/odishatv-khabar/media/post_attachments/uploadimage/library/16_9/16_9_0/Gold_Price_1745912526.jpg)
Gold Price
ଗତ ୨୨ ତାରିଖରେ ସୁନାଦର ଛୁଇଁଥିଲା ଏକ ଲକ୍ଷ । ଏବେ ଲକ୍ଷେ ପାଖାପାଖି ରହିଛି । ଲୋକମାନେ ଅକ୍ଷୟ ତୃତୀୟାରେ ସୁନା କିଣିବାକୁ ଶୁଭ ବୋଲି ବିଚାର କରିଥାଆନ୍ତି । ଏବେ ସୁନାଦର ଉଚ୍ଚା ରହିଛି । ଏହି ଦର ବୃଦ୍ଧି ଅନ୍ତର୍ଜାତୀୟ ସ୍ତରରେ ଘଟିଥିବା ଘଟଣା ପାଇଁ ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ରେସିପ୍ରୋକାଲ୍ ଟାରିଫ୍ ଲାଗୁ କରିବା ପରେ ସୁନାଦର ଆଶାତୀତ ଭାବେ ବଢ଼ିଛି ।
କାମା ଜିୱେଲେରୀର ଏମଡି କୋଲିନ ଶାହ କହିଛନ୍ତି, ବିଶ୍ୱ ଅର୍ଥନୈତିକ ଅନିଶ୍ଚିତତା ପାଇଁ ଏହି ସୁନାଦର ବଢ଼ିଛି । ଏହାର ସବୁଠୁ ବଡ଼ କାରଣ ହେଉଛି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଘୋଷଣା ଓ ଆମେରିକା-ଚୀନ୍ ମଧ୍ୟରେ ବାଣିଜ୍ୟ ଯୁଦ୍ଧ । ମଧ୍ୟ ପ୍ରାଚ୍ୟ ଓ ପୂର୍ବ ୟୁରୋପରେ ଦେଖା ଦେଇଥିବା ଉତ୍ତେଜନାର ମଧ୍ୟ ପ୍ରଭାବ ରହିଛି । ସାରା ବିଶ୍ୱରେ ଲୋକମାନେ ସୁନାରେ ନିବେଶକୁ ନିରାପଦ ମନେ କରି ଅଧିକ ନିବେଶ କରିଛନ୍ତି । ଫଳରେ ସୁନାଦର ବଢ଼ିଛି ।
ଇଣ୍ଡିଆନ ବୁଲିଅନ୍ ଆଣ୍ଡ ଜିୱେଲର୍ସ ଆସୋସିଏସନର ଭାଇସ୍ ପ୍ରେସିଡେଣ୍ଟ ଅକ୍ଷ କାମ୍ୱୋଜ କହିଛନ୍ତି, ସୁନା ଦର ବୃଦ୍ଧି ପାଇଁ ବିଶ୍ୱରେ ଘଟୁଥିବା ବିଭିନ୍ନ ଘଟଣା ଦାୟୀ । ତେବେ ଟଙ୍କାର ମୂଲ୍ୟ ହ୍ରାସ ପାଇବା ମଧ୍ୟ ଏକ କାରଣ । ଏଭଳି ପରିସ୍ଥିତିରେ ବିଭିନ୍ନ ଦେଶର ସେଣ୍ଟ୍ରାଲ ବ୍ୟାଙ୍କଗୁଡିକରେ ଗଚ୍ଛିତ ସୁନାର ପରିମାଣ ବଢ଼ୁଛି । ମୁଦ୍ରାସ୍ଫୀତିର ମୁକାବିଲା କରିବାକୁ ସୁନା ଉପରେ ଗୁରୁତ୍ୱ ଦେଉଛନ୍ତି ବିଭିନ୍ନ ବ୍ୟାଙ୍କ ।
୨୦୨୪-୨୫ ଆର୍ଥିକ ବର୍ଷରେ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI ) ୫୭.୫ ଟନ୍ ସୁନା କିଣିଛି । ଏବେ ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ୮୭୯.୫ ଟନ୍ ସୁନା ଗଚ୍ଛିତ ଅଛି । ଆନନ୍ଦ ରାଠି ସେୟାର ଓ ଷ୍ଟକ ବ୍ରୋକରର ନିର୍ଦ୍ଦେଶକ ନବୀନ ମାଥୁର କହିଛନ୍ତି, ଏ ବର୍ଷ ଆରମ୍ଭରୁ ସୁନାର ପ୍ରଦର୍ଶନ ବହୁତ ଭଲ ରହିଛି । ଆଗକୁ ମଧ୍ୟ ଏହା ଭଲ କରିବ ବୋଲି ସେ କହିଛନ୍ତି ।
ଅଧିକ ପଢ଼ନ୍ତୁ: ଆଗକୁ ଆହୁରି ଖସିବ ସୁନାଦର, ଜାଣନ୍ତୁ କେତେ ?
