• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ପାଞ୍ଚ ବର୍ଷର ପ୍ରଭାତୀ, ଦୁଇ ବର୍ଷର ପ୍ରେମ୍‌କୁ ଦୁନିଆ କଣ ବୁଝିବା ଆଗରୁ ଅନାଥ ହୋଇଯାଇଛନ୍ତି ଦୁଇ ଶିଶୁ । ପ୍ରଥମେ ଟିବି ରୋଗାଗ୍ରସ୍ତ ମାଆ ଚାଲିଗଲେ । ଗାଁ ତୁଠରେ ଦଶାହ କର୍ମ ଚାଲିଥିବା ବେଳେ କିଡନୀ ରୋଗରେ ଆକ୍ରାନ୍ତ ବାପା ବି ଚାଲିଗଲେ ଆରପାରିକୁ । ଏଭଳି ବିପତ୍ତି ସମୟରେ ବାପା-ମାଆ ଛେଉଣ୍ଡ ଦୁଇ ଛୁଆଙ୍କ ପ୍ରତି ସହାୟତାର ହାତ ବଢାଇଛନ୍ତି ଗଂଜାମର ମଧୁସୂଦନ ପାତ୍ର । ବୟସ ୭୦ ଉପରେ ହେଲାଣି ଠିକସେ ଶୁଣାଯାଉନି କି ଦେଖିପାରୁ ନାହାଁନ୍ତି । ତଥାପି ନିଜ ଲୁନାରେ ଗଂଜାମରୁ ୩୫୦ କିଲୋମିଟର ରାସ୍ତା ଅତିକ୍ରମ କରି ପହଁଚିଛନ୍ତି ଭଦ୍ରକ ବଣିଆ ଗାଁରେ । ଅନାଥ ଶିଶୁଙ୍କୁ ଭେଟି ଦେଇଛନ୍ତି ୧୦ ହଜାର ଟଙ୍କାର ସହାୟତା । ୭୦ ବର୍ଷିୟ ବୃଦ୍ଧ ମଧୁସୂଦନଙ୍କ ଏଭଳି ସାହସ ଓ ପରୋପକାରିତା ଚକିତ କରିଛି ସମସ୍ତଙ୍କୁ ।

ମଧୁସୂଦନ ଖବର କାଗଜରେ ଯାହାର ଦୁଃଖ ଦେଖନ୍ତି, ସାହାଯ୍ୟ କରିବାକୁ ଲୁନା ଧରି ପହଁଚିଯାଆନ୍ତି ତା’ପାଖରେ । ପେନସନ୍ ଟଙ୍କାରେ ଯେତିକି ପାରନ୍ତି ସହାୟତା କରନ୍ତି । ଜୁଲାଇ ୨୦୨୧ ଜଗତସିଂହପୁରର ଜନପାଳ ଗାଁ ଗାଁର ଗନ୍ଧର୍ବ ଜେନାଙ୍କ ଦେହାନ୍ତ ପରେ ଅନାଥ ହୋଇଯାଇଥିଲେ । ତିନି ଝିଅ ଅଭାବ ଅନଟନରେ ଚଳୁଥିବା ପରିବାର ପ୍ରତି ସେତେବେଳେ ସହାୟତାର ହାତ ବଢାଇଥିଲେ ମଧୁସୂଦନ । ଗଂଜାମରୁ ୩୦୦ କିଲୋମିଟର ଦୂର ନିଜେ ଗାଡି ଚଲାଇ ପହଂଚିଥିଲେ ଅଭାବୀ ପରିବାର ପାଖରେ ଏବଂ ୧୦ ହଜାର ଟଙ୍କା ସହାୟତା କରିଥିଲେ ।

କ୍ଷୁଦ୍ର ଜଳସେଚନ ବିଭାଗ ବ୍ରହ୍ମପୁର ଡିଭିଜନରେ ଅମିନ ଭାବେ ୨୫ ବର୍ଷ ଚାକିରି କରିଥିଲେ ମଧୁସୂଦନ । ୧୯୯୬ରେ ଅବସର ପରେ ପାରିବାରିକ କଳହ କାରଣରୁ ଘର ଛାଡି ସନ୍ୟାସୀ ଜୀବନ ଜିଉଁଛନ୍ତି । ପରିଣତ ବୟସରେ ପରିବାର ସିନା ପର କରିଦେଲେ, ହେଲେ ଲୋକଙ୍କୁ ସାହାଯ୍ୟ କରିବାରେ କେବେବି ପଛଘୁଂଚା ଦେଇନାହାଁନ୍ତି ମଧୁସୂଦନ ।

ରିପୋର୍ଟର- ଭଦ୍ରକରୁ ପାର୍ଥସାରଥୀ ନାୟକ