• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ସୃଷ୍ଟିର ସ୍ରଷ୍ଟାଙ୍କ ଭାରି ବିଚିତ୍ର ଲୀଳା । ହସ ଖୁସିର ଜୀବନ ଭିତରେ ଭରି ଦିଅନ୍ତି ଅସୁମାରୀ ଦୁଃଖ। ଆଉ ସେହି ଅସୁମାରୀ ଦୁଃଖ ଆଣି ଦେଇଥାଏ ଗଙ୍ଗୋତ୍ରୀର ପ୍ରଖର ସ୍ରୋତ ପରି ବିକଟାଳ ରୂପ । ଦ୍ଵାପର ଯୁଗରେ ମାତା ଦେବକୀଙ୍କ ଗର୍ଭରୁ ସାତୋଟି କନ୍ୟା ସନ୍ତାନ ଜନ୍ମ ନେବା ପରେ ଅଷ୍ଟମ ଗର୍ଭରେ ଜନ୍ମ ହୋଇଥିଲେ ଭଗବାନ କୃଷ୍ଣ । ଯାହାଙ୍କର କଷ୍ଟ ଓ ସଂଘର୍ଷ ପୂର୍ଣ୍ଣ ଶୈଶବକୁ ଆପଣ ମାନେ ପ୍ରାୟ ଜାଣିଥିବେ । କିନ୍ତୁ ଆଜିର ସମାଜରେ ଏକ ନିଦର୍ଶନ ଯାହା ଆପଣଙ୍କୁ ବ୍ୟଥିତ ଓ ବିଚଳିତ କରିପାରେ। ଅଷ୍ଟମ ଗର୍ଭରେ ଜନ୍ମ ହୋଇଥିବା କ୍ରିଷ୍ଣା ଆଜି ବଞ୍ଚିବା ପାଇଁ ରାହା ଖୋଜୁଛି । କ୍ରିଷ୍ଣାଙ୍କୁ ବଞ୍ଚାଇବା ପାଇଁ ଜୀବନ ଭିକ୍ଷା ମାଗୁଛନ୍ତି ଦୁଃଖିନୀ ସୁଭଦ୍ରା ।

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ରୋଡ଼ ଗାଁର ମଧୁସୂଦନ ସିଂହ ଓ ସୁଭଦ୍ରା ସିଂହଙ୍କର ୧୦ ବର୍ଷୀୟ ପୁଅ ହେଉଛି କ୍ରିଷ୍ଣା । ସାତୋଟି ଝିଅ ଜନ୍ମ ନେବା ପରେ ଅଷ୍ଟମ ଗର୍ଭରେ ଜନ୍ମ ହୋଇଥିଲା ଏକ ପୁତ୍ର ସନ୍ତାନ ।  ସ୍ନେହରେ ବାପା ମାଆ ଯାହାର ନାମ ରଖିଥିଲେ କ୍ରିଷ୍ଣା । ବାପା ମଧୁସୂଦନ ଦିନ ମଜୁରିଆ ଭାବେ କାର୍ଯ୍ୟ କରି ନିଜର ପରିବାର ପ୍ରତିପୋଷଣ କରୁଥିଲେ । ଆଉ ବେଶ ଖୁସିରେ ଚାଲିଥିଲା ତାଙ୍କର ସୁଖର ସଂସାର । ହେଲେ ସତେ ଯେପରି ପରିବାରରେ କାହାର ନଜର ଲାଗିଗଲା ।

ଚଳିତ ବର୍ଷ ମାର୍ଚ୍ଚ ୮ ରେ ଅଣ୍ଟାରେ ଯନ୍ତ୍ରଣା କାରଣରୁ କ୍ରିଷ୍ଣାଙ୍କୁ ପ୍ରଥମେ ସ୍ଥାନୀୟ ମେଡ଼ିକାଲ ଓ ପରେ କଟକ ବଡ଼ ମେଡ଼ିକାଲ ଏବଂ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ତାଙ୍କ ଅଣ୍ଟାର ଅପରେସନ କରାଯାଇଥିଲା । ଅପରେସନ ପରେ ପୁଅ ଭଲ ହେବା ନେଇ ବେଶ ଖୁସି ହୋଇ ଯାଇଥିଲେ ପିତାମାତା । କିନ୍ତୁ ଦଇବ ସାଜିଲା ଦାଉ । ଅଣ୍ଟାରେ ବଢୁଥିବା ମାଂସ ପେଶୀର ଅପରେସନ ପରେ ତାହା କ୍ୟାନସର ଆଡକୁ ଗତି କରିଥିଲା । ଯାହାକୁ ନେଇ ଭାଙ୍ଗି ପଡିଲେ  ପୂରା ପରିବାର ।

