• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଧାନ ଅମଳ ସରିଲାଣି, କିନ୍ତୁ ରାଜ୍ୟର ଅଧିକାଂଶ ସ୍ଥାନରେ ଏଯାଏଁ ଖୋଲିନି ମଣ୍ଡି । ତାଛଡ଼ା ସରକାରୀ ବ୍ୟବସ୍ଥା ଓ ମଣ୍ଡିର ସ୍ୱଚ୍ଛତା ଉପରେ ମଧ୍ୟ ଚାଷୀ ଭରସା କରିପାରୁନି । ତେଣୁ ଅଭାବୀ ବିକ୍ରି ଆଶଙ୍କାରେ ବାହାର ରାଜ୍ୟର ବେପାରୀଙ୍କୁ ଶାଗ ମାଛ ଦରରେ ଧାନ ବିକ୍ରି କରୁଛନ୍ତି । ଯାହାର ଭରପୁର ଫାଇଦା ଉଠାଉଛନ୍ତି ପଡ଼ୋଶୀ ଆନ୍ଧ୍ର ପ୍ରଦେଶର ବେପାରୀ । ଦଲାଲମାନଙ୍କୁ ହାତ କରି ବୋହି ନେଉଛନ୍ତି ଟ୍ରକ୍ ଟ୍ରକ୍ ଧାନ ।

ଓଡ଼ିଶା ଧାନ ଉପରେ ଆନ୍ଧ୍ର ବେପାରୀଙ୍କ ଆଖି । ମଣ୍ଡି ଖୋଲିବା ପୂର୍ବରୁ ବୋହି ନେଇଯାଉଛନ୍ତି କୁଇଣ୍ଟାଲ କୁଇଣ୍ଟାଲ ଧାନ । ଚାଷୀର ଅମଳ ସରିଲାଣି, ହେଲେ ଏଯାଏଁ ମଣ୍ଡି ଖୋଲିନାହିଁ । ଯାହାର ଫାଇଦା ନେଉଛନ୍ତି ଆନ୍ଧ୍ର ବେପାରୀ । ଚାଷୀଙ୍କଠୁ ଶାଗ ମାଛ ଦରରେ ଅର୍ଥାତ୍ କୁଇଣ୍ଟାଲ ପିଛା ୧୫ଶହ ଟଙ୍କାଠୁ ବି କମ୍ ଦରରେ ଧାନ କିଣି ନେଉଛନ୍ତି ।

ଗଞ୍ଜାମ ଜିଲ୍ଲାର ଅଧିକାଂଶ ବ୍ଲକରେ ଏବେ ଏଭଳି ଅବସ୍ଥା । ମଣ୍ଡି ଖୋଲିବାରେ ବିଳମ୍ବ, ଦିନ ଦିନ ଧରି ଖଳାରେ ପଡି ରହିବାର ଭୟ ଏବଂ ଅଭାବୀ ବିକ୍ରି ଆଶଙ୍କାରେ କମ୍ ଦାମରେ ଆନ୍ଧ୍ର ବେପାରୀଙ୍କୁ ଧାନ ଟେକି ଦେଉଛନ୍ତି ଚାଷୀ । ସରକାର ଶୀଘ୍ର ମଣ୍ଡି ଖୋଲିଥିଲେ ଅଧିକ ଦି’ ପଇସା ପାଇଥାଆନ୍ତେ ବୋଲି ଚାଷୀଙ୍କ ମତ ।

ବାଲେଶ୍ୱର ଜିଲ୍ଲାରେ ମଧ୍ୟ ସମାନ ସ୍ଥିତି । ଏଠି ମାତିଛନ୍ତି ଉଭୟ ଆନ୍ଧ୍ର ଓ ପଶ୍ଚିମବଙ୍ଗର ବେପାରୀ । ସ୍ଥାନୀୟ ଅଞ୍ଚଳର ଦଲାଲଙ୍କୁ ହାତ କରି, ଆଉ ଚାଷୀମାନଙ୍କୁ ପ୍ରଲୋଭିତ କରି ଧାନ କମ୍ ଦାମରେ କିଣି ନେଉଥିବା ଅଭିଯୋଗ ଆସିଛି । ଏପଟେ ଚାଷୀଙ୍କର ମଧ୍ୟ ସରକାରୀ ବିଧି ବ୍ୟବସ୍ଥା ଓ ମଣ୍ଡିର ସ୍ୱଚ୍ଛତା ଉପରେ ଭରସା ଆସୁନି । କାଳେ ଧାନ ପଡ଼ି ପଡ଼ି ଗଜା ହୋଇଯିବ ସେହି ଭୟରେ ବିକ୍ରି କରିଦେଇ ସୋସାଇଟିରୁ ଆଣିଥିବା ଲୋନ୍ ଓ ହାତ ଉଧାରି ଟଙ୍କା ସୁଝୁଛନ୍ତି ।

କେବଳ ଗଞ୍ଜାମ କି ବାଲେଶ୍ୱର ନୁହେଁ, ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଏମିତି ସ୍ଥିତି । ବାହାର ରାଜ୍ୟର ବେପାରୀ ପଶି କୁଇଣ୍ଟାଲ କୁଇଣ୍ଟାଲ ଧାନ ଟ୍ରକ୍ ଲଗାଇ ବୋହି ନେଉଛନ୍ତି । କମ୍ ଦାମରେ ବିକି ଚାଷୀ କ୍ଷତି ସହୁଥିବା ବେଳେ ମାଲାମାଲ୍ ହେଉଛନ୍ତି ଦଲାଲ୍ ଓ ବେପାରୀ ।

ପ୍ରତିବର୍ଷ ଅମଳ ସରିବା ପରେ ଚାଷୀଙ୍କୁ ଘାରୁଛି ମଣ୍ଡି ସମସ୍ୟା । ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଚାଷୀ କେବଳ ମୂଳେ ମୂଳେ ଧାନ ଦେଇଦେଉଛି ସିନା ଲାଭ ପାଇପାରୁନି ।

  • Reported by:
  • Niranjan Behera , Silu Biswal