• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡ଼ିଶାର ଲୋକ କଳା । ଯାହା କହେ ଓଡ଼ିଆଙ୍କ କଥା ଓ ଗାଥା । ଓଡ଼ିଶାର କୋଣ ଅନୁକୋଣରେ ଏପରି ଅନେକ ନୃତ୍ୟକଳା ରହିଛି ଯାହା ସ୍ୱତନ୍ତ୍ର ଓ ଅନ୍ୟଠୁ ଭିନ୍ନ । ଶହ ଶହ ବର୍ଷ ଧରି ଏସବୁ ଚାଲି ଆସୁଛି । ପୀଢ଼ି ପରେ ପୀଢ଼ି ଏହାର ତାଲିମ ନେଉଛନ୍ତି । ହେଲେ ପ୍ରୋତ୍ସାହନ ଅଭାବରୁ ଏସବୁ ଥାଇ ବି ନଥିଲା ଭଳି ।

କଳିଙ୍ଗର ଗର୍ବ ଆଉ ଗୌରବର କାହାଣୀ ବର୍ଣ୍ଣନା କରେ ଓଡ଼ିଆଙ୍କ ଏହି ପାରମ୍ପରିକ କଳା । କେତେ ବୀର ଥିଲେ ଆମ ପୂର୍ବଜ, କେତେ ସମୃଦ୍ଧ ଥିଲା ଆମ ସଂସ୍କୃତି । ଏସବୁର ଝଳକ ଦେଖିବାକୁ ମିଳେ ଆମ ପାରମ୍ପରିକ କଳା ଓ ଗାଥାରୁ ।

ଯେଉଁ ବୟସରେ ଅନ୍ୟ ପିଲାଙ୍କ ସହ ମିଶି ଖେଳକୁଦରେ ସମୟ କଟାଇବା କଥା । ସେହି ସମୟରେ ଓଡ଼ିଆ ପାରମ୍ପରିକ କଳାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏବଂ ବିଶ୍ୱ ରେକର୍ଡ ପାଇଁ ଲାଗି ପଡ଼ିଛନ୍ତି କୁନି କୁନି କଳାକାର । ବ୍ରହ୍ମପୁର ଉପକଣ୍ଠ ବଡ଼କୁଶସ୍ଥଳୀର ଦୁଇ ଭାଇ ବିଭୂଦତ୍ତ ଓ ବିଭାସ ସାହୁ । ଉଭୟ ଲାଗି ପଡ଼ିଛନ୍ତି ଗଞ୍ଜାମର ଗୌରବ ରଣପା ନୃତ୍ୟ ପଛରେ । କୁନି ବୟସରେ ଆଚମ୍ବିତ କଲା ଭଳି ଲଗାତାର ୨୫ ମିନିଟ୍‌ରୁ ଅଧିକ ସମୟ ରଣପା କରି ବିଭୂଦତ୍ତ ଇଣ୍ଡିଆ ଓ ଇଣ୍ଟରନ୍ୟାସନାଲ ବୁକ୍ ଅଫ ରେକର୍ଡରେ ସାମିଲ ହୋଇସାରିଛନ୍ତି । ସେହିପରି ୭ ବର୍ଷ ବୟସରେ ସାନ ଭାଇ ୧୨ ମିନିଟ୍ ୫୭ ସେକଣ୍ଡ ରଣପା ନାଚି ନିଜ ନାଁରେ ରେର୍କଡ ରଚିଛନ୍ତି ।

ବ୍ରହ୍ମପୁର ଉପକଣ୍ଠ କୁଶସ୍ଥଳୀ ଓ ଆଖପାଖ ଗାଁ ହେଉଛି ରଣପା ନୃତ୍ୟର ଆଦ୍ୟପୀଠ । ଏଇଠୁ ରଣପାର ଶିକ୍ଷା ନେଇ ରାଜ୍ୟ ତଥା ବିଦେଶର ବିଭିନ୍ନ ସ୍ଥାନରେ ଏହାକୁ ପ୍ରଦର୍ଶନ କରିଥାନ୍ତି ନୃତ୍ୟଶିଳ୍ପୀ । ଏହାର ଗବେଷଣା ଓ ପ୍ରଚାର ପ୍ରସାରରେ ପଦ୍ମଶ୍ରୀ ଭଗବାନ ସାହୁଙ୍କ ବଡ଼ ଅବଦାନ ଥିଲା । ତାଙ୍କ ପରେ ଏବେ ତାଙ୍କ ପରିବାର ଏହାକୁ ଆଗକୁ ନେଇଛନ୍ତି । ହେଲେ ପ୍ରୋତ୍ସାହନ ଅଭାବରୁ ସବୁ କିଛି ଥାଇ ବି ଅଣଦେଖା ରଣପା ।

ସେହିଭଳି କେନ୍ଦ୍ରାପଡ଼ା ଆଳି ଲୋକାପଡ଼ା ଗାଁରେ ରାମନବମୀରୁ ୯ ଦିନ ଯାଏଁ ଚାଲିଥାଏ ରାମଲୀଳା । ରାମାୟଣର ସ୍ୱର୍ଣ୍ଣିମ କାହାଣୀକୁ ସ୍ଥାନୀୟ କଳାକାର ମାନେ ମଞ୍ଚରେ ପରିବେଷଣ କରନ୍ତି । ଓଡ଼ିଶାର କଳା ଓ ସଂସ୍କୃତିର ଝଳକ ଏବେ ବି ଏଠି ବଞ୍ଚି ରହିଛି । ଯେଉଁ ସମୟରେ ଆଧୁନିକତାର ଚାକଚକ୍ୟରେ ସମସ୍ତେ ମତୁଆଲା, ସେ ସମୟରେ ଆମ କଳାକୁ ବଞ୍ଚାଇ ରଖିବାକୁ ଏଠି ପ୍ରୟାସ ଚାଲିଛି ।