• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଚର୍ଚ୍ଚାରେ ଅହିଂସା ଖଣ୍ଡୁଆ ପାଟ । ଯାହାକୁ ପିନ୍ଧିବେ ଶ୍ରୀଜିଉ । ପ୍ରଥମକରି ନିଜ ଜନ୍ମତିଥି ଗହ୍ମାପର୍ବରେ ଏହାକୁ ପରିଧାନ କରିବେ କେନ୍ଦ୍ରାପଡ଼ାର ବଳଦେବ ଜିଉ । ତାପରେ ଶ୍ରୀମନ୍ଦିର ବି ଯିବ ଗୀତଗୋବିନ୍ଦ ଖଣ୍ଡୁଆ । ଏଥିପାଇଁ ବେଶ୍ ନିଷ୍ଠା ସହକାରେ ପ୍ରସ୍ତୁତିରେ ଲାଗିଛନ୍ତି କଟକ ନୂଆପାଟଣାର ବୁଣାକାର । କ’ଣ ଏ ଅଂହିସାପାଟର ବିଶେଷତ୍ୱ ଆସନ୍ତୁ ଜାଣିବା ।

ଟସର ନୂହେଁ ଅହିଂସା ସୂତାରେ ଖଣ୍ଡୁଆ ପାଟ । ନିଜ ଜନ୍ମ ଦିନରେ ପିନ୍ଧିବେ ଶ୍ରୀ ଶ୍ରୀ ବଳଦେବ ଜିଉ । କେନ୍ଦ୍ରାପଡ଼ାର ମହାପ୍ରଭୁ ବଳଦେବ ଜିଉଙ୍କ ଜନ୍ମତିଥି ପାଇଁ ଏହି ନୀଳାମ୍ବରି ପାଟ ଓ ପ୍ରଭୁ ଜଗନ୍ନାଥଙ୍କ ପାଇଁ ମନଲୋଭା ପିତାମ୍ବରୀ ପାଟ ପ୍ରସ୍ତୁତ କରିଛନ୍ତି କଟକ ନୂଆପାଟଣାସ୍ଥିତ ନମ୍ବର ୱାନ ସୋସାଇଟର ବୁଣାକାରମାନେ । ଯାହାର ବିଶେଷତ୍ୱ ହେଲା ୟାକୁ ପୂର୍ବଭଳି ଟସର କି ମାଲବରି ସୂତାରେ ନୁହେଁ ବରଂ ଏରି ସିଲ୍କରେ ବୁଣାଯାଇଛି । ଯାହାର ନାଁ ଅହିଂସା ପାଟ । ଆଗକୁ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କ ପରିଧାନ ପାଇଁ ବି ଗୀତଗୋବିନ୍ଦ ଲେଖାରେ ଅହିଂସା ଖଣ୍ଡୁଆ ପୁରୀ ଯିବ ।

ସେଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ବଡ଼ କଥା ହେଲା ନୂଆ ପ୍ରକାର ଅହିଂସା ପାଟ ବୁଣିବା ପାଇଁ ଆବଶ୍ୟକ ରେଶମ ସୂତା ସଂଗ୍ରହବେଳେ ଗୋଟିଏ ବି ଟସର ପୋକ ମରାଯାଇନି । ରାଜ୍ୟ ହସ୍ତତନ୍ତ ବିଭାଗ ଏଥିପାଇଁ ପ୍ରୋତ୍ସାହନ ସହ କଞ୍ଚାମାଲ ବି ଯୋଗାଇ ଦେଉଛି । ତେଣୁ ବିନା ଜୀବ ହତ୍ୟାରେ ମହାପ୍ରଭୁଙ୍କ ପାଇଁ ଅହିଂସା ପାଟ ବୁଣି ଖୁବ୍ ଆନନ୍ଦିତ ନୂଆପାଟଣା ଅଞ୍ଚଳର ବୁଣାକାର ।

ସେପଟେ ଆସନ୍ତା ବୁଧବାର ପଡୁଛି ଗହ୍ମା ପର୍ବ ସହ ବଳଦେବଜୀଉଙ୍କ ଜନ୍ମ ତିଥି । ଏଭଳି ଏକ ପବିତ୍ର ଦିନରେ ଅହିଂସା ପାଟ ମହାପ୍ରଭୁଙ୍କୁ ଲାଗି କରାଯିବାକୁ ସ୍ଥିର ହୋଇଥିବାରୁ ଅତ୍ୟଧିକ ଖୁସି ପ୍ରକାଶ କରିଛନ୍ତି ବଳଦେବଜୀଉଙ୍କ ସେବକ ଓ ସେଠିକାର ଦେବୋତ୍ତର କାର୍ଯ୍ୟାଳୟ କାର୍ଯ୍ୟକର୍ତ୍ତା । ତେବେ ସମସ୍ତଙ୍କ ମନରେ ପ୍ରଶ୍ନ କ’ଣ ଏ ଅହିଂସା ଖଣ୍ଡୁଆ ? କାହିଁକି ଶ୍ରୀଜିଉମାନଙ୍କ ସେବାରେ ଏହାର ବ୍ୟବହାରକୁ ଏତେ ଗୁରୁତ୍ୱ ? ବୁଣାକାରଙ୍କ ସୂଚନା ଅନୁସାରେ- ପୂର୍ବରୁ ଖଣ୍ଡୁଆପାଟର କଞ୍ଚାମାଲ ରେଶମ ସୂତା ପାଇଁ ଶହଶହ ଟସର ପୋକଙ୍କୁ ମାରିବାକୁ ପଡୁଥିଲା ।

ଏଥିଜନିତ ଜୀବହତ୍ୟା ମୁକ୍ତି ପାଇଁ ଜଗନ୍ନାଥଙ୍କ ପାଖରେ ସେମାନଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ପଡୁଥିଲା । ହେଲେ ଯେବେଠୁ ଏରି ପୋକ ଚାଷ କରିବାକୁ ରାଜ୍ୟ ହସ୍ତତନ୍ତ ବିଭାଗ ପରାମର୍ଶ ଦେଇଥିଲା । ସେବେଠୁ ସରକାରଙ୍କଠୁ ବିହନ ପୋକ ଆଣି ୪୫ରୁ ୫୫ ଦିନ ରଖିବା ପରେ ଏରି ପୋକ ଚାଷ କରୁଛନ୍ତି । ଯେହେତୁ ଏରି ପୋକ ଖୋସା ପ୍ରସ୍ତୁତ କରିବା ପରେ ପ୍ରଜାପତି ହୋଇ ଉଡ଼ି ଯାଏ । ତେଣୁ ଆଉ ସେ ପୋକକୁ ମାରିବାକୁ ପଡୁନାହିଁ ବୋଲି କହିଛନ୍ତି ନୂଆପାଟଣା ବୁଣାକାର ସୋସାଇଟି ମୁଖ୍ୟ । ଏବେ ଅପେକ୍ଷା କେବେ ନୂଆପଟଣାରୁ ଶ୍ରୀମନ୍ଦିର ଯିବ ଅହିଂସା ଗୀତଗୋବିନ୍ଦ ଖଣ୍ଡୁଆପାଟ ।

 

  • Reported by:
  • MANOJ SWAIN , NILAKANTHA DORA