• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sumitra Padhi

ପିଲାବେଳେ ବଙ୍କେଇ ଟଙ୍କେଇ ମୋଡ଼ି ଯାଉଥିବା କଳା ରଙ୍ଗର ପ୍ଲାଷ୍ଟିକ୍ ଫ୍ଲେକ୍ସିବଲ୍ ସାପ ଦେଖେଇ ସାଙ୍ଗମାନେ ଡରେଇଥିବାର ଅନେକଙ୍କର ମନେଥିବ । ମେଳାରେ ବିକ୍ରୀ ହେଉଥିଲା ସେ ସାପ । ଆମ ଘରପାଖ ବେତଡ଼ା ହାଟର ପ୍ରସିଦ୍ଧ ଲକ୍ଷ୍ମୀପୂଜା କି ବାସୁଦେବପୁରର ବହୁ ଆଦୃତ କାଳିପୂଜା ବେଳେ ମୋ ବୁଢା'ପା ଦୋକାନରେ କଲିକତାରୁ ଆସିଥିବା ଅନ୍ୟ ଖେଳନା ଭିତରେ ଏଇଟା ବି ବିକ୍ରୀ ହୁଏ । ପରେ ଟିକେ ବଡ଼ ହେବା ପରେ କାଠରେ ତିଆରି ଫ୍ଲେକ୍ସିବଲ୍ କୁମ୍ଭୀର, ସାପ ଆଦି ବି ଦେଖିଥିଲି । ମାଆ ସେସବୁ ଛୋଟ ପିଲାଙ୍କ ଶ୍ରେଣୀରେ ବିଭିନ୍ନ ଶିକ୍ଷଣ ଖେଳରେ ବ୍ୟବହାର କରିବା ପାଇଁ କିଣି ରଖିଥିଲା । ଆହୁରି ବଡ଼ ହେବା ପରେ ଯାଇ ଦେଖିଲି ପିତ୍ତଳରେ ତିଆରି ଫ୍ଲେକ୍ସିବଲ୍ ଫିସ୍ । ସୁନା ରଙ୍ଗର ମାଛର ସୁନ୍ଦର ସୁନ୍ଦର ନାଲି ଆଖି ମୋତେ ଖୁବ୍ ଆକର୍ଷିତ କଲା । ସେଇ ଦିନଠୁ ମୁଁ ଏଇ ହଲୁଥିବା ସୁନା ମାଛ ଆଉ ତା ନାଲି ଆଖି ଉପରେ ବଡ଼ ଲୋଭ। ପରେ ଜାଣିଲି ଏହାକୁ ତିଆରି କରିବାକୁ ବହୁତ ସମୟ ଲାଗେ।

ଏବେ ଏହି ଫ୍ଲେକ୍ସିବଲ୍ ପିତ୍ତଳ ମାଛକୁ କେବଳ ସାଜସଜ୍ଜା ଜିନିଷ ଭାବରେ ବ୍ୟବହାର କରାଯାଉଛି ଯଦିଓ, ଅତୀତରେ କିନ୍ତୁ ଏହାକୁ ବିଷ୍ଣୁଙ୍କ ମତ୍ସ୍ୟ ଅବତାରର ପ୍ରତୀକ ଭାବରେ ଗଣା ଯାଉଥିଲା। ଏହାକୁ ଶାନ୍ତିର ପ୍ରତୀକ ଭାବରେ ମଧ୍ୟ ବିବେଚନା କରାଯାଏ । ପାରମ୍ପରିକ ବିବାହ କର୍ମରେ ଝିଅ ବିଦା ବେଳେ ତା' ସାଙ୍ଗରେ ଯେଉଁ କାଠ ବାକ୍ସଟି ଦିଆଯାଏ, ସେଥିରେ ସିନ୍ଦୂର, କଜ୍ଜ୍ଵଳ, ଟଙ୍କା ସହ ଏହି ଫ୍ଲେକ୍ସିବଲ୍ ପିତ୍ତଳ ମାଛଟି ନିଶ୍ଚୟ ଦିଆଯାଏ। କାରଣ ଏହାକୁ ଶାନ୍ତିର ପ୍ରତୀକ ଭାବରେ ସମସ୍ତେ ଗ୍ରହଣ କରନ୍ତି ଓ ବିଶ୍ବାସ କରନ୍ତି ଯେ, ଏଇଟିକୁ ପାଖରେ ରଖିଲେ ଝିଅ ତା' ଶ୍ୱଶୁର ଘରେ ସୁଖ ଓ ଶାନ୍ତିରେ ଜୀବନ ବିତେଇବ।

