• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମାନହାନୀ ମାମଲା ଦାୟର କଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ନିଜ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ନ୍ୟାୟ ପାଇଁ ଗତକାଲି ଉଚ୍ଚ ନ୍ୟାୟଳୟକୁ ଯାଇଥିବା ପ୍ରକୃତି ଆଜି ଭୁବନେଶ୍ୱର କୋର୍ଟରେ ମୋଟ୍‌ ୫ କୋଟି ୧୦ ଲକ୍ଷ ଟଙ୍କାର ମାନହାନୀ ମାମଲା ଦାୟର କରିଛନ୍ତି । ବାବୁସାନ୍‌ଙ୍କ ସ୍ତ୍ରୀ ତୃପ୍ତି ଶତପଥୀ ଓ ଶ୍ୱଶୁର ଲଳିତ ଶତପଥୀଙ୍କ ବିରୋଧରେ ମୋକଦ୍ଦମା ଦାୟର କରାଯାଇଛି । ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟ ଆଠ ଜଣଙ୍କ ବିରୋଧରେ ମଧ୍ୟ ମୋକଦ୍ଦମା କରାଯିବ । କିନ୍ତୁ ସେମାନେ ଚିହ୍ନଟ ହୋଇନଥିବାରୁ ତାଙ୍କ ନାଁ ଦିଆଯାଇ ନାହିଁ । 

ସେହିପରି ସୋସିଆଲ ମିଡିଆ ୟୁଟ୍ୟୁବକୁ ମଧ୍ୟ ପକ୍ଷଭୁକ୍ତ କରିଛନ୍ତି ପ୍ରକୃତି ମିଶ୍ର । ୟୁଟ୍ୟୁବରେ ପ୍ରକୃତିଙ୍କ ପ୍ରତି ଅପମାନଜନକ ଭିଡିଓ ଥିବାରୁ ୟୁଟ୍ୟୁବକୁ ପକ୍ଷଭୁକ୍ତ କରିଥିବା ତାଙ୍କ ଓକିଲ କହିଛନ୍ତି । ୟୁଟ୍ୟୁବରେ ପ୍ରକୃତିଙ୍କ ମାନସମ୍ମାନ ଓ ଇଜ୍ଜତକୁ ଆଞ୍ଚ ଆସିବା ପରି ନ୍ୟୁଜ୍‌ ପ୍ରସାରଣ ହୋଇଛି ।ପୋଲିସ ଠାରୁ ନ୍ୟାୟ ନମିଳିବାରୁ କୋର୍ଟ ଯାଇଥିବା ସେ କହିଛନ୍ତି । ତେବେ ଏବେ ବି ସମାଧାନର ଦ୍ୱାର ଖୋଲା ଅଛି । 

ତେବେ ଘରୋଇ ସମସ୍ୟା ହୋଇଥିବାରୁ ପ୍ରକୃତିଙ୍କ ବାପାମା’ ନ୍ୟାୟ ଅପେକ୍ଷାରେ ଥିଲେ ବୋଲି କହିଛନ୍ତି ପ୍ରକୃତିଙ୍କ ଓକିଲ । ହେଲେ ଉଭୟ ପରିବାର ମଧ୍ୟରେ ବୁଝାମଣାରେ କୌଣସି ରାସ୍ତା ବାହାରି ପାରିଲା ନାହିଁ । ତେଣୁ ଏବେ ପ୍ରକୃତି ଏପରି ନିଷ୍ପତ୍ତି ନେଇଛନ୍ତି । ଯଦି ଦୁଇ ପକ୍ଷ ଆପୋସ ଆଲୋଚନା କରିବେ, ସମାଧାନ ହେବ, ଅଭିଯୁକ୍ତମାନେ ଯଦି ଭୁଲ୍ ମାଗିବେ ସମାଧାନ ହେବ ।

ଗତ ଜୁଲାଇ ୨୩ ତାରିଖରେ ଭୁବନେଶ୍ୱର ସତ୍ୟନଗର ଅଞ୍ଚଳରେ ପ୍ରକୃତିଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଅଭିଯୁକ୍ତଙ୍କ ଉପରେ ଏଯାଏଁ କାର୍ଯ୍ୟାନୁଷ୍ଠାନ ହୋଇନଥିବା ପ୍ରତିବାଦରେ ଗତକାଲି ହାଇକୋର୍ଟରେ ମାମଲା ଦାଏର କରିଥିଲେ ପ୍ରକୃତି । ପ୍ରକୃତି ଅଭିଯୋଗ କରିଥିଲେ ତାଙ୍କ ଏତଲା ଉପରେ ପୋଲିସ ଏଯାଏଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି ।

ସୂଚନାଯୋଗ୍ୟ ତୃପ୍ତି-ପ୍ରକୃତି-ବାବୁସାନଙ୍କ ମଧ୍ୟରେ ଥିବା ପୁରୁଣା ପାରିବାରିକ ବିବାଦ ଗତ ଜୁଲାଇ ୨୩ ତାରିଖରେ ବିସ୍ପୋରକ ରୂପ ନେଇଥିଲା। ବାବୁସାନ୍ ଓ ପ୍ରକୃତି ଭୁବନେଶ୍ୱର ସତ୍ୟନଗରସ୍ଥିତ ଏକ ଗେଷ୍ଟ ହାଉସରୁ ସକାଳୁ ସକାଳୁ ଏୟାରପୋର୍ଟ ବାହାରିବା ରାସ୍ତାରେ ପୂର୍ବରୁ ଜଗି ରହିଥିଲେ ପତ୍ନୀ ତୃପ୍ତି ଶତପଥୀ । ନିଜ ବାପା ଓ ଆଉ କିଛି ସହଯୋଗୀଙ୍କ ସହ ମିଶି ବାବୁସାନଙ୍କ ଗାଡ଼ିକୁ ଅଟକାଇ ତାଙ୍କ ସହ ପ୍ରଥମେ ଯୁକ୍ତିତର୍କ ଓ ପରେ ଆକ୍ରମଣ ମଧ୍ୟ କରିଥିବା ଦେଖିବାକୁ ମିଳିଥିଲା ।