Advertisment

ମଞ୍ଚରେ ଟଳିପଡ଼ିଲେ କଣ୍ଠଶିଳ୍ପୀ ମୁରଲୀ ମହାପାତ୍ର, ମନେ ପକାଇଦେଲା କେକେଙ୍କ କଥା

ମନରେ ସୀମାହୀନ ଆଶା ଥିଲା...ସଂଗୀତର ମଞ୍ଚ ଉପରେ ଯାଯାବର ସାଜି ସ୍ୱପ୍ନର ବାଲିଘର ଗଢୁଥିଲେ ସେ। ହେଲେ କିଏ ଜାଣିଥିଲା, ଜୀବନର ମଞ୍ଚରେ ଏହି ଗୀତ ଯେ ଶେଷ ଗୀତ ହୋଇଯିବ ବୋଲି...କିଏ ଭାବିଥିଲା ଏହି ମଞ୍ଚ, ଜୀବନର ଶେଷ ମଞ୍ଚ ହୋଇଯିବ ବୋଲି...।

author-image
Chandan Shishu
undefined

Singer Murali Mohapatro

ବାସ୍ତବରେ, ଜୀବନ ପାଣି ଫୋଟକା ଭଳି। କେତେବେଳେ କାହାର କଣ ହୋଇଯିବ, ଆକଳନ କରିବା ମୁସ୍କିଲ। ମଞ୍ଚରେ ଗୀତ ଗାଉଥିବା ମଣିଷଟିଏ ଯେ ସେହି ମଞ୍ଚରେ ହିଁ ଆଖି ବୁଜିବ, ଭାବିଲେ ଆଶ୍ଚର୍ଯ୍ୟ ଲାଗେ। ଆମେ କହୁଛୁ, କୋରାପୁଟ ଜୟପୁରର ମୁରଲୀ ମହାପାତ୍ରଙ୍କ କଥା। ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ ଅବିକଳ ନକଲ କରି ଗୀତ ବୋଲୁଥିଲେ। ଏଥିପାଇଁ ସଂଗୀତ ପ୍ରେମୀ ତାଙ୍କୁ ଜୟପୁରର ଅକ୍ଷୟ ମହାନ୍ତି ଡାକୁଥିଲେ। ହେଲେ ଷ୍ଟେଜ୍‌ରେ ଗୀତ ଗାଉ ଗାଉ ଷ୍ଟେଜ୍ ଉପରେ ହିଁ ହୃଦଘାତରେ ଟଳିପଡ଼ିଲେ ମୁରଲୀ। ମୁରଲୀଙ୍କ ଏଭଳି ବିୟୋଗ, ଆଜି ମନେ ପକାଇ ଦେଇଛିି ବଲିଉଡ୍ ସିଙ୍ଗର କେକେଙ୍କ କଥାକୁ।

Advertisment

ମନରେ ସୀମାହୀନ ଆଶା ଥିଲା...ସଂଗୀତର ମଞ୍ଚ ଉପରେ ଯାଯାବର ସାଜି ସ୍ୱପ୍ନର ବାଲିଘର ଗଢୁଥିଲେ ସେ। ହେଲେ କିଏ ଜାଣିଥିଲା, ଜୀବନର ମଞ୍ଚରେ ଏହି ଗୀତ ଯେ ଶେଷ ଗୀତ ହୋଇଯିବ ବୋଲି...କିଏ ଭାବିଥିଲା ଏହି ମଞ୍ଚ, ଜୀବନର ଶେଷ ମଞ୍ଚ ହୋଇଯିବ ବୋଲି...। କୋରାପୁଟ ଜିଲ୍ଲା ଜୟପୁରର ରାଜନଗରରେ ଶାରଦୀୟ ପୂଜା ଅବସରରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଏଭଳି ଗୀତ ଗାଇବାର କିଛି ସମୟ ପରେ ଆଖି ବୁଜିଦେଇଛନ୍ତି କଣ୍ଠଶିଳ୍ପୀ ମୂରଲୀ ମହାପାତ୍ର। କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ଦର୍ଶକଙ୍କୁ ମଞ୍ଚ ଉପରୁ ମୂରଲୀ କହିଥିଲେ ନିଜର ଅସୁସ୍ଥତା କଥା, ସେଥିପାଇଁ ଆଗୁଆ ତ୍ରୁଟିମାର୍ଜନା କରିବାକୁ ନିବେଦନ ବି କରିଥିଲେ।

ବାସ୍, ତାପରେ ଫୁଲଜୋସ୍‌ରେ ଆରମ୍ଭ ହୋଇଥିଲା କାର୍ଯ୍ୟକ୍ରମ। ସ୍ୱର୍ଗତ କଣ୍ଠଶିଳ୍ପୀ ଅକ୍ଷୟ ମହାନ୍ତିଙ୍କ ଯାଯାବର ଗୀତଠୁ ଆରମ୍ଭ କରି ଏଇ ଯେ ବନଲତା ପାହାଡ଼ ଗୀତ ଯାଏଁ ବୋଲିଥିଲେ। ଗୀତ ଗାଇବାବେଳେ ତାଙ୍କ ସ୍ବରରୁ ବାରି ହୋଇପଡୁଥିଲା ଶାରୀରିକ ଦୁର୍ବଳତା। ତଥାପି ଗାଇ ଚାଲୁଥିଲେ। ଏମିତି ୪ଟି ଗୀତ ବୋଲି ଷ୍ଟେଜ୍ରେ ଚେୟାରରେ ବସିଥିବାବେଳେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ତୁରନ୍ତ ମେଡ଼ିକାଲକୁ ନିଆଯାଇଥିଲା ତାଙ୍କୁ। କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ପରିବାର ଲୋକଙ୍କ କହିବା କଥା, ମୂରଲୀଙ୍କ ପୂର୍ବରୁ ହୃଦରୋଗ ସମସ୍ୟା ଥିଲା।

