ଚାଷୀଙ୍କ ପାଇଁ ସରକାର କେତେ କ’ଣ ଯୋଜନା କରୁଛନ୍ତି । ଦେଖିବାକୁ ଗଲେ ପ୍ରତି ବର୍ଷ ଏକ ନୂଆ ଯୋଜନା ଚାଷୀଙ୍କ ନାଁରେ ପ୍ରସ୍ତୁତ ହେଉଛି । ଏମିତିକି ନିର୍ବାଚନ ବେଳେ ସରକାରଙ୍କ ଫୋକସ୍ରେ କେବଳ ଚାଷୀ ହିଁ ଥାନ୍ତି । ଚାଷୀଙ୍କ ଭୋଟ ପାଇବାକୁ ସରକାର ଅନେକ ମନଲୋଭା ଯୋଜନା ଘୋଷଣା କରିଥାନ୍ତି । ହେଲେ ନିର୍ବାଚନ ସରିଗଲେ ସବୁ ଭୁଲି ଯାଆନ୍ତି । ଯାହାର ସବୁଠୁ ବଡ଼ ପ୍ରମାଣ ହେଉଛି ଚାଷୀଙ୍କ ଆୟ ଯେମିତିକୁ ସେମିତି । ଋଣ ସୁଝି ନପାରି ଚାଷୀ ଆତ୍ମ ହତ୍ୟା କରୁଛି । ପଡ଼ୋଶୀ ରାଜ୍ୟରେ ଚାଷୀଙ୍କ ଆୟ ଦିନକୁ ଦିନ ବଢ଼ୁଥିବା ବେଳେ ଓଡ଼ିଶାରେ କିନ୍ତୁ ଚାଷୀ ହତାଶ । କାଳିଆ-ବଳିଆ ଭଳି ରାଜ୍ୟ ସରକାରଙ୍କ ଅନେକ ଯୋଜନା ଥିଲେ ମଧ୍ୟ ଓଡ଼ିଶାରେ ଚାଷୀଙ୍କ ଆୟ ଆଖିଦୃଶିଆ ବଢ଼ୁନାହିଁ । ଯାହାକୁ ସ୍ୱୀକାର କରିଛନ୍ତି ଖୋଦ୍ କୃଷି ମନ୍ତ୍ରୀ ଅରୁଣ ସାହୁ ।
ତେବେ ରାଜ୍ୟ ସରକାରଙ୍କ ଚାଷୀ ପ୍ରୀତି କେମିତି ରହିଛି ? ତାହାର ଆଉ ଏକ ବଡ଼ ଉଦାହରଣ ହେଉଛି ରାୟଗଡ଼ା ଜିଲ୍ଲାର ଶୀତଳ ଭଣ୍ଡାର । କୋଟି କୋଟି ଟଙ୍କା ଖର୍ଚ୍ଚ କରି ସରକାର ଏହି ଶୀତଳଭଣ୍ଡାର ଛିଡ଼ା କରିଛନ୍ତି । ଯାହାର ନିର୍ମାଣ ଗତ ୧୯୯୮ ମସିହାରେ ଆରମ୍ଭ ହେଲାଣି । ହେଲେ ଏଯାଏଁ କାର୍ଯ୍ୟକ୍ଷମ ହୋଇନାହିଁ । କିନ୍ତୁ ୨୦୧୩ରେ ଉଦ୍ଘାଟନ ପରଠୁ ରାୟଗଡ଼ା ଜିଲ୍ଲାର ଚାଷୀ ଏହି ଶୀତଳଭଣ୍ଡାରର ଫାଇଦା ନେବାକୁ ଚାତକ ଭଳି ଚାହିଁ ବସିଛନ୍ତି । ହେଲେ ତାହା ଏଯାଏଁ ଚାଲୁ ହୋଇ ପାରି ନାହିଁ ।
Also Read
କୋଟି କୋଟି ଟଙ୍କା ଖର୍ଚ୍ଚ କରି ଶୀତଳଭଣ୍ଡାର ନିର୍ମାଣ କରିବାର ମୁଖ୍ୟ ଉଦେଶ୍ୟ ହେଉଛି, ଚାଷୀ ଯାହା ଉତ୍ପାଦନ କରିବ ସେହି ଶୀତଳ ଭଣ୍ଡାରରେ ଗଚ୍ଛିତ ରଖିବ । ଆଉ ସଠିକ୍ ସମୟରେ ବାହାର କରି ବଜାରକୁ ଛାଡ଼ିବ । ଯାହାଦ୍ୱାରା ଚାଷୀ ଦୁଇ ପଇସା ଭଲ ରୋଜଗାର କରିବ । ଚାଷୀର ଆୟ ବଢ଼ିବ । ବିଭିନ୍ନ ସମୟରେ ଚାଷୀ ଯେଉଁ ଅଭାବୀ ବିକ୍ରି ସମସ୍ୟାର ସାମ୍ନା କରୁଛି, ତାକୁ ଦୂର କରିବା ପାଇଁ ଏହି ଶୀତଳଭଣ୍ଡାର ରହିଛି । ହେଲେ ରାୟଗଡ଼ାରେ ଥିବା ଏହି ଶୀତଳଭଣ୍ଡାର କୌଣସି କାମରେ ଲାଗୁନି । ଚାଷୀ ଯେମିତି ପୂର୍ବରୁ ହନ୍ତସନ୍ତ ହେଉଥିଲେ ଏବେ ବି ଠିକ୍ ସେମିତି ସ୍ଥିତିରେ ଅଛନ୍ତି ।
ସରକାର ଏହି ଶୀତଳଭଣ୍ଡାରକୁ ୪ କୋଟି ୩୮ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିର୍ମାଣ କରିଛନ୍ତି । ବିରାଟ ବିରାଟ କୋଠା ନିର୍ମାଣ ହୋଇଛି । ୧୯୯୮ ମସିହାରୁ ନିର୍ମାଣ କାମ ଆରମ୍ଭ ହୋଇଥିବା ବେଳେ ୨୦୦୨ରେ କାର୍ଯ୍ୟ ଶେଷ ହୋଇଥିଲା । ପରେ ୨୦୧୪ ନିର୍ବାଚନକୁ ଆଖି ଆଗରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ୨୦୧୩ ମସିହା ଫେବ୍ରୁଆରୀ ୪ ତାରିଖରେ ଉଦ୍ଘାଟନ କରିଥିଲେ । ଏହାପରେ ସ୍ଥାନୀୟ ଚାଷୀ ଭାବିଥିଲେ, କିଛି ମାତ୍ରାରେ ତାଙ୍କ ଦୁଃଖ ଲାଘବ ହେବ । ହେଲେ ତାହା ହେଲା ନାହିଁ । ଚାଷୀଙ୍କ ସ୍ୱପ୍ନ ସ୍ୱପ୍ନରେ ରହିଗଲା ।
ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଉଦ୍ଘାଟନ କରିଥିଲେ । ହେଲେ ସେବେଠାରୁ ଏଯାଏଁ କୌଣସି ସୁଫଳ ପାଇନାହାନ୍ତି ଚାଷୀ । କୋଟି କୋଟି ଟଙ୍କା ଖର୍ଚ୍ଚରେ ନିର୍ମିତ ଶୀତଳଭଣ୍ଡାର ଚାରିପଟେ ଏବେ ବଣ ଜଙ୍ଗଲ ସୃଷ୍ଟି ହୋଇସାରିଲାଣି । ନାନାଦି ସରିସୃପଙ୍କ ଘର ପାଲଟିଲାଣି । ଆଉ କୋଠା ଭିତରେ ବିରାଟ ବିରାଟ ଉଇ ହୁଙ୍କା ଠିଆ ହେଲାଣି । ଏଥିରୁ ସ୍ପଷ୍ଟ ଅନୁମେୟ ଶୀତଳଭଣ୍ଡାର ଭିତରେ ଲାଗିଥିବା ଯନ୍ତ୍ରପାତିର ଅବସ୍ଥା କ’ଣ ହୋଇଥିବ । ତେବେ ଦେଖିବାକୁ ଗଲେ ଏଠି ସରକାର ନିଜେ ‘ସରକାର କା ମାଲ୍ ଦରିଆ ମେଁ ଡାଲ୍’ ନୀତି ଅପଣାଇଛନ୍ତି ।
