• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପୁଣି ଚର୍ଚ୍ଚାରେ ରିଷି ସୁନକ । ନୂଆ ଲିଜ୍ ଟ୍ରସ୍ ସରକାରରେ ବ୍ରିଟେନ୍ ଅର୍ଥନୀତି ଧରାଶାୟୀ ହେଉଥିବା ଦେଖି ରିଷି ସୁନକଙ୍କୁ ପୁଣିଥରେ ସରକାରକୁ ଫେରିଆସିବା ପାଇଁ ଦାବି କରୁଛନ୍ତି ନାଗରିକ । ବୋରିସ ଜନସନ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ନୂଆ ପିଏମ୍ ଚେହେରା ବନିବାକୁ କନଜରର୍ଭେଟିଭ୍ ପାର୍ଟିରୁ ୨ ନେତାଙ୍କ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା । ବୋରିସ ଜନସନ୍ ସରକାରରେ ଅର୍ଥମନ୍ତ୍ରୀ ଥିବା ଭାରତୀୟ ମୂଳ ନେତା ରିଷି ସୁନକ୍ ଏବଂ ବୈଦେଶିକ ମନ୍ତ୍ରୀ ଥିବା ଲିଜ୍ ଟ୍ରସ ମଧ୍ୟରେ ଲଢ଼େଇ ହୋଇଥିଲା ।

ତେବେ ଅନ୍ତିମ ପର୍ଯ୍ୟାୟ ଲଢ଼େଇରେ ଲିଜ୍ ଟ୍ରସ୍ ପ୍ରଧାନମନ୍ତ୍ରୀ ରେସ୍ ଜିତିବା ସହିତ ନୂଆ ସରକାର ଗଢ଼ିଛନ୍ତି । ହେଲେ ଟ୍ରସୋନୋମିକ୍ସ ବା ଟ୍ରସଙ୍କ ଅର୍ଥନୀତି ବ୍ରିଟେନର ଆର୍ଥିକ ସ୍ଥିତିକୁ ଦେବାଳିଆ କରୁଥିବା ଅଭିଯୋଗ ହୋଇଛି । ଟିକସ୍ କାଟ୍ ଓ ଅଧିକ ଋଣ କରିବା ଆଦି ପଦକ୍ଷେପ ଯୋଗୁଁ ଡଲାର୍ ତୁଳନାରେ ପାଉଣ୍ଡ୍ ଅଧିକ ଦୁର୍ବଳ ହୋଇଛି । ବିଭିନ୍ନ ସାମଗ୍ରୀର ଦରଦାମ ଓ ଦୈନନ୍ଦିନ ଖର୍ଚ୍ଚ ବଢ଼ିଛି । ବ୍ରିଟେନର ମୁଦ୍ରାସ୍ଫିତି ବୃଦ୍ଧି ପାଇ ବିଗତ ୪୦ ବର୍ଷର ରେକର୍ଡ ଭାଙ୍ଗିଥିବା ବେଳେ ପୂର୍ବରୁ ଅଧିକ ଥିବା ସୁଧହାରକୁ ଆହୁରି ବଢ଼ାଇବାକୁ ସଙ୍କୋଚ କରିବ ନାହିଁ ବୋଲି ଶୁଣାଇ ଦେଇଛି ବ୍ୟାଙ୍କ ଅଫ୍ ଇଂଲଣ୍ଡ୍ ।

ତେଣୁ ପ୍ରଥମ ପରୀକ୍ଷାରେ ହିଁ ନୂଆ ସରକାର ବିଫଳ ହୋଇଥିବା ଲୋକେ କହୁଛନ୍ତି । ପ୍ରଧାନମନ୍ତ୍ରୀ ଟ୍ରସ୍ ଏବଂ ନୂଆ ଚାନ୍ସେଲର ଅଫ୍ ଏକ୍ସଚେକର୍ ବା ଅର୍ଥମନ୍ତ୍ରୀ କ୍ୱାସି କ୍ୱାର୍ଟେଙ୍ଗଙ୍କୁ ସମାଲୋଚନା କରୁଛନ୍ତି ବ୍ରିଟେନ୍ ନାଗରିକ । ପିଏମ୍ ନିର୍ବାଚନ ବେଳେ ଆୟୋଜିତ ଡିବେଟ୍ରେ ମଧ୍ୟ ଟ୍ରସଙ୍କ ଏଭଳି ଅର୍ଥନୈତିକ ଯୋଜନାକୁ ବାସ୍ତବ ନୁହେଁ, ବରଂ ଫେରି ଟେଲ୍ ବା ପରୀ ରାଇଜର କାହାଣୀ ବୋଲି ଚେତାଇ ଦେଇଥିଲେ ରିଷି ସୁନକ୍ ।

କରୋନା ମହାମାରୀ ଓ ସେଥିଜନିତ ଲକଡାଉନ ବେଳେ ବ୍ରିଟେନର ଅର୍ଥନୀତିକୁ ସମ୍ଭାଳିବା ସହିତ ନିଯୁକ୍ତି ସୃଷ୍ଟି ଓ ଟିକସ ସଂସ୍କାର ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ ତତ୍କାଳୀନ ଅର୍ଥମନ୍ତ୍ରୀ ରିଷି ସୁନକ୍ । ଯାହାକି ତାଙ୍କୁ ଜଣେ ବିଚକ୍ଷଣ ଅର୍ଥନୀତିଜ୍ଞ ଭାବେ ସାରା ବ୍ରିଟେନରେ ଲୋକପ୍ରିୟ କରିଥିଲା । କେବଳ ଏତିକି ନୁହେଁ, ଲିଜ୍ ଟ୍ରସ୍ ନିଜର ବଡ଼ ଟ୍ୟାକ୍ସ କଟ୍ ଯୋଜନା ସଂପର୍କରେ ଘୋଷଣା କରିବା ବେଳେ ମଧ୍ୟ ଏହା ଦେଶରେ କଷ୍ଟ୍-ଅଫ୍- ଲିଭିଂ କ୍ରାଇସିସ୍ ବା ଦୈନନ୍ଦିନ ଖର୍ଚ୍ଚ ସଂକଟ ସୃଷ୍ଟି କରିବ ବୋଲି ଚେତାଇ ଦେଇଥିଲେ ସୁନକ ।

ସେଥିପାଇଁ ସରକାର ସବୁ ଦିଗକୁ ବିଚାର କରି ମାପିଚୁପି ପଦକ୍ଷେପ ନିଅନ୍ତୁ ବୋଲି ପରାମର୍ଶ ଦେଇଥିଲେ । ତେଣୁ ଏସବୁକୁ ଦୃଷ୍ଟିରେ ରଖି, ବର୍ତ୍ତମାନର ଆର୍ଥିକ ସଂକଟରୁ ବ୍ରିଟେନକୁ ମୁକୁଳାଇବା ପାଇଁ ରିଷି ସୁନକଙ୍କ ଭଳି ରାଜନେତାଙ୍କ ଆବଶ୍ୟକତା ଥିବା ଦାବି କରୁଛନ୍ତି ଦେଶବାସୀ ।