Advertisment

ମୂରଲୀ ମହାପାତ୍ର ଥିଲେ ଜୟପୁର ସହରର ଅକ୍ଷୟ ମହାନ୍ତି। ଅକ୍ଷୟ ଗାଇଥିବା ପ୍ରତ୍ୟେକଟି ଗୀତକୁ ଅବିକଳ ନକଲ କରି ଗାଉଥିଲେ, ଦର୍ଶକଙ୍କ ମନୋରଂଜନ କରୁଥିଲେ। ମୂରଲୀଙ୍କ ବନ୍ଧୁଙ୍କ କହିବା କଥା, ଶାରଦୀୟ ପୂଜା ଅବସରରେ ଏହି ମେଲୋଡ଼ି କାର୍ଯ୍ୟକ୍ରମ ପାଇଁ ଦିନରେ ରିହର୍ସାଲ କରିଥିଲେ ମୁରଲୀ। ଆଉ ଷ୍ଟେଜ୍‌କୁ ଟିକେ ବିଳମ୍ବରେ ବି ପହଞ୍ଚିଲେ। ପରେ ଷ୍ଟେଜ୍‌ରେ ୪ଟି ଗୀତ ଗାଇସାରିବା ପରେ ଅସୁସ୍ଥତା ଅନୁଭବ କରି ହଠାତ୍ ଚେତା ହରାଇ ବସିଥିଲେ।

ମୂରଲୀଙ୍କ ଏଭଳି ଆକସ୍ମିକ ବିୟୋଗ, ମନେ ପକାଇଦେଲା ବଲିଉଡର ପ୍ରଖ୍ୟାତ ସିଙ୍ଗର କେକେଙ୍କ କଥାକୁ। କେକେ ବି ସମାନ ଢଙ୍ଗରେ ପ୍ରାଣ ହରାଇଥିଲେ।କୋଲକାତାର ନଜରୁଲ ମଞ୍ଚରେ ଗୀତ ଗାଉ ଗାଉ ଝାଳନାଳରେ ଜୁଡୁବୁଡ଼ୁ ହୋଇଥିଲେ କେକେ। ପରେ ହୃଦଘାତରେ ଅସୁସ୍ଥ ହୋଇ ମେଡ଼ିକାଲ୍‌ରେ ପ୍ରାଣ ହରାଇଥିଲେ। ଆଉ ମୂରଲୀ ବି ହୃଦଘାତର ଶୀକାର ହୋଇଥିବା ପରିବାର ଲୋକେ କହିଛନ୍ତି। କେବଳ କେକେ କିମ୍ବା ମୂରଲୀ ନୁହଁନ୍ତି, ପୁନିତ୍ ରାଜକୁମାର, ସିଦ୍ଧାର୍ଥ ଶୁକ୍ଳା, ଅମିତ ମିସ୍ତ୍ରୀ, ଇନ୍ଦର କୁମାର, ଚିରଞ୍ଜିବୀ ସାର୍ଜା ଭଳି ବଲିଉଡ୍ ଷ୍ଟାର ମଧ୍ୟ ହୃଦଘାତରେ ପ୍ରାଣ ହରାଇଛନ୍ତି ଜୀବନର ମଧ୍ୟାହ୍ନରେ। ଏପରିକି ପ୍ରତିଷ୍ଠିତ କମେଡ଼ିଆନ୍ ରାଜୁ ଶ୍ରୀବାସ୍ତବ ମଧ୍ୟ ପ୍ରାଣ ହରାଇଥିଲେ ଏହି ପ୍ରାଣଘାତୀ ହୃଦଘାତରେ। ତେବେ କାହିଁକି ଘଟୁଛି ଏମିତି ? ଜୀବନ ଚର୍ଯ୍ୟାରେ ରହୁଛି କି ସମସ୍ୟା ? 

ସ୍ବର୍ଗତ ମୁରଲୀ ମହାପାତ୍ର କୋରାପୁଟ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ କାର୍ଯ୍ୟାଳୟର କିରାଣୀ ଥିଲେ। ଆଉ ୯ ମାସ ପରେ ଚାକିରିରୁ ଅବସର ନେଇଥାନ୍ତେ। କିନ୍ତୁ ଦୁର୍ଭାଗ୍ୟ, ଚାକିରିରୁ ଅବସର ନେବା ଆଗରୁ ଗତକାଲି ଜୀବନରୁ ଅବସର ନେଇଗଲେ ମୂରଲୀ।

(ରିପୋର୍ଟ: ଜୟପୁରରୁ ଟି. ଗୌରୀଶଙ୍କର)      

Singer Murali Mohapatro
Advertisment
Advertisment