/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744300670.jpg)
କୋଇଲା ମହାଲୁଟ୍ ତନାଘନା
ସୁନ୍ଦରଗଡ଼ କୋଇଲା ମହାଲୁଟ୍ର ଉଚ୍ଚସ୍ତରୀୟ ତଦନ୍ତ ଦାବି । ସ୍ପେଶାଲ ଟାସ୍କଫୋର୍ସ ଗଠନ କରି ଏହାର ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଉପବାଚସ୍ପତି ଭବାନୀ ଶଙ୍କର ଭୋଇ । ସେହିପରି ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂ ମଧ୍ୟ ପୁରା ଘଟଣାର CBI ତଦନ୍ତ ଦାବି କଲେଣି । ତେଲେନଡିହି ଘଞ୍ଚ ଜଙ୍ଗଲ ଭିତରେ କେମିତି ଚାଲିଥିଲା କଳାହୀରାର କଳା ଧନ୍ଦା, ସେ ସଂପର୍କରେ ଓଟିଭିରେ ପର୍ଦ୍ଦାଫାସ୍ ପରେ ହଠାତ୍ ଚେଇଁ ଉଠିଛି ପ୍ରଶାସନ । ଗ୍ରାଉଣ୍ଡ ଜିରୋରେ ତନାଘନା ସହ ମାଫିଆଙ୍କୁ ଖୋଜୁଛି । ଖଣି ଉପନିର୍ଦ୍ଦେଶକ କହିଛନ୍ତି- ଏକ ୯ ଜଣିଆ ଏନଫୋର୍ସମେଣ୍ଟ ଟିମ୍ କାଲିଠୁ ଏ ମାମଲାର ତନାଘନା ଆରମ୍ଭ କରିବ ।
ଅଧିକ ପଢ଼ନ୍ତୁ: ମହିଳା ହତ୍ୟାକାଣ୍ଡରେ ଚନ୍ଦନ ଗିରଫ, ଖଣ୍ଡଗିରିରୁ ଆଣି ମାରିଥିଲା ଲିଙ୍ଗିପୁରରେ
ତେଲେନଡିହି କୋଇଲା ମହାଲୁଟ୍ ପଛରେ କିଏ ? ଜଙ୍ଗଲ ଭିତରେ କାହା ଛତ୍ରଛାୟା ତଳେ ଚାଲିଥିଲା କଳାହୀରାର ଚୋରା ବେପାର ? ବେଆଇନ କୋଇଲା ଖନନ ଓ ଏହାର ଚୋରା ଚାଲାଣ ପଛର କିଏ ସେ ମାଫିଆ ? ଏସବୁର ହାଇଲେବଲ୍ ତଦନ୍ତ କରି ସତ୍ୟ ସାମ୍ନାକୁ ଆଣିବାକୁ ସିଧା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ଉପବାଚସ୍ପତି ତଥା ତଳସରା ବିଧାୟକ ଭବାନୀ ଭୋଇ । ଇଏ ସେହି ଚିଠିର ନକଲ, ଯେଉଁଥିରେ ସେ ଦର୍ଶାଇଛନ୍ତି ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଓ କୋଇଡ଼ା ଅଞ୍ଚଳରେ କୋଇଲା, ଲୁହାପଥର ଓ ମାଙ୍ଗାନିଜର ଅବୈଧ ଖନନ ଜାରି ରହିଛି । ଏଠୁ ଖଣିଜ ଦ୍ରବ୍ୟ ପଡ଼ୋଶୀ ରାଜ୍ୟମାନଙ୍କୁ ଚୋରା ଚାଲାଣ ହେଉଛି । ୟାକୁ ରୋକିବାରେ ଜିଲ୍ଲା ପ୍ରଶାସନ, ଜଙ୍ଗଲ ବିଭାଗ ଓ ଖଣି ଅଧିକାରୀଙ୍କ ତତ୍ପରତା ନାହିଁ । ଏଥିପାଇଁ ସ୍ପେଶାଲ ଟାକ୍ସଫୋର୍ସ ଗଠନ କରାଯାଉ । ମାଫିଆ ଓ ସେମାନଙ୍କୁ ସହଯୋଗ କରୁଥିବା ସରକାରୀ କର୍ମଚାରୀଙ୍କୁ ଚିହ୍ନଟ କରାଯାଇ ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ। ସେହିପରି ସୁନ୍ଦରଗଡ଼ ସଦର ବିଧାୟକ ଯୋଗେଶ ସିଂ ବି ପୁରା ଖଣିଜ ଚୋରି ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ, ଏ ସଂପର୍କରେ ବନ ବିଭାଗ ଓ ଖଣି ବିଭାଗ କେମିତି କିଛି ଜାଣି ପାରିଲେ ନାହିଁ, ସେ ନେଇ ପ୍ରଶ୍ନ ଉଠାଇଛନ୍ତି। ତା ସହ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏହାର ସିବିଆଇ ତଦନ୍ତ ପାଇଁ ଦାବି ରଖିଛନ୍ତି।
