• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ବଢୁଛି ତାତି । ଯେମିତି ତତଲା ତାୱା ପାଲଟିଛି ପୃଥିବୀ । ଛଟପଟ ହୋଇଯାଉଛି ଜୀବନ । କେବେ ଆସିବ ବର୍ଷା ଆଉ ମିଳିବ ଆଶ୍ୱସ୍ତି ? ଦେଶର ଅନେକ ସ୍ଥାନରେ ତାପମାତ୍ରା ଏବେଠାରୁ ୪୦ ଡିଗ୍ରୀ ଟପିଲାଣି । ଦିନ ୧୦ଟାରେ ଘରୁ ବାହାରିଲେ ଲାଗୁଛି ଯେମିତି ଆକାଶରୁ ନିଆଁ ବର୍ଷୁଛି । ଏପ୍ରିଲରୁ ଅବସ୍ଥା ଏପରି ସାଂଘାତିକ ହେଲାଣି । ମେ’, ଜୁନରେ ସ୍ଥିତି କ’ଣ ହେବ ତାହା ଭାବିଲେ ଛନକା ପଶୁଛି ମନରେ । ଏପରି ପରିସ୍ଥିତିକୁ ଆହୁରି ସାଘାଂତିକ କରି ଦେଉଛି ଅଗ୍ନି ଦୁର୍ଘଟଣା । ଅତ୍ୟଧିକ ତାପମାତ୍ରା ଓ ଖରା ଯୋଗୁ କେତେବେଳେ ଜଙ୍ଗଲରେ ନିଆଁ ଲାଗିଯାଉଛି ତ କେତେବେଳେ ଝୁପୁଡି ବସ୍ତିରେ । ତେବେ ଆପଣଙ୍କର ଯଦି କାର୍ ଅଛି କିମ୍ବା ଆପଣ କାର୍ ଚଲାଉଛନ୍ତି, ଆମେ ଏଠି ସାବଧାନ କରିଦେବାକୁ ଚାହିଁବୁ । କାରଣ ପେଟ୍ରୋଲ ଖୁବ ସମ୍ବେଦନଶୀଳ ଏବଂ ଜ୍ୱଳନମୁଖୀ ଅଟେ ।

ସତରେ କ’ଣ ଭୀଷଣ ଖରାରେ ଘଣ୍ଟା ଘଣ୍ଟା ଧରି ଛିଡା ହୋଇଥିବା କାରର ପେଟ୍ରୋଲରେ ଆପେ ଆପ ନିଆଁ ଲାଗିଯିବାର ଆଶଙ୍କା ରହିଛି ? ଯଦି ତାପମାତ୍ରା ୪୪ରୁ ୪୫ ଡିଗ୍ରୀ ସେଣ୍ଟିଗ୍ରେଟ ରୁହେ ଏବଂ ଆପଣଙ୍କ କାର ଲଗାତାର ଏହି ପ୍ରବଳ ଖରାରେ ଛିଡା ହୋଇରୁହେ ଅନେକ ସମୟରେ ଏହାର ପ୍ୟାନେଲ ଉପରେ ଖରାପ ପ୍ରଭାବ ପଡିଥାଏ । ଆଜିକାଲିର ନୂଆ କାରରେ ଚିପ୍ ଏବଂ ସପ୍ଟଓୟାର ବ୍ୟବହାର ଅଧିକ ହୋଇଥାଏ । ଏସବୁ ଅଧିକ ଖରାକୁ ସମ୍ଭାଳି ପାରେନାହିଁ । ଅଧିକ ସମୟ ଅଧିକ ତାପରେ ରହିଲେ ଏହା ଖରାପ ହୋଇ ଯିବାର ଆଶଙ୍କା ରହିଛି ।

ତେବେ ସବୁଠାରୁ ବଡ ପ୍ରଶ୍ନ ହେଉଛି, ଏପରି ତାପରେ ଜ୍ୱଳନଶୀଳ ପେଟ୍ରୋଲ ବି କ’ଣ ଜଳିଯିବାର ଆଶଙ୍କା ରହିଛି ? ଯଦି ଏପରି ହୁଏ ତେବେ କାର ପ୍ରତି ବି ବିପଦ ରହିଛି ।

