଼ ସରିଲା, କାଲିଠୁ ଶ୍ରାବଣ। ହେଲେ ଧାନ ଚାଷର ଚିହ୍ନବର୍ଣ୍ଣ ନାହିଁ। ଯେଉଁ ସମୟରେ ରୁଆ, ବେଉଷଣରେ ଚାଷୀ ମାତିବା କଥା ସେଠି କିନ୍ତୁ ଗଜା ଧାନ ବଞ୍ଚାଇବାକୁ ସଂଘର୍ଷ ଚଳାଇଛି। ପୁରୀ ଜିଲ୍ଲା ନିମାପଡ଼ା ଅଞ୍ଚଳରେ, କିଏ ଭାରାରେ ପାଣି ବୋହି ଆଣି ଗଜା ଧାନ ଉପରେ ସିଞ୍ଚୁଛି ତ ପୁଣି କେଉଁଠି ସ୍ପ୍ରେୟର ମେସିନ୍ ର ସାହାଯ୍ୟ ନେଇଛି ଚାଷୀ। ନିମାପଡ଼ା କୃଷି ଜିଲ୍ଲା ଅନ୍ତର୍ଗତ ଗୋପ, ନିମାପଡ଼ା, କାକଟପୁର ଓ ଅସ୍ତରଙ୍ଗ, ସବୁ ବ୍ଲକରେ ଏଭଳି ସଂଗୀନ ସ୍ଥିତି।

ଶହ ଶହ ଏକର ଜମିରେ ଧାନ ଗଛ ଟିଏ ଦିଶୁନି, ଧାନ ବିଲରେ ଗୋରୁ ଘାସ ଚରୁଛନ୍ତି। ଓଡ଼ିଶାକୁ ମୋସୁମୀ ବାୟୁ ଛୁଇଁଯାଇଥିବା ନେଇ ଜୁନ୍ ୨୨ରେ ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେବା ପରେ ଚାଷ କାମ ଆଗେଇ ନେବାକୁ ତତ୍ପର ହୋଇ ପଡ଼ିଥିଲେ ଚାଷୀ। ଏମିତିକି କିସମ କିସମର ଧାନ ବୁଣିବା ସହ ତଳି ବି ପକାଇଥିଲେ। ହେଲେ ବର୍ଷା ଅଭାବରୁ ସବୁଠି ଗଜା ମରୁଡ଼ିର ଭୟ।

Advertisment

ତଥ୍ୟ କହୁଛି ଜୁନ୍ ଶେଷ ସୁଦ୍ଧା ପୁରୀ ଜିଲ୍ଲାରେ ମାତ୍ର ୯୫ ମିଲିମିଟର ବର୍ଷା ହୋଇଛି। ଯାହାକି ଆବଶ୍ୟକତାଠାରୁ ଅଧାରୁ କମ୍। ସେପଟେ କେନାଲରେ ପାଣି ଆସୁନଥିବାରୁ ନିମାପଡ଼ା ଅଞ୍ଚଳର ଚାଷୀଙ୍କ ଦୁର୍ଦ୍ଦଶା ଦ୍ବିଗୁଣିତ ହୋଇଛି। ଆସନ୍ତା ୨ରୁ ତିନି ଦିନ ଭିତରେ କେନାଲରେ ପାଣି ଛଡ଼ାନଗଲେ ଆନ୍ଦୋଳନ କରିବାକୁ ଧମକ ଦେଲେଣି। ସେପଟେ ଗ୍ରାଉଣ୍ଡ ଜିରୋରେ  ସ୍ଥିତି ଅନୁଧ୍ୟାନ ଚାଲିଛି ଓ ଖୁବଶୀଘ୍ର କେନାଲରେ ପାଣି ଛଡ଼ାଯିବ ବୋଲି କହିଛନ୍ତି ଅଧୀକ୍ଷଣ ଯନ୍ତ୍ରୀ।

