• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sumitra Padhi

ମୋତେ ସେତେବେଳକୁ ଚାରି ବର୍ଷ ବୟସ । ବିଦ୍ୟାଳୟର ବାର୍ଷିକ ଉତ୍ସବ ଚାଲିଥାଏ ଆମ ଘର ପାଖରେ । ବାଜା, ମାଇକ୍, ମଞ୍ଚ ଓ ତଳେ ଭରପୁର ଦର୍ଶକ । ମଞ୍ଚ ଉପରେ ତ୍ରିଭଙ୍ଗୀ ଠାଣୀରେ ଠିଆ ହୋଇଥାଏ ମୁଁ । ଦେହ ସାରା ବୋଳା ଯାଇଥାଏ ରବୀନ୍ ନୀଳ ରଙ୍ଗ । ଚାରିପାଖରେ ମୋର ଧଳା ରଙ୍ଗର ଗାଈ ବାଛୁରୀର ମୁଖା ପିନ୍ଧି ବୁଲୁଥାଆନ୍ତି ମୋ ଠାରୁ ବୟସରେ ବଡ଼ କିଛି ପିଲା । ମୋ ମଥାରେ ଖୋସା ଯାଇଥାଏ ମୟୂର ପୁଛ ଓ ହାତରେ ଅମୃତଭଣ୍ଡା ପତ୍ର ନଳୀରେ କଣା କଣା କରି ତିଆରି ହୋଇଥିବା ବଇଁଶୀ ଖଣ୍ଡେ । ତେଣୁ ସେ ଯେ ବାଜିବ ସେ ଆଶା ବୃଥା । କିନ୍ତୁ ମୋ ପରି ପିଲାଟେ ସେକଥା କୁଆଡ଼ୁ ଜାଣିବ ଯେ! ମୋର ଅଗାଧ ବିଶ୍ୱାସ ଥାଏ, ମୋ ହାତରେ ବଇଁଶୀ ଅଛି ମାନେ ସେ ବାଜିବ ନିଶ୍ଚୟ । ତେଣୁ ମୁଖା ପିନ୍ଧା ଗାଈ ବାଛୁରୀଙ୍କୁ ମୋ ଆଡ଼କୁ ଆକର୍ଷିତ କରିବାକୁ ମୁଁ ବଇଁଶୀ ବଜେଇଲି । ଇଚ୍ଛା ସେମାନେ ପାଖକୁ ଆସିଲେ ମୁଁ ଟିକେ ତାଙ୍କ ମୁଖାମାନଙ୍କୁ ଛୁଇଁବି । କେତେ ସତ ସତସତିକା ଦିଶୁଛି ଯେ ! କିନ୍ତୁ ବଇଁଶୀ ମୋର ବାଜିଲାନି । ମୁଁ ପ୍ରାଣ ପଣେ ଶତ ଚେଷ୍ଟା କଲା ପରେ ବି ମୋ ବଇଁଶୀ ବାଜିଲାନି ।

