/odishatv-khabar/media/post_attachments/uploadimage/library/16_9/16_9_0/waqf_1744455780.jpg)
waqf
ସର୍ବଦା କେନ୍ଦ୍ର ସରକାରଙ୍କୁ ବିରୋଧ କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ ରାଜ୍ୟରେ ୱକଫ ସଂଶୋଧନ ବିଲ ଲାଗୁ କରେଇ ନଦେବା ପାଇଁ ଚେତାବନୀ ଦେଇଛନ୍ତି। ଟିଏମସି ସରକାର ପଶ୍ଚିମବଙ୍ଗରେ ଏହି ଆଇନକୁ ଲାଗୁ କରିବ ନାହିଁ ବୋଲି ମମତା କହିଛନ୍ତି। କେନ୍ଦ୍ରରେ ୱକଫ ସଂଶୋଧନ ବିଲକୁ ମଞ୍ଜୁରୀ ମିଳିବା ପରେ ଏହାକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶନିବାର ଏକ୍ସରେ ଘୋଷଣା କରିଛନ୍ତି।
ରାଜ୍ୟବ୍ୟାପୀ ଏହି ଆଇନକୁ ବିରୋଧ କରି ହିଂସା କାଣ୍ଡ ଘଟିଥିବା ବେଳେ ଏହାକୁ ଲାଗୁ ନ କରିବା ପାଇଁ ମମତା ନିଷ୍ପତ୍ତି ନେଇଛନ୍ତି। ଏକ୍ସରେ ଏକ ପୋଷ୍ଟ ଜରିଆରେ ସେ ହିଂସା କାଣ୍ଡ ନ କରିବା ପାଇଁ ଅନୁରୋଧ କରିଛନ୍ତି । ସମସ୍ତ ମଣିଷଙ୍କ ଜୀବନ ଆମ ପାଇଁ ମୂଲ୍ୟବାନ। ରାଜ୍ୟରେ ଯେଉଁ ମାନେ ହିଂସାକାଣ୍ଡ ଘଟାଉଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ମମତା ଚେତାବନୀ ଦେଇଛନ୍ତି। ହିଂସାକାଣ୍ଡରେ ୧୦୦ରୁ ଅଧିକ ପୋଲିସ କର୍ମଚାରୀ ଆହତ ହୋଇଥିବା ଜଣା ପଡିଛି। ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ମମତା ଏଭଳି ଘୋଷଣା କରିଥିବା ବେଳେ ଏହାକୁ ନେଇ କେନ୍ଦ୍ର ସରକାରଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ।
ଅଧିକ ପଢ଼ନ୍ତୁ: ଭାରତକୁ ବି ରହିଛି କି ବଡ଼ ଭୂମିକଂପ ଭୟ ?
ୱକଫ୍ ଶଂସୋଧିତ ବିଲକୁ ପ୍ରଥମେ ଲୋକସଭାରେ ଉପସ୍ଥାପନ କରାଯାଇଥିଲା । ବିଲ୍ ସପକ୍ଷରେ ୨୮୮ଟି ଏବଂ ବିପକ୍ଷରେ ପଡ଼ିଥିଲା ୨୩୨ଟି ଭୋଟ୍ । ୧୨ ଘଣ୍ଟା ଧରି ମାରାଥନ ବିତର୍କ ପରେ ଗତ ୨ ତାରିଖ ବିଳମ୍ବିତ ରାତିରେ ୱକ୍ଫ ବିଲ୍ଟି ଲୋକସଭାରେ ପାସ୍ ହୋଇଥିଲା । ଆଉ ଏହାର ପରଦିନ ହିଁ ବିଲ୍କୁ ରାଜ୍ୟସଭାକୁ ପଠାଯାଇଥିଲା । ରାଜ୍ୟସଭାରେ ମଧ୍ୟ ଦୀର୍ଘ ୧୨ ଘଣ୍ଟାରୁ ଅଧିକ ସମୟ ଧରି ମାରାଥନ ବିତର୍କ ପରେ ରାତି ପ୍ରାୟ ସାଢେ ଦୁଇଟାରେ ପାରିତ ହୋଇଥିଲା ୱକ୍ଫ ସଂଶୋଧିତ ବିଲ୍ । ରାଜ୍ୟସଭାରେ ଏହି ବିଲ୍ ସପକ୍ଷରେ ୧୨୮ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ଭୋଟ୍ ଦେଇଥିଲେ ୯୫ ସାଂସଦ ।
