• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ପାଣ୍ଡବମାନେ ପବିତ୍ର ସମଙ୍ଗା ନଦୀରେ ସ୍ନାନ କଲାପରେ ଲୋମଶ ଋଷିଙ୍କ ସହ ଗଙ୍ଗାନଦୀର ଅବବାହିକାରେ ଥିବା କନଖଳରେ ପ୍ରବେଶ କରିଥିଲେ । ଅତୀବ ସୁନ୍ଦର ରମଣୀୟ ପର୍ବତ ଶ୍ରେଣୀ ଓ ସଦା ପ୍ରବାହିତା ପାବନୀ ଗଙ୍ଗା ତୀରର ଅପରୂପ ସୌନ୍ଦର୍ଯ୍ୟ ଦେଖି ପାଣ୍ଡବ ଚାରି ଭାଇ ଓ ଦ୍ରୌପଦୀ ଖୁବ ଆନନ୍ଦିତ ହେଇଥିଲେ । ଅନ୍ୟ ଏକ ତୀର୍ଥକୁ ଯିବା ରାସ୍ତାରେ ଯୁଧିଷ୍ଠିର ସେ ତୀର୍ଥର ମହାତ୍ମ୍ୟ ସଂପୂର୍ଣ୍ଣ ଭାବରେ ଜାଣିବାକୁ ଚାହିଁଲେ । 

ପାଣ୍ଡବମାନଙ୍କୁ ଲୋମଶ ମହର୍ଷି କହିଲେ ଏହା ଏକ ମହାନ ତୀର୍ଥ ସ୍ଥଳ । ବୃତ୍ତାସୁରକୁ ବଧ କଲାପରେ ଇନ୍ଦ୍ରଙ୍କୁ ଅଲକ୍ଷ୍ମୀ ଆଶ୍ରୟ କଲେ । ଏଇଠି ଦେବରାଜ ଇନ୍ଦ୍ରଦେବ ସ୍ନାନ କରି ସେଥିରୁ ମୁକ୍ତ ହୋଇଥିଲେ । ଋଷି ସନତକୁମାର ଏଇଠି ସିଦ୍ଧିଲାଭ କରିଥିଲେ । ତ୍ରେତୟା ଯୁଗରେ ଅଯୋଧ୍ୟା ରାଜକୁମାର ଭରତ ଏଇଠି ସ୍ନାନ କରିଥିଲେ ଓ ତାଙ୍କର ଅଭିଷେକ ହୋଇଥିଲା । ତେଣୁ ଏଇ କନଖଳ ପର୍ବତକୁ ଆରୋହଣ କରି ଓ ଗଙ୍ଗାରେ ସ୍ନାନ କରି ପୂଣ୍ୟ ଅର୍ଜନ କରନ୍ତୁ । 

ତାପରେ ଲୋମଶ ମହର୍ଷି ଅଳ୍ପ ଦୂରରେ ଥିବା ଏକ ଆଶ୍ରମ ଦେଖାଇ ଯୁଧିଷ୍ଠିରଙ୍କୁ କହିଲେ ଦେଖନ୍ତୁ ସେ ଆଶ୍ରମ ହେଉଛି ସେଇ ରୈଭ ଋଷିଙ୍କ ଆଶ୍ରମ । ସେଇଠି ନିଜର ମୁର୍ଖତା ପାଇଁ ଭରଦ୍ୱାଜଙ୍କ ପୁଅ ଯବକ୍ରୀତ ନିଜର ବିନାଶ ଡାକିଆଣିଥିଲେ । 