ତେଣୁ ମୁଁ ଅଭିନୟ-ଫଭିନୟ ସବୁ ଭୁଲି ବାଉଁଶରେ ବନ୍ଧା ହୋଇ ତଳକୁ ମୁଣା ପରି ଝୁଲୁଥିବା ମାଇକ୍ରୋଫୋନ୍ ତଳେ ହିଁ ଠିଆ ହୋଇ, “ବାପା ମୋ ବଇଁଶୀ ବାଜୁନି” କହିଦେଇ ଏଣେ ତେଣେ ମୋ ବଇଁଶୀ କିଏ ଠିକ୍ କରିଦେବ ବୋଲି ଅନେଇଲି । ମୋ ପିଲାଳିଆ କାନ୍ଦୁରା ସ୍ୱର ମାଇକରୁ ଶୁଣି ଲୋକେ ଖୁସି ହେଉଥାଆନ୍ତି ଆଉ ହସୁଥାଆନ୍ତି । ମୁଁ କିନ୍ତୁ ଏପଟେ କାନ୍ଦକାନ୍ଦ । ପ୍ରଥମ ଥର ମଞ୍ଚକୁ ଉଠିଥାଏ ବୋଲି କି କ’ଣ ବାପା ଠିଆ ହୋଇଥାଆନ୍ତି ମଞ୍ଚ ପାଖରେ । ଆଉ ପ୍ରାୟ ଷାଠିଏ ସତୁରୀ ସରିକି ସ୍କୁଲ୍ ପିଲାଙ୍କ ପାଇଁ ରୋଷେଇ କରୁ କରୁ ଭାତ ହାଣ୍ଡିର ପେଜତକ ଢାଳି ହୋଇଯାଇ କିଛିଦିନ ତଳେ ପୁରା ବାଁ ପଟ ଶରୀରଟା ପୋଡ଼ି ଯାଇଥାଏ ବୋଲି ସ୍କୁଲ୍ ଘର ବାରଣ୍ଡାରେ ବସି ମୋତେ ଅନେଇଥାଏ ମାଆ ।

Made From Waste Papersଅଦରକାରୀ କାଗଜରେ ତିଆରି

ବଇଁଶୀ ନବାଜିବା ଦୁଃଖ ଠୁ ମୁଖା ଛୁଇଁ ନପାରିବାର ଦୁଃଖ ବଳି ଯାଉଥାଏ ମୋର । ତେଣୁ କାନ୍ଦି କାନ୍ଦି ମଞ୍ଚରୁ ଓହ୍ଲେଇ ଦଉଡ଼ିଲି ମୁଁ । କିଏ ଜଣେ ଅଭିଭାବକ, ଶିକ୍ଷକ କି ପିଲା ଆସି ମୋତେ କାଖେଇ ନେଇଗଲା ମୋର ମନେ ନାହିଁ । ତାପରେ କିନ୍ତୁ ମୁଁ ପୁଣି ମଞ୍ଚକୁ ଆସି ଅଭିନୟ କଲି ଓ ଅଭିନୟ ଶେଷରେ ମୋତେ ଗୋଟେ ମୁଖାଟେ ବି ମିଳିଲା ଦିନାକେତେ ପାଖରେ ରଖିବାକୁ । ପରେ ବଡ଼ ହେଲା ପରେ ଜାଣିଲି ସେସବୁ ନାଟକ ପାଇଁ ସଜବାଜ ଜିନିଷ ଓ ବେଶ ପୋଷାକ ସବୁ ରଖୁଥିବା ଚିତ୍ରାଳୟ ମାନଙ୍କରୁ ଭଡ଼ାରେ ଆସେ ବୋଲି । ଆହୁରି ବଡ଼ ହେଲା ପରେ ଯାଇ ଜାଣିଲି ଏହା ଓଡ଼ିଶାର ଏକ ପାରମ୍ପରିକ କଳା ଯାହାକୁ ପେପରମାସି କୁହାଯାଏ ।

ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଏହି କଳାଟି ଖୁବ୍ ଆଦୃତ ଓ ଅନେକ କାରିଗର ଏହାର ଅଭ୍ୟାସ ଜାରି ରଖିବା ସହ ଆର୍ଥିକ ଭାବେ ଏହା ଉପରେ ନିର୍ଭର ମଧ୍ୟ କରନ୍ତି । ପେପରମାସି'ର ଆକ୍ଷରିକ ଅର୍ଥ ଗୁଣ୍ଡ କାଗଜ ବା ମଣ୍ଡ ପରି ହୋଇଥିବା କାଗଜ । ଆମ ପାଇଁ ନିତିଦିନ ଅଦରକାରୀ ବା ମୂଲ୍ୟହୀନ ହୋଇଯାଉଥିବା କାଗଜ ହିଁ ଏହାର ମୂଳ ଉପାଦାନ । ଆମେ ନଷ୍ଟ କରିଦେଉଥିବା କାଗଜ; ବିଶେଷ କରି ପୁରୁଣା ଖବର କାଗଜ, କଇଁଆ ମଞ୍ଜି, ପାଣି ଓ ରଙ୍ଗକୁ ନେଇ ଏହା ତିଆରି ହୁଏ । ମଇଦା, କଇଁଆ ମଞ୍ଜି (ତେନ୍ତୁଳି) ଓ ପାଣିକୁ ନିଆଁରେ ବସେଇ ଘାଣ୍ଟି ଘାଣ୍ଟି ତିଆରି କରାଯାଏ ଏକ ପ୍ରକାର ବହଳିଆ ଅଠା । ଅଠାଟି କିଣା ଅଠା ପରି ଚଟାପଟ୍ ଯୋଡ଼ିଯାଏନି ସିନା କିନ୍ତୁ ଜଲଦି ଶୁଖିଯାଏ । ଆଉ ପେପରମାସି ପ୍ରସ୍ତୁତିରେ ବାରବାର କାଗଜର ଅନେକ ପରସ୍ତ ଦେବାକୁ ପଡ଼ୁଥିବାରୁ ଏହା ସୁବିଧାଜନକ ହୁଏ । 

paper messi artପେପରମେସି କଳା

ହାତ ତିଆରି ଅଠାର ଫାଇଦା ଏହି ଜଲଦି ଶୁଖିବା । ତେଣୁ ଏବେବି କାରିଗରମାନେ ସେଇ ଧାରାରେ କାମ କରୁଛନ୍ତି । ଅଠା ପାଇଁ ଗୋଟିଏ ଚାମଚ ମଇଦାରେ କିଛି କଇଁଆ ମଞ୍ଜି ଗୁଣ୍ଡ ଓ ଗୋଟିଏ କପ୍ ପାଣି ଦେଇ ସସପେନକୁ ବସେଇବାକୁ ହୁଏ ନିଆଁରେ । ଫୋଟକା ବାହାରିବା ବନ୍ଦ ହେବା ପର୍ଯ୍ୟନ୍ତ ତାକୁ ଅନବରତ ଘାଣ୍ଟିବାକୁ ହୁଏ । ତାପରେ ଯାଇ ନିଆଁରୁ ଓହ୍ଲାଇ ଥଣ୍ଡା ହେବାଯାଏ ବାହାରେ ରଖାଯାଏ । ନିଆଁ ଉପରେ ଥିବା ବେଳେ ପାଣିଆ ଦିଶୁଥିବା ମିଶ୍ରଣଟି କିନ୍ତୁ ଥଣ୍ଡା ହେଉ ହେଉ ବହଳିଆ ହେଇଯାଏ । ଥରେ ଫୁଟିଗଲା ପରେ ଅଠାର ଗୁଣାତ୍ମକତା ବଢିଯାଏ । ପିଲାବେଳେ ଗଣେଶ ପୂଜା କି ସରସ୍ୱତୀ ପୂଜା ବେଳେ ରଙ୍ଗୀନ୍ ପତାକା ସବୁ ବାଣୀରେ ଲଗେଇବା ପାଇଁ ଏହି ଅଠା ବ୍ୟବହାର କରୁଥିବାର ପ୍ରାୟ ସମସ୍ତଙ୍କର ମନେଥିବ ।

ଅଧିକ ପଢ଼ନ୍ତୁ: ଶୂନ୍ୟ ମନ୍ଦିରେ ବିହାର, ରୂପ ରେଖ ନାହିଁ ଯା’ର..

