ଭାରତୀୟ ଇତିହାସରେ ଯୋଡି ହୋଇଛି ନୂଆ ଅଧ୍ୟାୟ । ସଂସଦର ନୂତନ ଭବନକୁ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ପାରମ୍ପରିକ ପୂଜାର୍ଚ୍ଚନା ଓ ବେଦ ମନ୍ତ୍ର ଉଚ୍ଚାରଣ ପରେ ପ୍ରଧାନମନ୍ତ୍ରୀଙ୍କୁ ସେଙ୍ଗୋଲ ପ୍ରଦାନ କରିଥିଲେ ତାମିଲନାଡୁ ଧର୍ମପୁରମ୍ ଅଧିନମ୍। ପ୍ରଧାନମନ୍ତ୍ରୀ ସେଙ୍ଗୋଲକୁ ସାଷ୍ଟାଙ୍ଗ ପ୍ରଣାମ କରିବା ସହ ଅଧିନମ୍ମାନଙ୍କ ଆଶୀର୍ବାଦ ଲୋଡିଥିଲେ । ଏହାକୁ ସଂସଦରେ ସ୍ଥାୟୀ ଭାବେ ରଖାଯିବ।
Also Read
ନୂତନ ସଂସଦ ଭବନରେ ଏହି ସେଙ୍ଗୋଲକୁ ବାଚସ୍ପତିଙ୍କ ଚେୟାର ନିକଟରେ ରଖାଯିବ । ଏହି ସେଙ୍ଗୋଲର ଇତିହାସ ଜବାହରଲାଲ ନେହେରୁଙ୍କ ସହିତ ଜଡ଼ିତ । କେବଳ ଏତିକି ନୁହେଁ ତାମିଲନାଡୁ ସହିତ ମଧ୍ୟ ଏହାର ଏକ ବିଶେଷ ସଂଯୋଗ ରହିଛି ।
ସେଙ୍ଗୋଲ୍ କ’ଣ ?
ସେଙ୍ଗୋଲ ସଂସ୍କୃତ ଶବ୍ଦ "ସଙ୍କୁ"ରୁ ଉତ୍ପନ୍ନ, ଯାହାର ଅର୍ଥ ହେଉଛି "ଶଙ୍ଖ" । ଶଙ୍ଖ ହେଉଛି ହିନ୍ଦୁ ଧର୍ମରେ ଏକ ପବିତ୍ର ବସ୍ତୁ । ଏହାକୁ ସବୁବେଳେ ସଂପ୍ରଭୂତାର ପ୍ରତୀକ ଭାବେ ବ୍ୟବହାର କରାଯାଇଥାଏ । ରାଜଦଣ୍ଡ ଭାରତୀୟ ସମ୍ରାଟଙ୍କ ଶକ୍ତି ଏବଂ ଅଧିକାରର ପ୍ରତୀକ ଥିଲା । ଏହା ସୁନା-ରୂପାରେ ନିର୍ମିତ ହୋଇଥାଏ । ଖାଲି ସେତିକି ନୁହେଁ ଏହାକୁ ମୂଲ୍ୟବାନ ପଥରରେ ମଧ୍ୟ ସଜାଯାଇଥାଏ ।
ସେଙ୍ଗୋଲ୍ ରାଜଦଣ୍ଡକୁ ବିଭିନ୍ନ ସମାରୋହରେ ସମ୍ରାଟ ନଜେ ଧରି ଆସୁଥିଲେ । ତାଙ୍କ ଅଧିକାରକୁ ଦର୍ଶାଇବା ପାଇଁ ଏହାର ବ୍ୟବହାର କରାଯାଉଥିଲା । ସେଙ୍ଗୋଲ୍କୁ ସତ୍ତା ହସ୍ତାନ୍ତରର ପ୍ରତୀକ ଭାବରେ ମଧ୍ୟ ବିବେଚନା କରାଯାଇଥାଏ । ଅମିତ ଶାହା କହିଛନ୍ତି ଯେ, ସଂସଦରେ ଯେଉଁ ସେଙ୍ଗୋଲ ପ୍ରତିଷ୍ଠା କରାଯିବ, ତାର ଶୀର୍ଷରେ ନନ୍ଦୀ ବିରାଜମାନ କରିଛନ୍ତି ।
ସ୍ୱାଧୀନତା ଏବଂ ନେହେରୁ ସମ୍ବନ୍ଧୀୟ ଇତିହାସ...