ଓଡ଼ିଶାରେ ପିତ୍ତଳରେ ତିଆରି ହେଉଥିବା ଏହି ଫ୍ଲେକ୍ସିବଲ୍ ଫିସ୍ କ୍ରାଫ୍ଟର କଳା କାରିଗରୀ ଖୁବ୍ ପୁରୁଣା । ଏହା ନବମ ଶତାବ୍ଦୀରେ ଭଞ୍ଜ ରାଜାଙ୍କ ଶାସନ କାଳରେ ଆରମ୍ଭ ହୋଇଥିଲା ବୋଲି କୁହାଯାଏ। କିନ୍ତୁ ଏହା ସ୍ୱୀକୃତି ପାଇଥିଲା ଯାଇ ୧୬୫୮ ଖ୍ରୀଷ୍ଟାବ୍ଦରୁ ୧୭୦୭ ଖ୍ରୀଷ୍ଟାବ୍ଦ ମଧ୍ୟରେ। ଜଣାଯାଏ ଯେ, ଏହା ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ଅଞ୍ଚଳରେ ହିଁ ଆରମ୍ଭ ହୋଇଥିଲା। ଏବେ ବି ବେଲଗୁଣ୍ଠାର ଅଳ୍ପ କେଇଘର କାରିଗର ଏହି ପାରମ୍ପରିକ କାରିଗରୀକୁ ବଞ୍ଚାଇ ରଖିଛନ୍ତି।

ଅଧିକ ପଢ଼ନ୍ତୁ: ପଛରେ ଆରମ୍ଭ ହୋଇ ସ୍ଵତନ୍ତ୍ର ପରିଚୟ ତିଆରି କରିଛି ଓଡ଼ିଶା ପେପରମାସି

ଏହି କଳାକୃତିର ମୁଖ୍ୟ ଆକର୍ଷଣ ହେଉଛି, ହଲଚଲ୍ ହୋଇପାରୁଥିବାରୁ ଏହାର ଜୀବନ ଥିବା ପରି ମନେହୁଏ। ଯେତେବେଳେ ଏହି ଶିଳ୍ପ ପ୍ରଥମେ ଆରମ୍ଭ ହେଲା ସେତେବେଳେ କେବଳ ମାଛ ତିଆରି ହେଉଥିଲା। ଏବେ କିନ୍ତୁ ବଜାରରେ ଆପଣ ମାଛ, ଚିଙ୍ଗୁଡ଼ି ପରି ଜଳଚର ପ୍ରାଣୀ ସହ ସାପ ଓ କଇଁଛ ପରି ଉଭୟଚର ପ୍ରାଣୀ ବି ଦେଖିବାକୁ ପାଇବେ ।

