• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିଜେପି ଫୋକସରେ ଓଡ଼ିଶା । ୨୪ରେ କ୍ଷମତା ଦଖଲ ଲାଗି ଫୁଲ୍ ଦମ୍‌ରେ ପ୍ରସ୍ତୁତି ଆରମ୍ଭ କରିଛି ଦଳ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ପରେ ଓଡ଼ିଶା ଆସି ସାଂଗଠନିକ ସ୍ଥିତି ପରଖି ଥିଲେ ପ୍ରଭାରୀ ସୁନିଲ୍ ବଂଶଲ । ଏହାର ଦୁଇ ଦିନ ପରେ ରାଜ୍ୟରେ ପହଞ୍ଚିଛନ୍ତି ଏକାବେଳକେ ୭ କେନ୍ଦ୍ରମନ୍ତ୍ରୀ ।

ଲୋକସଭା ମଣ୍ଡଳ ପ୍ରବାସ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ଲୋକସଭା ଆସନ ଅଞ୍ଚଳକୁ ଯାଇ ସାଂଗଠନିକ ସ୍ଥିତି ଓ କେନ୍ଦ୍ରୀୟ ଯୋଜନାର କାର୍ଯ୍ୟକାରିତା ସମୀକ୍ଷା କରିବେ ଏହି ୭ ମନ୍ତ୍ରୀ । ଆଗକୁ ପୁରୀରେ ୩ ଦିନିଆ ପ୍ରଶିକ୍ଷିଣ ଶିବିର ପାଇଁ ସାଧାରଣ ସଂପାଦକ ବିଏଲ୍ ସନ୍ତୋଷ ଓଡ଼ିଶା ଆସୁଥିବା ବେଳେ ୨୯ରେ ଆସିବେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କେନ୍ଦ୍ରମନ୍ତ୍ରୀଙ୍କ ସହ ବିଜେପି ନେତୃତ୍ୱଙ୍କ ଘନ ଘନ ଗସ୍ତ ରାଜ୍ୟ ରାଜନୀତିକୁ ସରଗରମ କରିଥିବା ବେଳେ ଏହାର କିଛି ବି ପ୍ରଭାବ ପଡିବନି ବୋଲି କହିଛନ୍ତି ବିଜେଡି ଓ କଂଗ୍ରେସ ।

ମିଶନ ୨୪କୁ ନେଇ ଚଳଚଞ୍ଚଳ ବିଜେପି ଶିବିର । ରାଜ୍ୟକୁ ଛୁଟିଛି କେନ୍ଦ୍ରୀୟ ନେତାଙ୍କ ସୁଅ । ଗୃହମନ୍ତ୍ରୀ ଅମିତ ଶାହା ଓ ପ୍ରଭାରୀ ସୁନିଲ୍ ବଂଶଲଙ୍କ ପରେ ଓଡ଼ିଶା ଗସ୍ତରେ ୭ କେନ୍ଦ୍ର ମନ୍ତ୍ରୀ । ଏମାନେ ହେଲେ ଧର୍ମେନ୍ଦ୍ର ପ୍ରଧାନ, ଅର୍ଜୁନ ମୁଣ୍ଡା, ନିତ୍ୟାନନ୍ଦ ରାୟ, ବିଶ୍ୱେଶ୍ୱର ଟୁଡୁ, ଭୁପିନ୍ଦର ଯାଦବ, ଅଶ୍ୱିନୀ ଚୌବେ ଓ ନିଶିଥ ପରମାଣିକ, ଅର୍ଜୁନ ମୁଣ୍ଡା ଯାଜପୁର ଜିଲ୍ଳାକୁ ଯାଇଥିବା ବେଳେ କଟକରେ ପହଞ୍ଚିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ରାୟ ।

ଆସନ୍ତାକାଲି ଭୁପିନ୍ଦର ଯାଦବ ପୁରୀ ଓ ନିଶିଥ୍ ପରମାଣିକ କେନ୍ଦ୍ରାପଡ଼ା ଯିବେ । ଯେଉଁ ସଂସଦୀୟ କ୍ଷେତ୍ରରେ ବିଜେପିର ପ୍ରଦର୍ଶନ ଗତଥର ଭଲ ହୋଇନଥିଲା । କେନ୍ଦ୍ରମନ୍ତ୍ରୀମାନେ ସେସବୁ ଆସନରେ ରହି ସାଂଗଠନିକ ସ୍ଥିତିର ସମୀକ୍ଷା କରିବେ । କଣ କଲେ ଦଳ ମଜବୁତ ହେବ ଏବଂ ଆଗାମୀ ନିର୍ବାଚନରେ ଭୋଟର ବିଜେପି ପ୍ରତି ଆକୃଷ୍ଟ ହେବେ, ସେନେଇ ମନ୍ତ୍ରୀମାନେ ରଣନୀତି ପ୍ରସ୍ତୁତ କରିବେ । ଏସବୁ ସଂସଦୀୟ କ୍ଷେତ୍ରରେ କେନ୍ଦ୍ରୀୟ ଯୋଜନାଗୁଡିକ କିଭଳି କାର୍ଯ୍ୟକାରୀ ହେଉଛି, ତାର ମଧ୍ୟ ସମୀକ୍ଷା କରାଯିବ ।

ଆସନ୍ତା ୧୩,୧୪ ଓ ୧୫,ପୁରୀରେ ବିଜେପିର ୩ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେବ । ଜାତୀୟ ସାଧାରଣ ସଂପାଦକ ବିଏଲ୍ ସନ୍ତୋଷ ଏଥିରେ ଯୋଗ ଦେଇ ନେତା ଓ କର୍ମୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିବେ । ଏହାପରେ ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

ନଡ୍ଡାଙ୍କ ଗସ୍ତ ପୁର୍ବରୁ ସଂଗଠନକୁ ବ୍ୟବସ୍ଥିତ କରିବା ଲାଗି ଦଳ ପକ୍ଷରୁ ଜୋରଦାର ପ୍ରୟାସ ଚାଲିଛି । ଏପଟେ ବିଜେପିର କେନ୍ଦ୍ରୀୟ ନେତା ଓ ମନ୍ତ୍ରୀମାନଙ୍କ ଘନ ଘନ ଗସ୍ତ ରାଜ୍ୟ ରାଜନୀତିରେ କୌଣସି ପ୍ରଭାବ ପକାଇବନି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

୨୦୧୯ରେ ଅମିତ ଶାହାଙ୍କ ମିଶନ ୧୨୦ ଲକ୍ଷ୍ୟ ହାସଲରେ ଫେଲ ମାରିଥିଲା ବିଜେପି । ତେବେ ୨୪ରେ ନୂଆ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ମିଶନ ୫୦ ପ୍ରତିଶତ ଭୋଟ ଅକ୍ତିଆର କେତେ ସଫଲ ହେଉଛି ତାକୁ ଅପେକ୍ଷା ରହିଛି ।

ରିପୋର୍ଟର- ଯାଜପୁରରୁ ସଞ୍ଜୀବ ନାୟକ, ଭୁବନେଶ୍ୱରରୁ ଜଗଦୀଶ ଦାସ, ସୌମ୍ୟ ରଞ୍ଜନ ସାହୁ