• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

(ରିପୋର୍ଟ-ସ୍ୱାତୀ ଜେନା): ଭାଙ୍ଗ ବା ଗଞ୍ଜେଇ ଖାଲି ନିଶା ନୁହେଁ, ଔଷଧ ସାଙ୍ଗକୁ ଖାଦ୍ୟ ବି । ଏକଥା ଆମେ କହୁନୁ, ନିକଟରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ-FSSAI, ଏକ ନିର୍ଦ୍ଦିଷ୍ଟ ମାନର ଗଞ୍ଜେଇ ମଞ୍ଜି ଓ ଏଥିରୁ ଉତ୍ପାଦିତ ସାମଗ୍ରୀକୁ ଖାଦ୍ୟର ମାନ୍ୟତା ଦେଇଛି । ଏହାପରେ ରାଜ୍ୟରେ ଗଞ୍ଜେଇ ଚାଷକୁ ନେଇ ପୁଣି ଆରମ୍ଭ ହୋଇଛି ବିତର୍କ । ଏହା ସପକ୍ଷରେ ଯୁକ୍ତି ବାଢି ଆସୁଥିବା ପୂର୍ବତନ ସାଂସଦ ତଥାଗତ ସତପଥୀ ତ ଗଞ୍ଜେଇ ଚାଷ ଦ୍ୱାରା ରାଜ୍ୟରେ ଅର୍ଥନୈତିକ ବିପ୍ଳବ ଆସିପାରନ୍ତା ବୋଲି କହିଛନ୍ତି । ସେପଟେ କିନ୍ତୁ ଏଠିକାର ଗଂଜେଇରେ ନିଶା ଅଧିକ ଥିବା ଦର୍ଶାଇ, ଏହା ଖାଦ୍ୟ ଅନୁପଯୋଗୀ ବୋଲି କହିଛନ୍ତି ରାଜ୍ୟ ଫୁଡ୍ ସେଫ୍ଟି କମିଶନର ।

ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ ବା ଏଫ୍ଏସ୍ଏସ୍ଏଆଇ ଦ୍ୱାରା ଗତ ନଭେମ୍ବର ୧୫ରେ ଜାରି ହୋଇଛି ଗେଜେଟ୍ ନୋଟିଫିକେସନ୍ । ଯେଉଁଥିରେ ଗଞ୍ଜେଇ ବା କାନାବିସ୍ ସାତିବା ଗଛର ମଞ୍ଜି ଓ ମଞ୍ଜିରୁ ଉତ୍ପାଦିତ ସାମଗ୍ରୀକୁ ମିଳିଛି ଖାଦ୍ୟର ମାନ୍ୟତା । ହେଲେ ଏଥିପାଇଁ କେତେକ ମାନକ ର୍ନିଦ୍ଧାରଣ ହୋଇଛି । ଯେମିତିକି, ଯେଉଁ ଗଛରେ ଟିଏଚ୍‌ସି ଅର୍ଥାତ ଟେଟ୍ରାହାଇଡ୍ରୋକାନାବିନୋଲ ପରିମାଣ ୦.୩ରୁ କମ୍ ଥିବ, ତାକୁ ହିଁ ଖାଦ୍ୟ ଉପଯୋଗୀ କୁହାଯିବ । ହେମ୍ପ୍ ବା ଗଞ୍ଜେଇ ମଞ୍ଜିର ବାହାର ଅଂଶ, ଉତ୍ପାଦନକ୍ଷମ ନଥିବା ମଂଜି ଓ ଏହାର ଚୂର୍ଣ୍ଣକୁ ଅଟା ଭାବେ ବ୍ୟବହାର କରାଯାଇ ପାରିବ ।

ଗଂଜେଇରୁ ଉତ୍ପାଦିତ ଏହି ତିନି ପ୍ରକାର ଖାଦ୍ୟକୁ ହିଁ ଅନୁମତି ମିଳିଛି । ସବୁଠୁ ବଡ଼ କଥା ହେଉଛି ଏହାର ଔଷଧୀୟ ଗୁଣ ଆର୍ୟୁବେଦ ବିଶେଷଜ୍ଞଙ୍କ ମତରେ ଏହା ଏକ ଭଲ ପୀଡ଼ାନାଶକ । ମୁଖ୍ୟତଃ ଶାରୀରିକ ଯନ୍ତ୍ରଣା ଓ ସ୍ନାୟୁ ରୋଗରୁ ଉପଷମ ସାଙ୍ଗକୁ କ୍ୟାନ୍ସର, ମାନସିକ ଦୁଶ୍ଚିନ୍ତା, ମସ୍ତିଷ୍କ ସମ୍ବନ୍ଧୀୟ ରୋଗରେ ବି ଗଞ୍ଜେଇ ଗଛରୁ ପ୍ରସ୍ତୁତ ଔଷଧକୁ ବ୍ୟବହାର କରାଯାଏ ।

