• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଲଗାତର ତୃତୀୟ ଦିନରେ ମଧ୍ୟ ଆଇଟି ସିଟି ବେଙ୍ଗାଲୁରୁ ଜଳବନ୍ଦୀ ଅବସ୍ଥାରେ ରହିଛି । ପ୍ରବଳ ବର୍ଷା ପରେ ପାଣିରେ ଉଟୁବୁଟୁ ପୁରା ସହର । କେତେକ ଅଞ୍ଚଳରେ ରାସ୍ତା ପାଣିରେ ବୁଡ଼ି ରହିଥିବାରୁ ଯିବା ଆସିବା ଏକ ପ୍ରକାର ଠପ୍ ହୋଇ ପଡ଼ିଛି । ପରିସ୍ଥିତି ଏପରି ଯେ, ଆଇଟି ଇଂଜିନିୟରମାନେ ଟ୍ରାକ୍ଟରରେ ବସି ଅଫିସ ଯାଉଛନ୍ତି । କିଏ କିଏ ତ କ୍ରେନ୍‌ରେ ବସି ଅଫିସ ଯାଉଥିବାର ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଦେଖିବାକୁ ମିଳୁଛି ଯେ, ବେଙ୍ଗାଲୁରୁର ଏକ ନାମୀଦାମୀ କମ୍ପାନୀର ସିଇଓ ଟ୍ରାକ୍ଟରରେ ଅଫିସ ଯାଉଛନ୍ତି । upGrad କମ୍ପାନୀର ସିଇଓ ଅର୍ଜୁନ ମୋହନ ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସେ ନିଜେ ଏହାର ଏକ ଭିଡିଓ ଲିଙ୍କ୍‌ଡଇନ୍‌ରେ ସେୟାର ମଧ୍ୟ କରିଛନ୍ତି ।

ଭିଡିଓ ସେୟାର କରିବା ସହ ଅର୍ଜୁନ ଏକ ଲମ୍ବା ପୋଷ୍ଟ ମଧ୍ୟ ସେୟାର କରିଛନ୍ତି । ସେ ଲେଖିଛନ୍ତି ଯେ, ‘‘ଗତକାଲିର ବର୍ଷା ପରେ ବେଙ୍ଗାଲୁରୁ ରାଜ୍ୟର ବେଲାଣ୍ଡୁର ଏବଂ ରିଙ୍ଗ ରୋଡ୍‌ର ଜଳମଗ୍ନ ହୋଇଯାଇଥିଲା । ଆପାର୍ଟମେଣ୍ଟ ଗୁଡିକରେ ବିଦ୍ୟୁତ୍ କିମ୍ବା ପାଣି ଆସୁନଥିଲା । ମୋତେ ୭ କିଲୋମିଟର ଅଣ୍ଟାଏ ପାଣିରେ ଚାଲିବାକୁ ପଡିଲା, ଏହାପରେ ମୁଁ ଟ୍ରାକ୍ଟରରେ ବସି ଅଫିସ ପହଞ୍ଚିଥିଲି’’।

CEO PostCEO Post

ସେ ଆହୁରି କହିଛନ୍ତି ଯେ, “ ଆଜି ଦିନଟି ମୋ ପାଇଁ ବହୁତ ଦୁଃସାହସିକ ଥିଲା । ବ୍ରୁହାଟ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମ୍‌ପି) ଏବଂ କର୍ଣ୍ଣାଟକ ସରକାର ଆମକୁ ସୁସ୍ଥ ରଖିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ବେଲାଣ୍ଡୁର ସହର ଦେଶର ବଡ ବୈଷୟିକ ବ୍ରାଣ୍ଡର ଘର । ଭାରତର ଟପ୍‌ ସଫ୍ଟଓୟାର କମ୍ପାନୀ ସବୁ ଏଇଠି ରହିଛି’’ ।

ଅଳ୍ପ ସମୟ ମଧ୍ୟରେ ପ୍ରବଳ ବର୍ଷା ଏବଂ ବିନା ଯୋଜନାରେ ଏପଟେ ସେପଟେ ଘର ତିଆରି ଯୋଗୁଁ ବେଙ୍ଗାଲୁରୁରେ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ୫ ଶହରୁ ଅଧିକ ଡ୍ରେନ୍‌କୁ ଜବରଦଖଲ କରାଯାଇ ତା ଉପରେ ବେଆଇନ ନିର୍ମାଣ ହୋଇଥିବାର ରିପୋର୍ଟ ପ୍ରକାଶ ପାଇଛି ।

ଏନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବେଙ୍ଗାଲୁରୁରୁ ଜଳ ନିଷ୍କାସନ ପାଇଁ ୧୫ ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ତା ସହିତ ଜବର ଦଖଲ ଉଚ୍ଛେଦ ପାଇଁ ଖର୍ଚ୍ଚ କରାଯିବ ଆହୁରି ୩ ଶହ କୋଟି । ସହରର କେତେକ ଅଞ୍ଚଳରେ ପାୱାର କଟ୍ କରାଯାଇଥିବା ବେଳେ ଆଉ କେତେକ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ହୋଇପାରୁନଥିବାରୁ ଲୋକେ ସବୁ ସମସ୍ୟା ଭୋଗୁଛନ୍ତି । ପାଣିପାଗ ବିଭାଗ ଆସନ୍ତା ୪ ଦିନ ମଧ୍ୟରେ ଦକ୍ଷିଣ ଓ ଉତ୍ତର କର୍ଣ୍ଣାଟକର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ବର୍ଷାର ଆକଳନ କରିଥିବାରୁ ଆହୁରି ବଢ଼ିଛି ଚିନ୍ତା । ୪୨ ବର୍ଷ ଭିତରେ ବେଙ୍ଗାଲୁରୁରେ ଏହା ସବୁଠୁ ବଡ଼ ବର୍ଷା ବୋଲି କୁହାଯାଉଛି ।