• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ନିଶା ରାକ୍ଷସ କବଳରେ ଯୁବ ପିଢ଼ି । ପ୍ରଥମେ ପ୍ରଥମେ ସଉକ ହେଉ ବା କ୍ଷଣିକ ଆନନ୍ଦ କି ଉତ୍ତେଜନା, ସେମାନେ ଏମିତି ଡ୍ରଗସ୍ କବଳରେ ପଡୁଛନ୍ତି ଯେ, ଜୀବନ ତଳିତଳାନ୍ତ ହୋଇଯାଉଛି । ଏହି ଡ୍ରଗ୍ସ କାରବାରର ଚେର ରହିଛି ରାଜ୍ୟର ଆରପଟେ ପଶ୍ଚିମବଙ୍ଗରେ। ବାଂଲାଦେଶ ଓ
ପଶ୍ଚିମବଙ୍ଗ ଦେଇ ବ୍ରାଉନ ସୁଗାର ପରି ଡ୍ରଗ୍ସ ଆସୁଛି ବାଲେଶ୍ୱର ଏବଂ ବାଲେଶ୍ୱରରୁ ରାଜ୍ୟର ଅନ୍ୟ ସ୍ଥାନକୁ ଚାଲାଣ ହେଉଛି ଏହି ନିଶା ଜହର । କହିବାକୁ ଗଲେ ପୁରା ରାଜ୍ୟର ଡ୍ରଗ୍ସ କାରବାରର ଡିପୋ ହେଉଛି ବାଲେଶ୍ୱର ।

ବାଲେଶ୍ୱର ପାଲଟିଛି ଡ୍ରଗସ୍ କାରବାରର ହଟ୍ ସ୍ପଟ୍ । ଏହି ସହର ସାଜିଛି ନିଶା ଦ୍ରବ୍ୟ କାରବାରର ହୋଲସେଲ୍ ସେଣ୍ଟର। ବିଶେଷ କରି ରେଲୱେ ଷ୍ଟେସନ, ଅରଡ଼ ବଜାର, ଗଳାପୋଲ ଅଞ୍ଚଳ ନିଶା ବେପାରୀଙ୍କ ଚରାଭୂଇଁ ହୋଇଛି । ପୋଲିସ କହିବା ଅନୁସାରେ ଏହି ଅଞ୍ଚଳରେ ରହୁଥିବା ରିଫ୍ୟୁଜିମାନେ ଡ୍ରଗସ୍ କାରବାରରେ ଲିପ୍ତ ରହୁଛନ୍ତି । ଚେର ରହିଛି ପଶ୍ଚିମବଙ୍ଗ ମୁର୍ସିଦାବାଦରେ, ବାଂଲାଦେଶରେ । ମୁର୍ସିଦାବାଦରୁ ଡ୍ରଗ୍ସ ଆଣି ନିଶା ବେପାରୀମାନେ ଟ୍ରେନରେ ଓ ଜଳେଶ୍ୱର ଲକ୍ଷ୍ମଣନାଥ ତନଖି ଫାଟକ ଦେଇ ଆସୁଛନ୍ତି ।

ଏଠାକାର ଲୋକଙ୍କ ଜରିଆରେ ସେମାନେ ଚଳାଇଛନ୍ତି କାରବାର । ଏଠାରୁ ଭଦ୍ରକ ଦେଇଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ଓ ରେଳପଥ ଦେଇ ରାଜ୍ୟର ଅନ୍ୟ ଅଞ୍ଚଳ ଭୁବନେଶ୍ୱର, କଟକ, ଅନ୍ୟ ସ୍ଥାନକୁ ଡ୍ରଗସ୍ ପଠାଯାଉଛି । କିଛି ବର୍ଷ ହେଲା ବାଲେଶ୍ୱରର ନୀଳଗିରି ଓ ଜଳେଶ୍ୱର ଅଞ୍ଚଳରେ ମଧ୍ୟ ବଢ଼ିଛି ନିଶା କାରବାର । ବର୍ଷେ ଭିତରେ ବାଲେଶ୍ୱର ଜିଲ୍ଲାରେ ଅବକାରୀ ବିଭାଗ ୨୦ଟି ମାମଲାରେ ୨୧ ଜଣଙ୍କୁ ଗିରଫ କରିଛି । ଜବତ ହୋଇଛି ୩ କେଜି ୩୬୪ ଗ୍ରାମ ବ୍ରାଉନ ସୁଗର ।

ଡ୍ରଗସ୍ କବଳରେ ପଡ଼ି ଯୁବପିଢ଼ି ବରବାଦ ହେଉଛନ୍ତି । ତେଣୁ ନିଶା କାରବାର ରୋକିବାକୁ ୨ ବର୍ଷ ହେଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ ଚଳାଇଛି କଡ଼ା ଅଭିଯାନ । ଏହି ସମୟ ଭିତରେ ୭୧ କେଜି ବ୍ରାଉନସୁଗର, ୨୦୨ ଗ୍ରାମ କୋକେନ ଜବତ ହୋଇଛି । ଗିରଫ ହୋଇଛନ୍ତି ୧୭୬ ଜଣ ଅଭିଯୁକ୍ତ । କୋର୍ଟଙ୍କ ନିର୍ଦ୍ଦେଶରେ ବିପୁଳ ଡ୍ରଗସକୁ ନଷ୍ଟ ମଧ୍ୟ କରାଯାଇଛି । କେବଳ ସେତିକି ନୁହେଁ, ରାଜ୍ୟ ଭିତରେ, ସୀମାନ୍ତରେ ନିଶା ବେପାରୀ ଓ କିଙ୍ଗ୍ ପିନକୁ ଧରିବାକୁ ସ୍ୱତନ୍ତ୍ର ଅଭିଯାନ ଚଳାଇଛି ପୋଲିସ ।

କେବଳ ଛୋଟ ମୋଟ ବେପାରୀ ନୁହେଁ, ନିଶା କାରବାରର କିଙ୍ଗ୍ ପିନକୁ ଧରି ଡ୍ରଗସ୍ ରାକେଟକୁ ସମୂଳେ ଧ୍ୱଂସ କରିବାକୁ ଟାର୍ଗେଟ ରହିଥିବା କହିଛନ୍ତି ପୋଲିସ ଓ ଅବକାରୀ ଟିମ୍ । ତେବେ ଏହା କେତେଦୂର ସମ୍ଭବ ହୋଇପାରୁଛି, ତା ଉପରେ ନଜର ।

  • Reported by:
  • RASHMIRANJAN DAS , CHANDAN PAIKRAY , Partha Sarathi nayak