କେବଳ ନିଶାଦ୍ରବ୍ୟ ପ୍ରସ୍ତୁତିକୁ ବାଦ୍ ଦେଲେ ଗଞ୍ଜେଇ ଗଛର ବିଭିନ୍ନ ଅଂଶରୁ ତେଲଠୁ ନେଇ ଫେସ୍‌କ୍ରିମ୍‌, ବଡି କେୟାର ପ୍ରଡକ୍ଟ, ପ୍ଲାଷ୍ଟିକ୍, କପଡ଼ା, ଜୋତା, ଡ୍ରେସ୍, ପଶୁଙ୍କ ଖାଦ୍ୟ ଏମିତିକି ହେମ୍ପ୍ ବାୟୋ ଫୁଏଲ୍ ବି ପ୍ରସ୍ତୁତ ହେଉଛି । ସାରା ଦେଶରେ ମାତ୍ର ୬ଟି କମ୍ପାନୀ ଗଂଜେଇରୁ ବିଭିନ୍ନ ଜନ ଉପଯୋଗୀ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଏହା ମଧ୍ୟରେ ଓଡ଼ିଶାର ହେମ୍ପକ୍ୟାନ୍ ସଲ୍ୟୁସନ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ମଧ୍ୟ ସାମିଲ ଅଛି । ଯିଏକି କାନାପେନ୍ ନାମକ ଏକ ଆୟୁର୍ବେଦ ଔଷଧ ପ୍ରସ୍ତୁତ କରୁଛି । ଏସବୁ ଉପାଦେୟତା ପାଇଁ ୨୦୧୮ରେ ପ୍ରଥମେ ଉତ୍ତରାଖଣ୍ଡ ଓ ପରେ ଉତ୍ତର ପ୍ରଦେଶରେ ଗଞ୍ଜେଇ ଚାଷକୁ ସରକାର ଅନୁମତି ଦେଇଛନ୍ତି ।

ଆଉ ଏବେ ଗଞ୍ଜେଇ ମଂଜିକୁ ଏଫ୍ଏସ୍ଏସ୍‌ଆଇରୁ ଖାଦ୍ୟ ମାନ୍ୟତା ମିଳିବା ପରେ ରାଜ୍ୟରେ ଗଞ୍ଜେଇ ଚାଷକୁ ଅନୁମତି ସଂପର୍କରେ ଯୁକ୍ତି ବାଢ଼ିଛନ୍ତି ପୂର୍ବତନ ସାଂସଦ ତଥାଗତ ସତପଥୀ । ତେବେ ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନ୍‌ଙ୍କ ମତରେ ଓଡ଼ିଶାରୁ ଉତ୍ପାଦିତ ଗଞ୍ଜେଇ ଖାଦ୍ୟ ଉପଯୋଗୀ ନୁହେଁ । ଅପରପକ୍ଷେ ପୂର୍ବତନ ଅବକାରୀ କମିଶନ୍‌ଙ୍କ ମତରେ କେବଳ ନିଶାଦ୍ରବ୍ୟ ପ୍ରସ୍ତୁତି ବାଦ୍ ଗଞ୍ଜେଇରୁ ଅନ୍ୟ ସାମଗ୍ରୀ ଉତ୍ପାଦନ ଅତ୍ୟନ୍ତ ବ୍ୟୟବହୁଳ ।

ଆମ ରାଜ୍ୟର ପ୍ରାୟ ୧୦ଟି ଜିଲ୍ଲାରେ ବିନା ଅନୁମତିରେ ବିପୁଳ ପରିମାଣର ହେମ୍ପ ବା କାନାବିସ୍ ସାତିବା ଚାଷ ହେଉଛି ଏବଂ ଏନ୍‌ଡିପିଏସ୍ ଆକ୍ଟ ବଳରେ ପ୍ରତିବର୍ଷ ବିପୁଳ ଗଞ୍ଜେଇ ଚାଷ ନଷ୍ଟ ବି ହେଉଛି । ହେଲେ ଏବେ ଗଞ୍ଜେଇ ମଂଞ୍ଜିକୁ ଏଫ୍ଏସ୍ଏସ୍‌ଆଇର ଅନୁମତି ପରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ କଣ ରହୁଛି । ତା ଉପରେ ନଜର ।