ପୂରା ମାଛଟି ତିଆରି ହୁଏ ପିତ୍ତଳର ଚଦରରେ । ମଝିରେ ଅନେକ ଥର ରୁପା ଓ କାଠ ଆଦିରେ ଏହି ଫ୍ଲେକ୍ସିବଲ ଫିସ୍ ତିଆରି କରାଯାଇଥିଲେ ବି ତାହାର ଚାହିଦା ବଜାରରେ ସେମିତି ହୋଇପାରିନି । ଏକରେ, ଏହାର ମୂଲ୍ୟ ଅଧିକ ହୋଇଯାଇଛି, ଏବଂ ଦ୍ଵିତୀୟରେ ପିତ୍ତଳ ମାଛଟି ଆଫୋଡେବଲ୍ ମୂଲ୍ୟରେ ଯେଉଁ ଚକଚକ୍ କରୁଥିବା ଉଜ୍ବଳ ସୁନାର ସୌନ୍ଦର୍ଯ୍ୟ ଦେଉଛି, ଅନ୍ୟ ସବୁ ତାହା ଦେଇ ପାରୁନି । ତେଣୁ ପିତ୍ତଳ ମାଛର କାରିଗରୀ ବଞ୍ଚି ରହିଛି।

କଳାକୃତିଟି ତିଆରି କରିବା ପାଇଁ ପ୍ରଥମେ ପିତ୍ତଳ ଚଦରକୁ ଛୋଟ ଛୋଟ ଖଣ୍ଡ କରି କଟାଯାଏ ଓ ପିତ୍ତଳ ତାରକୁ କାଟି ମାଛର ନିଶ, ଚିଙ୍ଗୁଡ଼ିର ଗୋଡ଼ ଆଦି ତିଆରି କରାଯାଏ । ଆଖି ହେଉଛି ଏକମାତ୍ର ଅଂଶ ଯେଉଁଥିପାଇଁ ଅତି ଉଜ୍ଜ୍ୱଳ ଲାଲ ରଙ୍ଗର ପଥର ବ୍ୟବହାର କରାଯାଏ। ସମୟ ସହିତ ବହୁଦିନ ଧରି ବ୍ୟବହାର ହେଲେ ଏହି କଳାକୃତିଗୁଡ଼ିକ ଅଧିକ ନମନୀୟ ହୋଇଯାଏ ।

ସମଗ୍ର କଳାକୃତିଟିକୁ ଆମେ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରିପାରିବା। ଯଥା; ମୁଣ୍ଡ, ଦେହ ଏବଂ ଲାଞ୍ଜ । ସମ୍ପୂର୍ଣ୍ଣ ମାଛଟିର ମୁଣ୍ଡ ଓ ଲାଞ୍ଜ ୨୫ ପ୍ରତିଶତ ଲେଖାଏଁ ହୋଇଥିବା ବେଳେ ଦେହଟି ୫୦ ପ୍ରତିଶତ। ମୁଣ୍ଡ ହେଉଛି ମୁଖ୍ୟ ଅଂଶ ଯାହାକୁ ପ୍ରଥମେ ତିଆରି କରାଯାଏ। ଦେହର ଲମ୍ବ ଓ ଚଉଡ଼ା ଅନୁସାରେ ମୁଣ୍ଡର ଆକାର ସ୍ଥିର କରାଯାଏ । ଦେହର ଦୁଇ ପାଖରେ ଡେଣା ଲଗେଇବା ପାଇଁ ଛୋଟ ଦୁଇଟି କଣା କରାଯାଏ। ଲାଞ୍ଜଟି ହେଉଛି ଶେଷ ଖଣ୍ଡ ଏବଂ ଶେଷରେ ତିଆରି କରାଯାଏ। ଏହା ଦୁଇଟି ଅଲଗା ଖଣ୍ଡରେ ତିଆରି। ଏ ଖଣ୍ଡ ଦୁଇଟି ଦେଖିବାକୁ ଏକା ପରି । ସେଗୁଡିକ ଅଲଗା ଭାବରେ ତିଆରି ହେବା ପରେ ଏକତ୍ର ୱେଲଡିଂ କରାଯାଇ ଯୋଡ଼ାଯାଏ ।

