• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନଦୀ ଶଯ୍ୟାରେ ପଡ଼ିଥିବା ପଥର ଉପରେ କାହାର ପାଦଚିହ୍ନ ? କାହାର ପାଦପଡ଼ି ଲୁହା ଭଳି ପଥରରେ ହୋଇଯାଇଛି ଚିହ୍ନ ? କିଏ ହୋଇପାରନ୍ତି ସେହି ବିରାଟକାୟ ମଣିଷ, ଯାହାଙ୍କ ପାଦରେ ଚାପି ହୋଇଯାଇଛି ପଥର । ଖାଲି ସେତିକି ନୁହେଁ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ପାଦକୁ ପୂଜା କଲେ ଯାହା ଘଟେ ତା କୌଣସି ଚମତ୍କାରଠୁ କମ ନୁହେଁ ।

କୋରାପୁଟ ଜିଲ୍ଲା ସେମିଳିଗୁଡା ବାରକୁଟୁଣି ପାହାଡ ଉପରେ ଥିବା ଭୀମାଖୋଜକୁ ନେଇ ରହିଛି ଭିନ୍ନ କାହାଣୀ । ଲୋକକଥା ଅନୁସାରେ ପାଣ୍ଡବଙ୍କ ବନବାସ ସମୟରେ ଏହି ପାହାଡର ଏକ ପଥର ଉପରେ କୁନ୍ତି ପୁତ୍ର ଭୀମଙ୍କର ପଡିଥିଲା ଏକ ପାଦ । ଆଉ ଅନ୍ୟପାଦଟି ପଡିଥିଲା ପାଖରେ ଥିବା ନନ୍ଦପୁରରେ । ଏଣୁ ଏ ଜଙ୍ଗଲ, ପାହାଡ ଭରା ସ୍ଥାନ ଭୀମାଖୋଜ ଭାବେ ନାମିତ ।

ପାହାଡ ପର୍ବତ ଘେରା ଏହି ଗାଁ ଦେଇ ବହିଯାଉଛି ମୁରାନ ନଦୀ । ଆଉ ଏହି ନଦୀର ମଧ୍ୟ ଭାଗରେ ଥିବା ଭୀମାଖୋଜ ସମସ୍ତଙ୍କୁ ଆକର୍ଷିତ କରୁଛି । ନଦୀ ଶଯ୍ୟାରେ ପଥର ଉପରେ ଥିବା ଏକ ପାଦଚିହ୍ନକୁ ସ୍ଥାନୀୟ ବାସିନ୍ଦା ଭୀମାଖୋଜ ବା ଭୀମାରାଣୀଙ୍କ ପାଦ ଭାବେ ମାନ୍ୟତା ଦେଇ ପୂଜାର୍ଚ୍ଚନା କରୁଛନ୍ତି ।

ମରୁଡି କିମ୍ବା ବର୍ଷା ଅଭାବ ହେଲେ ଏହି ପାଦକୁ ପୂଜା କରନ୍ତି ଆଦିବାସୀ । ଆଉ ପୂଜା ପରେ କାଳେ ହୋଇଥାଏ ପ୍ରବଳ ବର୍ଷା । ବର୍ଷା ଦେବୀ ଭାବେ ବା ଦେବତା ଭାବେ ପୂଜା ପାଉଥିବା ଏହି ଭୀମାଖୋଜ ଏ ଅଞ୍ଚଳ ପାଇଁ ଏକ ବରଦାନ ବୋଲି ବିଶ୍ୱାସ କରନ୍ତି ଅଞ୍ଚଳବାସୀ । ତେବେ ସଂସ୍କୃତି ଗବେଷକଙ୍କ ମତ, ପଥରରେ ଥିବା ଖାଲ ବା ପାଦଚିହ୍ନ ସେ ସମୟର ପଥର ଫସିଲ ହୋଇଥାଇପାରେ। ସରକାରୀ ଉଦ୍ୟମହେଲେ ଏହି ଅଞ୍ଚଳର ପର୍ଯ୍ୟଟନର ବିକାଶ ହୋଇପାରାନ୍ତା ବୋଲି କହିଛନ୍ତି ସ୍ଥାନୀୟ ଲୋକେ ।

 

  • Reported by:
  • Surya Narayan Panda