• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଥମୁନି ଶ୍ରୀମନ୍ଦିର ଐତିହ୍ୟ କରିଡର ବିବାଦ । ପ୍ରକଳ୍ପ ବିରୋଧରେ ୨୭ରେ ପୁରୀରେ ଶୋଭାଯାତ୍ରା ପାଇଁ ସଜବାଜ । ଶ୍ରୀମନ୍ଦିର ବଞ୍ଚାଓ ଆନ୍ଦୋଳନ ରାଲିରେ ସାମିଲ ହୋଇପାରନ୍ତି ଅପରାଜିତା ।

ଶ୍ରୀକ୍ଷେତ୍ରରେ ଏପ୍ରିଲ ୨୭ ପଦଯାତ୍ରାକୁ ନେଇ ଗୋଳମାଳିଆ ସ୍ଥିତି । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଖନନ ଯୋଗୁଁ ଶ୍ରୀମନ୍ଦିର ଅସୁରକ୍ଷିତ ହୋଇପଡ଼ିଥିବା ଅଭିଯୋଗ ଆଣୁଥିବା ଶ୍ରୀମନ୍ଦିର ବଞ୍ଚାଓ ଆନ୍ଦୋଳନ କମିଟି ଆସନ୍ତା ୨୭ରେ ପଦଯାତ୍ରା ପାଇଁ ଜିଲ୍ଲାପାଳଙ୍କୁ ମାଗିଛି ଅନୁମତି । ପୁରୀ ଶରଧାବାଲିରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଆୟୋଜନ ପାଇଁ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ୩ଜଣିଆ ପ୍ରତିନିଧି ମଣ୍ଡଳୀ ଭେଟିଥିବା ବେଳେ ଏପର୍ଯ୍ୟନ୍ତ କିନ୍ତୁ ଜିଲ୍ଲା ପ୍ରଶାସନ କୌଣସି ଠୋସ୍ ନିଷ୍ପତ୍ତି ନେଇ ନାହିଁ ।

ସଂଗଠନର କର୍ମକର୍ତ୍ତା ଅଭିଯୋଗ କରିଛନ୍ତି, ଏଏସଆଇର ବିନା ଅନୁମତିରେ ଖନନ କାମ ଚାଲିଛି । ସେପଟେ ଶୋଭାଯାତ୍ରାକୁ ବିରୋଧ ସହ ପରିକ୍ରମା ପ୍ରକଳ୍ପକୁ ସମର୍ଥନ କରି କରି ଆଜି ପୁରୀ ଜିଲ୍ଲାପାଳଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି ବହୁ ବୁଦ୍ଧିଜୀବୀ, ଧାର୍ମିକ ଓ ସାମାଜିକ ଅନୁଷ୍ଠାନ । ଏମିତିକି ବିଜେପିର ବରିଷ୍ଠ ନେତା ତଥା ପୂଜ୍ୟପୂଜା ସଂସଦର ରାଜ୍ୟ ସଭାପତି କୃଷ୍ଣ ଜଗଦ୍ଦେବ ମଧ୍ୟ ପ୍ରକଳ୍ପ ସାକାର ହେଉ ବୋଲି ମତ ରଖିଛନ୍ତି ।

ସେପଟେ ଆଜି ସେବାୟତମାନଙ୍କର ଏକ ପ୍ରତିନିଧି ମଣ୍ଡଳୀ ଶ୍ରୀମନ୍ଦିର ପରିଚାଳନା କମିଟି ମୁଖ୍ୟ ତଥା ଗଜପତି ମହାରାଜା ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଭେଟି ନିର୍ଦ୍ଧାରିତ ସମୟ ୨୦୨୪ ସୁଦ୍ଧା ପ୍ରକଳ୍ପ କାମ ଶେଷ କରିବାକୁ ଦାବି ରଖିଛନ୍ତି । ତାସହ ଯେଉଁମାନେ ପ୍ରକଳ୍ପ କାମକୁ ବିରୋଧ କରୁଛନ୍ତି ସେମାନେ ନିବୃତ୍ତ ରୁହିବାକୁ କହିଛନ୍ତି । ତେଣେ ଗଜପତି ମହାରାଜା ନିଜ ପ୍ରତିକ୍ରିୟା ରଖି କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଚାଲୁ ରହିବା ଆବଶ୍ୟକ । ଏହା ଶେଷ ହେଲେ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ପ୍ରଭାବ ପକାଇବ । ମହାପ୍ରଭୁଙ୍କ କାର୍ଯ୍ୟ ସମସ୍ତଙ୍କର, ଏଥିରେ ବାଧା ଦେବା ଉଚିତ ନୁହେଁ । ତେବେ ଯେଉଁଭଳି ଢଙ୍ଗରେ ଖନନ କାର୍ଯ୍ୟ ଚାଲିଛି, ସେଥିରେ ଶ୍ରୀମନ୍ଦିର ସମ୍ପୂର୍ଣ୍ଣ ସୁରକ୍ଷିତ ବୋଲି କହିଛନ୍ତି ଗଜପତି ।

ସେପଟେ ଶ୍ରୀମନ୍ଦିର ବଞ୍ଚାଓ ଆନ୍ଦୋଳନ କମିଟିର ଆସନ୍ତା ୨୭ ଶୋଭାଯାତ୍ରା ପଛରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଥିବା ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ତାକୁ ନେଇ ବଢୁଛି ବିରୋଧ । ଏମିତିକି ଖୋଦ୍ ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ ବି ପ୍ରକଳ୍ପ କାମ ଶୀଘ୍ର ସାରିବାକୁ ମତ ରଖିଥିବା ବେଳେ ଧାରଣା କି ରାଲି ସମାଧାନର ବାଟ ନୁହେଁ ବୋଲି କହିଛନ୍ତି । ତେଣେ ଅପରାଜିତା କହିଛନ୍ତି ମହାପ୍ରଭୁ ଜଗନ୍ନାଥଙ୍କ ଆଶିର୍ବାଦ ଭିକ୍ଷା ପାଇଁ ସେଦିନ ସେ ନିଶ୍ଚେ ପୁରୀ ଯିବେ ।

ଏଣେ ଏସବୁ ଭିତରେ ପୁରୀ ଗସ୍ତରେ ଆସିଥିବା ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଭାପତି ପ୍ରବୀଣ ତୋଗାଡିଆ ଶ୍ରୀମନ୍ଦିର କରିଡର ପ୍ରକଳ୍ପ କାମକୁ ନେଇ କଡ଼ା ଆପତ୍ତି ଉଠାଇଛନ୍ତି । ବିକାଶ ନାଁରେ ପୁରାତନ କୀର୍ତ୍ତି ଭଙ୍ଗାଯିବା ଦୁର୍ଭାଗ୍ୟଜନକ ବୋଲି କହିବା ସହ ପୁରାତନ ମଠ, ମନ୍ଦିର ଭଙ୍ଗା ନଯାଇ ମଧ୍ୟ ବିକାଶ କାର୍ଯ୍ୟ ହୋଇପାରିଥାନ୍ତା ବୋଲି କହିଛନ୍ତି ।