ଗଞ୍ଜାମର କଳାକୃତିଗଞ୍ଜାମର କଳାକୃତି

ପିତ୍ତଳରେ ଯେତେ ପ୍ରକାର ଫ୍ଲେକ୍ସିବଲ୍ ଜିନିଷ ତିଆରି କରାଯାଏ, ସେ ଭିତରେ ସାପ ସବୁଠାରୁ ମହଙ୍ଗା। କାରଣ, ଏହାକୁ ତିଆରି କରିବା ପାଇଁ ବହୁତ ଅଧିକ ସାମଗ୍ରୀ ଆବଶ୍ୟକ ହେବା ସହ ଏହାକୁ ତିଆରି କରିବାରେ ଅଧିକ ସମୟ ବି ଖର୍ଚ୍ଚ ହୋଇଥାଏ ।

ଦୁର୍ଭାଗ୍ୟର ବିଷୟ ଏହି ଫ୍ଲେକ୍ସିବଲ୍ ପିତ୍ତଳ ମାଛ ତିଆରି କରୁଥିବା କାରିଗରଙ୍କ ସଂଖ୍ୟା ଧିରେ ଧିରେ ହ୍ରାସ ପାଉଛି । ବଜାରରେ ଚାହିଦା କମ୍ ଓ ଏମିତି ଏକ କ୍ରାଫ୍ଟ ଫର୍ମ ବିଷୟରେ ଲୋକେ ଜାଣିନଥିବା ହିଁ ଏହାର ଗୋଟିଏ କାରଣ । ଯେଉଁ କାରିଗରମାନେ ଏପର୍ଯ୍ୟନ୍ତ ଏହି କଳାକୃତି ତିଆରି କରୁଛନ୍ତି ସେମାନେ ନିଜ ଗୁଜୁରାଣ ମେଣ୍ଟାଇବା ପାଇଁ ଅନ୍ୟ ଚାକିରି ବି କରୁଛନ୍ତି। ଏମିତିରେ ବି ସବୁ ଭେରାଇଟିର ଫ୍ଲେକ୍ସିବଲ୍ ଫିସର ମୂଲ୍ୟ ଅନ୍ୟ କ୍ରାଫ୍ଟମାନଙ୍କ ଠାରୁ ଟିକେ ଅଧିକ। ଇଞ୍ଚ ଅନୁସାରେ ଏହାର ମୂଲ୍ୟ ଧାର୍ଯ୍ୟ କରାଯାଏ । କେବଳ ପିତ୍ତଳ ପାଇଁ ନୁହେଁ କେଉଁ ମାଛର ଶରୀର କେତେ ଅଧିକ ନମନୀୟ ଅର୍ଥାତ୍ କାହା ଦେହରେ କେତେ କମ୍ ଓସାରିଆ ପିତ୍ତଳ ରିଙ୍ଗ ଦେଇ ତିଆରି ହୋଇଛି ତା ଉପରେ ନିର୍ଭର କରେ ଦର ।

ତେବେ ଫ୍ଲେକ୍ସିବଲ୍ ପିତ୍ତଳ ମାଛ ତିଆରି ପ୍ରକ୍ରିୟା ଭାରି ନିଖୁଣ।

୧. କଞ୍ଚାମାଲ୍:

* ପିତ୍ତଳ ଚାଦର: ଏହା ହେଉଛି ମୁଖ୍ୟ କଞ୍ଚାମାଲ। କାରଣ ମାଛର ସମସ୍ତ ବିଭାଗ ଏବଂ ଅଂଶଗୁଡ଼ିକ ପିତ୍ତଳ ଚାଦରର ଛୋଟ ଛୋଟ ଖଣ୍ଡରେ ତିଆରି ।