ପୁଅର ଏପରି ଅବସ୍ଥା ଦେଖି ଘରେ ଆଉ ଚୁଲି ଜଳିଲା ନାହିଁ । ଯେଉଁ କ୍ରିଷ୍ଣାଙ୍କୁ ଚାହିଁ ପରିବାରରେ ହସ ଫେରି ଆସିଥିଲା, ସେହି ପରିବାରରେ ଆଜି ହାହାକାର ଖେଳିଯାଇଛି । ହସିବା ଖେଳିବା ବୟସରେ ପିଲାଟି ଆଜି ଶଯ୍ୟାଶାୟୀ । ପୁଅର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ । କେଉଁଠୁ ବା ଆଣିବେ ଟଙ୍କା ।

ସରକାରଙ୍କ BSKY ଯୋଜନାରେ ସିନା ଚିକିତ୍ସାର ଲାଭ ପାଇ ପାରିବେ, କିନ୍ତୁ ଘରୁ ବାହାରକୁ ଯିବା ପାଇଁ ଟଙ୍କାଟିଏ ବି ପରିବାର ପାଖରେ ନାହିଁ । ଏହାରି ଭିତରେ କ୍ରୀଷ୍ଣାଙ୍କୁ କେମୋଥେରାପି ଦିଆଯାଇଛି । ସ୍ୱାଭାବିକ ଜୀବନ ଠାରୁ ଅଲଗା ହୋଇ ଯାଇଛି କ୍ରିଷ୍ଣାଙ୍କ ଜୀବନ । ଯାହାକୁ ନେଇ ପିତା ମାତା ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି । ଏହି ଦୁଃଖିନୀ ମାଆର କରୁଣ କାନ୍ଦଣା ଦେଖିଲେ କାହାର ବି ହୃଦୟ ଥୟ ହୋଇ ରହିପାରିବ ନାହିଁ । ଛଳ ଛଳ ଆଖିରେ ପୁଅ ପାଇଁ ମାଆର ଯେଉଁ ବେଦନା କିଏ ବା ବୁଝିବ । ଧନ୍ୟରେ ବିଧାତା ! ବୃଦ୍ଧ ପିତା ମାତାଙ୍କର ଏକୋଇର ବଳା ବିଶିକେଶନକୁ କି କଷ୍ଟ ଦେଲୁ ।

କାହାକୁ ବା ଦୋଷ ଦେବ । ଚିକିତ୍ସା ପାଇଁ ନେଇ ଥିବା ମେଡ଼ିକାଲ ! ନା ଭାଗ୍ୟକୁ । ଛୋଟ ଅପରେସନ ଜୀବନର ଗତିବିଧିକୁ ପରିବର୍ତ୍ତନ କରିଦେଲା । କିଏ ଜାଣିଥିଲା ଅପରେସନ ପରେ ଭଲ ହେବା ଜାଗାରେ କ୍ୟାନସର ଭଳି ବଡ଼ ବ୍ୟାଧିକୁ ଆପଣେଇ ନେବ । ଥରେ ଆପଣ ତାଙ୍କ ପରିବାରକୁ ଦେଖିଲେ ସତେ ଆପଣଙ୍କ ମୃଦନା ଫାଟି ପଡ଼ିବ । ଖାଇବାକୁ ସଂଘର୍ଷ କରୁଥିବା ପରିବାର ପୁଅର ଚିକିତ୍ସା କେମିତି କରାଇବେ । ୧୦ ବର୍ଷର ଗୋଟିଏ କୋମଳମତି ଶିଶୁ ଜୀବନ କଣ ଜାଣିବା ପୂର୍ବରୁ ଜୀବନର କଷ୍ଟକୁ ଅନୁଭବ କରୁଛି । ଅନୁଭବ କରୁଛି ଯନ୍ତ୍ରଣା ଜର୍ଜରିତ ବ୍ୟାଧିର କଷ୍ଟ ।