ସୁନ୍ଦରଗଡ଼ର ତେଲନଡିହି, ରତନସରା ଓ ଜାମକାନି । ଏସବୁ ଘଞ୍ଚ ଜଙ୍ଗଲ ଭିତରେ କେମିତି ଚାଲିଥିଲା ବେଆଇନ୍ କୋଇଲା ଖଣି ସାଙ୍ଗକୁ ଇଟା ଭାଟି। ଓଟିଭିରେ ତଥ୍ୟ ପ୍ରମାଣ ସହ ଖବର ପ୍ରସାରଣ ପରେ ସୃଷ୍ଟି ହୋଇଥିଲା ହଇଚଇ। ଶହ ଶହ ଟନ୍ କୋଇଲା କିଏ ଉତ୍ତୋଳନ କରିଥିଲା ? କାହିଁକି ଗଚ୍ଛିତ ରଖାଯାଇଥିଲା ? ଏ ଉତ୍ତର କାହା ପାଖରେ ନଥିଲା। ତେଣେ ଖବର ବାଜିବା ମାତ୍ରେ ହଠାତ୍ ଚେଇଁ ଉଠିଥିଲା ପ୍ରଶାସନ ଓ ସ୍ଥାନୀୟ ଖଣି ବିଭାଗ। ଗଲା ୩ଦିନ ହେଲା ଗ୍ରାଉଣ୍ଡ ଜିରୋରେ ଚାଲିଛି ନନଷ୍ଟପ୍ ତନାଘନା ।
ରାଜ୍ୟ ସରକାର ବି ସ୍ଥାନୀୟ ଜିଲ୍ଲାପାଳ ଓ ଖଣି ଉପନିର୍ଦ୍ଦେଶକଙ୍କୁ ଏହାର ସବିଶେଷ ତଥ୍ୟ ୩ ଦିନରେ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେଣୁ ଦଳବଳ ଧରି ଅନ ସ୍ପଟ୍ ଇନକ୍ବାରି ଚଳାଇଛି ପ୍ରଶାସନ, ପୋଲିସ୍ ଓ ଖଣି ବିଭାଗ। ଆଖପାଖରେ ଥିବା ବିଭିନ୍ନ ଶିଳ୍ପ କାରଖାନାରେ ବି ଚାଲିଛି ତନାଘନା। ପୋଲିସ ସନ୍ଦେହରେ କିଛି ଲୋକଙ୍କୁ ପଚରା ଉଚରା କରୁଥିବାବେଳେ ସବୁ ମାଫିଆଙ୍କୁ ଧରିବା ଉଦ୍ୟମ ଚାଲିଥିବା ଏସଡିପିଓ କହିଛନ୍ତି। ସେପଟେ ଖଣି ଉପନିର୍ଦ୍ଦେଶକ କହିଛନ୍ତି ଏବେ ସୁଦ୍ଧା ୧୪୨ ଟନ୍ କୋଇଲା ଜବତ ହୋଇ ସାରିଲାଣି। କୋଇଲା ଖଣି ମାମଲାର ତଦନ୍ତ ରାଜ୍ୟ ଖଣି ବିଭାଗର ୯ ଜଣିଆ ସ୍ବତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ କରିବେ। କାଲିଠୁ ନୂଆ ଟିମ୍ ର ଖୋଳତାଡ଼ ଆରମ୍ଭ ହେବ।
ତେଲେନଡିହି ରାଜସ୍ବ ଜଙ୍ଗଲ ମଝିରେ ବେଆଇନ କୋଇଲା ଖଣି ସଂପର୍କରେ ପ୍ରଥମେ ଜାଣିଥିଲା ଜଙ୍ଗଲ ବିଭାଗ। ଏମିତିକି ଗତବର୍ଷ ମେ ମାସରେ ଏ ନେଇ ଗୋପାଳପୁର ରେଂଜର, ହେମଗିରି ତହସିଲଦାରଙ୍କୁ ଚିଠି ଲେଖି ଅବଗତ କରିଥିଲେ। ମାତ୍ର ତହସିଲଦାର ଚୁପ୍ ବସି ଯାଇଥିଲେ।ତେବେ ସେତେବେଳର ତହସିଲଦାର, ଜିଲ୍ଲା ପ୍ରଶାସନକୁ କାହିଁକି ଏକଥା ଜଣାଇନଥିଲେ ତାର ଉତ୍ତର ପାଇଁ ତତକାଳୀନ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ସୁନ୍ଦରଗଡ ଜିଲ୍ଲାପାଳ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)