* ପିତ୍ତଳ ତାର: ମାଛର ବିଭିନ୍ନ ଅଂଶଗୁଡ଼ିକୁ ଏକତ୍ର ସଂଯୋଗ କରିବା ପାଇଁ ବ୍ୟବହୃତ ହୁଏ ।

* ଟିଣ ଏବଂ ଜିଙ୍କ ମିଶ୍ରଣ: ଏହି ମିଶ୍ରଣ ପିତ୍ତଳର ଖଣ୍ଡଗୁଡ଼ିକୁ ୱେଲ୍ଡିଂ କରି ଯୋଡ଼ିବା ପାଇଁ ବ୍ୟବହୃତ ହୁଏ।

୨. ବ୍ୟବହୃତ ଉପକରଣ:

* ହାତୁଡ଼ି: ଏହା ମୁଖ୍ୟତଃ ପିତ୍ତଳ ଚାଦରକୁ ପିଟି ଆବଶ୍ୟକ ଆକାର ଦେବା ପାଇଁ ବ୍ୟବହୃତ ହୁଏ ।

ପିତ୍ତଳରେ ତିଆରି ମାଛପିତ୍ତଳରେ ତିଆରି ମାଛ

* ଲମ୍ବା ମେଟାଲ୍ ରଡ୍: ମେଟାଲ୍ ରଡ୍ ଟି କୋଣିଆ। ଏହାର ଗୋଟିଏ କୋଣିଆ ଅଗ ବି ଥାଏ, ଯାହା ମୁଖ୍ୟତଃ ମାଛର ବିଭିନ୍ନ ଅଂଶ ସୃଷ୍ଟି କରିବା ସମୟରେ ଏକ ରେଫରେନ୍ସ ଭାବରେ ବ୍ୟବହୃତ ହୁଏ । ମାଛର ମୁଣ୍ଡ ତିଆରି କରିବା ପାଇଁ ଅଗ ବ୍ୟବହୃତ ହୁଏ ଏବଂ ବାକି ଅଂଶ ଶରୀର ପାଇଁ ସେଗମେଣ୍ଟ ତିଆରି କରିବାରେ ବ୍ୟବହୃତ ହୁଏ ।

* ଡ୍ରିଲିଂ ମେସିନ୍: ଆବଶ୍ୟକ ସ୍ଥଳେ କଣା କରିବା ପାଇଁ ଏକ ହାତଚଲା ଡ୍ରିଲିଂ ମେସିନ୍ ବ୍ୟବହୃତ ହୁଏ । କଳାକୃତିଗୁଡ଼ିକ ସୁକ୍ଷ୍ମ ହୋଇଥିବାରୁ ଏବଂ ସହଜରେ ନଷ୍ଟ ନହେବା ଲାଗି କାରିଗରମାନେ ବିଦ୍ୟୁତ୍ ଚାଳିତ ଅପେକ୍ଷା ହାତ ଚାଳିତ ଡ୍ରିଲ୍ କୁ ଅଧିକ ପସନ୍ଦ କରନ୍ତି।

