Advertisment

ପ୍ରବଳ ବର୍ଷାରେ ବେହାଲ ବେଙ୍ଗାଲୁରୁ : ଜଳବନ୍ଦୀ ସ୍ଥିତି ଯୋଗୁଁ ୨୨୫ କୋଟି ଟଙ୍କାର କ୍ଷତି

ଆଇଟି ଫାର୍ମ ଗୁଡ଼ିକୁ ୨୨୫ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିବା ସୂଚନା ମିଳିଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ORRCA ।

author-image
Prangyan Parimita
ଅଦ୍ୟତନ ହୋଇଛି
Bengaluru Floods

Bengaluru Floods

ଭାରତର ଟେକ୍ନୋଲୋଜି କ୍ୟାପିଟାଲ୍ କୁହାଯାଉଥିବା ବେଙ୍ଗଳୁରୁରେ ଜଳବନ୍ଦୀ ସ୍ଥିତି ଯୋଗୁଁ ହୋଇଛି କୋଟି କୋଟି ଟଙ୍କାର କ୍ଷତି । ଆଇଟି ଫାର୍ମ ଗୁଡ଼ିକୁ ସହିବାକୁ ପଡ଼ିଛି ୨୨୫ କୋଟି ଟଙ୍କାର କ୍ଷତି । ଆଉଟର୍ ରିଙ୍ଗରୋଡ୍ କଂପାନୀ ସଂଘ ପକ୍ଷରୁ କର୍ଣ୍ଣାଟକ ସରକାରଙ୍କ ନିକଟରେ ଅଭିଯୋଗ କରାଯାଇଛି ଯେ, ଜଳାର୍ଣ୍ଣବ ରାସ୍ତାରେ ଟ୍ରାଫିକ ଜାମ୍ ହେବାରୁ ସଂସ୍ଥାର କର୍ମଚାରୀମାନେ ୫ ଘଣ୍ଟା ଫସିରହିଥିଲେ । ସେଥିଯୋଗୁଁ କେବଳ କଂପାନୀର ଖ୍ୟାତିରେ ଆଞ୍ଚ ଆସିନି, ବରଂ ତା ସହିତ ୨୨୫ କୋଟି ଟଙ୍କାର କ୍ଷତି ହୋଇଛି । ତେଣୁ ସହରର ଭିତ୍ତିଭୂମିର ତୁରନ୍ତ ପୁନଃ ବିକାଶ ପାଇଁ ଦାବି ରଖିଛି ସଂଘ ।

Advertisment

ଆଉଟର ରିଙ୍ଗରୋଡ୍ କଂପାନୀ ସଂଘ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛି ଯେ, କ୍ରିଷ୍ଣରାଜାପୁରମରୁ ସେଣ୍ଟ୍ରାଲ୍ ସିଲକ ବୋର୍ଡ ଯାଏଁ ଲମ୍ବିଥିବା ୧୭ କିଲୋମିଟର ଦୀର୍ଘ ଆଉଟର୍ ରିଙ୍ଗ୍ ରୋଡ୍ ସ୍ଥିତ କଂପାନୀ ଗୁଡ଼ିକରେ ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ମିଳିଛି । ଅଥଚ ଏହି ଅଞ୍ଚଳର ଭିତ୍ତିଭୂମିକୁ ସୁଧାରିବାର ପ୍ରୟାସ ହେଉ ନଥିବାରୁ କଂପାନୀ ମାନେ ବେଙ୍ଗଳୁରୁ ଛାଡ଼ି ବିକଳ୍ପ ସ୍ଥାନ ବାଛିପାରନ୍ତି ।