ପେଟ୍ରୋଲ ଅଧିକ ଜ୍ୱଳନଶୀଳ ପଦାର୍ଥ ଅଟେ । ସାମାନ୍ୟ ନିଆଁ ପାଖକୁ ଗଲେ ଏହା ଜଳିଉଠେ । ତେଣୁ ଏପରି ଖରାଗରମରେ କାରର ଫୁଏଲ ଟ୍ୟାଙ୍କ ଯୋଗୁ ବିପଦର ଆଶଙ୍କା ରହିବା ସ୍ୱାଭାବିକ । ତେବେ ଏହି ଫୁଏଲ ଟ୍ୟାଙ୍କ ଯୋଗୁ କାର୍ ପ୍ରତି କେତେ ବିପଦ ରହିଛି ଆସନ୍ତୁ ଜାଣିବା ।

ତେଲ ଟାଙ୍କି ଯୋଗୁ କାରପ୍ରତି କେତେ ବିପଦ ରହିଛି

କହିବାକୁ ଗଲେ ଫୁଏଲ ଟ୍ୟାଙ୍କକୁ ନେଇ ଆପଣ ଏତେ ଭୟଭୀତ ହେବାର ଆବଶ୍ୟକତା ନାହିଁ । କାରଣ ଅତ୍ୟଧିକ ତାପମାତ୍ରାରେ ଅଧିକ ସମୟ ଖରାରେ ଛିଡ଼ା ହୋଇଥିବା କାରର ପେଟ୍ରୋଲ ଟାଙ୍କିରେ ନିଆଁ ଲାଗିବାର ଆଶଙ୍କା ଯଥେଷ୍ଟ କମ । ଆସନ୍ତୁ ଏହାର କାରଣ ଜାଣିବା ।

ମୁଖ୍ୟତଃ ପେଟ୍ରୋଲର ସ୍ୱୟଂଦହନ ତାପମାତ୍ରା ବହୁତ ଅଧିକ । କହିବାକୁ ଗଲେ ୨୫୦ ଡିଗ୍ରୀରୁ ୨୮୦ ଡିଗ୍ରୀ । କୌଣସି ବାହ୍ୟ ଅଗ୍ନି ଉତ୍ସ ନ ଥିଲେ ବି ଏତିକି ତାପମାତ୍ରାରେ ପେଟ୍ରୋଲ ଆପେ ଆପେ ଜଳିଉଠେ । ହେଲେ ନିଆଁ ତାତିରେ ଛିଡା ହୋଇଥିବା କାରର ପେଟ୍ରୋଲ ଟାଙ୍କି ଭିତର ତାପମାତ୍ର ଏତେ ଅଧିକ ହେବାର ସମ୍ଭାବନା ଆଦୌ ନାହିଁ କହିଲେ ଚଳେ । ତେଣୁ ଖରାରେ ଠିଆ ହୋଇଥିବା କାର ଜଳିବାର ପ୍ରଶ୍ନ ଉଠୁନାହିଁ ।

ପେଟ୍ରୋଲ ଟାଙ୍କି ଭିତରକୁ ବାୟୁ ଚଳାଚଳ କରିପାରେ । କାରର ପେଟ୍ରୋଲ ଟାଙ୍କି ସମ୍ପୂର୍ଣ୍ଣ ସିଲ ହୋଇ ନ ଥାଏ । ଏଥିରେ ଏକ ଭେଣ୍ଟିଂ ସିଷ୍ଟମ ଥାଏ, ଯାହା ବାଷ୍ପର ଚାପକୁ ନିୟନ୍ତ୍ରଣ କରିପାରେ ଏବଂ ଚାପ ବଢାଇବାକୁ ଦିଏ ନାହିଁ । କହିବାକୁ ଗଲେ ଏଥିରେ ବାୟୁ ଚଳପ୍ରଚଳ କରିବାର ବ୍ୟବସ୍ଥା ରହିଛି । ଯାହା ଫଳରେ ପେଟ୍ରୋଲ ଟାଙ୍କି ଭିତରେ ଚାପ ସୃଷ୍ଟି ହେବାକୁ ଦେଇ ନ ଥାଏ ।