* ସଣ୍ଡୁଆସି: ଏହା କଳାକୃତିର ଅଂଶଗୁଡ଼ିକୁ ଚୁଲିରୁ ଉଠାଇବା ପାଇଁ ବ୍ୟବହୃତ ହୁଏ ।

* ହ୍ୟାକସ୍: ଏହା କାଟିବା ପାଇଁ ବ୍ୟବହୃତ ହୁଏ ।

* ଫର୍ନେସ୍: ଜିଙ୍କ୍ ଏବଂ ଟିଣର ଆଲଏ ସାହାଯ୍ୟରେ ଜଏଣ୍ଟ ସବୁ ଯୋଡ଼ିବା ପାଇଁ ବ୍ୟବହାର କରାଯାଏ ।

* ହାତ ଚାଳିତ ପବନ ବ୍ଲୋଅର୍: ନିଆଁ ଜାଳିବା ପାଇଁ ଦରକାର ହୁଏ ।

* ଡିଭାଇଡର୍: ପିତ୍ତଳ ଚାଦର କାଟିବା ପୂର୍ବରୁ ସଠିକ୍ ମାପ ପାଇଁ ଡିଭାଇଡର୍ ବ୍ୟବହୃତ ହୁଏ ।

* କଇଁଚି: ପିତ୍ତଳ ଚାଦର ଓ ପିତ୍ତଳ ତାରକୁ କାଟିବା ପାଇଁ ଏହା ବ୍ୟବହୃତ ହୁଏ ।

* ନିହାଣ: ସମସ୍ତ ଧାରକୁ ଆକାର ଦେବା ପାଇଁ ବ୍ୟବହୃତ ହୁଏ।

ନିଆରା କଳାକୃତିନିଆରା କଳାକୃତି

୩. ତିଆରି ପ୍ରକ୍ରିୟା:

ମାଛ, ଚିଙ୍ଗୁଡ଼ି, ସାପ ଆଦି ସବୁ ପାଇଁ ତିଆରି ପ୍ରକ୍ରିୟା ସମାନ ।

* ପ୍ରଥମେ ଆବଶ୍ୟକତା ଅନୁଯାୟୀ ଆକାର କରାଯାଏ। ଯଥା: ୧୦ ସେମି ମାଛ ପାଇଁ ୨.୫ ସେମି ହେଉଛି ମୁଣ୍ଡ, ୨.୫ ସେମି ଲାଞ୍ଜ ଓ ୫ ସେମି ଶରୀର । ମାଛର ପ୍ରତ୍ୟେକ ଇଞ୍ଚ ପାଇଁ ଚାରୋଟି ବିଭାଗ ଆବଶ୍ୟକ । ତେଣୁ ଏକ ୫ ସେ.ମି ଶରୀର ପାଇଁ, ୮ଟି ସେଗମେଣ୍ଟ ଦରକାର ।

* ତାପରେ ପିତ୍ତଳ ଚାଦରକୁ ଆବଶ୍ୟକ ଲମ୍ବ ଓ ପ୍ରସ୍ଥ ଅନୁସାରେ ଛୋଟ ଛୋଟ ଖଣ୍ଡରେ କାଟି ଦିଆଯାଏ । ଡିଭାଇଡର୍ ବ୍ୟବହାର କରି ଏହାକୁ ସଠିକ୍ ଭାବରେ ମାପ କରାଯାଏ ।

* ଏହି ଖଣ୍ଡଗୁଡ଼ିକୁ ପରେ ନିହାଣ ଏବଂ ହାତୁଡ଼ି ବ୍ୟବହାର କରି ଢେଉ ଢେଉକା କରାଯାଏ।

* ମାଛର ମୁଣ୍ଡ ତିଆରି କରିବା ପାଇଁ ଖଣ୍ଡେ ପିତ୍ତଳ ଚାଦର କାଟି ଗୋଟେ କୋଣିକିଆ ଆକାର କରାଯାଏ ।

• ଶରୀରର ସେଗମେଣ୍ଟଗୁଡିକ ଆବଶ୍ୟକୀୟ ଆକାରର ବୃତ୍ତରେ ପରିଣତ କରିବା ପାଇଁ ଧାତୁ ରଡରେ ପିଟାଯାଏ । ଆଗ ଅଂଶଟି ଠାରୁ ପଛ ଅଂଶଟି ସବୁବେଳେ ଟିକେ ଛୋଟ ହୁଏ ଆକୃତି ଓ ଫ୍ଲେକ୍ସିବିଲିଟି ବଜାୟ ରଖିବା ପାଇଁ।

* ଏହି ପିତ୍ତଳ ଖଣ୍ଡର ଶେଷରେ ଜିଙ୍କ ଏବଂ ଟିଣର ମିଶ୍ରଣର ଛୋଟ ପେଷ୍ଟ ଦିଆଯାଏ ।

* ତାପରେ ସମସ୍ତ ଅଂଶ ଠିକ୍ ରେ ଯୋଡ଼ିବା ପାଇଁ ରିଙ୍ଗଗୁଡ଼ିକୁ ନିଆଁରେ ଗରମ କରାଯାଏ ଏବଂ ସାଙ୍ଗେସାଙ୍ଗେ ଥଣ୍ଡା ପାଣିରେ ପକାଇ ଥଣ୍ଡା କରାଯାଏ ।