ଶାହା କହିଛନ୍ତି ଯେ, ସେଙ୍ଗୋଲର ଇତିହାସ ବହୁତ ପୁରୁଣା । ସ୍ୱାଧୀନ ଭାରତରେ ଏହାର ବଡ଼ ମହତ୍ତ୍ୱ ରହିଛି । ୧୪ ଅଗଷ୍ଟ ୧୯୪୭ରେ ଯେତେବେଳେ ଭାରତ ସ୍ୱାଧିନ ହେଲା ବା ସତ୍ତା ହସ୍ତାନ୍ତର ହେଲା, ସେତେବେଳେ ମଧ୍ୟ ଏହି ସେଙ୍ଗୋଲ୍ ବ୍ୟବହାର କରାଯାଇଥିଲା । କହିବାକୁ ଗଲେ ସେଙ୍ଗୋଲ ଭାରତ ସ୍ୱାଧିନତାର ପ୍ରତୀକ ।
ସ୍ୱାଧୀନତା ସମୟରେ ଯେତେବେଳେ ଲର୍ଡ ମାଉଣ୍ଟବେଟେନ୍, ପଣ୍ଡିତ ନେହେରୁଙ୍କୁ ପଚାରିଥିଲେ କ୍ଷମତା ହସ୍ତାନ୍ତର ସମୟରେ କ’ଣ ଓ କିଭଳି ଆୟୋଜନ କରାଯିବା ଉଚିତ୍ ? ଏହାପରେ ନେହେରୁ ତାଙ୍କ ସହଯୋଗୀଙ୍କ ସହ ଆଲୋଚନା କରିଥିଲେ । ସି ଗୋପାଳଚାରିଙ୍କୁ ମଧ୍ୟ ଏନେଇ ପଚରାଯାଇଥିଲା । ଗୋପାଳଚାରି ସେଙ୍ଗୋଲ ପ୍ରକ୍ରିୟା ବିଷୟରେ କହିଥିଲେ । ଏହାପରେ ତାମିଲନାଡୁରୁ ସେଙ୍ଗୋଲକୁ ଅଣାଯାଇଥିଲା । ମଧ୍ୟରାତ୍ରିରେ ପଣ୍ଡିତ ନେହେରୁ ତାକୁ ଗ୍ରହଣ କରିଥିଲେ । ଏହାର ଅର୍ଥ ହେଉଛି ଯେ, ପାରମ୍ପାରିକ ଉପାୟରେ ଆମ ପାଖକୁ ସତ୍ତା ହସ୍ତାନ୍ତର ହୋଇଛି।
ତାମିଲନାଡୁ ସହିତ ବିଶେଷ ସଂଯୋଗ...
ଅମିତ ଶାହା କହିଛନ୍ତି ଯେ, ସେଙ୍ଗୋଲ ଚୋଲା ସାମ୍ରାଜ୍ୟ ସହିତ ଜଡିତ । ଯେତେବେଳେ ଏହା ନେହେରୁଙ୍କୁ ହସ୍ତାନ୍ତର କରାଯାଇଥିଲା, ତାମିଲନାଡୁର ପୁରୋହିତମାନେ ଏଥିରେ ଧାର୍ମିକ ରୀତିନୀତି କରିଥିଲେ । କିନ୍ତୁ ୧୯୪୭ ପରେ ଏହାକୁ ସମସ୍ତେ ଭୁଲି ଯାଇଛନ୍ତି । ହେଲେ ୧୯୭୧ରେ ଜଣେ ତାମିଲ ପଣ୍ଡିତ ଏକ ପୁସ୍ତକରେ ଏହାର ଉଲ୍ଲେଖ କରିଥିଲେ । ୧୯୪୭ରେ ଉପସ୍ଥିତ ଥିବା ୯୬ ବର୍ଷିୟ ତାମିଲ ପଣ୍ଡିତ ମଧ୍ୟ ୨୮ ମେ’ରେ ଉପସ୍ଥିତ ରହିବେ । ୧୯୪୭ରେ ଭାରତର ସ୍ୱାଧିନତା ପରେ, ସେଙ୍ଗୋଲ ରାଜଦଣ୍ଡର ଆଉ ବ୍ୟବହାର କରାଯାଇ ନାହିଁ । ତଥାପି, ସେଙ୍ଗୋଲ ରାଜଦଣ୍ଡ ଭାରତୀୟ ରାଜାଙ୍କ ଶକ୍ତି ଏବଂ ଅଧିକାରର ପ୍ରତୀକ ବୋଳି ବିବେଚନା କରାଯାଏ । ଏହା ଭାରତର ସମୃଦ୍ଧ ଇତିହାସକୁ ମନେପକାଇଥାଏ । ଏହା ଦେଶର ସ୍ୱାଧୀନତାର ପ୍ରତୀକ ମଧ୍ୟ ।