ନିଆଁ ଜଳିବା ପାଇଁ ଅମ୍ଳଜାନ ଆବଶ୍ୟକତା ପଡିପାରେ । ତେଲ ଟାଙ୍କିରେ ପେଟ୍ରୋଲ ଉପରେ ବାୟୁର ମାତ୍ରା ସୀମିତ ଥାଏ । ଏଥିପାଇଁ ନିଆଁ ଧରିବା ପାଇଁ ପର୍ଯ୍ୟାପ୍ତ ଅକ୍ସିଜେନ ଉପଲବ୍ଧ ହୋଇ ନ ଥାଏ । ସାଧାରଣଭାବେ ଦେଖିଲେ, ପ୍ରଚଣ୍ଡ ଖରାରେ ପାର୍କିଂ ହୋଇଥିବା ଗାଡିର ପେଟ୍ରୋଲ ଟାଙ୍କିରେ ନିଆଁ ଲାଗିବାର ଆଶଙ୍କା ପ୍ରାୟତଃ ନାହିଁ ।

ଖରାରେ ଗାଡିର ପେଟ୍ରୋଲ ଉଡ଼ି ଯାଏ କି ?

ପ୍ରଚଣ୍ଡ ଖରାରେ ଗାଡି ଅଧିକ ସମସ୍ତ ଛିଡ଼ା ହେବା କାରଣରୁ ଟାଙ୍କି ଭିତରେ ପେଟ୍ରୋଲ ବାଷ୍ପ ହୋଇ ଉଡ଼ି ଯିବାର ଆଶଙ୍କା ରହିଛି । ପେଟ୍ରୋଲ ଏକ ବାଷ୍ପଶୀଳ ତରଳ ପଦାର୍ଥ ଅଟେ । ଅର୍ଥାତ ଏହା ସହଜରେ ବାଷ୍ପରେ ପରିଣତ ହୋଇପାରେ । ଯେତେବେଳେ ତାପମାତ୍ରା ବୃଦ୍ଧି ହୁଏ ପେଟ୍ରୋଲ ଗ୍ୟାସରେ ପରିଣତ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ । ସେଥିପାଇଁ ଖରା ଦିନରେ ଆପଣ ଗାଡ଼ିର ପାଖାପାଖି ଅଞ୍ଚଳରେ ହାଲକା ହାଲକା ପେଟ୍ରୋଲ ଗନ୍ଧ ହେଉଥିବା ଅନୁଭବ କରିଥିବେ ।

କାର ଭିତରେ ପରଫ୍ୟୁମ, ଲାଇଟର ରଖୁଥଲେ ସାବଧାନ

ଏଠି କହିରଖିବୁ, ଅଧିକ ଖରା ସଂସ୍ପର୍ଶରେ ଆସିଲେ ପେଟ୍ରୋଲ ଟାଙ୍କିରେ ସିନା କିଛି ପ୍ରଭାବ ପଡେନି ବା ପେଟ୍ରୋଲ ଟାଙ୍କି ଯୋଗୁ କାର ଜଳିଯିବାର ଭୟ ନାହିଁ । ହେଲେ ଆହୁରି ଅନେକ କାରଣ ରହିଛି ଯଦ୍ୱାରା ଅଧିକ ଖରା କାର ବିପଦର କାରଣ ହୋଇପାରେ । ଅନେକ ସମୟରେ ଆମେ କାର ଭିତରେ ପରଫ୍ୟୁମ ବୋତଲ ବା ଲାଇଟର ଆଦି ରଖିଥାଉ । ଜାଣିରଖନ୍ତୁ, ଖରାଦିନେ ଏହା କାର ପାଇଁ ବିପଦର କାରଣ ସାଜିପାରେ ।

ସାଧାରଣତଃ ପରଫ୍ୟୁମରେ ଆଲକୋହଲ ଥାଏ । ଏହା ଅଧିକ ଗରମ ହେଲେ ଗ୍ୟାସ ହୋଇଯାଏ ଯାହାଫଳରେ ପରଫ୍ୟୁମ ବୋତଲ ଭିତରେ ଚାପ ବୃଦ୍ଧି ପାଏ । ଯଦି ପରଫ୍ୟୁମ ବୋତଲ ଉପରେ ସିଧାସଳଖ ସୂର୍ଯ୍ୟ କିରଣ ପଡ଼େ ତେବେ ଏହା ଭିତରେ ଗ୍ୟାସ ସୃଷ୍ଟି ହୋଇ ଏହା ଫାଟି ଯାଇପାରେ । ଏହା ଦ୍ୱାରା କାରରେ ନିଆଁ ଲାଗିଯିବାର ଆଶଙ୍କା ରହିଛି ।

