• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ରାଜ୍ୟରେ ଉଦ୍‌ବେଗଜନକ ହାରରେ ବଢୁଛି ଆତ୍ମହତ୍ୟା ସଂଖ୍ୟା ା କିଶୋରଠୁ ବୟସ୍କ କ୍ରମାଗତ ଭାବେ ଜୀବନ ହାରୁଛନ୍ତି । କିଏ ବ୍ୟବସ୍ଥା ବିରୋଧରେ ଲଢ଼େଇ କରି ନିରାଶ ହେବା ପରେ ତ ଆଉ କିଏ ବ୍ୟକ୍ତିଗତ କାରଣରୁ ଆତ୍ମହତ୍ୟା କରୁଛନ୍ତି । ଏସବୁ ଭିତରେ ଆଜି ଚର୍ଚ୍ଚାକୁ ଆସିଛନ୍ତି ବାଲେଶ୍ୱର ଜିଲ୍ଲାରେ ସଡ଼କ ଦୁର୍ଘଟଣାରେ ଗୋଡ଼ ଅଚଳ ହୋଇଯାଇଥିବା ଜଣେ ଦିବ୍ୟାଙ୍ଗ ଯୁବକ । ଶାରୀରିକ ଯନ୍ତ୍ରଣା ଓ ପାରିବାରିକ ବୋଝକୁ ସହିନପାରି ପୂର୍ବରୁ ସୋସିଆଲ୍ ମିଡ଼ିଆରେ ଇଚ୍ଛାମୃତ୍ୟୁ କଥା ଲେଖିଥିଲେ ସେ । ଏବେ କିନ୍ତୁ ସୋସିଆଲ୍ ମିଡ଼ିଆରେ ଭିଡ଼ିଓ କରି ବିଷପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏପଟେ ଭୁବନେଶ୍ୱରରେ ଆଜି ଦୁଇ ଦୁଇ ଜଣ ଜୀବନ ହାରିବା ପରେ ରାଜଧାନୀରେ ବଢୁଥିବା ଆତ୍ମହତ୍ୟା ପ୍ରବଣତାକୁ ନେଇ ଚିନ୍ତା ବଢ଼ିଛି ।

ବ୍ୟବସ୍ଥା ଆଗରେ ବୋଝ ହୋଇଯାଉଛି କି ଜୀବନ ? ମୃତ୍ୟୁ ଅପେକ୍ଷା ମହଙ୍ଗା ହୋଇଯାଉଛି କି ଜୀବନ ଧାରଣ ? କାରଣ ଗତ କିଛିଦିନ ହେଲା, ଉଦ୍‌ବେଗଜନକ ହାରରେ ବଢ଼ିଚାଲିଛି ଆତ୍ମହତ୍ୟା ମାମଲା । ବାଲେଶ୍ୱର ଜିଲ୍ଲା ଖନ୍ତାପଡା ଥାନା ଅନ୍ତର୍ଗତ ବରୁଣ ସିଂହ ଗାଁର ବିଜୟ ଜେନା ଆତ୍ମହତ୍ୟା ଉଦ୍ୟମ କରି ଅଳ୍ପକେ ବର୍ତ୍ତିଯାଇଛନ୍ତି । କିଛିଦିନ ତଳେ ଯାହାଙ୍କ ଦୁର୍ଦ୍ଦଶାର ଦୟନୀୟ କାହାଣୀ ଦେଖାଇଥିଲା ଓଟିଭି । ଗତ ୨୦୧୮ରେ ସଡ଼କ ଦୁର୍ଘଟଣା ପରେ ଅଚଳ ହୋଇଯାଇଛି ତାଙ୍କର ଦୁଇ ଗୋଡ଼ । ବାପା ମଧ୍ୟ ଏକ ଦୁର୍ଘଟଣାରେ ଗୁରୁତର ହୋଇ ଘରେ ପଡ଼ିରହିଛନ୍ତି । ବିଜୟଙ୍କ ଏଭଳି ଦୁଃଖଦ କାହାଣୀ ପ୍ରସାରିତ ହୋଇଥିଲା ଓଟିଭିର ଆପଣ ଏକା ନୁହଁନ୍ତି କାର୍ଯ୍ୟକ୍ରମରେ । 

କିନ୍ତୁ ସେଭଳି କୌଣସି ସହାୟତା କିମ୍ବା ସହାନୁଭୁତି ନମିଳିବାରୁ ଜୀବନ ଯନ୍ତ୍ରଣାର ବୋଝ ଭିତରେ ସୋସିଆଲ୍ ମିଡ଼ିଆରେ ଇଚ୍ଛାମୃତ୍ୟୁ କଥା ଲେଖିଥିଲେ ବିଜୟ । ଶେଷରେ ଏବେ ସେହି ସୋସିଆଲ୍ ମିଡ଼ିଆରେ ବିଷ ପିଇବା ଭିଡ଼ିଓ ପୋଷ୍ଟ କରି ଆତ୍ମହତ୍ୟା ଉଦ୍ୟମ କରିଥିଲେ ବିଜୟ । ସୌଭାଗ୍ୟକୁ ସୋସିଆଲ୍ ମିଡ଼ିଆରୁ ଜାଣିବା ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମେଡ଼ିକାନ୍‌ରେ ଭର୍ତ୍ତି କରିଛନ୍ତି । ତେବେ ଏନେଇ ଜିଲ୍ଲା ପ୍ରଶାସନ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି । 

