• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କଟକ ଜିଲ୍ଲା ଆଠଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳରେ ତ ସମସ୍ୟା କହିଲେ ନସରେ । କେଉଁଠି ପାଇପ ଜଳ ଯୋଗାଣ ଫେଲ ମାରିଛି, ତ ଆଉ କେଉଁଠି କାମରେ ଆସୁନି ଓଭରହେଡ୍ ଟ୍ୟାଙ୍କ୍ । ଏହାରି ଭିତରେ ବିଭାଗୀୟ ଅବହେଳା ଲୋକଙ୍କୁ କଲବଲ କଲାଣି ।

ଏମିତି କିଛି ଘଟଣା ଦେଖିବାକୁ ମିଳିଛି ଆଠଗଡ଼ରେ । ଧାଡ଼ି ଧାଡ଼ି କରି ରଖିଛନ୍ତି ଗରା, ବାଲଟି । ଅପେକ୍ଷା କରିଛନ୍ତି ପାଣି ଟ୍ୟାଙ୍କରକୁ । ପାଣି ନେଲେ ଘରେ ରୋଷେଇ ହେବ, ନିତ୍ୟ ବ୍ୟବହାର୍ଯ୍ୟ କାମରେ ଆସିବ । ଆଠଗଡ଼ ବ୍ଲକ କୁଲେଇଲୋ ପଞ୍ଚାୟତ ତଳଗଡ଼ ଗାଁରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଗ୍ରାମ୍ୟ ଜଳଯୋଗାଣ ବିଭାଗ ଷ୍ଟାଣ୍ଡପୋଷ୍ଟ ତିଆରି କରାଯାଇଛି । ହେଲେ, ପାଣି ଆସୁନି । କୂଅ ଶୁଖିଲା ପଡ଼ିଥିବା ବେଳେ ଏବେ ଭରସା ଖାଲି ଟ୍ୟାଙ୍କର ପାଣିକୁ । ସମସ୍ୟା ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ କୌଣସି ସୁଫଳ ମିଳୁନାହିଁ ।

ସେହିଭଳି ତିଗିରିଆ ବ୍ଲକ ନିଜିଗଡ଼ ପଞ୍ଚାୟତ ଗୋପୀନାଥପୁର ଶାସନ, କରଡ଼ାପାଲି ଓ ନିଜିଗଡ଼ରେ ମଧ୍ୟ ପାଣି ପାଇଁ ଡହଳ ବିକଳ ଲୋକ । ନିଜିଗଡ଼ ପଞ୍ଚାୟତରେ ପାଣି ସମସ୍ୟାର ସମାଧାନ ପାଇଁ ୨୦୦୭ରେ ୯୭ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚକରି ଜଳ ଯୋଗାଣ ପ୍ରକଳ୍ପ କରାଯାଇଛି । ମାତ୍ର ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ରୂପେ ହୋଇପାରୁନି କାର୍ଯ୍ୟକ୍ଷମ । ଫଳରେ ଦିନକୁ ଅତି ବେଶିରେ ଘଣ୍ଟାଏ ଜଳ ଯୋଗାଣ ହୋଇପାରୁଛି । ଯାହା ସମସ୍ତଙ୍କ ପାଇଁ ନିଅଣ୍ଟ ପଡୁଛି । ସମସ୍ୟା ନେଇ ଆଠଗଡ଼ ବିଧାୟକ କହିଛନ୍ତି ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ।

ସେପଟେ ଉପାନ୍ତରୁ ଉପକୂଳିଆ ସମସ୍ତଙ୍କୁ କଲବଲ କରୁଛି ପାନୀୟ ଜଳ ସମସ୍ୟା । କେଉଁଠି ଅଧପନ୍ତରିଆ ହୋଇଛି ପ୍ରକଳ୍ପ ତ ଆଉ କେଉଁଠି ଅକାମୀ ନଳକୂପ । କୂଅ-ପୋଖରୀ ଶୁଖିବା ଅବସ୍ଥାରେ ଥିବା ବେଳେ, ଦୁଷିତ ଜଳ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ଲୋକ । ବାରମ୍ବାର ଗୁହାରି କରି ସମସ୍ୟାର ସମାଧାନ ହେଉନଥିବାରୁ, ପ୍ରଶାସନ ଉପରୁ ଭରସା କରିବା ଛାଡି ଦେଲେଣି ଲୋକେ ।

