Advertisment

ବାପାମାଆ ଯାଇଥିଲେ ଦାଦନ ଖଟି, ପୁଅ ପାଇଲା ଗୋଲ୍ଡ ମେଡାଲ୍

ବାପା ଦାଦନ ଖଟୁଥିବା ବେଳେ ପୁଅ ଯେତେବେଳେ ଗୋଲ୍ଡ ମେଡାଲ ପାଇ ଘରକୁ ଫେରିବ, ତେବେ କେତେ ଖୁସି ନ ହେବେ ପିତାମାତା ।

author-image
Manoranjan Behera
ଅଦ୍ୟତନ ହୋଇଛି
Migrant Son Gold Medalist

Migrant Son Gold Medalist

ଜୟଜୟ କାର ପଡୁଛି । ହରିହର ନାଗ କି ଜିନ୍ଦାବାଦ୍‌ ନାରା ବି ପଡୁଛି । ଖାଲି ଏତିକି ନୁହେଁ ବରଂ ଘରେ ପହଞ୍ଚିବା ପରେ ପିଢା ଉପରେ ଗୋଡ ରଖି ହଳଦୀ ପାଣିରେ ଗୋଡ ଧୁଆ ବି ହେଉଛି । ହୁଏତ ଏହି ଦୃଶ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ । ଆଉ ଆପଣ କହିପାରନ୍ତି, ୟାଙ୍କୁ ଏତେ ସମ୍ବର୍ଦ୍ଧନା ଦେବାର ଆୟୋଜନ କାହିଁକି?

Advertisment

ନୂଆପଡା ଖଡିଆଳ ବ୍ଲକ ଲଛିପୁର ଗାଁରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଗାଁରେ ଚାଲିଥିବା ପୁଅର ସ୍ୱାଗତ କାର୍ଯ୍ୟକ୍ରମ ପଛରେ ଯେଉଁ କାରଣ ରହିଛି ଆପଣ ଜାଣିଲେ ଭୂରି ଭୂରି ପ୍ରଶଂସା କରିବାକୁ ବାଧ୍ୟ ହେବେ । ଆଉ କହିବେ, ପୁଅ ହେବ ତ ଏମିତି । କାରଣ ବାପା ଦାଦନ ଖଟୁଥିବା ବେଳେ ପୁଅ ଯେତେବେଳେ ଗୋଲ୍ଡ ମେଡାଲ ପାଇ ଘରକୁ ଫେରିବ, ତେବେ କେତେ ଖୁସି ନ ହେବେ ପିତାମାତା ।

ହରିହର ଗାଁରେ ପହଞ୍ଚିବା ପରେ ପୁଅକୁ ଦେଖି ଭାବବିହ୍ୱଳ ହୋଇ ପଡ଼ିଥିଲେ ବାପା ଆଉ ମାଆ। ଖାଲି ଏତିକି ନୁହେଁ ବରଂ ପୁଅର କୃତିତ୍ୱକୁ ଦେଖି ଆଖିରୁ ଝରାଇଥିଲେ ଆନନ୍ଦର ଅଶ୍ରୁ ଆଉ ପିନ୍ଧାଇଥିଲେ ଆଶୀର୍ବାଦର ହାର। ହରିହରଙ୍କ ବାପାମାଆ ଦିନେ ସ୍ୱପ୍ନରେ ବି ଭାବିନଥିଲେ କି ତାଙ୍କ ପୁଅ ରେଭେନ୍ସା ଭଳି ବିଶ୍ୱବିଦ୍ୟାଳୟରୁ ଗୋଲ୍ଡ ମେଡାଲ ପାଇବ । ହେଲେ ବାପା-ମାଆଙ୍କ ସ୍ୱପ୍ନକୁ ସାକାର କରି ଦେଖାଇଛନ୍ତି ହରିହର।

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଲା ହରିହରଙ୍କ ପାଠ ପାଇଁ ବାପା-ମାଆଙ୍କ ସହ ଭଉଣୀ ବି ଦାଦନ ଯାଇଥିଲେ । ଆଉ ସେତିକିରୁ ଯେତିକି ରୋଜଗାର ହେଉଥିଲା ନିଜେ ଖାଇବା ସହ ହରିହରଙ୍କ ପାଠ ପଢା ଖର୍ଚ୍ଚ ତୁଲାଉଥିଲେ । ହରିହର ନାଗ କଟକ ରେଭେନସା ବିଶ୍ୱ ବିଦ୍ୟାଳୟରେ ଶିକ୍ଷା ବିଭାଗର ସ୍ନାତକୋତର ( ଏମ.ଏ.ଇନ୍ ଇଜୁକେସନ)ରେ ଗୋଲ୍ଡ ମେଡାଲ ପାଇଛନ୍ତି ।

ପିଲାଟି ଦିନରୁ ହରିହର ପାଠ ପ୍ରତି ବେଶ୍‌ ଆଗ୍ରହୀ ଥିଲେ। ଆଉ ପୁଅର ଆଗ୍ରହ ଦେଖି ପାଠ ପଢାରେ କୌଣସି କମି ରଖିନଥିଲେ ବାପା-ମାଆ । ହାଇଦ୍ରାବାଦ ଇଟା ଭାଟିରେ ଯେଉଁ ଝାଳ ବୁହାଇଥିଲେ ଆଜି ସେଇ ଝାଳର ମୂଲ୍ୟ ରଖିଛନ୍ତି ହରିହର । ଯାହାକୁ ନେଇ ସ୍ଥାନୀୟ ଅଂଚଳ ନୁହେଁ ବରଂ ପୂରା ଜିଲ୍ଲାରେ ଜୋର ଧରିଛି ଚର୍ଚ୍ଚା ।

ଆଗାମୀ ଦିନରେ ହରିହର ପିଏଚ୍‌ଡି କରି ବାପା-ମାଆଙ୍କ ସ୍ୱପ୍ନ ପୂରଣ କରିବେ ବୋଲି କହିଛନ୍ତି । ସତରେ ହରିହରଙ୍କ ପରି ପୁଅ ଥିଲେ ନିଶ୍ଚୟ ବାପାମାଆଙ୍କ ଦୁଃଖ ଦୂର ହେବ । ହରିହର ହିଁ ପ୍ରମାଣିତ କରିଛନ୍ତି, ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନେ ଦାରଦ୍ର୍ୟ । (ନୂଆପଡାରୁ ମାୟାଧର ସରାଫ)

Special Story Migrant Son Gold Medalist
Advertisment
Advertisment