ରୈଭ ଋଷି ଓ ଯବକ୍ରୀତଙ୍କ କଥା ମୂଳରୁ ଶୁଣିବାକୁ ଯୁଧିଷ୍ଠିର ଆଗ୍ରହ ଦେଖାଇବାରୁ ଲୋମଶ ଗପିଲେ-

ଅନେକ ବର୍ଷ ତଳର କଥା । ରୈଭ ଓ ଭରଦ୍ୱାଜ ନାମରେ ଦୁଇ ତପସ୍ୱୀ ବଡ ବନ୍ଧୁ ଥିଲେ । ସେମାନେ ଗୋଟେ ଆଶ୍ରମରେ ରହି ଯପ ତପ ଓ ଯଜ୍ଞ ଅନୁଷ୍ଠାନ କରୁଥିଲେ । ରୈଭଙ୍କର ପରାବସୁ ଓ ଅର୍ବାବସୁ ନାମରେ ଦୁଇ ପୁଅ ଥିଲେ । ଦୁହେଁ ପଣ୍ଡିତ ଥିଲେ ଓ ବେଦରେ ଅଗାଧ ଜ୍ଞାନ ରଖିଥିଲେ । ଭରଦ୍ୱାଜଙ୍କର ଯବକ୍ରୀତ ନାମରେ ଗୋଟିଏ ମାତ୍ର ପୁଅ ଥିଲେ । 

ଭରଦ୍ୱାଜ ବେଦ ଅଧ୍ୟୟନ ଅପେକ୍ଷା ଅଧିକ ସମୟ ଈଶ୍ୱର ଆରାଧନା ଓ ଜପ ତପରେ ଅଧିକ ସମୟ ଦେଉଥିଲେ । ଯବକ୍ରୀତ ଲକ୍ଷ୍ୟ କଲେ ବେଦଜ୍ଞ ବ୍ରାହ୍ମଣମାନେ ରୈଭ ଋଷିଙ୍କୁ ଓ ତାଙ୍କ ଦୁଇ ପୁଅଙ୍କୁ ଯେତେ ଗୁରୁତ୍ୱ ଓ ସମ୍ମାନ ଦେଉଛନ୍ତି ତାଙ୍କ ବାପା ଭରଦ୍ୱାଜଙ୍କୁ ସେତେ ଦେଉନାହାଁନ୍ତି । ଏ କଥା ଦେଖି ତାଙ୍କ ମନରେ ଦୁଃଖ ଆସିଲା । ତେଣୁ ସେ ଭାବିଲେ ବେଦ ଅଧ୍ୟୟନ ନକରି କେବଳ ତପସ୍ୟା କରିବେ ଓ ଇନ୍ଦ୍ରଙ୍କୁ ସନ୍ତୁଷ୍ଟ କରି ସମସ୍ତ ବେଦରେ ପଣ୍ଡିତ ହେଇଯିବେ । 

ଯବକ୍ରୀତ କଠୋର ତପସ୍ୟା ଆରମ୍ଭ କଲେ । ତାଙ୍କ ତପସ୍ୟାରେ ଶେଷରେ ସନ୍ତୁଷ୍ଟ ହେଇ ଇନ୍ଦ୍ର ଆସି ତାଙ୍କ ଆଗରେ ପ୍ରକଟ ହେଲେ ତପସ୍ୟାର କାରଣ ପଚାରିଲେ । ଯବକ୍ରୀତ କହିଲେ ଅଧ୍ୟୟନ କରି ବେଦକୁ ଆୟତ୍ତ କରିବାକୁ ବହୁତ ସମୟ ଲାଗିବ । ମୁଁ ଗୁରୁଙ୍କ ପାଖରେ ସମୟ ଖର୍ଚ୍ଚ କରି ବେଦ ପଢିବାକୁ ଚାହୁଁନି । ତେଣୁ ମୁଁ ତପସ୍ୟା କରି ଦୈବୀ କୃପାରୁ ସମସ୍ତ ବେଦର ଜ୍ଞାନ ଆୟତ୍ତ କରିବାକୁ ଚାହୁଁଛି । ମୋତେ ବରଦାନ କରନ୍ତୁ ମୁଁ ଯେମିତି ମୋ ସମସାୟିକମାନଙ୍କ ଠାରୁ ଅଧିକ ବେଦଜ୍ଞ ହେଇପାରିବି । 

ଯବକ୍ରୀତଙ୍କ ନିର୍ବୋଧ କଥା ଶୁଣି ଇନ୍ଦ୍ରଦେବ ଓଠରେ ସ୍ମିତ ହାସ ଖେଳାଇ କହିଲେ, ହେ ବ୍ରାହ୍ମଣ ବାଳକ ବେଦଜ୍ଞ ହେବାକୁ ତୁମେ ଯେଉଁ ରାସ୍ତା ବାଛିଚ ତାହା ଠିକ ନୁହେଁ । ଶରୀରକୁ କଷ୍ଟ ଦେଇ କୁଚ୍ଛ୍ର ସାଧନ କରିବାର କିଛି ଆବଶ୍ୟକାତା ନାହିଁ । ତୁମେ କୌଣସି ଏକ ଗୁରୁଙ୍କ ପାଖକୁ ଯାଅ ଓ ବେଦ ଅଧ୍ୟୟନ କର । 

