• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜ୍ୟରେ ବିଜେପିର ସ୍ଥିତି କଣ? ବୁଥ୍‌ସ୍ତରରେ କେମିତି ରହିଛି ସଙ୍ଗଠନ ? କେଉଁ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ବିରୋଧରେ ଲଢେଇ ହେଉଛି ? ସରକାର ବିରୋଧୀ ହାୱା ବନାଇବାରେ ଦଳ କେତେ ସଫଳ ହେଉଛି ? କ୍ଷେତ୍ରୀୟ ପ୍ରଭାରୀ ହେବା ପରେ ପ୍ରଥମ ଥର ଲାଗି ଓଡ଼ିଶା ଗସ୍ତରେ ଆସିଥିବା ସୁନୀଲ ବଂଶଲ ଏସବୁ ପ୍ରସଙ୍ଗ ଉପରେ ଫୋକସ୍ କରିଛନ୍ତି ।

ପ୍ରଥମ ଦିନ ରାଜ୍ୟ ପ୍ରଭାରୀ, ରାଜ୍ୟ ସଭାପତି, ସାଧାରଣ ସଂପାଦକମାନଙ୍କ ସହ ଆଲୋଚନା ପରେ ଆଜି କୋର୍ କମିଟି ସଦସ୍ୟ ଓ ରାଜ୍ୟ ପଦାଧିକାରୀମାନଙ୍କ ସହ କରିଥିଲେ ମାନସ ମନ୍ଥନ । ସମସ୍ତ ନେତାଙ୍କଠାରୁ ବିତ୍ସୃତ ଭାବେ ନେଇଛନ୍ତି ଫିଡ୍‌ବ୍ୟାକ୍ । ଫୋକସ୍‌ରେ ରହିଛି ସଂଗଠନକୁ ତୃଣମୂଳ ସ୍ତରରେ ମଜଭୁତ୍ କରିବା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦେଇଥିବା ଟାସ୍କ କାର୍ଯ୍ୟକାରୀ କରିବା ଓ ୨୦୨୪ରେ କ୍ଷମତା ଦଖଲ କରିବା । ଏଥିପାଇଁ ବ୍ଳୁ ପ୍ରିଣ୍ଟ ପ୍ରସ୍ତୁତ କରିବେ ଖୋଦ୍ ବଂଶଲ ।

ପ୍ରଥମେ ୩ ମାସିଆ ଖସଡା ପ୍ରସ୍ତୁତ ହେବ । ଏଥିପାଇଁ ଆରମ୍ଭ ହେବ ବୁଥ୍ ସଶକ୍ତୀକରଣ ଅଭିଯାନ । ପଦାଧିକାରୀମାନେ ଗ୍ରାଉଣ୍ଡକୁ ଯାଇ ବୁଥ୍ ମଜଭୁତ୍ କାମରେ ଲାଗିବେ । ୨୦୧୯ରେ ଯେଉଁ ସବୁ ବୁଥ୍‌ରେ ଦଳକୁ କମ୍ ଭୋଟ୍ ମିଳିଥିଲା, ସେଗୁଡିକୁ ଶକ୍ତିଶାଳୀ କରାଯିବ । ଦଳ ଜିତିଥିବା ଲୋକସଭା କ୍ଷେତ୍ରର ୧୦୦ଟି ବୁଥ୍ ଓ ସବୁ ବିଧାନସଭା କ୍ଷେତ୍ରର ୨୫ଟି ଲେଖାଏଁ ବୁଥ୍ ସଶକ୍ତ କରିବା ପାଇଁ ଆଲୋଚାନ ହୋଇଛି । ସେହିପରି ପରାଜୟ ହୋଇଥିବା ଲୋକସଭା କ୍ଷେତ୍ରଗୁଡିକରେ ଆରମ୍ଭ ହେବ ଲୋକସଭା ପ୍ରବାସ ଯୋଜନା । ଯେଉଁଥିରେ କେନ୍ଦ୍ରମନ୍ତ୍ରୀମାନେ ଆସି ସ୍ଥିତି ଅନୁଧ୍ୟାନ କରିବେ । ସଙ୍ଗଠନ ମଜଭୁତ୍ ସହିତ ରାଜ୍ୟ ସରକାରଙ୍କ ବିଫଳତାକୁ ନେଇ ଜୋରଦାର ଲଢେଇ ଓ କେନ୍ଦ୍ର ସରକାରଙ୍କ ସଫଳତା ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଛି ।

ଆସନ୍ତା ସେପ୍ଟେମ୍ବର ୧୩ରୁ ୧୫ ଯାଏ ପୁରୀରେ ଦଳୀୟ କର୍ମକର୍ତ୍ତାଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । ଯେଉଁଥିରେ ଯୋଗଦେବେ ସଂଗଠନ ମହାମନ୍ତ୍ରୀ ବି.ଏଲ୍. ସନ୍ତୋଷ । ଏହାପରେ ସେପ୍ଟେମ୍ବର ୨୯ ଓ ୩୦ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି କର୍ମକର୍ତ୍ତାଙ୍କୁ ଉତ୍ସାହିତ କରିବେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । 

ପଂଚାୟତ ଓ ପୌର ନିର୍ବାଚନର ପ୍ରଦର୍ଶନକୁ ଭୁଲି ବିଜେପିର ଫୋକସ୍ ଏବେ ସାଧାରଣ ନିର୍ବାଚନ ଉପରେ । ବିଜେପି କେନ୍ଦ୍ରୀୟ କମିଟି ବି ମିଶନ ଓଡ଼ିଶା ଲାଗି ରଣନୀତି ପ୍ରସ୍ତୁତ କରୁଛି । ତେବେ ମିଶନ ୧୨୦+ ସିଟ୍ ଓ ୫୦ ପ୍ରତିଶତ ଭୋଟ୍ ହାସଲ ଟାର୍ଗେଟ୍ କେତେ ସଫଳ ହେଉଛି ତା ଉପରେ ନଜର ରହିଛି ।

ରିପୋର୍ଟର- ଭୁବନେଶ୍ୱରରୁ ଜଗଦୀଶ ଦାସ