• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଡେଙ୍ଗୁର ମାରାତ୍ମକ ରୂପରେ କଲବଲ ରାଜଧାନୀ ବାସିନ୍ଦା । କ୍ୟାପିଟାଲ ହସ୍ପିଟାଲ ରକ୍ତ ପରୀକ୍ଷା କେନ୍ଦ୍ରରେ ତ ଅସମ୍ଭାଳ ଭିଡ଼ । ଏହାକୁ ଦେଖି ଭୁବନେଶ୍ୱରରେ ଆଉ ଦୁଇଟି ଡେଙ୍ଗୁ ଟେଷ୍ଟିଂ ଲ୍ୟାବ୍ ୨ରୁ ୩ଦିନ ଭିତରେ ଖୋଲିଯିବ ବୋଲି କହିଛି ସ୍ୱାସ୍ଥ୍ୟ ବିଭାଗ । ଏଣେ ରାଜ୍ୟରେ ୨ ହଜାର ୮ ଶହ ଟପି ସାରିଲାଣି ଆକ୍ରାନ୍ତଙ୍କ ସଂଖ୍ୟା। ଆରଏମଆରସି କହୁଛି- ୭୦ ପ୍ରତିଶତ ଡେଙ୍ଗୁ ଭୂତାଣୁ ଡି-୨ ଭାରିଆଣ୍ଟ ।

କ୍ୟାପିଟାଲ ହସ୍ପିଟାଲର ସମନ୍ୱିତ ପରୀକ୍ଷା କେନ୍ଦ୍ର ଆଗରେ ଲାଗିଛି ଭିଡ଼ । କିଏ ରକ୍ତ ପରୀକ୍ଷା ଲାଗି ସକାଳୁ ଛିଡ଼ା ହୋଇଛି ତ’ ଆଉ କାହା ଅପେକ୍ଷା ଗତକାଲିଠୁ ସରୁନି । ଆଉ କେତେକଙ୍କର ତ ଧୈର୍ଯ୍ୟ ସୀମା ପାର କରିଗଲାଣି । ଗୋଟିଏ ପଟେ ଜ୍ୱର ଆକ୍ରାନ୍ତ କରୁଛି, ତ ଅନ୍ୟପଟେ ଟେଷ୍ଟିଂ ପାଇଁ ଘଣ୍ଟା ଘଣ୍ଟାର ଅପେକ୍ଷା ଯନ୍ତ୍ରଣାକୁ ଦ୍ୱିଗୁଣା ବଢ଼ାଇ ଦେଉଛି । ଦୈନିକ ଏଠାକୁ ଡେଙ୍ଗୁ ପରୀକ୍ଷା କରାଇବାକୁ ଲାଇନ ଲଗାଉଛନ୍ତି ୮ଶହରୁ ଅଧିକ ରୋଗୀ । ତେଣେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହୁଛନ୍ତି- ଡେଙ୍ଗୁ ପଜିଟିଭ୍ ସଂଖ୍ୟା ବଢ଼ି ଚାଲିଥିବାରୁ କିଛିଦିନ ହେଲା କ୍ୟାପିଟାଲ ହସ୍ପିଟାଲ ଉପରେ ଚାପ ବଢ଼ିଛି ।

ସେଥିପାଇଁ ରାଜଧାନୀରେ ଆଉ ଦୁଇଟି ଡେଙ୍ଗୁ ପରୀକ୍ଷା ଲ୍ୟାବ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି । ୨ରୁ ୩ ଦିନ ଭିତରେ ଆଇଆରସି ଭିଲେଜ ଅର୍ବାନ୍ ପିଏଚସିରେ ଚାଲୁ ହେବ ଡେଙ୍ଗୁ ଟେଷ୍ଟିଂ ଲ୍ୟାବ୍ । ତାପରେ ପଟିଆ ସିଏଚ୍ସିରେ ବି ଖୋଲାଯିବ । ଭୁବନେଶ୍ୱରର ୪ଟି ସିଏଚସିରେ ୧୦ ଶଯ୍ୟା ବିଶିଷ୍ଟ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ ଖୋଲାଯାଇଛି । ସ୍ଥାନୀୟ ଲୋକେ ସେଠାରେ ଚିକିତ୍ସିତ ହୋଇ ପାରିବେ ।