ସେହିପରି ଲାଇଟର ବି ଜ୍ୱଳନଶୀଳ ଗ୍ୟାସ ଅଟେ । ଏହା ଅଧିକ ଗରମରେ ବାଷ୍ପିଭୂତ ହୋଇ ଲିକ ହୋଇପାରେ । ଏହାଦ୍ୱାରା ଲାଇଟର ଫାଟି ଯାଇପାରେ କିମ୍ବା ଏଥିରେ ନିଆଁ ଲାଗିଯାଇ ପାରେ । ଏହି କାରଣରୁ ଲାଇଟରରେ ଥିବା ପ୍ଲାଷ୍ଟିକ ବି ତରଳି ଯାଇପାରେ । ଏହାଦ୍ୱାରା ସର୍ଟ ସର୍କିଟ କିମ୍ବା ବିସ୍ଫୋରଣ ଆଶଙ୍କା ବଢିଯାଇ ପାରେ ।

ସେଥପାଇଁ ଅଧିକ ଖରାରେ କାରରେ ପରଫ୍ୟୁମ, ଲାଇଟର, ସାନିଟାଇଜର ଆଦି ସମ୍ବେଦନଶୀଳ ଜିନିଷ ରଖିବା ଉଚିତ ନୁହେଁ । ଏହା ଦ୍ୱାରା କାରରେ ନିଆଁ ଲାଗିଯିବା କିମ୍ବା ବିସ୍ଫୋରଣ ହେବାର ଆଶଙ୍କା ରହିଛି ।

ଖରାରେ ଏକ ଘଣ୍ଟା ରହିଲେ କାର୍ ଭିତର ତାପମାତ୍ରା କେତେ ବଢେ ?

ଯେତେବେଳେ ବାହାର ତାପମାତ୍ରା ୪୦-ରୁ ୪୨ ଡିଗ୍ରୀ ସେଲସିୟସ ମଧ୍ୟରେ ରୁହେ ଏବଂ କାର ପ୍ରଚଣ୍ଡ ଖରାରେ ଅଧିକ ସମୟ ଛିଡ଼ା ହୁଏ ତେବେ କାର ଭିତର ତାପମାତ୍ରା ଅଧିକ ବୃଦ୍ଧି ପାଇଥାଏ । ରିସର୍ଚ୍ଚ ରିପୋର୍ଟ ଅନୁସାରେ, ଏପରି ସ୍ଥିତିରେ କାରର ଭିତର ତାପମାତ୍ରା ୬୦ ମିନିଟରେ ପାଖାପାଖି ୬୦ରୁ ୭୦ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବଢିପାରେ ।

ଏହାର କାରଣ ହେଉଛି, କାରର ଗ୍ଲାସ ସୂର୍ଯ୍ୟ କିରଣକୁ ଭିତରକୁ ଆସିବାକୁ ଦେଇଥାଏ । ହେଲେ ଭିତରର ଗରମ ବାୟୁକୁ ବାହାରକୁ ଯିବାକୁ ଦିଏ ନାହିଁ । ଯାହାଫଳରେ କାର୍ ଭିତରେ ଏକ ଗ୍ରୀନ ହାଉସ ଇଫେକ୍ଟ ସୃଷ୍ଟି ହୁଏ । ଏହି କାରଣରୁ କାର ଭିତରର ତାପମାତ୍ରା ବାହାର ତାପମାତ୍ରାଠାରୁ ୨୦ରୁ ୩୦ ଡିଗ୍ରୀ ଯାଏ ବଢିପାରେ ।

ଅତ୍ୟଧିକ ତାପମାତ୍ରା କାରଣରୁ କାର୍ ଭିତରେ ବସିବା ସହଜ ହୋଇ ନ ଥାଏ । ବସିଲେ ବି ଏହା ସ୍ୱାସ୍ଥ୍ୟ ପାଇଁ ହାନୀକାରକ ହୋଇଥାଏ । ଏତେ ଅଧିକ ତାପମାତ୍ରାରେ କାରରେ ଥିବା ଏୟାର କଣ୍ଡିସନର ବା ଏସି ମଧ୍ୟ ଠିକରେ କାମ କରି ନ ଥାଏ । କାରଣ ବାହାର ତାପମାତ୍ରା ଅଧିକ ହେବା ଦ୍ୱାରା ଏସି ସିଷ୍ଟମ ଉପରେ ଏହା ପ୍ରଭାବ ପକାଇଥାଏ ଯାହାଫଳରେ ଏହାର ଥଣ୍ଡା କରିବା ଶକ୍ତି ହ୍ରାସ ପାଇଥାଏ ।