/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746458611.jpg)
‘ଦୀଘା ନୁହେଁ ଧାମ’
ଦୀଘା ଜଗନ୍ନାଥ ମନ୍ଦିର, ଜଗନ୍ନାଥ ଧାମ ନୁହେଁ । ଦୀଘା ମନ୍ଦିର ବିବାଦ ପ୍ରସଙ୍ଗରେ ଆଜି ପ୍ରେସ୍ ରିଲିଜ୍ ଜାରି କରି ଏକଥା ସ୍ପଷ୍ଟ କରିଛନ୍ତି ପୁରୀ ଗଜପତି ମହାରାଜା । ମୁକ୍ତିମଣ୍ଡପ ମତକୁ ଆଧାର କରି ଗଜପତି ଉଲ୍ଲେଖ କରିଛନ୍ତି ଯେ କେବଳ ଜଗନ୍ନାଥ ଧାମ ନୁହେଁ ଆଉ କୌଣସି କ୍ଷେତ୍ରକୁ ଶ୍ରୀପୁରୁଷୋତ୍ତମ କ୍ଷେତ୍ର କିମ୍ବା ଶ୍ରୀକ୍ଷେତ୍ର କୁହାଯାଇ ପାରିବନି । ଦୀଘା ମନ୍ଦିରର ପୃଷ୍ଠପୋଷକ ଏଭିଳି ଉଦ୍ୟମରୁ ନିବୃତ୍ତ ରୁହନ୍ତୁ । ସେପଟେ ଆଇନ ମନ୍ତ୍ରୀ ମଧ୍ୟ ପଶ୍ଚିମବଙ୍ଗ ସରକାର ନଶୁଣିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ କଡ଼ା ଚେତାବନୀ ଦେଇଛନ୍ତି । ଏସବୁ ଭିତରେ କିନ୍ତୁ ଆଜି ତୋଡ ଦେଖାଇ ଜଗନ୍ନାଥ ଧାମକୁ ପୁରୀ ମନ୍ଦିର ସମ୍ବୋଧନ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ଅଧିକ ପଢ଼ନ୍ତୁ: ଦ୍ୱନ୍ଦ ଦୂର କଲେ ଆଇନ ମନ୍ତ୍ରୀ- ବଳକା ଦାରୁରେ ମୂର୍ତ୍ତି ନିର୍ମାଣ ହୋଇନି, ରାମକୃଷ୍ଣ କହୁ କହୁ କହି ଦେଇଥିଲେ
ଜଗନ୍ନାଥ ଧାମକୁ ପୁରୀ ମନ୍ଦିର ସମ୍ବୋଧନ । କାଲି ସକାଳେ ତୋଳା ହୋଇଥିବା ଦୀଘା ମନ୍ଦିରକୁ କହିଲେ ଜଗନ୍ନାଥ ଧାମ । କି ବହପ? କି ଦୁଃସାହସ ? ନା ବିରୋଧକୁ ଖାତିର ନା ମହାନ ଜଗନ୍ନାଥ ସଂସ୍କୃତିକୁ ସମ୍ମାନ ନା ଭାବନାକୁ ପରୱାହିନ୍ଦୁ ଧର୍ମରେ ଦେଶର ଚାରି ଧାମରୁ ଶ୍ରେଷ୍ଠ ଜଗନ୍ନାଥ ଧାମକୁ କେମିତି ଗୌଣ କରିବାର ବିଧିବଦ୍ଧ ପ୍ରୟାସରେ ମାତିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
ପୁରୀ ଜଗନ୍ନାଥ ମନ୍ଦିର ଢାଞ୍ଚାରେ ମନ୍ଦିର ତୋଳି ପୂରା ଯୋଜନାବଦ୍ଧ ଷଡ଼ଯନ୍ତ୍ରରେ ମାତିଯାଇଛନ୍ତି ମମତା । ନିଜ ରାଜ୍ୟରେ ବି ଏହାକୁ ନେଇ ବିରୋଧ ପରେ କୁହାଯାଉଛି, ୩୦ ତାରିଖ ମନ୍ଦିର ପ୍ରତିଷ୍ଠା ଦିବସରେ ଲାଗିଥିବା କିଛି ଅସ୍ଥାୟୀ ଜଗନ୍ନାଥ ଧାମ ସାଇନ୍ଏଜ୍ ୟା ଭିତରେ ଉଠିଯାଇଛି, ହେଲେ ଏବେ ବି ୱେବସାଇଟ୍ରୁ ନେଇ ମନ୍ଦିର ପରିସରରେ ସମସ୍ତ ନାମ ଫଳକ, ଆଡମିନିଷ୍ଟ୍ରେଟିଭ୍ ବିଲଡିଂ ଚାରିଆଡ଼େ ଛାଇଯାଇଛି ଜଗନ୍ନାଥଧାମ ନାଁ ।
ଆଉ ଏସବୁ ଭିତରେ ଆସିଛି ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପ୍ରେସବାର୍ତ୍ତା । ଯେଉଁଥିରେ ଦୀଘା ଜଗନ୍ନାଥ ମନ୍ଦିର ଜଗନ୍ନାଥ ଧାମ ନୁହେଁ ବୋଲି ସ୍ପଷ୍ଟ କରିଛନ୍ତି ଗଜପତି। ଦୀଘା ମନ୍ଦିର ବିବାଦ ସାମ୍ନାକୁ ଆସିବା ପରେ ଗଜପତି, ମୁକ୍ତିମଣ୍ଡପ ପଣ୍ଡିତ ସଭାର ମତାମତ ଲୋଡ଼ିଥିଲେ । ସ୍କନ୍ଦ ପୁରାଣଠୁ ନେଇ ବ୍ରହ୍ମପୁରାଣ, ନୀଳାଦ୍ରି