ଶେଷରେ ନବୀନ ଘୋଷଣା କଲେ ଟିମ୍ । ଗଢିଲେ ପଲିଟିକାଲ୍ ଆଫାୟାର୍ସ କମିଟି । ଅସନ୍ତୁଷ୍ଟ ବରିଷ୍ଠଙ୍କୁ କଲେ ଥଇଥାନ । ସଂଗଠନ ସଂପାଦକ ପଦବୀ ଉଚ୍ଛେଦ କରି ବିଦ୍ରୋହୀଙ୍କ ମନ ଜିଣିବାକୁ ପ୍ରୟାସ । ପାଣ୍ଡିଆନ୍ ଛାପ ଦଳରୁ ପୋଛିବାକୁ ବରିଷ୍ଠ ଓ ଯୁବଙ୍କୁ ଦେଲେ ଦାୟିତ୍ୱ । ତେବେ ସାମ୍ନାକୁ ଆସି ଦଳ ବିରୋଧରେ ମୁହଁ ଖୋଲିଥିବା ବରିଷ୍ଠଙ୍କ ପକ୍ଷ ଛେଦନ କରିବାକୁ ଭୁଲିନାହାନ୍ତି । ଭୂପିନ୍ଦର ସିଂ, ଶଶିଭୂଷଣ ବେହେରା, ପ୍ରଫୁଲ୍ଲ ମଲ୍ଲିକଙ୍କ ଭଳି ବରିଷ୍ଠ ନେତାଙ୍କୁ କୌଣସି ସାଂଗଠନିକ ଦାୟିତ୍ୱ ମିଳିନି । ଯାହାକୁ ନେଇ ଚର୍ଚ୍ଚା ବଢିଛି ଦଳରେ ।
ସଭାପତି ଭାବେ ନିର୍ବାଚିତ ହେବାର ପ୍ରାୟ 15 ଦିନ ପରେ ଆଜି ନିଜ ଟିମ ଗଢିଛନ୍ତି ନବୀନ । ବିଭିନ୍ନ ଛାମୁଆ ସଂଗଠନ ସମେତ ଦଳର ପଦାଧିକାରୀ କମିଟି ଘୋଷଣା କରାଯାଇଛି । ତେବେ ଦୀର୍ଘ ବର୍ଷ ପରେ ବିଜେଡି ପୁଣିଥରେ ଗଠନ କରିଥିବା ପଲିଟିକାଲ ଆଫେୟାର୍ସ ବା ରାଜନୈତିକ ବ୍ୟାପାର କମିଟିକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ଓ ଆଲୋଚନା । ଯାହା ପଲିଟିକାଲ୍ ଆଫାୟାର୍ସ କମିଟି ନୁହେଁ ବରଂ ପାଣ୍ଡିଆନ ଆଫାର୍ୟସ କମିଟି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । କାରଣ ଏହି କମିଟିରେ କେବଳ ପାଣ୍ଡିଆନ ମାର୍କା ନେତାଙ୍କୁ ହିଁ ମିଳିଛି ସ୍ଥାନ । କମିଟିର ଅଧ୍ୟକ୍ଷ ଖୋଦ୍ ନବୀନ ଥିବାବେଳେ ସଦସ୍ୟ ଭାବେ ରହିଛନ୍ତି ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ବିକ୍ରମ ଆରୁଖ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ, ସୁଦାମ ମାରାଣ୍ଡି, ପ୍ରମିଳା ମଲିକ, ସସ୍ମିତ ପାତ୍ର ଓ ସଂତୃପ୍ତ ମିଶ୍ରଙ୍କ ଭଳି ୯ ଜଣ ନେତା ।
ଅଧିକ ପଢ଼ନ୍ତୁ: ବଢୁଛି ମହିଳା ବିରୋଧୀ ହିଂସା... ସରକାରଙ୍କୁ ଅଡୁଆରେ ପକାଉଛନ୍ତି ବିରୋଧୀ
ସେପଟେ ଅସନ୍ତୁଷ୍ଟଙ୍କୁ ଥଇଥାନ କରିବାକୁ ବିଭିନ୍ନ ଛାମୁଆ ସଂଗଠନ ପଦବିର ଥୋପ ଦେଇଛନ୍ତି ନବୀନ । ପ୍ରସନ୍ନ ଆଚାର୍ଯ୍ୟ, ଅନଙ୍ଗ ଉଦୟ ସିଂହଦେଓ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବଦ୍ରି ନାରାୟଣ ପାତ୍ର, ଦେବାଶିଷ ସାମନ୍ତରାୟ, ଅରୁଣ ସାହୁ, ମହେଶ ସାହୁ, ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଭଳି ନେତାଙ୍କୁ କରାଯାଇଛି ଥଇଥାନ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦଳର ପକ୍ଷରୁ ଘୋଷଣା କରାଯାଇ ଥିବା ୭୧ ଜଣିଆ ରାଜ୍ୟ ପଦାଧିକାରୀ ତାଲିକାରେ ଉଭୟ ଯୁବ, ବରିଷ୍ଠଙ୍କୁ ରଖି କନ୍ଦଳ ଦୂର ପାଇଁ ପ୍ରୟାସ କରିଛନ୍ତି ନବୀନ ।
ବରିଷ୍ଠ ଉପସଭାପତି ମୁଖ୍ୟାଳୟ ଭାବେ ଦେବୀପ୍ରସାଦ ମିଶ୍ର, ଉପସଭାପତି ମୁଖ୍ୟାଳୟ ଭାବେ ପ୍ରତାପ ଜେନାଙ୍କୁ ଦାୟିତ୍ୱ ଦିଆଯାଇଛି । ହେଲେ ବବିଙ୍କୁ ବଢୁଥିବା ବିରୋଧକୁ ଦେଖି ସଂଗଠନ ସଂପାଦକ ପଦବୀକୁ ଉଚ୍ଛେଦ କରି ଦେଇଛନ୍ତି ନବୀନ । ବବିଙ୍କୁ ଏଥର ଉପସଭାପତି ପଦବି ମିଳିଛି । ଅନ୍ୟପକ୍ଷରେ ଦଳ ବିରୋଧରେ ମୁହଁ ଖୋଲିଥିବା କିଛି ବରିଷ୍ଠଙ୍କ ପକ୍ଷ ଛେଦନ କରାଯାଇଛି । ଭୂପିନ୍ଦର ସିଂ, ଶଶିଭୂଷଣ ବେହେରା, ପ୍ରଫୁଲ୍ଲ ମଲ୍ଲିକଙ୍କ ଭଳି ବରିଷ୍ଠ ନେତାଙ୍କୁ କୌଣସି ସାଂଗଠନିକ ଦାୟିତ୍ୱ ମିଳିନି ।
ଏସବୁ ଭିତରେ କିନ୍ତୁ କନ୍ଦଳ କାରଣରୁ ଆହୁରି ୯ ଜିଲ୍ଲାର ସଭାପତି ପଦବୀ ଘୋଷଣା କରିପାରିନି ବିଜେଡି । ଦେଖିବାର କଥା ଗଠନ ହୋଇଥିବା ଟିମ୍, ବିଜେଡିକୁ କେଉଁ ଆଡ଼କୁ ନେଇକି ଯାଉଛି ।