ତେବେ ଏଠି ପ୍ରଶ୍ନ ଉଠୁଛି, ପୂର୍ବ ବର୍ଷ ଭଳି ଏ ବର୍ଷ ଅକ୍ଷୟତୃତୀୟାରେ ଆପଣ ସୁନାରେ ନିବେଶ କଲେ ଅଧିକ ଲାଭ ପାଇବେ କି ?
ଜଣେ ମାର୍କେଟ ବିଶେଷଜ୍ଞ ଦେବେୟା ଗାଗନାନି କହିଛନ୍ତି, ସୁନାଦର ଏବେ ଉଚ୍ଚା ରହିଛି । କମ୍ ସମୟ (Short Term) ପାଇଁ ଯଦି ଆପଣ ନିବେଶ କରିବାକୁ ଚାହୁଁଛନ୍ତି, ତେବେ ରିସ୍କ ରହିଛି । ଦର ଟିକିଏ ଖସିଲେ ନିବେଶ କରାଗଲେ ଭଲ ବୋଲି ସେ କହିଛନ୍ତି । ତେବେ (Long Term) ବା ଦୀର୍ଘ ମିଆଦୀ ନିବେଶରେ ବିଶେଷ କିଛି ସୁବିଧା ନାହିଁ ।
ଅନ୍ୟ ଜଣେ ବିଶେଷଜ୍ଞ କହିଛନ୍ତି, ସୁନା ସବୁବେଳେ ଗୋଟିଏ ଆକର୍ଷଣୀୟ ସଂପତ୍ତି । ଏହାର ମୂଲ୍ୟ ଯେତେବେଳେ ହେଲେ ବି ବଢ଼ିବ । ସୁନାର ମୂଲ୍ୟ ୯୦ ହଜାର ଟଙ୍କାରୁ ଲକ୍ଷେ ଟଙ୍କାରେ ପହଞ୍ଚିବାକୁ ୧୨ ଦିନ ଲାଗିଥିଲା । କିନ୍ତୁ ୮୦ ହଜାର ଟଙ୍କାରୁ ୯୦ ହଜାର ଟଙ୍କା ଛୁଇଁବାକୁ ୭୭ ଦିନ ଲାଗିଥିଲା । ତେଣୁ ମାର୍କେଟ କରେକ୍ସନ ହେବାର ବି ସମ୍ଭାବନା ରହିଛି ।
ଅନେକ ଲୋକଙ୍କର ବିଶ୍ୱାସ ଅକ୍ଷୟତୃତୀୟାରେ ସୁନା କିଣିଲେ, ଘରକୁ ମାଆ ଲକ୍ଷ୍ମୀ ଆସନ୍ତି ଏବଂ ଏହା ବହୁତ ଶୁଭ ହୋଇଥାଏ । ଏବେ ସୁନା ଡିଜିଟାଲ୍ ଫର୍ମରେ ମଧ୍ୟ କିଣାଯାଇପାରୁଛି । ଆର୍ଥିକ ପ୍ଲାନିଂ ଅପେକ୍ଷା ଲୋକଙ୍କ ବିଶ୍ୱାସ ଉପରେ ଅକ୍ଷୟତୃତୀୟାରେ ଅଧିକ ସୁନା କିଣାଯାଏ । ତେବେ ଅନେକ ଲୋକ ମଧ୍ୟ ଏହାକୁ ଗ୍ରହଣ କରନ୍ତି ନାହିଁ । ମାର୍କେଟ ଅବସ୍ଥା ଦେଖି ସୁନା କିଣିଲେ, ଅଧିକ ରଟର୍ଣ୍ଣ ମିଳେ ବୋଲି ମଧ୍ୟ କେତେଜଣ ବିଶେଷଜ୍ଞ ମତ ରଖିଛନ୍ତି । ରୁପାରେ ନିବେଶ କଲେ ମଧ୍ୟ ଭଲ ରିଟର୍ଣ୍ଣ ମିଳୁଥିବା କହୁଛନ୍ତି ବିଶେଷଜ୍ଞ । ଜାତୀୟ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)