ଆତ୍ମହତ୍ୟା ହେଉ କିମ୍ବା ଆତ୍ମହତ୍ୟା ଉଦ୍ୟମ । ବଢ଼ିଚାଲିଥିବା ଏହି ଦୁର୍ଭାଗ୍ୟଜନକ ଟ୍ରେଣ୍ଡ ଏବେ ରାଜଧାନୀରେ ବି ଚାଞ୍ଚଲ୍ୟ ଖେଳାଇଛି । ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ୱର ଅଞ୍ଚଳର ୨୧ ବର୍ଷିୟା ରଚନା ନାୟକ  ନିଜ ଘରେ ଆଜି ସକାଳେ ପ୍ରାଣ ହାରିଦେଇଛନ୍ତି । ସାଙ୍ଗସାଥୀଙ୍କ ସହ ବୁଲିବାକୁ ଯାଇ ବିଳମ୍ବରେ ଘରେ ପହଞ୍ଚିବାରୁ ପରିବାର ଲୋକଙ୍କ ତାଗିଦ୍‌କୁ କେନ୍ଦ୍ର କରି ରଚନା ଆତ୍ମହତ୍ୟା କରିଥିବା କୁହାଯାଉଛି । 

ଠିକ୍‌ ସେହିପରି ସୁନ୍ଦରପଦାର ୩୦ ବର୍ଷିୟ ଅଶୋକ ପ୍ରଧାନ ନିଶା ସେବନକୁ ନେଇ ପାରିବାରିକ ବିବାଦରୁ ବେକରେ ଲୁଗାଦେଇ ଆତ୍ମହତ୍ୟା କରିଥିବା କୁହାଯାଉଛି । ଆଜି ରଚନା କିମ୍ବା ଅଶୋକ ନୁହଁନ୍ତି, ବିଭିନ୍ନ କାରଣରୁ ଗତ ୮ ମାସ ଭିତରେ ରାଜଧାନୀର ଛାତି ଉପରେ ଆତ୍ମହତ୍ୟା କଲେଣି ୨ଶହରୁ ଅଧିକ । 

ଯୁବ ମଡେଲ୍ ସୌମ୍ୟ ପାଣିଗ୍ରାହୀ ହୁଅନ୍ତୁ କିମ୍ବା ମହିଳା ସଫ୍ଟୋଓୟାର ଇଞ୍ଜିନିୟର ଶ୍ୱେତା, ଅଭିନେତା ରାଇମୋହନ ପରିଡ଼ା ହୁଅନ୍ତୁ କିମ୍ବା ଅଭିନେତ୍ରୀ ରଶ୍ମିରେଖା । ଜଣଙ୍କ ପରେ ଜଣଙ୍କ ଏଭଳି ଏକାଧିକଙ୍କ ଅଭାବନୀୟ ମୃତ୍ୟୁ ଆଜି ଦୋହଲାଇ ଦେଇଛି ରାଜଧାନୀକୁ । ପୋଲିସ କମିଶନରଙ୍କ ସୂଚନା ଅନୁଯାୟୀ, ଭୁବନେଶ୍ୱରରେ କେବଳ ଏବର୍ଷ ଅଗଷ୍ଟ ସୁଦ୍ଧା ୨୨୬ଟି ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଲାଣି ।  

କେବଳ ରାଜଧାନୀ ନୁହେଁ, ରାଜ୍ୟବ୍ୟାପି ବିଭିନ୍ନ କାରଣରୁ ନିଇତି ହାରାହାରି ୧୫ରୁ ଅଧିକ ଲୋକ ଆତ୍ମହତ୍ୟା କରୁଥିବା ନ୍ୟାସନାଲ୍ କ୍ରାଇମ୍ ରେକର୍ଡସ ବ୍ୟୁରୋ କହିଛି । ଏନ୍‌ସିଆରବିର ସଦ୍ୟତମ ଆକ୍ସିଡେଣ୍ଟାଲ୍ ଡେଥ୍ସ ଆଣ୍ଡ ସୁଇସାଇଡ୍ସ ଇନ୍ ଇଣ୍ଡିଆ-୨୦୨୧ ରିପୋର୍ଟରେ ପ୍ରତି ଲକ୍ଷେ ଲୋକଙ୍କ ମଧ୍ୟରୁ ବର୍ଷକୁ ୧୨ ଜଣ ଆତ୍ମହତ୍ୟା କରୁଥିବା ଦର୍ଶାଯାଇଛି । 

(ରିପୋର୍ଟର- ବାଲେଶ୍ୱରରୁ ରଶ୍ମୀରଂଜନ ଦାସ, ଭୁବନେଶ୍ୱରରୁ ଅତୁଲ୍ୟ ବାଉତ, ଆଲୋକ ମହାନ୍ତି)