ଦେଶରେ ସେନା ଓ ରେଲୱେ ପରେ ତୃତୀୟ ସର୍ବାଧିକ ଜମିବାଡ଼ି ସଂପତ୍ତିର ମାଲିକ ୱକଫ୍ ବୋର୍ଡ । ଏହି ସବୁ ସଂପତ୍ତି ପରିଚାଳନା କ୍ଷେତ୍ରରେ ରହିଥିବା ବିବାଦ ଓ ଅସୁବିଧା ଦୂର ଉଦ୍ଦେଶ୍ୟରେ ଏହି ବିଲ୍ ଅଣାଯାଇଛି । ଏହି ବିଲରେ ଇସଲାମ ଧର୍ମରେ ଧାର୍ମିକ ଓ ବଦାନ୍ୟ କାର୍ଯ୍ୟ ଲାଗି ଉତ୍ସର୍ଗୀକୃତ ଥିବା ୱକଫ୍ ସମ୍ପତ୍ତିର ପରିଚାଳନା ଓ ପ୍ରଶାସନିକ ଦିଗକୁ ଗୁରୁତ୍ବ ମିଳିବ । ନୂଆ ବିଲରେ ସମ୍ପତ୍ତି ମାଲିକ ୱକଫ୍ ଟ୍ରିବ୍ୟୁନାଲ୍ ବ୍ୟତୀତ ରେଭିନ୍ୟୁ କୋର୍ଟ, ସିଭିଲ କୋର୍ଟ କିମ୍ବା ଅନ୍ୟ ଉଚ୍ଚ ଅଦାଲତରେ ଅପିଲ୍ କରିପାରିବେ ।
ୱକଫ୍ ଟ୍ରିବ୍ୟୁନାଲ୍ ଫୈସଲା ବିରୋଧରେ ହାଇକୋର୍ଟରେ ଅପିଲ୍ କରାଯାଇପାରିବ । ନୂଆ ବିଲରେ ଯେପର୍ଯ୍ୟନ୍ତ କାହାର ସମ୍ପତ୍ତି ୱକଫକୁ ଦାନ ଆକାରରେ ନମିଳିଛି ସେଯାଏଁ ସମ୍ପତ୍ତି ୱକଫ୍ ସମ୍ପତ୍ତି ହୋଇପାରିବ ନାହିଁ । ସେହି ସମ୍ପତ୍ତି ଉପରେ ମସଜିଦ ଥିଲେ ବି ସେଠାରେ ଲାଗୁ ହୋଇପାରିବ ନାହିଁ ୱକଫ୍ ଆଇନ । ୱକଫ୍ ବୋର୍ଡ ପରିଚାଳନାରେ ଟେକ୍ନୋନୋଲୋଜି ପ୍ରୟୋଗ ସାଙ୍ଗକୁ ଜିଲ୍ଲାପାଳଙ୍କୁ କ୍ଷମତା ଦିଆଯିବ ।
ୱକଫ୍ ବୋର୍ଡରେ ମୁସଲମାନ ମହିଳାଙ୍କୁ ପ୍ରତିନିଧିତ୍ବ ମିଳିବ। ଏଥିରେ ୨ ଜଣ ମହିଳା ଓ ଅନ୍ୟ ଧର୍ମର ୨ ଜଣ ସଦସ୍ୟଙ୍କୁ ନିଯୁକ୍ତି ଦିଆଯାଇପାରିବ । ୱକଫ ସଂଶୋଧିତ ବିଲ୍ ଆଇନ ହେବାର ୬ ମାସ ଭିତରେ ପ୍ରତ୍ୟେକ ୱକଫ୍ ସମ୍ପତ୍ତି ସେଣ୍ଟ୍ରାଲ୍ ଡାଟାବେସରେ ପଞ୍ଜୀକୃତ ହେବା ବାଧ୍ୟତାମୂଳକ ହେବ ।
ୱକଫ୍ ସମ୍ପତ୍ତିର ରେଜିଷ୍ଟ୍ରେସନ୍ ଜିଲ୍ଲାପାଳଙ୍କ ଅଫିସରେ କରାଯିବ। ୱକଫ୍ ବୋର୍ଡର ପଂଜୀକରଣ, ପ୍ରକାଶନ ଓ ହିସାବପତ୍ର ମଧ୍ୟ କେନ୍ଦ୍ର ସରକାରଙ୍କ ପରିଚାଳନାଧୀନ ରହିବ। ସିଏଜି କିମ୍ବା ଅନ୍ୟ ଅଧିକୃତ ଅଧିକାରୀଙ୍କ ଦ୍ବାରା ୱକଫ୍ ବୋର୍ଡର ଅଡିଟ୍ ପାଇଁ ସରକାର ନିର୍ଦ୍ଦେଶ ଦେଇପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)