• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଟକ: ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ହୋଇଥିବା ସଂରକ୍ଷଣ ବ୍ୟବସ୍ଥାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା । ଏହାର ଶୁଣାଣି କରି ସତ୍ୟପାଠ ଦାଖଲ କରିବାକୁ ହାଇକୋର୍ଟ ରାଜ୍ୟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନରେ ବିଭିନ୍ନ ବର୍ଗଙ୍କ ପାଇଁ ରହିଥିବା ସଂରକ୍ଷଣ ପ୍ରସଙ୍ଗ ସହ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି କି ନାହିଁ ତାହା ଜଣାଇବାକୁ କୋର୍ଟ କହିଛନ୍ତି ।

ଆସନ୍ତା ନିର୍ବାଚନ ପାଇଁ ହେବାକୁ ଥିବା ସଂରକ୍ଷଣ ବ୍ୟବସ୍ଥାକୁ ଚାଲେଞ୍ଜ କରି ଦାଏର ମାମଲାର ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ବୀରେନ୍ଦ୍ର ଦାସ ନାମକ ଜଣେ ଆଶାୟୀ ସରପଞ୍ଚ ପ୍ରାର୍ଥୀ ହାଇକୋର୍ଟରେ ଆବେଦନ କରିଥିଲେ । ଆଗାମୀ ଡିସେମ୍ବର ୨୦ ତାରିଖରେ ହାଇକୋର୍ଟରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ସଂରକ୍ଷଣ ତାଲିକା ପ୍ରକାଶ କରିଛନ୍ତି । ହେଲେ ଏହାକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ଦାଏର ହୋଇଛି ।

ସୂଚନାଯୋଗ୍ୟ, ଏଥର ପଞ୍ଚାୟତ ନିର୍ବାଚନରେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ସିଟ୍‌ ସଂଖ୍ୟା କମ୍‌ ରହିଥିବା ଅଭିଯୋଗ ହୋଇଆସୁଛି । ବିଭିନ୍ନ ଜିଲ୍ଲାରେ ଏହାକୁ ନେଇ ବିରୋଧାଭାସ ଦେଖାଦେଇଥିଲା । ରାଜ୍ୟ ସରକାରଙ୍କ ଏଭଳି ସଂରକ୍ଷଣ ବ୍ୟବସ୍ଥାରେ ସବୁଠି ଅସନ୍ତୋଷର ନିଆଁ ବ୍ୟାପିଛି । ଜିଲ୍ଲା ପରିଷଦ ସଦସ୍ୟର ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ସାମ୍ନାକୁ ଆସିଥିଲା ଏହି ତଥ୍ୟ । ୧୪ଟି ଜିଲ୍ଲାରେ ପଛୁଆ ବର୍ଗଙ୍କୁ ଆଦୌ ସଂରକ୍ଷଣ ମିଳିନାହିଁ । ୨୦୧୭ରେ ପଛୁଆ ବର୍ଗଙ୍କ ଲାଗି ୨୩୬ ଆସନ ସଂରକ୍ଷିତ ଥିବା ବେଳେ ଏଥର ଏହା ୧୦୪କୁ ଖସି ଆସିଛି । ବିଭିନ୍ନ ଜିଲ୍ଲାରେ ପଞ୍ଚାୟତ ଏକ୍ସଟେନ୍‌ସନ୍‌ ଟୁ ସିଡ୍ୟୁଲ  ଏରିଆଜ୍ ବା ପେସା ଆଇନ କାର୍ଯ୍ୟକାରୀ ହେଉଥିବାରୁ ପଛୁଆ ବର୍ଗଙ୍କୁ ସଂରକ୍ଷଣ ମିଳିନଥିବା କୁହାଯାଇଛି । କିନ୍ତୁ ଝାରସୁଗୁଡା ଓ ନୂଆପଡା ପେସା ଓ ଆଶିଂକ ପେସା ଜିଲ୍ଲାରେ ଆସୁନଥିଲେ ମଧ୍ୟ ଏଠାରେ ବି ପଛୁଆ ବର୍ଗଙ୍କୁ ଆସନ ସଂରକ୍ଷଣ ମିଳିନି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ବିରୋଧୀ । ତେବେ ଦଳୀୟସ୍ତରରେ ୨୭ ପ୍ରତିଶତ ଆସନ ପଛୁଆ ବର୍ଗକୁ ଦିଆଯିବ ବୋଲି ବିଜେଡି କହିଛି ।