ଅନ୍ୟ ଏକ ଦିଗରୁ ଦେଖିବାକୁ ଗଲେ ଏଠାକାର ଚାଷୀ, ଆନ୍ଧ୍ର ଚାଷୀଙ୍କଠାରୁ ଖୁବ୍ କମ୍ ଆୟ କରୁଛନ୍ତି । ଉଦାହରଣ ସ୍ୱରୂପ, ଏଠାରେ ଚାଷୀ ଯେଉଁ ତେନ୍ତୁଳି ସଂଗ୍ରହ କରନ୍ତି ତାକୁ କିଲୋ ପିଛା ୨୫ ଟଙ୍କାରେ ବିକ୍ରି କରନ୍ତି । କାରଣ ତେନ୍ତୁଳି ରଖିବାକୁ ତାଙ୍କ ପାଖରେ କୌଣସି ସୁବିଧା ନାହିଁ । ତେନ୍ତୁଳି ରଖି ନଷ୍ଟ କରି ଫିଙ୍ଗିବା ଅପେକ୍ଷା ସେମାନେ ଯାହା ଦର ମିଳୁଛି ସେତିକିରେ ବିକିଦେବାକୁ ଉଚିତ୍ ମଣୁଛନ୍ତି । କିନ୍ତୁ ଠିକ୍ ଏହି ସମୟରେ ଆନ୍ଧ୍ର ଚାଷୀ ତେନ୍ତୁଳି କଲୋ ପିଛା ୧୦୦ ଟଙ୍କାରେ ବିକ୍ରି କରୁଛନ୍ତି । କାରଣ ଆନ୍ଧ୍ର ସରକାର ଚାଷୀଙ୍କ ପାଇଁ ଶୀତଳଭଣ୍ଡାରର ସୁବିଧା କରିଛନ୍ତି । ଯାହାଦ୍ୱାରା ଚାଷୀମାନେ ଖୁବ୍ ଉପକୃତ ହେଉଛନ୍ତି ଏବଂ ସେମାନଙ୍କର ଆୟ ବଢ଼ୁଛି ।
ସରକାରୀ ସୁଚନା ଅନୁସାରେ ରାୟଗଡ଼ାରେ ୫ ହାଜର ମେଟ୍ରିକ୍ ଟନ୍ କ୍ଷମତା ସମ୍ପନ୍ନ ଶୀତଳଭଣ୍ଡାର ରହିଛି । ୧୯୯୮ ମସିହାରେ RLTAP ଓ RKVY ସ୍କିମ୍ରେ ୪ କୋଟି ୩୮ ଲକ୍ଷ୍ୟ ଟଙ୍କା ବ୍ୟୟରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା । ୨୦୧୩ରେ ଯେତେବେଳେ ଉଦ୍ଘାଟନ କରାଗଲା ସେତେବେଳେ ପ୍ରକଳ୍ପ ସମ୍ପୂର୍ଣ ହୋଇନଥିଲା । ପରେ ଏହାକୁ ତୁରନ୍ତ କାର୍ଯ୍ୟକ୍ଷମ କରିବା ନିମନ୍ତେ ୨୦.୦୯.୨୦୧୪ରେ MARKEDକୁ ଦାୟିତ୍ଵ ଦିଆଯାଇଥିଲା । ହେଲେ କୌଣସି ସୁଫଳ ମିଳିନଥିଲା । ଯଥା ପୂର୍ବଂ ତଥା ପରଂ ସ୍ଥିତି ରହିଥିଲା । ପରେ ଶୀତଳଭଣ୍ଡାରକୁ ମରାମତି କରି କାର୍ଯ୍ୟକ୍ଷମ କରିବା ନିମନ୍ତେ NCDCକୁ ୨ କୋଟି ୬୭ ଲକ୍ଷ୍ୟ ଟଙ୍କା ପ୍ରଦାନ କରାଯାଇଥିଲା । ସେ ବି କିଛି ବର୍ଷ ପରେ ସୁଦ୍ଧମୂଳ ସହିତ ଟଙ୍କା ଫେରାଇ ଦେଇଥିଲା । ଫଳରେ ଚାଷୀ ପୂର୍ବରୁ ଯେମିତି ଅସୁବିଧା ଭୋଗୁଥିଲେ ଏବେ ବି ସେମିତି ସ୍ଥିତିରେ ଅଛନ୍ତି । ଏଥିରୁ ସ୍ପଷ୍ଟ ଅନୁମେୟ ଯେ, ଚାଷୀଙ୍କ ପ୍ରତି ସରକାର କେତେ ଦରଦୀ ।