• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟଜନିତ ମୃତ୍ୟୁରେ ଦ୍ୱିତୀୟ ସ୍ଥାନରେ ଓଡ଼ିଶା। ୨୦୨୧ରେ ପ୍ରାକୃତିକ ବିପର୍ଯ୍ୟୟରେ ଚାଲିଯାଇଛି ରାଜ୍ୟର ୨୨୩ ଲୋକଙ୍କ ଜୀବନ। ସେଥିମଧ୍ୟରୁ ୯୬ ପ୍ରତିଶତ ବା ୨୧୩ ଜଣଙ୍କ ପ୍ରାଣ ନେଇଛି କେବଳ ବଜ୍ରପାତ। ଏଥିସହ ବଜ୍ରପାତଜନିତ ମୃତ୍ୟୁରେ ଦେଶର ପ୍ରଥମ ସ୍ଥାନରେ ରହିଛି ଓଡ଼ିଶା। ଏହି ସଂଖ୍ୟା ଦେଶର ମୋଟ୍ ୭୮୭ ବଜ୍ରପାତଜନିତ ମୃତ୍ୟୁର ୨୭ ପ୍ରତିଶତ। ଭାରତୀୟ ପାଣିପାଗ ବିଭାଗର ୨୦୨୧ ଜଳବାୟୁ ରିପୋର୍ଟରୁ ଏମିତି ତଥ୍ୟ ମିଳିବା ପରେ ବଢ଼ିଛି ଚିନ୍ତା।

ତେବେ ପ୍ରଶ୍ନ ଉଠୁଛି, କାହିଁକି ବଜ୍ରପାତରେ ଚାଲିଯାଉଛି ଏତେ ଜୀବନ? ପାଣିପାଗ ବିଜ୍ଞାନୀଙ୍କ ମତ, ପ୍ରାକ୍ ମୌସୁମୀ ସମୟରେ ଦିନରେ ଉଚ୍ଚ ତାପମାତ୍ରା, ବଙ୍ଗୋପସାଗରରୁ ପ୍ରବାହିତ ଉଷ୍ମ ଜଳୀୟ ବାଷ୍ପ ଯୋଗୁଁ ସୃଷ୍ଟି ହୋଇଥାଏ ବିପଜ୍ଜନକ ବଜ୍ରପାତ। ସେହିପରି ମୌସୁମୀ ଦୁର୍ବଳ ହେବା ସମୟରେ ମଧ୍ୟ ବଜ୍ରପାତ ସୃଷ୍ଟି ହୁଏ। ମୁଖ୍ୟତଃ ଖୋଲା ପଡିଆରେ କାମ କରୁଥିବା ଶ୍ରମିକ ଓ ବିଲରେ କାର୍ଯ୍ୟରତ କୃଷକମାନେ ଏହାର ଶିକାର ହେଉଛନ୍ତି। ତେବେ ପାଣିପାଗ ବିଭାଗ ପକ୍ଷରୁ ଏବେ ପ୍ରତି ୩ ଘଣ୍ଟାରେ ବଜ୍ରପାତ ନେଇ ଆକଳନ କରାଯାଉଛି।

ଏପଟେ ପାଣିପାଗ ବିଶାରଦଙ୍କ ମତରେ, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ସର୍ବାଧିକ ବଜ୍ରପାତ ହେଉଛି। କିନ୍ତୁ ସର୍ବାଧିକ ମୃତ୍ୟୁ ହେଉଛି ଉପକୂଳ ଜିଲ୍ଲାଗୁଡ଼ିରେ। ଅନେକ ସମୟରେ ମୌସୁମୀ ଋତୁରେ ବିଲରେ କାମ କରୁଥିବା ଚାଷୀମାନେ ହିଁ ବଜ୍ରପାତର ଶିକାର ହେଉଛନ୍ତି। ସେମାନେ ବଜ୍ରପାତ ନେଇ ଆଗୁଆ ସୂଚନା ପାଇପାରୁ ନ ଥିବାରୁ ଅକାରଣରେ ଚାଲିଯାଉଛି ବହୁ ମୂଲ୍ୟବାନ ଜୀବନ। ଏଣୁ ପାଣିପାଗ ବିଭାଗ ପକ୍ଷରୁ ବଜ୍ରପାତର ଆଗୁଆ ଆକଳନ ନେଇ ଅଧିକ ଗବେଷଣା ତଥା ବ୍ୟବସ୍ଥା କରାଯିବାର ଆବଶ୍ୟକତା ରହିଛି।

 

ଏହାଛଡ଼ା ଲୋକମାନେ ବିଲ ହୁଡ଼ା ତଥା ଖାଲି ପଡିଆରେ ଅଧିକରୁ ଅଧିକ ତାଳଗଛ ଭଳି ଉଚ୍ଚ ଗଛ ଲଗାଇବା ଦରକାର। ଫଳରେ ବଜ୍ରପାତ ବେଳେ ଉଚ୍ଚ ବୃକ୍ଷ ପ୍ରଭାବିତ ହେବ। ପରିବେଶବିତଙ୍କ କହିବା କଥା, ରାଜ୍ୟର ଭୌଗୋଳିକ ସ୍ଥିତି ସମେତ ଜଙ୍ଗଲ ନଷ୍ଟ, କଳକାରଖାନାରୁ ବାହାରୁଥିବା ଦୂଷିତ ଗ୍ୟାସ୍ ମଧ୍ୟ ବଜ୍ରପାତ ବୃଦ୍ଧିର ଅନ୍ୟତମ କାରଣ। ଏ ଦିଗରେ ସରକାର ପଦକ୍ଷେପ ନେବା ଉଚିତ।

ବାତ୍ୟା ଓ ବନ୍ୟା ଆଦିକୁ ସଫଳ ଭାବେ ମୁକାବିଲା କରିବାରେ ଅନେକ ସଫଳତା ପାଇଛନ୍ତି ରାଜ୍ୟ ସରକାର। ଆଗାମୀ ସମୟରେ ବଜ୍ରପାତଜନିତ ମୃତ୍ୟୁ ହ୍ରାସରେ ସରକାର କେତେ ସଫଳ ହେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।. ରୁ ରିପୋର୍ଟ: କପିଳେନ୍ଦ୍ର ପ୍ରଧାନ