ଏସବୁ ଭିତରେ ରାଜ୍ୟରେ ସଂକ୍ରାମକ ଡେଙ୍ଗୁକୁ ନେଇ ଆସିଛି ନୂଆ ତଥ୍ୟ । ଆରଏମଆରସିର ସୂଚନା ଅନୁସାରେ, ଡେଙ୍ଗୁର ଡି-୧, ଡି-୨, ଡି-୩, ଡି-୪ ଭଳି ୪ଟି ଭାରିଆଣ୍ଟ ରହିଛି । ବିଭିନ୍ନ ଜିଲ୍ଲାରୁ ଆସିଥିବା ନମୁନାର ସିରୋଟାଇପିଂରୁ ରାଜ୍ୟରେ ୭୦ ପ୍ରତିଶତ ଡେଙ୍ଗୁ ଭୂତାଣୁ ଡି-୨ ଭାରିଆଣ୍ଟର ବୋଲି ଜଣାପଡ଼ିଛି । ଏଥିସହ ୨୮ ପ୍ରତିଶତ ଡି-୧ ଭାରିଆଣ୍ଟର । ତେବେ କେଉଁ ଭାରିଆଣ୍ଟ ଭୂତାଣୁ ରୋଗୀଙ୍କୁ ଅଧିକ ଗୁରୁତର କରୁଛି, ତାହା ଜାଣିବା ଲାଗି ଆରଏମଆରସି ପକ୍ଷରୁ ହସ୍ପିଟାଲରେ ଚିକିତ୍ସାଧୀନ ଡେଙ୍ଗୁ ରୋଗୀଙ୍କ ନମୁନାର ସିରୋଟାଇପିଂ କରାଯାଉଛି ।

ତେଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି, ଡେଙ୍ଗୁ ହେବା ପରେ ରୋଗୀଙ୍କ ଶରୀରରେ ଉକ୍ତ ଭାରିଆଣ୍ଟ ପାଇଁ ରୋଗ ପ୍ରତିରୋଧକ ଶକ୍ତି ବଢ଼ି ଯାଇଥାଏ । ଏଣୁ ଭବିଷ୍ୟତରେ ଏହି ଭାରିଆଣ୍ଟର ଡେଙ୍ଗୁ ଭୂତାଣୁ ଆଉ ଥରେ ସଂକ୍ରମଣ କରିବାର ଆଶଙ୍କା କମ୍ । ହେଲେ ଯଦି ଅନ୍ୟ ପ୍ରଜାତିର ଭାରିଆଣ୍ଟ ଡେଙ୍ଗୁ ଭୂତାଣୁ ସଂକ୍ରମଣ କରେ, ତାହାଲେ ରୋଗୀ ଗୁରୁତର ହେବାର ଆଶଙ୍କା ରହିଛି । ଏଣୁ ଲୋକମାନେ ଡେଙ୍ଗୁ ନେଇ ସତର୍କ ରହିବା ଉଚିତ ।

ଅଗଷ୍ଟ ୨୪ ସୁଦ୍ଧା ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୨ ହଜାର ୮୨୩ରେ ପହଞ୍ଚିଛି । ସେଥିମଧ୍ୟରୁ କେବଳ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ ହଜାର ୩୪୯ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପୁରୀରୁ ୨୮୨, ବାଲେଶ୍ୱରରୁ ୨୪୯, କଟକରୁ ୧୯୯ ଓ ଜଗତସିଂହପୁରରୁ ୧୬୪ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି ।

  • Reported by:
  • KAPILENDRA PRADHAN