ଆଉଟର୍ ରିଙ୍ଗରୋଡରେ ଥିବା ଆଇଟି କଂପାନୀ ଗୁଡ଼ିକରୁ ସୃଷ୍ଟି ହୋଇଥାଏ ବାର୍ଷିକ ୨୨ ଶହ କୋଟି ଟଙ୍କାର ରାଜସ୍ୱ, ଯାହାକି ବେଙ୍ଗାଲୁରୁରେ ସୃଷ୍ଟି ହେଉଥିବା ମୋଟ୍ ରାଜସ୍ୱର ୩୨ ପ୍ରତିଶତ । ଅଥଚ ଏହି ଅଞ୍ଚଳରେ ଶୋଚନୀୟ ଭିତ୍ତିଭୂମି ବେଙ୍ଗାଲୁରୁର ଆଇଟି ଶିଳ୍ପର ଅଭିବୃଦ୍ଧି ଉପରେ ବଡ଼ ପ୍ରଶ୍ନଚିହ୍ନ ଲଗାଇଛି । ତେଣୁ ସରକାରଙ୍କୁ ନିର୍ଦ୍ଦିଷ୍ଟ ଅବଧି ଭିତରେ ଭିତ୍ତିଭୂମି ବିକାଶ ପାଇଁ ସ୍ୱଳ୍ପ ମିଆଦି ଓ ଦୀର୍ଘ ମିଆଦି ଯୋଜନା ପ୍ରସ୍ତୁତ କରିବାକୁ ଦାବି ରଖିଛି ORRCA ।

Advertisment

ଏଥିସହ ଆଉଟର୍ ରିଙ୍ଗରୋଡକୁ ଯୋଡ଼ୁଥିବା ମୁଖ୍ୟ ସଡ଼କ ଯଥା- ଓଲ୍ଡ ଏୟାରପୋର୍ଟ ରୋଡ୍, ଆଇଟିପିଏଲ୍ ରୋଡ୍ ଏବଂ ଭାର୍ଥର୍ ରୋଡର ଉନ୍ନତୀକରଣ ପାଇଁ ଦାବି କରିଛି । ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ବୋମାଇ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଆଉଟର୍ ରିଙ୍ଗ୍ ରୋଡରେ ଥିବା କଂପାନୀଗୁଡ଼ିକୁ ଡାକି ବର୍ଷା ଜନିତ କ୍ଷୟକ୍ଷତିର ଆକଳନ କରାଯିବ ଏବଂ ସେମାନଙ୍କ ସହ କ୍ଷତିପୂରଣ ସଂପର୍କରେ ଆଲୋଚନା କରାଯିବ .।

ଗତ ଜୁଲାଇରେ ଭୀଷଣ ବନ୍ୟାର ସାମ୍ନା କରିଥିଲା ବେଙ୍ଗାଲୁରୁ । ସପ୍ତାହକ ଭିତରେ ଦୁଇ ଦୁଇଥର ଉପୁଜିଲାଣି ଜଳବନ୍ଦୀ ସ୍ଥିତି । ବର୍ଷା, କୃତ୍ରିମ ବନ୍ୟା ଓ ସେଥିଜନିତ ଟ୍ରାଫିକ୍ ଜାମ୍ ଯୋଗୁଁ ନାହିଁନଥିବା ସମସ୍ୟା ଭୋଗିଛନ୍ତି ଆଇଟି କଂପାନୀର କର୍ମଚାରୀମାନେ । ବହୁ ଆଇଟି କଂପାନୀ ସେମାନଙ୍କ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକଙ୍କୁ ଅତି ଜରୁରୀ ନଥିଲେ ଘରେ ରହିବାକୁ ପ୍ରଶାସନ ପକ୍ଷରୁ ଅପିଲ୍ କରାଯାଉଛି । କେବଳର ବେଙ୍ଗାଲୁରୁର ଆଇଟି ବେଲ୍ଟ ନୁହେଁ, ବେଙ୍ଗଳୁରୁ ବିମାନ ବନ୍ଦରରେ ମଧ୍ୟ ପାଣି ପଶିଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ, ରାସ୍ତା ଜଳବନ୍ଦୀ ଯୋଗୁଁ ଜଣେ ୨୩ ବର୍ଷିୟା ଯୁବତୀ ଅଖିଲା ସ୍କୁଟିରୁ ପଡ଼ିଯିବା ଯୋଗୁଁ ଇଲେକ୍ଟ୍ରି ଖୁଣ୍ଟି ସଂସ୍ପର୍ଶରେ ଚାଲିଆସିଥିଲେ। ଫଳରେ ବିଦ୍ୟୁତ ଆଘାତରେ ତାଙ୍କର ମୃତ୍ୟୁ ହୋଇଛି। 

Heavy Rainfall Bengaluru Bengaluru Flood
Advertisment
Advertisment