• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରେଢାଖୋଲ(ରମାକାନ୍ତ ମହାନନ୍ଦ) : ଏକତା ହିଁ ବଳ । ମହିଳାଙ୍କ ଇଛା ଶକ୍ତି ଆଗରେ ହାର ମାନିଲା ପ୍ରତିକୂଳ ସ୍ଥିତି । ବର୍ଷ ବର୍ଷ ଧରି ନିଜ ଗାଁରେ ଲାଗି ରହିଥିବା ଜଳ ସମସ୍ୟାକୁ ଦୂର କରିଛନ୍ତି ଗାଁ ମହିଳା ମାନେ । ପାହାଡରୁ ଆସୁଥିବା ଝରଣା ପାଣିକୁ ଅଟକାଇ ଦେଲେ । ବାଲି ଓ ପଥରରେ ଗଢିଦେଲେ ବନ୍ଧ । ନିଜସ୍ୱ ପରିଶ୍ରମରେ ଗାଁର ଏକ ନାଳକୁ ପଥର ବାଲିରେ ବାନ୍ଧି ଜଳସଂରକ୍ଷଣ କରିବା ସହିତ ପ୍ରତିଦିନ ବ୍ୟବହାର କାର୍ଯ୍ୟ କରୁଛନ୍ତି । ରେଢାଖୋଲ ତନ୍ତଗାଡ ଗାଁର ମହିଳା ମାନଙ୍କ ଏହି ଉଦ୍ୟମ ସମସ୍ତଙ୍କ ପାଇଁ ଏବେ ପ୍ରେରଣା ସାଜିଛି ।

ରେଢାଖୋଲ ବ୍ଲକ କଦଳୀଗଡ ପଚାଂୟତ ତନ୍ତଗାଡ ଗାଁ ମୁଣ୍ଡାସାହିରେ ବର୍ଷକ ବାର ମାସ ପାଣି ସମସ୍ୟା ଦେଖାଯାଉଥିଲା । ଖରା ଦିନ ଆସିଲେ ସମସ୍ୟା ଦୁଇଗୁଣ ହୋଇଯାଉଥିଲା । ହେଲେ ଏବେ ପାହାଡ଼ି ଝରଣାପାଣିକୁ ବାଲି ଓ ପଥର ଦେଇ ବନ୍ଧ ବାନ୍ଧିଛନ୍ତି ଗାଁ ମହିଳା । କିଏ ବାଲି ବୋହି ତ, ଆଉ କିଏ ପଥର ଗୋଟାଇ ସଜାଡ଼ିଦେଲା । ଏମିତି ଦୁଇ ଚାରି ଦିନ ଧରି ଆକ୍ଲାନ୍ତ ପରିଶ୍ରମ କରି ବିନା ସରକାରୀ ସାହାଯ୍ୟ ଓ ବିନା ଖର୍ଚ୍ଚରେ ନାଳପାଣିକୁ ଅଟକାଇ ଜଳ ସଂରକ୍ଷଣ କରିଛନ୍ତି ମହିଳା ମାନେ ।

ଏବେ ବନ୍ଧ ବାନ୍ଧିବାରୁ ଗୋଟିଏ ପଟରେ ପାଣି ଭରି ରହି ଉଛୁଳା ମାରୁଛି । ଗ୍ରାମବାସୀ ପିଲାଛୁଆ ହସ ଖୁସିରେ ଗାଧୋଇବା ସହ ଗାଈଗୋରୁ ପାଣି ପିଇବା ଏପରିକି ବନ୍ୟଜନ୍ତୁ ଆସି ପାଣି ପିଇ ଯାଉଛନ୍ତି । ଏଠାରୁ ପାଣି ନେଇ ଚାଷ କାମ ଆରମ୍ଭ କରିବାକୁ ଯାଇଛନ୍ତି ଲୋକେ । ସବୁଠୁ ବଡ଼କଥା ହେଲା ଗାଁରେ ଥିବା କୂଅ, ନଳକୂପ, ଜଳସ୍ତର ମଧ୍ୟ ବଡିଯାଇଛି । ଯାହାକୁ ନେଇ ଏବେ ସମସ୍ତଙ୍କ ମନରେ ଖୁସି ।

ସମ୍ବଲପୁରର ଆଦର୍ଶ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜଳ ସଂରକ୍ଷଣ ସମ୍ପର୍କରେ ଗାଁ ଲୋକଙ୍କୁ ପ୍ରସ୍ତାବ ଦିଆଯାଉଥିଲା । ହେଲେ ପ୍ରଥମେ ଏମିତି ଏକ ପ୍ରସ୍ତାବକୁ ରାଜି ହୋଇନଥିଲେ ଗାଁ ଲୋକେ । କିନ୍ତୁ ଗାଁର ମହିଳା ମାନେ ଜଳ ସମସ୍ୟାକୁ ହୃଦୟଙ୍ଗମ କରିଥିବାରୁ ଜଳ ବନ୍ଧ ବାନ୍ଧିବାକୁ ଆଗଭର ହୋଇଥିଲେ । ୫୦ଟି ପରିବାର ମହିଳା ବିନା ଜ୍ଞ୍ୟାନକୌଶଳରେ ବିନା ଯନ୍ତ୍ରୀ ଓ ସିମେଣ୍ଟ୍ ଛଡ଼ରେ କାମ ଆରମ୍ଭ କଲେ ।

ଆଉ ତାଙ୍କର କେବଳ ପରିଶ୍ରମ ଓ ପ୍ରବଳ ଇଛାଶକ୍ତିର ଫଳ ପାଇଛନ୍ତି ଗାଁଲୋକେ । ଗାଁ ମହିଳା ମାନେ ପୂଜାର୍ଚ୍ଚନା କରି ରେଢାଖୋଲ ବିଡିଓଙ୍କ ଦ୍ୱାରା ବନ୍ଧର ଉଦଘାଟନ କରାଇଥିଲେ । ମୁଣ୍ଡାସାହି ମହିଳାଙ୍କ ଏପରି କାର୍ଯ୍ୟ ବାସ୍ତବରେ ଅନ୍ୟମାନଙ୍କ ପାଇଁ ଉଦାହରଣ ଓ ପ୍ରଶଂସନୀୟ ବୋଲି ବିଡିଓ କହିଛନ୍ତି । ଜଳ ସଂରକ୍ଷଣ ବହୁବିଧି ଉପାଦୟତା ସହ ଗାଁର ଅର୍ଥନିତିକୁ ସୁଦୃଢ କରିବ ଏହି ବ୍ୟବସ୍ଥା