* ଶରୀରର ପ୍ରଥମ ଭାଗକୁ ମୁଣ୍ଡ ପଛକୁ ରଖାଯାଇ ସଠିକ୍ ଭାବରେ ଆଲାଇନମେଣ୍ଟ କରାଯାଏ ଏବଂ ଏକ କଣା କରି ଶରୀରର ଉଭୟ ସେଗମେଣ୍ଟକୁ ମାଛର ମୁଣ୍ଡ, ଲାଞ୍ଜ ସହ ଯୋଡି ଦିଆଯାଏ।

* ତା’ପରେ ସେଇ କଣା ଦେଇ ପିତ୍ତଳ ତାର ଯାଇ ଖଣ୍ଡଗୁଡ଼ିକୁ ଏକତ୍ର ବାନ୍ଧିବା ପାଇଁ ବ୍ୟବହୃତ ହୁଏ ।

* ତାପରେ ଲାଞ୍ଜ ସମେତ ଅନ୍ୟ ସମସ୍ତ ବିଭାଗରେ ଛିଦ୍ରଗୁଡିକ ପିତ୍ତଳ ତାରକୁ ଏକତ୍ର ବାନ୍ଧିବା ପାଇଁ ବ୍ୟବହୃତ ହୁଏ ।

* ପିତ୍ତଳ ଚାଦରରେ ମାଛର ଡେଣା ତିଆରି ହୁଏ।

* ଡେଣା ଲଗାଇବା ପାଇଁ ନିର୍ଦ୍ଦିଷ୍ଟ ସ୍ଥାନରେ ଛିଦ୍ର କରାଯାଏ ।

* ଶେଷ ସ୍ପର୍ଶ ଦେବା ପାଇଁ ମାଛରେ ନାଲି ଆଖି ଲଗାଯାଏ ।

ଅନେକ ଦିନ ତଳୁ ମୁଁ ବେଲଗୁଣ୍ଠାର ଜଣେ କାରିଗରଙ୍କ ପାଖରୁ ଗୋଟେ ଛୋଟିଆ ପିତଳ ମାଛ ସଂଗ୍ରହ କରିଥିଲି । ସେଇଟି ଏବେବି ମୋ ପାଖରେ ଅଛି । ସମୟ କ୍ରମେ ତାର ଚକଚକିଆ ରଙ୍ଗ ମସିହା ହେଇ ଏବେ ଆଣ୍ଟିକ ପରି ଦେଖାଯାଉଛି । ଛୋଟ ମାଛ ସହ ବଡ଼ ମାଛ, ଚିଙ୍ଗୁଡ଼ି ଆଦି ସବୁ ମୋ ସଂଗ୍ରହରେ ପରେ ଯୋଡ଼ି ହୋଇଯାଇଛି ଏବଂ ଓଡ଼ିଶାର ଏଇ କଳାଟି ପ୍ରତି ମୋର ମୋହ ବଢ଼ି ବଢ଼ି ଚାଲିଛି।

ପିତ୍ତଳରେ ତିଆରି ଯୋଡି ମାଛପିତ୍ତଳରେ ତିଆରି ଯୋଡି ମାଛ

ଅଧିକ ପଢ଼ନ୍ତୁ : ଜୀବନ ଅଟକିଗଲା ପରି ଲାଗୁଛି କି? ଟ୍ରାଭେଲ୍ ଆପଣଙ୍କୁ ନିଜକୁ ଖୋଜିବାରେ ସାହାଯ୍ୟ କରିପାରିବ

OTV is now on Whatsapp

Join and get latest news update delivered to you via whatsapp

Join Now