• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ମାଳ ମାଳ ଯୋଜନା ଭିତରେ ହଜି ଗଲାଣି କି ପିଲାଙ୍କ ପାଇଁ ହୋଇଥିବା କିଚେନ ଗାର୍ଡେନ ? ଯୋଜନାକୁ ୩ ବର୍ଷ ନ ପୁରୁଣୁ ନା ଅଛି ଗାର୍ଡେନ ନା ଅଛି ଯୋଜନା । ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ମିଳୁନଥିବା ଅଭିଭାବକଙ୍କ ଅଭିଯୋଗ । ମଧ୍ୟାହ୍ନ ଭୋଜନରେ ଛାତ୍ରଛାତ୍ରୀଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇ ଦେବା ଲାଗି ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା କିଚେନ୍ ଗାର୍ଡେନ ଯୋଜନା । ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲାର ବିଭିନ୍ନ ସ୍କୁଲକୁ ସହାୟତା ରାଶି ମଧ୍ୟ ପ୍ରଦାନ କରାଯାଇଥିଲା ।

ବାଲେଶ୍ୱର ଜିଲ୍ଲାରେ କିଛି ସ୍କୁଲରେ ଗାର୍ଡେନ ଗୁଡ଼ିକ ନଷ୍ଟ ହୋଇଯାଇଥିବା ବେଳେ ଆଉ କିଛି ସ୍କୁଲକୁ ସହାୟତା ରାଶି ମିଳିନି । ସ୍କୁଲ୍‌ରେ କିଚେନ୍ ଗାର୍ଡେନର ଅସ୍ତିତ୍ୱ ନଥିବା ବେଳେ ନିଜସ୍ୱ ଚେଷ୍ଟାରେ ଗଛ ଲଗାଇବାକୁ ଉଦ୍ୟମ କରୁଛନ୍ତି ଅନେକ ସ୍କୁଲ୍ ।

ରାଜ୍ୟ ସରକାରଙ୍କ ଏହି ଯୋଜନାରେ ବାଲେଶ୍ୱର ଜିଲ୍ଲାର ୨୩୯୦ ବିଦ୍ୟାଳୟକୁ ମିଳିଥିଲା ଅନୁଦାନ । ଲକ୍ଷ୍ୟ ଥିଲା କିଚେନ ଗାର୍ଡେନରୁ ଅମୃତ ଭଣ୍ଡା, ସଜନା ଛୁଇଁ ଭଳି ବିଭିନ୍ନ କିସମର ପୃଷ୍ଟିସାର ପନିପରିବା ପିଲାଙ୍କ ମଧ୍ୟାହ୍ନ ଭୋଜନରେ ବ୍ୟବହାର ହେବ । ଏନେଇ ୨୦୨୦ ରୁ ଆରମ୍ଭ ହୋଇଥିବା ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୧୨ ଟି ବ୍ଲକରେ ୯୭୫ ସ୍କୁଲକୁ ଟଙ୍କା ମିଳିଥିବାବେଳେ, ଦ୍ୱିତୀୟ ପର୍ଯ୍ୟାୟରେ ୧୪୧୫ ଟି ସ୍କୁଲକୁ ମିଳିଥିଲା ଅନୁଦାନ । ମୋଟ କୋଟିଏ ୧୯ ଲକ୍ଷ ୫୦ ହଜାର ମିଳିଛି, ମାତ୍ର ଅଧିକାଂଶ ସ୍କୁଲରେ କିଚେନ ଗାର୍ଡେନର ଚିହ୍ନବର୍ଣ୍ଣ ନାହିଁ । ଏନେଇ ଜିଲ୍ଲା ଶିକ୍ଷା ଅଧିକାରୀ କହିଛନ୍ତି ସରକାରୀ ଅର୍ଥ ଆସୁନଥିବାରୁ କାମ କରୁନି କିଚେନ ଗାର୍ଡେନ ।