• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ବିବାଦ ମଧ୍ୟରେ ଆଜି ପୁରୀ ଗସ୍ତ କରୁଛନ୍ତି ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଆଜି ପୂର୍ବାହ୍ନରେ ଶ୍ରୀକ୍ଷେତ୍ର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ ବୋଲି ସାଂସଦ ଟ୍ୱିଟ୍‌ କରିଛନ୍ତି । ଏହା ଆଗରୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ସେ ପୁରୀ ଯିବେ ବୋଲି ଜଣାଇଥିଲେ ।

ଯେହେତୁ ଆଜି ସେ ପୁରୀ ଯାଉଛନ୍ତି, ଚର୍ଚ୍ଚା ହେଉଥିଲା ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନର ରାଲିରେ ଅପରାଜିତା ଷଡ଼ଙ୍ଗୀ ସାମିଲ ହୋଇଛନ୍ତି । କିନ୍ତୁ ପୁରୀ ପ୍ରଶାସନ ଏହି ରାଲିକୁ ଅନୁମତି ଦେଇନାହିଁ । ଏହା ପରେ ସାଂସଦ ନିଜେ ଏକ ଟ୍ୱିଟ୍‌ କରି ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେବାକୁ ଆଜି ପୁରୀ ଯିବେ ବୋଲି କହିଛନ୍ତି ।

ସେପଟେ ଐତିହ୍ୟ କରିଡର ପ୍ରକଳ୍ପ ପାଇଁ ବିପକ୍ଷବାଦୀଙ୍କୁ ରାଲି କରିବାକୁ ଅନୁମତି ଦେଇନାହିଁ ଜିଲ୍ଲା ପ୍ରଶାସନ । ତା ସହିତ ସପକ୍ଷବାଦୀଙ୍କୁ ମଧ୍ୟ ଦୀପଦାନ କରିବାକୁ ଅନୁମତି ମିଳିନାହିଁ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସୁରକ୍ଷାମଞ୍ଚକୁ ଦୀପଦାନ ଅନୁମତି ନମିଳିବା ସତ୍ତ୍ୱେ ଏହି ସଂଗଠନ କହିଛି, ଦୀପଦାନ ନ ହେଲେ ନାହିଁ, କିନ୍ତୁ ମହାପ୍ରଭୁଙ୍କ ପ୍ରକଳ୍ପ କାମ ସୁରୁଖୁରୁରେ ଶୀଘ୍ର ଶେଷ ହେଉ।

ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରକଳ୍ପକୁ ନେଇ ଥମୁନି ଛକାପଞ୍ଛା । ଆଇନଶୃଙ୍ଖଳା ଦୃଷ୍ଟିରୁ ଆଜି ପୁରୀରେ ହେବାକୁ ଥିବା ଉଭୟ ସପକ୍ଷ ଓ ବିପକ୍ଷବାଦୀଙ୍କ ଶୋଭାଯାତ୍ରା ଓ ଦୀପଦାନ କାର୍ଯ୍ୟରେ ପ୍ରଶାସନ ରୋକ୍ ଲଗାଇଥିଲେ ବି ଭିତରେ ଭିତରେ ଜାରି ରହିଛି ବାଦବିବାଦ ସ୍ଥିତି । ଐତିହ୍ୟ କରିଡର ନାଁରେ ଶ୍ରୀମନ୍ଦିର ଚାରିପାଖେ ବେଆଇନ୍ ଖନନକୁ ବିରୋଧ କରି ଶରଧାବାଲିରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଶୋଭାଯାତ୍ରାରେ ଯିବାକୁ ସଜବାଜ ହୋଇଥିବା ଶ୍ରୀମନ୍ଦିର ବଞ୍ଚାଅ ଅଭିଯାନ ଆଇନଶୃଙ୍ଖଳାକୁ ସମ୍ମାନ ଜଣାଇ ଆଜିର ଶୋଭାଯାତ୍ରାକୁ ସ୍ଥଗିତ ରଖିଛନ୍ତି ।

ସେପଟେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ସୋସିଆଲ୍ ମିଡିଆରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ସମ୍ବିତ୍ ଲେଖିଛନ୍ତି-କଳାପାହାଡ଼ ମାନସିକତା ଆମ ଓଡ଼ିଆ ଅସ୍ମିତା ପ୍ରତି କ୍ଷତି ପହଞ୍ଚାଇବ । ଜିଦ୍ ଓ ଅହଂକାର କେବଳ ବିନାଶ ଆଡ଼କୁ ନିଏ । ରାଜନୀତି ନକରି ASI କଣ କହୁଛି, ସେଯାଏଁ ଅପେକ୍ଷା କରିବା ଦରକାର । ହାଇକୋର୍ଟଙ୍କ ନିର୍ଦ୍ଦେଶ ନଆସିବା ଯାଏ ନିର୍ମାଣ କାର୍ଯ୍ୟ ସ୍ଥଗିତ ରହିବା ଉଚିତ ବୋଲି ମତ ଦେଇଛନ୍ତି ସମ୍ବିତ୍ ।