କୁହାଯାଏ ପେପରମାସି ଖ୍ରୀଷ୍ଟୀୟ ୨ୟ ଶତାବ୍ଦୀରୁ ଆରମ୍ଭ ହୋଇଥିଲା ଚାଇନାରୁ । ଆଉ କେହି କେହି ମତ ଦିଅନ୍ତି ଯେ ଏହା ଖ୍ରୀଷ୍ଟପୂର୍ବ ୨୦୨ରୁ ଆରମ୍ଭ ହୋଇଥିଲା ବୋଲି । ଏହା ଏକ ଫ୍ରେଞ୍ଚ ଶବ୍ଦ ହୋଇଥିଲେ ହେଁ ସପ୍ତଦଶ ଶତାବ୍ଦୀ ଯାଏ ଫ୍ରାନ୍ସରେ ପହଞ୍ଚି ନଥିଲା । ପ୍ରଥମେ ଚୀନ୍ ରୁ ଜାପାନ, ଜାପାନରୁ ପର୍ସିଆ ହୋଇ ଭାରତକୁ ଆସିଥିଲା ପେପରମାସି । ପରେ ଅନ୍ୟ ସବୁଆଡେ଼ ବ୍ୟାପିଥିଲା । ପେପରମାସିକୁ ପର୍ସିଆନ୍ ସୁଫି ସାଧୁ ମୀର୍ ସୟେଦ ଅଲ୍ଲୀ ହମଦାନୀ ପ୍ରଥମ କରି କାଶ୍ମୀରକୁ ଆଣିଲା ପରେ ଭାରତରେ ଏହା ଲୋକପ୍ରିୟ ହୋଇଥିଲା । ମୀର୍ ସୟେଦ ଚର୍ତୁଦଶ ଶତାବ୍ଦୀରେ ଯେବେ କାଶ୍ମୀର ଆସିଥିଲେ ସାଙ୍ଗରେ ତାଙ୍କର ଅନେକ କାରିଗରଙ୍କୁ ଧରି ଆସିଥିଲେ । ସେମାନେ ପେପର ପଲ୍ପ ବ୍ୟବହାର କରି ପେପରମାସିର ବିଭିନ୍ନ ସୁନ୍ଦର ସୁନ୍ଦର ଦ୍ରବ୍ୟ ତିଆରି କରୁଥିଲେ । ସେମାନେ ବିଭିନ୍ନ ଆକାରର ବାକ୍ସ, ଦାନୀ, ବାସନ, ଗିନା ଆଦି ତିଆରି କରୁଥିଲେ ।

ଅନ୍ୟ ଏକ ମତ ଅନୁସାରେ, କାଶ୍ମୀରର ରାଜକୁମାର ଏଇ ବିଦ୍ୟାଟି ସମରକନ୍ଦରୁ ଶିଖି ଆସିଥିଲେ ଓ ରାଜା ହେଲା ପରେ ମଧ୍ୟ ଏସିଆରୁ କିଛି କାରିଗରଙ୍କୁ କାଶ୍ମୀର ଡକେଇ ଆଣିଥିଲେ । କାଶ୍ମୀରରେ ସ୍ଥାନୀୟ ଭାଷାରେ ଏହି କାରିଗରୀକୁ କୁହାଯାଏ କାର-ଉ-କଲମଦାନ । ଏମିତି ନାମକରଣର କାରଣ ହେଲା ପ୍ରାଥମିକ ଭାବରେ କଲମ ରଖିବା ଦାନୀ ହିଁ ଏଥିରୁ ତିଆରି ହେଉଥିଲା । କାଶ୍ମୀରର ପେପରମାସି ଦ୍ରବ୍ୟମାନଙ୍କର ବିଦେଶରେ ମଧ୍ୟ ବେଶ୍ ଚାହିଦା ଏବେବି ରହିଛି । ମୋଗଲ ସମୟରେ ଏହି କାରିଗରୀର ଲୋକପ୍ରିୟତା ଭାରତରେ ବଢିଥିଲା । ମୋଗଲ ସମ୍ରାଟମାନଙ୍କର ପେପରମାସିର ଦ୍ରବ୍ୟମାନଙ୍କ ପ୍ରତି ବିଶେଷ ଦୁର୍ବଳତା ଥିଲା । ମୋଗଲ ସମୟରେ ପେପରମାସିରେ ପାଲିଙ୍କି, ଘରର ସିଲିଙ୍ଗ ଓ କବାଟ ହେଉଥିଲା । ତା' ସାଙ୍ଗକୁ ଝରକାରେ କାଠ ସାଙ୍ଗରେ ବ୍ୟବହାର ମଧ୍ୟ କରାଯାଉଥିଲା । କାଶ୍ମୀରର ପେପରମାସିରେ ଆଜିକାଲି ପୁରୁଣା ଖବର କାଗଜ, ମେଥି ଗୁଣ୍ଡ ଓ ମୁଲତାନି ମାଟି ବ୍ୟବହାର ହେଉଛି । କୁହାଯାଏ ସପ୍ତଦଶ ଶତାବ୍ଦୀରେ ଏକଦା ଜଣେ ଫରାସୀ ବଣିକ କାଶ୍ମୀରରେ ପହଞ୍ଚି ଦେଖିଲେ ଯେ, ସ୍ଥାନୀୟ ଲୋକମାନେ କାଗଜରେ ଚମତ୍କାର କଳା କାରିଗରୀରେ ବିଶେଷ ପାରଦର୍ଶିତା ଦେଖାଉଛନ୍ତି । ତାପରେ ସେ କାଶ୍ମୀରର ପ୍ରସିଦ୍ଧ ପଶମ ଶାଲ୍ କୁ କାଗଜରେ ତିଆରି ଓ ସୁନ୍ଦର ଭାବରେ ଚିତ୍ରିତ ବାକ୍ସରେ ପୂରାଇ ଫ୍ରାନ୍ସ ପଠାଇବା ଆରମ୍ଭ କଲେ । ଫରାସୀ ଲୋକଙ୍କୁ ଏଇ କାଶ୍ମୀରରେ ତିଆରି କାଗଜ ବାକ୍ସ ବହୁତ ପସନ୍ଦ ହୋଇଥିଲା ଓ ପେପରମାସି ନାମରେ ଫରାସୀ ଶବ୍ଦ ବିଶ୍ୱକୁ ମିଳିଥିଲା ।

