• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବ୍ୟାଙ୍କ ଡୁବୁଛି । ତା ପୁଣି ଆମେରିକା ଭଳି ବିକଶିତ ଦେଶରେ । ରୁଷ-ୟୁକ୍ରେନ ଯୁଦ୍ଧ ହେଉ ଅବା କୋଭିଡ ମହାମାରୀ । ଏଭଳି କାରଣରୁ ଦୋହଲିଗଲାଣି କି ବିଶ୍ୱ ଅର୍ଥନୀତି । ଏଭଳି ଆଶଙ୍କା ସୃଷ୍ଟି ହୋଇଛି ଆମେରିକାର ଦୁଇ ଦୁଇଟି ବଡ଼ ବଡ଼ ବ୍ୟାଙ୍କରେ ତାଲା ଝୁଲିବା ପରେ । ଦୀର୍ଘ ୪୦ ବର୍ଷ ଧରି ଗ୍ରାହକଙ୍କୁ ସେବା ପ୍ରଦାନ କରିଆସୁଥିବା ସିଲିକନ ଭ୍ୟାଲି ବ୍ୟାଙ୍କ ବନ୍ଦ ହେବାର ଦୁଇ ଦିନ ପରେ ସିଗ୍ନଚେର ବ୍ୟାଙ୍କ ମଧ୍ୟ ବନ୍ଦ ହୋଇଯାଇଛି । ହେଲେ ଗ୍ରାହକ କିଭଳି ସେମାନଙ୍କ ଟଙ୍କା ଫେରିପାଇବେ ସେନେଇ ବାଇଡେନ ସରକାର ପଦକ୍ଷେପ ନେଉଛନ୍ତି ।...

ଅର୍ଥନୀତି କ୍ଷେତ୍ରରେ ଆମେରିକା ଭଳି ଆଗୁଆ ଦେଶରେ ୩ ଦିନ ଭିତରେ କାହିଁକି ବନ୍ଦ ହୋଇଗଲା ଦୁଇ ଦୁଇଟି ବ୍ୟାଙ୍କ । ଦୀର୍ଘ ୪୦ ବର୍ଷ ଧରି ସେବା ପ୍ରଦାନ କରିଆସୁଥିବା ସିଲିକନ ଭ୍ୟାଲି ଭଳି ବଡ଼ ବ୍ୟାଙ୍କ୍ ଠପ୍ ହୋଇଯିବା ପରେ, ଚିନ୍ତା ଘାରିଛି ଆମେରିକୀୟ ଅର୍ଥନୀତି ବିଶେଷଜ୍ଞଙ୍କୁ । ୮୦ ଦଶନ୍ଧିରେ ଆରମ୍ଭ ହୋଇଥିବା ସିଲିକନ ଭ୍ୟାଲି ବ୍ୟାଙ୍କ ବନ୍ଦ ହେବାର ମାତ୍ର ଦୁଇ ଦିନ ପରେ ସିଗ୍ନେଚର ବ୍ୟାଙ୍କ ମଧ୍ୟ ସେହି ସମାନ ରାସ୍ତାରେ ।