ଏଠି ଆମେ କହୁଛୁ ମାଲକାନଗିରି ଓ କାଲିମେଳାର ପାଣି ସମସ୍ୟା କଥା । ଦୁଇ ବ୍ଲକର ଜଳ ସମସ୍ୟା ସୂର କରିବା ପାଇଁ ୧୦ ପ୍ରକଳ୍ପ ଘୋଷଣା ସହ ୧୧୧୩ କୋଟିର ବ୍ୟୟବରାଦ ପରେ ସ୍ଥାନୀୟ ଲୋକଙ୍କ ମନରେ ନୂଆ ଆଶା ସଂଚାର ହୋଇଥିଲା । ଆଶା ଥିଲା ଏଥର ଜଳକଷ୍ଟକରୁ ମୁକ୍ତି ମିଳିବ । ହେଲେ ପ୍ରଶାସନର ଘୋଷଣା ଏଠି ଧୂଆଁବାଣ ପାଲଟିଛି । ନିର୍ମାଣ ଅବଧି ପୂରଣ ହେବାକୁ ଆଉ ମାତ୍ର ୪ ମାସ ବାକିଥିବା ବେଳେ, ମାତ୍ର ୩୦ ପ୍ରତିଶତ କାର୍ଯ୍ୟ ସରିଛି । ଠିକାସଂସ୍ଥାର କଛପ ଗତିର କାର୍ଯ୍ୟ ଦେଖି, ବିଶୁଦ୍ଧ ପାଣି ପିଇବା ଆଶା ଲୋକଙ୍କ ମନରୁ ମିଳେଇ ଗଲାଣି ।

ସେହିଭଳି କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ସପନପୁର ଗାଁ ଲୋକଙ୍କ ପାଇଁ ମଧ୍ୟ ବିଶୁଦ୍ଧ ପାନୀୟ ଜଳ ପାଲଟିଛି ସାତସପନ । ଗାଁରେ ଥିବା ଦୁଇଟି ନଳକୂପ ଅଚଳ ହୋଇପଡିଥିବା ବେଳେ ଗୋଟିଏ ନଳକୂପ ଉପରେ ନିର୍ଭର କରୁଛନ୍ତି ଶହ ଶହ ପରିବାର । ସକାଳୁ ରାତି ଯାଏ ନଳକୂପ ମୂଳେ ଲାଗେ ଗରା, ବାଲଟିର ଲାଇନ । ସେପଟେ ସମସ୍ୟା ନେଇ ବିଡିଓଙ୍କ ଚିରାଚତିତ ଉତ୍ତର ହେଉଛି ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ ହେବ ।

ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଭଗବାନପୁର ଶାସନରେ ମଧ୍ୟ ପିଇବା ପାଣି ପାଇଁ ସଂଘର୍ଷ କରୁଛନ୍ତି ଗାଁ ଲୋକ । ସୋଲାର ସିଷ୍ଟମ ପାଇପ ପାଣି ବ୍ୟବସ୍ଥା ଫେଲ ମାରିଥିବା ବେଳେ ବାଧ୍ୟ ହୋଇ ପୋଖରୀ ପାଣି ବ୍ୟବହାର କରୁଛନ୍ତି ଲୋକ । ସମସ୍ୟା ବାବଦରେ ଔପଦା ବିଡିଓ ଅବଗତ ହେବା ପରେ ଦେଇଛନ୍ତି ସମାଧାନର ପ୍ରତିଶ୍ରୁତି ।

ଯୋଜନା ହେଉଛି, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ବି ହେଉଛି । ମାତ୍ର ବିଭାଗୀୟ ଉଦାସୀନତା ଯୋଗୁଁ କାମରେ ଆସୁନି ପ୍ରକଳ୍ପ । ସମସ୍ୟାର ସମାଧାନ କରି ଖୁବଶୀଘ୍ର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ସାଧାରଣରେ ହୋଇଛି ଦାବି ।