ଏତିକି କହି ଇନ୍ଦ୍ର ସେଠାରୁ ଚାଲିଗଲେ । ଯବକ୍ରୀତଙ୍କ ପାଖରେ ଇନ୍ଦ୍ରଙ୍କ ଉପଦେଶର କୌଣସି ଅର୍ଥ ନଥିଲା । ଯବକ୍ରୀତ ପୁଣି ଥରେ ତପସ୍ୟାରେ ବସିଲେ । ପୂର୍ବ ଥର ଅପେକ୍ଷା ଆହୁରି ନିଷ୍ଠାପର ଭାବରେ ଏକାଗ୍ର ହୋଇ ତପସ୍ୟା କଲେ । ନିଜ ଶରୀରକୁ ଭୀଷଣ କଷ୍ଟ ଦେବାକୁ ଲାଗିଲେ । ଇନ୍ଦ୍ରଙ୍କୁ ବାଧ୍ୟ ହୋଇ ପୁଣି ଥରେ ଯବକ୍ରୀତଙ୍କ ପାଖକୁ ଆସିବାକୁ ପଡିଲା । ଇନ୍ଦ୍ର ଆସି ପୁଣି ଥରେ କହିଲେ, ହେ ବାଳକ ତୁମେ ଯାହା କରୁଛ ତାହା କୌଣସି ସଦବୁଦ୍ଧି ଥିବା ମଣିଷର କାର୍ଯ୍ୟ ନୁହେଁ । ଜ୍ଞାନ ଲାଭ ପାଇଁ ତୁମେ ବାଛିଥିବା ରାସ୍ତା ଆଦୌ ଯଥାର୍ଥ ନୁହେଁ । ତୁମର ପିତା ଓ ତାଙ୍କର ବନ୍ଧୁମାନେ ସମସ୍ତେ କଠୋର ଅଧ୍ୟୟନ ଓ ଅଧ୍ୟାବସାୟ ଦ୍ୱାରା ଜ୍ଞାନ ପ୍ରାପ୍ତ କରିଛନ୍ତି । ଜ୍ଞାନ ପ୍ରାପ୍ତି ପାଇଁ କୌଣସି ସରଳ ସହଜ ରାସ୍ତା ନାହିଁ । ତୁମକୁ ତୁମ ପିତାଙ୍କ ରାସ୍ତା ହିଁ ଧରିବାକୁ ହେବ । 

ଯବକ୍ରୀତ କୌଣସି ପ୍ରକାରରେ ଇନ୍ଦ୍ରଙ୍କ ଉପଦେଶ ଶୁଣିବାକୁ ପ୍ରସ୍ତୁତ ନଥିଲେ । ସେ ଓଲଟି କହିଲେ, ହେ ଦେବରାଜ ମୋର ପଛକୁ ଫେରବାର କୌଣସି ଅଭିଳାଷ ନାହିଁ । ମୋର ଲକ୍ଷ୍ୟ ପୂରଣ ନହେଲେ ମୁଁ ଆହୁରି କଠୋର ତପସ୍ୟା କରିବାକୁ ରାଜି ଅଛି । ସେଥିରେ କିଛି ନହେଲେ ଯଜ୍ଞ କରି ମୋର ଶରୀରର ଅଂଶମାନ ଅଗ୍ନିରେ ଆହୁତି ଦେବାକୁ ପ୍ରସ୍ତୁତ ଅଛି । 

ଇନ୍ଦ୍ର ବୁଝିଗଲେ ଏ ନିର୍ବୋଧ ବାଳକକୁ ସିଧା ସଳଖ ବୁଝାଇ କିଛି ଲାଭ ନାହିଁ । ସେଥିପାଇଁ ଅଲଗା କିଛି ରାସ୍ତା ଖୋଜିବାକୁ ହେବ । 

