• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଆହତମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି

  • ନୂଆବର୍ଷରେ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଭୋରରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

  • ହଜାର ହଜାର ଭକ୍ତ ଧାଡିରେ ଛିଡା ହୋଇ ଦର୍ଶନ ପାଇଁ ଅପେକ୍ଷା କରିଥିଲେ

ନୂଆ ବର୍ଷରେ ଅଘଟଣ । ଜମ୍ମୁ ଓ କାଶ୍ମୀରର ପ୍ରସିଦ୍ଧ ମାତା ବୈଷ୍ଣୋ ଦେବୀ ଭବନରେ ଦଳାଚକଟା ହୋଇଛି । ଏଥିରେ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ପ୍ରାତଃ ପ୍ରାୟ ୨.୪୫ରେ ଏହି ଘଟଣା ଘଟିଛି । ଭକ୍ତମାନେ କୌଣସି ପ୍ରସଙ୍ଗରେ ଯୁକ୍ତିତର୍କ କରିବା ପରେ ପରସ୍ପରକୁ ଠେଲି ଦେଇଥିଲେ, ଯାହା ଫଳରେ ଦଳାଚକଣଟା ଆରମ୍ଭ ହୋଇଥିଲା ବୋଲି କହିଛନ୍ତି ଜାମ୍ମୁ କାଶ୍ମୀରର ଡିଜିପି ଦିଲବାଗ ସିଂଙ୍କ ।

ନୂଆବର୍ଷରେ ମାତା ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଆଜି ଭୋରରୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିଲା । ହଜାର ହଜାର ଭକ୍ତ ଧାଡିରେ ଛିଡା ହୋଇ ଦର୍ଶନ ପାଇଁ ଅପେକ୍ଷା କରିଥିଲେ । ଏହି ସମୟରେ କୌଣସି କାରଣକୁ ଭକ୍ତଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପରେ ଏହାକୁ ନେଇ ହଠାତ୍ ଦଳା ଚକଟା ଆରମ୍ଭ ହୋଇଯାଇଥିଲା । ଅନେକ ଲୋକ ଭିଡରେ ଫସିଯାଇଥିଲେ । ଫଳରେ ୧୨ ଶ୍ରଦ୍ଧାଳୁ ପ୍ରାଣ ହରାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଦିଲ୍ଲୀ, ହରିୟାଣା, ପଞ୍ଜାବ ଏବଂ ଜାମ୍ମୁ କାଶ୍ମୀରର ଜଣେ ଜଣେ ଭକ୍ତ ଅଛନ୍ତି ବୋଲି ଜଣାପଡ଼ିଛି । ଅନ୍ୟମାନଙ୍କୁ ଚିହ୍ନିବା ପାଇଁ ପ୍ରୟାସ କରାଯାଇଛି ।

କାଟ୍ରା ହସ୍ପିଟାଲର ବିଏମଓ ଡଃ ଗୋପାଳ ଦତ୍ତ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇଛନ୍ତି । ବର୍ତ୍ତମାନ ଆହତମାନଙ୍କୁ ନାରାୟଣ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ପାଇବା ପରେ ଘଟଣାସ୍ଥଳରେ ପହଞ୍ଚିଛି ପୋଲିସ୍ । ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣରେ ଥିବା କୁହାଯାଉଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୈଷ୍ଣଦେବୀ ଭବନରେ ଦଳାଚକଟା ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥିସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଘୋଷଣା କରିଛନ୍ତି । ଅନ୍ୟପଟେ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଏନେଇ ସେ ଜାମ୍ମୁ ଓ କାଶ୍ମୀରର ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନାଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଡଃ ଜିତେନ୍ଦ୍ର ସିଂହ ଓ ନିତ୍ୟାନନ୍ଦ ରାୟ ।   ଲେଫ୍ଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା ଘଟଣାକୁ ନେଇ ଶୋକ ପ୍ରକାଶ କରିବା ସହ ମୃତାହତଙ୍କ ପାଇଁ ସହାୟତା ଘୋଷମା କରିଛନ୍ତି । ମୃତକଙ୍କ ନିକଟତମ ସଂପର୍କୀୟଙ୍କ ପାଇଁ ୧୦ ଲକ୍ଷ ଓ ଆହତଙ୍କୁ ୨ ଲକ୍ଷ ଟଙ୍କା ସହାୟତା ଦିଆଯିବ ବୋଲି ସେ ଟ୍ୱିଟ୍ କରି ଜଣାଇଛନ୍ତି  ।