ଭାରତର ଅନ୍ୟାନ୍ୟ ପ୍ରାନ୍ତରକୁ ଧିରେ ଧିରେ ପେପରମାସି ପହଞ୍ଚି ସ୍ଥାନୀୟ ପରମ୍ପରା ସହ ଯୋଡି ହୋଇଗଲା । ଏବେ ଦେଖିଲେ ଆଦୌ ଜଣା ପଡୁନି ଏଇ ଅଳ୍ପ ବର୍ଷ ତଳେ ଆମେ ଏହାକୁ ଆପଣାଇଥିଲେ ବୋଲି । ପୁରୁଲିଆର ଛଉ ନାଚରେ ବ୍ୟବହୃତ ମୁଖା ଓ ଓଡ଼ିଶାରେ ବିଭିନ୍ନ ଦେବାଦେବୀଙ୍କ ମୁଖା ଏବଂ ଖେଳଣା ପେପରମାସିରେ ତିଆରି ହୁଏ । ଭାରତରେ ଗ୍ୱାଲିଅର, ଉଜ୍ଜୟିନୀ, ଇନ୍ଦୋର, ପଶ୍ଚିମବଙ୍ଗ, କେରଳ, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ, ବିହାର ଓ ଓଡ଼ିଶା ଆଦି ଅଞ୍ଚଳରେ ପେପରମାସିରେ କାରିଗରମାନେ ସୁନ୍ଦର ସୁନ୍ଦର ଜିନିଷ ଏବେବି ତିଆରି କରନ୍ତି । ରାଜସ୍ଥାନର କାରିଗରମାନେ ପେପରମାସିରେ ବିଭିନ୍ନ ଘୋଡା, ହାତୀ ଓ ଓଟ ଆଦି ପଶୁ ଏବଂ ଶୁଆ, ମୟୂର ଓ ପାରା ଆଦି ପକ୍ଷୀ ତିଆରି କରନ୍ତି । ପେପରମାସିରେ ଆଗରୁ ମୁଖ୍ୟତଃ ମୁଖା, ଗହଣାଗାଣ୍ଠି ଓ ପୂଜା ପାର୍ବଣର ବିଭିନ୍ନ ଜିନିଷ ସିନା ତିଆରି ହେଉଥିଲା, ଆଜିକାଲି କିନ୍ତୁ ତିଆରି ହେଲାଣି ଫୁଲଦାନୀ, ମୂର୍ତ୍ତି, ପେନ୍ ଷ୍ଟାଣ୍ଡ, କଣ୍ଢେଇ ଏମିତି କେତେ କଅଣ ।