ଗତ ପଞ୍ଚାୟତ ନିର୍ବାଚନରେ ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ମିଳିଥିବା ବେଳେ ଏଥର ମିଳିଛି ମାତ୍ର ୧୨ ପ୍ରତିଶତ ସଂରକ୍ଷଣ । ୫୦ ପ୍ରତିଶତରେ ସୀମିତ ରହିବା ନେଇ ସଂଶୋଧିତ ପଂଚାୟତ ଆଇନ ଲାଗୁ ହେବା ପରେ ପଛୁଆ ବର୍ଗଙ୍କୁ ମିଳିନି ଉପଯୁକ୍ତ ନ୍ୟାୟ । ଜିଲ୍ଲା ପରିଷଦର ଚୂଡାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ସାମ୍ନାକୁ ଆସିଛି ଏହି ତଥ୍ୟ । ୧୪ଟି ଜିଲ୍ଲାରେ ପଛୁଆ ବର୍ଗକୁ ଗୋଟିଏ ବି ଆସନ ମିଳିନାହିଁ । ସେହିପରି ବୌଦ୍ଧ ଜିଲ୍ଲାରେ ପଛୁଆ ବର୍ଗଙ୍କ ପାଇଁ ମାତ୍ର ଗୋଟିଏ ଲେଖାଁଏ ଆସନ ସଂରକ୍ଷିତ ଥିବା ବେଳେ ସୁବର୍ଣ୍ଣପୂରରେ ରହିଛି ମାତ୍ର ୨ଟି ଆସନ ।

ଆଇନରେ ବ୍ୟବସ୍ଥା ଅନୁସାରେ ପଞ୍ଚାୟତ ଏକ୍ସଟେନସନ ଟୁ ସିଡ୍ୟୁଲ ଏରିଆଜ୍ ବା ଯେଉଁ ଜିଲ୍ଲାରେ ପେସା ଆଇନ କାର୍ଯ୍ୟକାରୀ ହେଉଥିବ, ସେଠାରେ ୫୦ ପ୍ରତିଶତରେ ସଂରକ୍ଷଣ ସୀମିତ ନରହି ଅଧିକ ବି ହୋଇପାରିବ । ସେହି ଦୃଷ୍ଟିରୁ ମୟୂରଭଂଜ, ସୁନ୍ଦରଗଡ଼ ସମେତ ୭ଟି ଜିଲ୍ଲାରେ ଓବିସିଙ୍କୁ କୌଣସି ଆସନ ମିଳିନି । ତେବେ ଅନ୍ୟ ୭ ଜିଲ୍ଲାର କିଛି ବ୍ଲକରେ ପେସା ଆଇନ କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ପୂରା ଜିଲ୍ଲାରେ ପଛୁଆ ବର୍ଗଙ୍କ ଲାଗି ଆସନ ସଂରକ୍ଷଣ କରାଯାଇନାହିଁ । ଆଶ୍ଚର୍ଯ୍ୟର କଥା ହେଉଛି ଝାରସୁଗୁଡା ଓ ନୂଆପଡା ଜିଲ୍ଲା ପେସା ଆଇନ ଅଧୀନରେ ଆସୁନଥିଲେ ମଧ୍ୟ ଏଠାରେ ପଛୁଆ ବର୍ଗଙ୍କୁ କୌଣସି ଆସନ ମିଳିନି ।