• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଅର୍ଥ ଅଭାବରୁ ଶିକ୍ଷାରୁ ବଞ୍ଚିତ ହେବେନି ଛାତ୍ରଛାତ୍ରୀ

ନବରଙ୍ଗପୁର(ନବଘନ ବିଷୋୟୀ) : ଖାକି ବର୍ଦ୍ଦି ଭିତରେ ଦରଦୀ ହୃଦୟ । ଶିକ୍ଷାଦାନ ତାଙ୍କର ପେସା ନୁହେଁ ନିଶା । ପୋଲିସଙ୍କୁ ହୃଦୟହୀନ କହୁଥିବା ଲୋକଙ୍କୁ ନୂଆ ବାର୍ତ୍ତା ଦେଉଛନ୍ତି । ଗରିବ ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି କନେଷ୍ଟବଳ । ସ୍ୱାର୍ଥପର ଦୁନିଆରେ ଏପରି ଜଣେ ନିସ୍ୱାର୍ଥପର ମଣିଷ ଦେଖିବା ସତରେ ବିରଳ । ବ୍ୟସ୍ତବହୁଳ ଜୀବନରୁ ସମୟ ବାହାର କରି ଛୋଟ ଛୋଟ ପିଲାଙ୍କୁ ନୂଆ ରାହା ଦେଖାଉଛନ୍ତି । ଜଣେ ଅବକାରୀ ବିଭାଗରେ କନେଷ୍ଟବଳ ଭାବରେ କାମ କରୁଛନ୍ତି , କିନ୍ତୁ ନିଶା ହେଉଛି ଗରିବ ପିଲାମାନଙ୍କୁ ପାଠ ପଢ଼ାଇବା ଓ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପିଲାମାନଙ୍କୁ ଉତ୍ସାହିତ କରିବା । ଏହିଭଳି ଜଣେ ମହାନ ବ୍ୟକ୍ତିତ୍ୱ ହେଇଛନ୍ତି ନବରଙ୍ଗପୁରର ଦେବେନ୍ଦ୍ର ସମରଥ ।

ନବରଙ୍ଗପୁର ଜିଲ୍ଲା କୋଡୀଙ୍ଗା ଅବକାରୀ ବିଭାଗ ଅଧୀନରେ କନେଷ୍ଟବଳ ଭାବେ କାମ କରୁଛନ୍ତି କୋଷାଗୁମୁଡା ବ୍ଲକ ଅନ୍ତର୍ଗତ କର୍ଚ୍ଚାମାଳ ଗ୍ରାମର ଦେବେନ୍ଦ୍ର ସମରଥ । ଶିକ୍ଷାଗତ ଯୋଗ୍ୟତା ସ୍ନାତକ ଓ ସିଟି । ସେ ପେସାରେ ଜଣେ ଅବକାରୀ ବିଭାଗର କର୍ମଚାରୀ । ପିଲା ଦିନରୁ ଶିକ୍ଷକତା ପ୍ରତି ଅହେତୁକ ରୁଚି । ଶିକ୍ଷକ ହେବାର ଇଚ୍ଛା ଥିଲେ ସୁଦ୍ଧା ନିଯୁକ୍ତି ନବାହାରିବାରୁ ଅବକାରୀ ବିଭାଗରେ କନେଷ୍ଟବଳ ଚାକିରି କରିଛନ୍ତି ।

ଚାକିରି କରିବା ସହ ପ୍ରତିଦିନ କର୍ମକ୍ଷେତ୍ରରୁ ଘରକୁ ଫେରିଲା ପରେ ଓ ଛୁଟି ଦିନ ମାନଙ୍କରେ ପିଲାଙ୍କୁ ମାଗଣାରେ ପାଠ ପଢ଼ାଉଛନ୍ତି । ଖାଲି ସେତିକି ନୁହେଁ ନିଜର ଅଳ୍ପ ଦରମା ହୋଇଥିଲେ ମଧ୍ୟ ସେଥିରୁ ୧୦ ପ୍ରତିଶତ ଟଙ୍କା ଗରିବ ପିଲାଙ୍କ ଶିକ୍ଷା ଉପକରଣ କିଣିବା ସହ ଅନ୍ୟାନ୍ୟ ଖର୍ଚ୍ଚ କରୁଛନ୍ତି l ଦୀର୍ଘ ୩ ବର୍ଷ ହେବ ଏପରି ମହତ କାମ କରି ଆସୁଛନ୍ତି ।

କରୋନା କାରଣରୁ ଦେଶରେ ଶିକ୍ଷାଦାନ ବହୁ ମାତ୍ରାରେ ପ୍ରଭାବିତ ହୋଇଥିବା ବେଳେ ସ୍କୁଲ କଲେଜରେ ପାଠ ପଢୁଥିବା ଛାତ୍ରଛାତ୍ରୀ ବହୁ ପ୍ରଭାବିତ ହୋଇଥିଲେ । ଆଉ ଅର୍ଥ ଅଭାବରୁ ପାଠ ନପଢ଼ି ପାରିବା କଷ୍ଟକୁ ବୁଝି ପାରିଥିଲେ ଦେବେନ୍ଦ୍ର । ତାଙ୍କ ପରିବାର ଗୋଟିଏ ଫଳ ଦୋକାନ କରି ଚଳୁଥିବାରୁ ତାଙ୍କରି ପାଠପଢ଼ାରେ କିପରି ଅର୍ଥ ବାଧକ ସାଜିଥିଲା ସେ ଅଙ୍ଗେ ନିଭାଇଛନ୍ତି l ତେଣୁ ନିଜ ଅଞ୍ଚଳର ପ୍ରାୟ ୬୦ ରୁ ୭୦ ଜଣ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନ କରି ସେମାନଙ୍କ ଭବିଷ୍ୟତ ଗଢ଼ୁଛନ୍ତି ।

ଗାଁର ଅନ୍ୟ ଜଣେ ସହଯୋଗୀ ବିଏବିଇଡ଼ି ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରେମଚାନ୍ଦ ଭତରାଙ୍କ ସହ ମିଶି ଦୁହେଁ ପିଲାମାନଙ୍କୁ ମାଗଣା ପାଠ ପଢ଼ାଉଥିବା ଦେଖାଉଛି । ଶିକ୍ଷାଦାନ ପାଇଁ ଘର ଖଣ୍ଡିଏ ନଥିବାରୁ ସେହି ଗ୍ରାମର ସୀତାରାମପୂଜାରୀଙ୍କ ଅର୍ଦ୍ଧ ନିର୍ମିତ ଘରେ ପାଠପଢା ଯାଉଛି l ଗରିବ ମେଧାବୀ ଛାତ୍ରଛାତ୍ରୀ ଅର୍ଥ ଅଭାବରୁ ଯେପରି ଶିକ୍ଷାରୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ଧ୍ୟାନ ଦେଉଥିବା ଦେବେନ୍ଦ୍ର କହିଛନ୍ତି ।