ଦିନେ ସକାଳୁ ସକାଳୁ ଯବକ୍ରୀତ ତପସ୍ୟାରେ ବସିବା ଆଗରୁ ପାଖରେ ବହୁଥିବା ଗଙ୍ଗା ନଦୀରେ ଗାଧେଇବାକୁ ଯାଇଥାନ୍ତି । ନଦୀ କୂଳରେ ପହଞ୍ଚି ଦେଖିଲେ ଜଣେ ରୋଗିଣା ବୁଢା ଲୋକ ନଦୀ କୂଳରେ ବସି ମୁଠାଏ ଲେଖା ବାଲି ନଦୀ ଭିରରକୁ ଫିଙ୍ଗୁଛନ୍ତି । ଯବକ୍ରୀତ କିଛି ବୁଝିନପାରି ସେ ବୁଢା ଲୋକଙ୍କୁ ଏମିତି ନଦୀ ଭିତରକୁ ବାଲି ଫିଙ୍ଗିବାର କାରଣ ପଚାରିଲେ । ବୁଢା ଲୋକ ଜଣକ ଉତ୍ତର ଦେଲେ ଯେ ଏମିତି ବାଲି ପକେଇ ପକେଇ ମୁଁ ନଈରେ ବନ୍ଧ ଗୋଟେ ବାନ୍ଧିବାକୁ ଚାହୁଁଛି । ଫଳରେ ଳୋକମାନେ ଆଉ ହଇରାଣ ନହେଇ ସହଜରେ ନଦୀ ପାର ହେଇପାରିବେ । 

ବୁଢାଙ୍କ କଥା ଶୁଣି ଯବକ୍ରୀତ ହସି ପକାଇଲେ । କହିଲେ ମହାଶୟ ଆପଣ ଅଯଥା ଓ ଅସଂଭବ କାମରେ ସମୟ ନଷ୍ଟ କରୁଛନ୍ତି । ଆପଣ କ'ଣ ଦେଖିପାରୁନାହାଁନ୍ତି ବିଶାଳ ଗଙ୍ଗା ନଦୀ କେତେ କ୍ଷୀପ୍ର ବେଗରେ ପ୍ରବାହିତ ହେଉଛି? ଗଙ୍ଗା ନଦୀର ବେଗ ଆଗରେ ମୁଠାଏ ମୁଠାଏ ବାଲି ପକାଇ ବନ୍ଧ ବାନ୍ଧିବାର ଯୋଜନା ହାସ୍ୟାସ୍ପଦ ଲାଗୁଛି । ଏ ଅସଂଭବ କାମ ଛାଡି ଅନ୍ୟ କିଛି କାମ କରନ୍ତୁ । 

ମହାଭାରତ କଥାମହାଭାରତ କଥା

ଏଯାଏଁ ତଳକୁ ମୁହଁ ପୋତି ପାଣି ଭିତରକୁ ବାଲି ଛାଟୁଥିବା ବୁଢା ଜଣକ କହିଲେ କାହିଁକି ଅସଂଭବ? ଯବକ୍ରୀତ ନାମରେ ଜଣେ ଯୁବକ ଯଦି ବିନା ଅଧ୍ୟୟନ ଓ ଅଧ୍ୟାବସାୟରେ ବେଦଜ୍ଞ ହେବାକୁ ମନ ବଳାଇଛନ୍ତି, ତେବେ ମୁଠେ ମୁଠେ ଲେଖା ବାଲି ପକାଇ ମୁଁ କାହିଁକି ନଦୀରେ ବନ୍ଧ ବାନ୍ଧି ପାରିବିନି? 

ଯବକ୍ରୀତଙ୍କୁ ଏବେ ଅଜଣା ରହିଲାନି ସେ ରୋଗିଣା ବୁଢା ଲୋକ ଜଣକ କିଏ । ସେ ସିଧା ଇନ୍ଦ୍ରଦେବଙ୍କ ପାଦ ତଳେ ପଡିଗଲେ । କ୍ଷମା ଭିକ୍ଷା କରି କହିଲେ ଆପଣଙ୍କ ଉପଦେଶ ନଶୁଣି ମୁଁ ବଡ ଭୁଲ କରିଛି । ଆଉ ଏବେ ଅମାନ୍ୟ କରିବିନି । ମୁଁ କଠୋର ଅଧ୍ୟୟନ ଓ ଅଧ୍ୟବସାୟରେ ବେଦଜ୍ଞ ହେବାକୁ ନିଶ୍ଚୟ ଚେଷ୍ଟା କରିବି । କିନ୍ତୁ ମୋତେ ଗୋଟେ ମାତ୍ର ବର ଦିଅନ୍ତୁ ମୁଁ ଯେମିତି କୌଣସି ଗୁରୁଙ୍କ ସହାୟତା ବିନା ଜ୍ଞାନ ପ୍ରାପ୍ତ କରିବି ।