୨୦୦୧ରେ ଆରମ୍ଭ ହୋଇଥିଲା ସିଗନଚେର ବ୍ୟାଙ୍କ । ୨୦୨୧ରେ ବ୍ୟାଙ୍କ ତାର ଗ୍ରାହକଙ୍କ ଲାଗି ଡିପୋଜିଟ ଉପରେ ୩୦ ପ୍ରତିଶତ କ୍ରିପ୍ଟୋକରେନ୍ସି ବ୍ୟବହାର ପାଇଁ ଅନୁମତି ଦେଇଥିଲା । ଏହା ପରଠୁ ବ୍ୟାଙ୍କ କାରବାର ମାନ୍ଦା ଅବସ୍ଥାକୁ ଆସିଥିବା ବିଶେଷଜ୍ଞଙ୍କ ମତ। ଦୁଇଟି ଯାକ ବ୍ୟାଙ୍କକୁ ନିୟନ୍ତ୍ରଣକୁ ନେଇଛି ଫେଡେରାଲ ଡିପୋଜିଟ ଇନୁସ୍ୟୁରାନ୍ସ କର୍ପୋରେସନ ବା FDIC । ବ୍ୟାଙ୍କକୁ ନିଜ ନିୟନ୍ତ୍ରଣକୁ ନେବା ପରେ ପ୍ରଥମେ ଗ୍ରାହକ କିଭଳି ସେମାନଙ୍କ ଟଙ୍କା ପାଇପାରିବେ ତାହାକୁ ପ୍ରାଥମିକତା ଦେଇଛି । ବ୍ୟାଙ୍କ ଗ୍ରାହକ ସେମାନଙ୍କ ଗଚ୍ଛିତ ଟଙ୍କା କିଭଳି ଫେରିପାଇବେ ସେନେଇ ବାଇଡେନ୍ ସରକାର ଉଦ୍ୟମ ଚଳାଇଛନ୍ତି ।...

ସିଗନେଚର ବ୍ୟାଙ୍କ ବନ୍ଦ ହେବା ପରେ ମୁହଁ ଖୋଲିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ । ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ୱାସନା ଦେବା ସହ ବ୍ୟାଙ୍କିଂ ସଙ୍କଟ ପଛରେ ଯେଉଁମାନଙ୍କ ହାତ ରହିଛି, ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆମେରିକାର ବ୍ୟାଙ୍କିଂ କ୍ଷେତ୍ରକୁ ସଙ୍କଟ ମଧ୍ୟକୁ ଠେଲି ଦିଆଯିବନି ଏବଂ କେମିତି ବ୍ୟାଙ୍କିଂ କ୍ଷେତ୍ର ପୂର୍ବଭଳି ଚାଲିପାରିବ ସେନେଇ ବ୍ୟବସ୍ଥା କରାଯିବ ବୋଲି କହି ଦେଶବାସୀଙ୍କୁ ଆଶ୍ୱାସନା ଦେଇଛନ୍ତି । ଟ୍ରେଜେରି ସଚିବ ଜାନେଟ୍ ୟେଲେନ ଏବଂ ନ୍ୟାସନାଲ ଇକୋନୋମିକ କାଉନସିଲ ନିର୍ଦ୍ଦେଶକ ବ୍ୟାଙ୍କିଂ ରେଗୁଲେଟରଙ୍କ ସହ ମିଶି କାମ କରୁଛନ୍ତି ।

ଆମେରିକା ବ୍ୟାଙ୍କ ଶିଳ୍ପର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ କରିବେ ବୋଲି କହିଛନ୍ତି ବାଇଡେନ୍ । ସିଲିକନ ଭ୍ୟାଲି ଏବଂ ସିଗ୍ନେଚର ବ୍ୟାଙ୍କ ସେମାନଙ୍କର କ୍ଷତି ବୋଝକୁ ଟିକସଦାତାଙ୍କ ଉପରେ ଛାଡ଼ିବେ ନାହିଁ ବୋଲି ଭରସା ଦେଇଛନ୍ତି ଆମେରିକା ରାଷ୍ଟ୍ରପତି।...

୨୦୦୮ ମସିହାରେ ବିଶ୍ୱର ଆର୍ଥିକ ସଙ୍କଟ ପରେ ଆମେରିକା ବ୍ୟାଙ୍କିଂ କ୍ଷେତ୍ରରେ ଏହା ଏକ ବଡ଼ ବିପର୍ଯ୍ୟୟ ବୋଲି କୁହାଯାଉଛି । ସେହିପରି କ୍ରିପ୍ଟୋକରେନ୍ସି କାରବାର ବୃଦ୍ଧି ବି ଆଉ ଏକ କାରଣ ହୋଇଥାଇପାରେ ।

କେମିତି ବୁଡିଲା ସିଲିକନ ଭ୍ୟାଲି ବ୍ୟାଙ୍କ ?