ମୌସୁମୀର ଲୁଚକାଳି ଖେଳ ପରେ ଚାଷ ସ୍ଥିତି ଆହୁରି ସଂଗୀନ ଗଂଜାମ ଜଗନ୍ନାଥପ୍ରସାଦ ବ୍ଲକ୍ ଅଞ୍ଚଳରେ। ମୁଣ୍ଡ ଉପରେ ଯେମିତି ଟାଇଁ ଟାଇଁ ଖରା, ଏ ସବୁଜ ଛନଛନିଆ ତଳି ଠିଆ ଜଳିଯିବାକୁ ବେଶୀ ସମୟ ଲାଗିବନି। ଏଣେ ବର୍ଷାକୁ ଆଉ ଅପେକ୍ଷା ନକରି ଯେନତେନ ପ୍ରକାରେ ତଳି ବଞ୍ଚାଇବାକୁ ଚାଲିଛି ପ୍ରୟାସ। ଏହି ବ୍ଲକର ପ୍ରତାପପୁର, କୁଡ଼ତାଇ, ଗୋରେଡ଼ା ଓ ସୋରଡ଼ା ଆଦି ସ୍ଥାନରେ ଚାଷୀ ଏବେ ଆକାଶଙ୍କୁ ଚାହିଁ ବସିଛନ୍ତି।

ପଶ୍ଚିମ ଓଡ଼ିଶା ଖଡ଼ିଆଳ ଅଞ୍ଚଳରେ ଏବର୍ଷ ଢେର ବିଳମ୍ବରେ ଚାଷୀ ଧାନ ବୁଣିଥିଲେ, ହେଲେ ସବୁ ମରିବାକୁ ବସିଲାଣି। ଲୋୟର ଇନ୍ଦ୍ର ପ୍ରକଳ୍ପ ଅନ୍ତର୍ଗତ ତିଖାଲି ଡ୍ୟାମରୁ ପାଣି ଛଡ଼ାଯାଉନଥିବାରୁ ଚାଷୀ ଅସନ୍ତୋଷ ପ୍ରକାଶ କରିଥିବାବେଳେ ବର୍ଷା ନହେଲେ ଧାନ ଚାଷ ଉଜୁଡ଼ିବା କଥାକୁ ଅସ୍ବୀକାର କହିନାହାନ୍ତି ବ୍ଲକ କୃଷି ଅଧିକାରୀ।

ସେପଟେ ରାଜ୍ୟରେ ଦୁର୍ବଳ ମୌସୁମୀ ଯୋଗୁଁ ଖରିଫ ଧାନ ଚାଷ ସର୍ବାଧିକ ପ୍ରଭାବିତ ହୋଇଥିବା ମାନିଛି ପାଣିପାଗ ବିଭାଗ। ଜୁନ୍ ୧ରୁ ଜୁଲାଇ ୩ ତାରିଖ ମଧ୍ୟରେ ସ୍ବାଭାବିକଠାରୁ ପାଖାପାଖି ୯୦ ପ୍ରତିଶତ କମ୍  ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ୨୩୮ ମିଲମିଟର ବର୍ଷାର ଆକଳନ କରାଯାଇଥିବାବେଳେ ହୋଇଛି ମାତ୍ର ୧୬୮. ୧ ମିଲିମିଟର। ଯାହାକି ସ୍ବାଭାବିକଠାରୁ ୨୯ ପ୍ରତିଶତ କମ୍ । ତେବେ ଆଗକୁ ମୌସୁମୀ ପୁଣି ସକ୍ରିୟ ହେବ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ଫଳରେ ୪ତାରିଖରୁ ବର୍ଷାର ପରିମାଣ ବଢ଼ିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ।

ରିପୋର୍ଟ: ସଂଜୟ ପତି, କୁନାଲ ବେହେରା

Weather Update Rainfall Alert Southwest Monsoon
Advertisment
Advertisment