ବହୁ ଆଶା ଆକାଂକ୍ଷା ଭିତରେ ବଞ୍ଚିବାର ରାହା ଖୋଜୁଛି ଏହି ନିରୀହ ନିଷ୍ପାପ ଶିଶୁ । ଶଯ୍ୟାଶାୟୀ କ୍ରିଷ୍ଣାଙ୍କୁ ଖୁସି କରିବା ପାଇଁ ପ୍ରାଣ ପଣେ ଚେଷ୍ଟା ଜାରି ରଖିଛନ୍ତି ବାପା ମାଆ । ହେଲେ ସେମାନେ କଷ୍ଟର ତାଡ଼ନାକୁ ଆଉ ସହ୍ୟ କରି ପାରୁନାହାନ୍ତି । ଆଜି ବି ଅଭିମନ୍ୟୁ ସାମନ୍ତସିଂହାରଙ୍କର ରଚିତ "କଳାମାଣିକ" କବିତାରେ ସେହି କେଇ ପଦ ଉକ୍ତି ମନେ ପଡୁଛି । ପୁଅ କୃଷ୍ଣଙ୍କ ପ୍ରତି ମାତା ଯଶୋଦାଙ୍କ ଥିବା ବାତ୍ସଲ୍ୟ ମମତା ଯାହା ସମାଜ ପାଇଁ ଏକ ବଡ଼ ନିଦର୍ଶନ । ଆଜି ଆଉ ଜଣେ ଯଶୋଦା ରୂପି ମାଆ ପୁତ୍ରର ଜୀବନକୁ ନେଇ ଭାଳି ହେଉଛନ୍ତି । ଏନେଇ ସ୍ଥାନୀୟ ସରପଞ୍ଚ ବିଶ୍ଵଜିତ ନାୟକ ନିଜେ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ନିଜ ପାରୁପର୍ଯ୍ୟନ୍ତ ଚେଷ୍ଟା ଜାରି କରିଛନ୍ତି ସେ । ଯାହାକୁ ନେଇ ପରଜଙ୍ଗର ତତ୍କାଳୀନ ବିଡିଓ ବିନୋଦ ବିହାରୀ ବେହେରା କ୍ରିଷ୍ଣାଙ୍କୁ ସରକାରୀ କ୍ଷେତ୍ରରେ ସମସ୍ତ ସହାୟତା ଯୋଗାଇ ଦେବାକୁ କହିଥିଲେ ।

ଜୀବନ ଯନ୍ତ୍ରଣାରେ ଶଯ୍ୟାଶାୟୀ କ୍ରିଷ୍ଣା ନୂଆ ଜୀବନର ଏକ ଆଶାର ଆଲୋକକୁ ଅପେକ୍ଷା କରିଛି । ଅପେକ୍ଷା କରିଛି ଦୁଃଖିନୀ ପିତା ମାତାଙ୍କର ଅବିଶ୍ରାନ୍ତ ଲୋତକ ଧାରର ପୂର୍ଣ୍ଣଛେଦ ମୁହୂର୍ତ୍ତକୁ । ପୁଣି ଥରେ ସାଙ୍ଗ ସାଥୀଙ୍କ ସହିତ ହସ ଖୁସିରେ ଖେଳି ,ପାଠ ପଢି ମଣିଷ ହେବାକୁ । ଏଭଳି ପରିସ୍ଥିତିରେ ପିଶାଚ କଂସ ରୂପି ବ୍ୟାଧିକୁ ବିତାଡିତ କରି କ୍ରିଷ୍ଣାର ନୂଆ ଜୀବନ ପାଇଁ ସରକାରଙ୍କ ସହଯୋଗ ଏକାନ୍ତ ଲୋଡ଼ା ।