୧୯୮୩ ମସିହାରୁ ସେବା ଆରମ୍ଭ କରିଥିଲା ସିଲିକନ ଭ୍ୟାଲି ବ୍ୟାଙ୍କ । କୋଭିଡ ଭଳି ମହାମାରୀ ସମୟରୁ ବ୍ୟାଙ୍କ କାରବାର ଉପରେ ବଡଧରଣର ପ୍ରଭାବ ଥିଲା । ମାର୍ଚ୍ଚ ୮ ତାରିଖରେ ୨ ହଜାର ୧ ଶହ କୋଟି ଡଲାରର ସିକ୍ୟୁରିଟି ବଣ୍ଡ ବିକ୍ରି କରିଥିଲା ବ୍ୟାଙ୍କ। ଏହା ବ୍ୟାଙ୍କକୁ କ୍ଷତି ପହଞ୍ଚାଇଥିଲା । ମାର୍ଚ୍ଚ ୯ ତାରିଖ ବେଳକୁ ୪ ହଜାର ୨ ଶହ କୋଟି ଡଲାର ଉଠାଇ ନେଲେ ଗ୍ରାହକ । ଯାହାକି ବ୍ୟାଙ୍କରେ ଗଚ୍ଛିତ ସମୁଦାୟ ଟଙ୍କାରୁ ଏକ ଚତୁର୍ଥାଂଶ ବୋଲି କୁହାଯାଉଛି ।

ଫେଡେରାଲ ରିଜର୍ଭ ଟେକ କଂପାନୀଗୁଡିକ ପାଇଁ ସୁଧହାର ବୃଦ୍ଧି ଯୋଗୁ ସ୍ଥିତି ଅଧିକ ବିଗିଡିଗଲା । ସିଲିକନ୍ ଭ୍ୟାଲି ବ୍ୟାଙ୍କର ଅଧିକାଂଶ ଗ୍ରାହକ ଟୋକ୍ନୋଲୋଜି କଂପାନୀ ଏବଂ ଷ୍ଟାଟଅପ କ୍ଷେତ୍ରରେ ଥିଲେ । କାରବାର ପାଇଁ ଅଧିକ ଅର୍ଥ ଦରକାର ହେବାରୁ ବ୍ୟାଙ୍କରୁ ଟଙ୍କା କାଢିବାକୁ ଲାଗିଲେ । ଫଳରେ ବ୍ୟାଙ୍କ ନିକଟରୁ ପାଣ୍ଠି କମିବାକୁ ଲାଗିଲା । ବ୍ୟାଙ୍କ ଦେବାଳିଆ ହେବା ପରେ ବ୍ୟାଙ୍କକୁ ଅଧିଗ୍ରହଣ କରିନେଇଛି ଆମେରିକାର ଆର୍ଥିକ ନିୟାମକ ସଂସ୍ଥା ।...

ସିଲିକନ୍ ଭ୍ୟାଲି ବ୍ୟାଙ୍କ ବିଭିନ୍ନ କ୍ଷେତ୍ରରେ ଟଙ୍କା ବିନିଯୋଗ କରିଥାଏ । ଯେହେତୁ ଏସଭିବି ଗ୍ରାହକ ମଧ୍ୟରେ ଥିବା ୱାଇ-କମ୍ବିନେଟର ଭାରତରେ ୧୯ରୁ ଅଧିକ ଷ୍ଟାର୍ଟ ଅପରେ ବିନିଯୋଗ କରିଛି । ତେଣୁ ଏହା ଭାରତ ଅର୍ଥନୀତି ଉପରେ ସିଧାସଳଖ ପ୍ରଭାବକୁ ଏଡାଇ ଦିଆଯାଇନପାରେ ବୋଲି ଅର୍ଥନୀତି ବିଶେଜ୍ଞଙ୍କ ମତ । 

OTV is now on Whatsapp

Join and get latest news update delivered to you via whatsapp

Join Now