ଇନ୍ଦ୍ର ବୁଝିଲେ ଯେତେ ବୁଝାଇଲେ ବି ଯବକ୍ରୀତ ତଥାପି ତାଙ୍କ କଥାର ଗୁରୁତ୍ତ୍ୱ ବୁଝିଲେନି । ସେ ଶେଷରେ ତଥାସ୍ତୁ କହିଲେ ଓ ଅନ୍ତର୍ହିତ ହୋଇଗଲେ । 

ଯବକ୍ରୀତ ଯେତେବେଳେ ଏ ସବୁ କଥା ଆସି ତାଙ୍କ ବାପା ଭରଦ୍ୱାଜଙ୍କୁ କହିଲେ ସେ କହିଲେ, ବାପ ଏ କିଛି ଠିକ ହେଲାନି । ବିନା ଗୁରୁରେ ବେଦଜ୍ଞ ହେବା ଦ୍ୱାରା ତୁମ ମନରେ ଗର୍ବ ଆସିବ । ଗର୍ବ ହିଁ ତୁମ ବିନାଶର କାରଣ ହେବ । ଦେବତାଙ୍କ ବର ପାଇ ଜ୍ଞାନୀ ହେବା କିଛି ବଡ କଥା ନୁହେଁ । ଭରଦ୍ୱାଜଙ୍କୁ ଲାଗୁଥିଲା ପୁଅ ତାଙ୍କର କେବେ ଯଦି ମୁର୍ଖାମୀ କରି ରୈଭଙ୍କ ସହ ବିବାଦ କରି ନିଜ ପାଇଁ ବିପଦ ଡାକିଆଣିବେ । ତାପରେ ଭରଦ୍ୱାଜ ଯବକ୍ରୀତଙ୍କୁ ଗୋଟେ କାହାଣୀ କହିଲେ । 

ବାଳଧି ନାମରେ ଜଣେ ଋଷି ଥିଲେ । ଅକାଳରେ ପୁଅ ତାଙ୍କର ମରିଗଲେ । ଋଷି ପୁତ୍ର ଶୋକରେ ଆଉ ଏକ ପୁତ୍ର କାମନା କରି ତପସ୍ୟା କଲେ । ଋଷିଙ୍କର ଇଚ୍ଛା ଥାଏ ତାଙ୍କର ଅମର ପୁତ୍ର ଗୋଟେ ଜନ୍ମ ନେଉ । ଋଷିଙ୍କର ତପସ୍ୟାରେ ଦେବତାମାନେ ସନ୍ତୁଷ୍ଟ ହେଲେ ମଧ୍ୟ କିଛି କରିପାରୁନଥାନ୍ତି । କାରଣ ଅମର ବର ସେମାନେ ଦେବେ ବା କେମିତି? ମଣିଷ ଜନ୍ମ ହେଲେ ମରଣ ତ ନିଶ୍ଚୟ । ନୀୟମ ଅନ୍ୟଥା ହେବ କେମିତି? ଦେବତାମାନେ ଆସି ବାଳଧି ଋଷିଙ୍କୁ କହିଲେ ଅମର ପୁଅ ଛଡା ଅନ୍ୟ କିଛି ବର ମାଗନ୍ତୁ। ବାଳଧ ଋଷି ଦୂରରେ ଦିଶୁଥିବା ପର୍ବତକୁ ଦେଖାଇ କହିଲେ ଏ ପର୍ବତ ଯେତେଦିନ ରହିବ ମୋ ପୁଅ ସେତେଦିନ ବଞ୍ଚି ରହିବ ବୋଲି ବର ଦିଅନ୍ତୁ । ଦେବତାମାନେ ତଥାସ୍ତୁ କହିଲେ ଓ ଯଥାଶୀଘ୍ର ଋଷିଙ୍କର ପୁଅଟିଏ ହେଲା । ପୁଅର ନାମ ରଖାଗଲା ମେଧାବୀ । 