ମହୋଦୟ ଏବଂ ଅନ୍ୟାନ୍ୟ ପବିତ୍ର ଓ ପ୍ରାଚୀନ ଶାସ୍ତ୍ରର ତର୍ଜମା କରି ପଣ୍ଡିତ ମହାସଭା ସ୍ପଷ୍ଟ କରିଥିଲା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ମୂଳପୀଠ ପୁରୀ ହେଉଛି ଜଗନ୍ନାଥଧାମ । ଏପରକି ସ୍କନ୍ଦ ପୁରାଣରେ ପ୍ରାମାଣିକ ଏବଂ ବ୍ୟାପକ ଭାବେ ଅନ୍ୟ କୌଣସି ସ୍ଥାନ କିମ୍ବା ମନ୍ଦିର ନୁହେଁ କେବଳ ପୁରୀ ହିଁ କାହିଁକି ଜଗନ୍ନାଥ ଧାମ ତାହା ବି ସ୍ପଷ୍ଟଭାବେ ଦର୍ଶାଯାଇଛି । ପୁରୀ ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ଚତୁର୍ଦ୍ଧାମୂର୍ତ୍ତି ପ୍ରତିଷ୍ଠା ହୋଇଥିଲେ ମଧ୍ୟ ତାହା ଜଗନ୍ନାଥ ଧାମ, ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର କିମ୍ବା ନୀଳାଚଳ ଧାମ ଭାବରେ ନାମିତ କରାଯାଇ ପାରିବ ନାହିଁ ।
ସେହିପରି ମହାପ୍ରଭୁଙ୍କ ଶ୍ରୀବିଗ୍ରହ ଦାରୁ ବ୍ୟତୀତ ଅନ୍ୟ କୌଣସି ଧାତୁ ବା ଶିଳାରେ ନିର୍ମାଣ କରି ପୂଜା କରିବା ଉଚିତ୍ ନୁହେଁ । ଶ୍ରୀମନ୍ଦିର ବ୍ୟତୀତ ଅନ୍ୟ କୌଣସି ଜଗନ୍ନାଥ ମନ୍ଦିରରେ ସମର୍ପିତ ନୈବେଦ୍ୟକୁ ଶ୍ରୀମହାପ୍ରସାଦ କୁହାଯିବା ଶାସ୍ତ୍ର ସମ୍ମତ ନୁହେଁ । ମୁକ୍ତିମଣ୍ଡପ ପଣ୍ଡିତ ସଭାର ଏଇ ମତାମତ ପରେ ଗଜପତି ମହାରାଜ ନିଜେ ଦୀଘା ଶ୍ରୀଜଗନ୍ନାଥ ମନ୍ଦିରର ଉଦ୍ୟୋକ୍ତା, ଟ୍ରଷ୍ଟି ଏବଂ ପୃଷ୍ଠପୋଷକମାନଙ୍କୁ ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ କିମ୍ବା ଜଗନ୍ନାଥ ଧାମ ସାଂସ୍କୃତିକ କେନ୍ଦ୍ର ଭାବେ ନାମିତ କରିବାରୁ ନିବୃତ୍ତି ରହିବାକୁ ନିବେଦନ କରିଛନ୍ତି । ନହେଲେ ଅନାଦିକାଳରୁ ପ୍ରଚଳିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଐତିହ୍ୟ ଓ ପରମ୍ପରାକୁ ଅସମ୍ମାନ କରାଗଲେ ଏହା ଅଗଣିତ ଜଗନ୍ନାଥ ପ୍ରେମୀଙ୍କ ଧାର୍ମିକ ଭାବନାକୁ ଗଭୀର ଆଘାତ ଦେବ ବୋଲି ଦର୍ଶାଇଛନ୍ତି ଗଜପତି ।
ଏପଟେ ଦୀଘା ମନ୍ଦିରକୁ ଜଗନ୍ନାଥ ଧାମ ପ୍ରସଙ୍ଗରେ ଓଡ଼ିଶା ସରକାର ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଆଇନ ମନ୍ତ୍ରୀ କହିଛନ୍ତି ଧାମ ଶବ୍ଦର ନାଁ କେବଳ ୪ଟି ସ୍ଥାନ ସହ ଜଡ଼ିତ । ଅନ୍ୟ କୌଣସି ସ୍ଥାନକୁ ଜଗନ୍ନାଥ ଧାମ କୁହାଯାଇ ପାରିବନି । ଦୀଘା ବେଳାଭୂମିକୁ ମଧ୍ୟ ମହୋଦଧି କୁହାଯାଇ ପାରିବନି । ଏ ବାବଦରେ ପଶ୍ଚିମବଙ୍ଗ ସରକାରଙ୍କୁ ପ୍ରଥମେ ଚିଠି ଲେଖାଯିବ । ଯଦି ନମାନନ୍ତି ତାହାଲେ ଆଇନଗତ ପଦକ୍ଷେପ ନେବାକୁ ଚେତାବନୀ ଦେଇଛନ୍ତି ମନ୍ତ୍ରୀ । ପୂରା ଘଟଣାରେ ଜଗନ୍ନାଥଙ୍କ ଆଦ୍ୟସେବକ ସ୍ଥିତି ସ୍ପଷ୍ଟ କରିବା ପରେ ଏବେ ଅପେକ୍ଷା ମମତାଙ୍କ ତୋଡ଼ କେବେ ଭାଙ୍ଗୁଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)