Artisanନିମଗ୍ନ କାରିଗର

ମୁଁ ଏଇ କେତେ ବର୍ଷ ହେଲା ଓଡ଼ିଶାର କିଛି ପେପରମାସି କାରିଗରଙ୍କ ସହ ମିଶୁଛି ଓ ସେମାନଙ୍କ ଜୀବନ ଜୀବିକା ବିଷୟରେ ବେଶୀ ବେଶୀ ଜାଣୁଛି । ଓଡ଼ିଶାରେ ପେପରମାସି ପାଇଁ ପରିଚିତ ଥିବା କରଡ଼ିଗଡ଼ିଆ, ରଘୁରାଜପୁର ଆଦି ସ୍ଥାନରେ ହେଉଥିବା ପେପରମାସି ଅନ୍ୟମାନଙ୍କ ଠାରୁ ସମ୍ପୂର୍ଣ୍ଣ ଅଲଗା । ଏହା ଅନ୍ୟ ସ୍ଥାନ ପରି କାଗଜକୁ ଭିଜେଇ ମଣ୍ଡ କରି ତିଆରି ହୁଏନି । ଏହା କାଗଜକୁ ଛୋଟ ଛୋଟ କରି ପରସ୍ତ ପରେ ପରସ୍ତ ଲଗାଇ ମୋଟା କରି ତିଆରି ହୁଏ। ଏହି କାଗଜ ଉପରେ କାଗଜ ଲଗାଇବା କାମଟି ଗୋଟିଏ ମାଟି ମଡେଲ୍ ଉପରେ କରାଯାଏ । କାଗଜର ମୁଖା ଶୁଖିଗଲା ପରେ ସେଥିରେ ଖଡ଼ି ରଙ୍ଗ ଦିଆଯାଏ, ଆଉ ତା ଉପରେ ଯାଇ ଅଙ୍କାଯାଏ ଚିତ୍ର I ଆଗରୁ ଏହି ଚିତ୍ର ହାତ ତିଆରି ପ୍ରାକୃତିକ ରଙ୍ଗରୁ ହେଉଥିଲା । ଏବେ କିନ୍ତୁ କେହି କେହି ଗୁଣ୍ଡ ରଙ୍ଗ ବ୍ୟବହାର କରୁଥିବା ବେଳେ ବାକି ସମସ୍ତେ ଦୋକାନରେ ମିଳୁଥିବା କେମିକାଲ୍ ରଙ୍ଗ ବ୍ୟବହାର କଲେଣି । ତେବେ ମଜାଦାର୍ କଥା ହେଲା; ବାଘ, ସିଂହ, ଭାଲୁ, ହରିଣ ଆଦି ଅନେକ ଜୀବଙ୍କର ମଡେଲ୍ ସମାନ ଥିଲେ ବି ଚିତ୍ର ହୋଇଯିବା ପରେ ସେସବୁ ପୂରାପୂରି ଅଲଗା ଦିଶନ୍ତି । ଏହା ହିଁ ଆମ କାରିଗରଙ୍କର ବିଶେଷତ୍ଵ ।

ଅଧିକ ପଢ଼ନ୍ତୁ : ଜୀବନ ଅଟକିଗଲା ପରି ଲାଗୁଛି କି? ଟ୍ରାଭେଲ୍ ଆପଣଙ୍କୁ ନିଜକୁ ଖୋଜିବାରେ ସାହାଯ୍ୟ କରିପାରିବ

OTV is now on Whatsapp

Join and get latest news update delivered to you via whatsapp

Join Now