ସାମାନ୍ୟ ବଡ ହେଲା ପରେ ମେଧାବୀ ତାଙ୍କ ଜନ୍ମ ମୃତ୍ୟୁର ରହସ୍ୟ ଜାଣିଗଲେ ଓ କାହାରିକୁ ଆଉ ଭୟ କଲେନି । ଦିନେ ମେଧାବୀ ଧନୁସାକ୍ଷୀ ନାମକ ଋଷିଙ୍କୁ ଅକାରଣରେ ଅପମାନିତ କଲେ । ଋଷି ମେଧାବୀଙ୍କୁ ଭଷ୍ମ ହେଇଯା ବୋଲି କ୍ରୋଧରେ ଅଭିଶାପ ଦେଲେ । କିନ୍ତୁ ଦେବତାଙ୍କ ଆଶୀର୍ବାଦ ପାଇଥିବା ମେଧାବୀଙ୍କର କିଛିବି ହେଲାନି । ଋଷି ଆଶ୍ଚର୍ଯ୍ୟ ହୋଇ କାରଣ ଖୋଜି ଜାଣିଲେ ଓ ବଳବାନ ଏକ ଗୟଳର ରୂପ ଧାରଣ କରି ସେ ପାହାଡକୁ ତାଡିବାକୁ ଲାଗିଲେ । ପର୍ବତ ତଡା ସରିଲା ବେଳକୁ ମେଧାବୀଙ୍କର ଶରୀରରେ ଆଉ ଜୀବନ ନଥିଲା ।

ମେଧାବୀଙ୍କ କାହାଣୀ କହିସାରିଲା ପରେ ଭରଦ୍ୱାଜ ତାଙ୍କ ପୁଅ ଯବକ୍ରୀତଙ୍କୁ କହିଲେ ମୁଁ ତୁମକୁ ଏ କାହାଣୀ କହିବାର କାରଣ ହେଲା ତୁମେ ଏଥିରୁ ଶିକ୍ଷା ଲାଭ କର । ଦେବତାଙ୍କ ବର ପାଇ ଅନ୍ୟପ୍ରତି ଅବମାନନା କରନି । ତୁମ ମନରେ ରୈଭ ଋଷିଙ୍କ ପ୍ରତି ଥିବା ମନୋଭାବ ମୁଁ ଜାଣେ । ଭୁଲରେ ବି ତାଙ୍କର ଅବଜ୍ଞା କରିବନି। ମନେରଖିଥିବ ରୈଭ ମୁନି ଯେତିକି ଜ୍ଞାନୀ ସେତିକି କ୍ରୋଧୀ ମଧ୍ୟ। 

ଲୋମଶ କହିଲେ, ହେ ଯୁଧିଷ୍ଠିର, ଭରଦ୍ୱାଜଙ୍କ କଥାରେ ଯବକ୍ରୀତ ହଁ ମାରିଲେ ଓ ବାପାଙ୍କର ଉପଦେଶ ସବୁ କିଛି ମାନିବେ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ ନିଜ ପିତାଙ୍କ କଥା ନଶୁଣି ଯେଉଁ ଫଳ ପାଇଲେ ତାହା ତ ମୁଁ ପୂର୍ବରୁ କହିସାରିଛି । ଯବକ୍ରୀତ ବିନା ଅଧ୍ୟୟନ ଓ ଅଧ୍ୟାବସାୟରେ ଜ୍ଞାନ ଲାଭର ଲୋଭରେ ଯେମିତି ନିଜକୁ ନଷ୍ଟ କଲେ ସେମିତି ପରାବସୁ ଜଣେ ବେଦଜ୍ଞ ଓ ଜ୍ଞାନୀ ବ୍ରାହ୍ମଣ ହୋଇବି ନିଜକୁ ସଞ୍ଜମ କରିନପାରି ବିପଦ ଡାକିଆଣିଲେ। ଆତ୍ମ ସଞ୍ଜମତା, ପ୍ରଗାଢ ନିଷ୍ଠା, ଅଧ୍ୟୟନ ଓ ଅଧ୍ୟବସାୟ ବ୍ୟତିରେକ ଜ୍ଞାନର କୌଣସି ମୂଲ୍ୟ ନାହିଁ ।