Advertisment

ପାରୁନାହାନ୍ତି ଶେହୱାଜ, ପୁଣି ଫେରିବେ ନୱାଜ? ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ଚେହେରା ବନିବା ନେଇ ଚର୍ଚ୍ଚା

ନୱାଜଙ୍କ ଘର୍-ୱାପସି ଲାଗି ଶେହବାଜଙ୍କ କସରତ !

author-image
Prangyan Parimita
ଅଦ୍ୟତନ ହୋଇଛି
Nawaz Sharif likely to return to Pakistan

Nawaz Sharif likely to return to Pakistan

ଭୋକ ବିକଳରେ ଆଉଟୁପାଉଟୁ ହେଉଛି ପାକିସ୍ତାନ। ସେଠି ଆର୍ଥିକ ଦୁରବସ୍ଥା ଚରମ ସ୍ଥିତିରେ ପହଞ୍ଚିଥିବା ବେଳେ, ରାଜନୈତିକ ଅସ୍ଥିରତା ବି ସୀମା ଲଂଘିଛି। ଏଭଳି ଜଟିଳ ସମସ୍ୟାର କେମିତି ସମାଧାନ କରାଯିବ, ତାର ବାଟ ଖୋଜି ପାଉନାହାନ୍ତି କି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ? ଆଉ ଚଳାଇପାରୁନାହାନ୍ତି ଦେଶ? କାରଣ ସେ ବଡ଼ଭାଇ ନୱାଜ ଶରିଫଙ୍କୁ ପାକିସ୍ତାନ ଫେରିବା ପାଇଁ ଖାଲି ନିବେଦନ କରିନାହାନ୍ତି, ବରଂ ନୱାଜଙ୍କ ନିର୍ବାଚନ ଲଢ଼ିବା ବାଟରେ ଯେଉଁସବୁ ଆଇନଗତ ପ୍ରତିବନ୍ଧକ ରହିଛି, ତାକୁ ମଧ୍ୟ ହଟାଇବାରେ ଲାଗିଛନ୍ତି ।...

Advertisment

ସୂଚନା ଅନୁସାରେ, ପାକିସ୍ତାନ ନ୍ୟାସନାଲ ଆସେମ୍ଲିରେ ଗତ ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ ହୋଇଛି । ଯେଉଁଥିରେ କୌଣସି ସାଂସଦ ବା ବିଧାୟକଙ୍କ ସଦସ୍ୟତା ଆଜୀବନ ରଦ୍ଦ କରିହେବ ନାହିଁ ବୋଲି ସଂଶୋଧନ କରାଯାଇଛି । ସର୍ବାଧିକ ସଦସ୍ୟତା ରଦ୍ଦ ଅବଧି ୫ ବର୍ଷ ରଖାଯାଇଛି । ନିର୍ବାଚନ ଆଇନ, ୨୦୧୭ର ଧାରା ୨୩୨ ସଂଶୋଧନ କରାଯିବା ସହିତ ଇଲେକ୍ସନ ଆମେଣ୍ଡମେଣ୍ଟ ବିଲ୍ ୨୦୨୩ ମଧ୍ୟ ପାରିତ ହୋଇଛି ପାକିସ୍ତାନ ସଂସଦରେ । ସେଥିରେ ରାଷ୍ଟ୍ରପତିଙ୍କ ସହ କୌଣସି ପରାମର୍ଶ ନକରି ନିର୍ବାଚନ ତାରିଖ ଘୋଷଣା କରିବା ପାଇଁ ନିର୍ବାଚନ କମିଶନଙ୍କୁ କ୍ଷମତା ମିଳିଛି । ତେବେ ଏହି ବିଲ୍ ଆଇନରେ ପରିଣତ ହେବା ପାଇଁ ରାଷ୍ଟ୍ରପତିଙ୍କ ମୋହର ବାଜିବାକୁ ଅପେକ୍ଷା ରହିଛି ।

ରୋଚକ କଥା ହେଉଛି, ପାକିସ୍ତାନ ରାଷ୍ଟ୍ରପତି ଆରିଫ ଆଲଭି ହଜ୍ କରିବାକୁ ବିଦେଶ ଯାଇଛନ୍ତି ଏବଂ କାମଚଳା ରାଷ୍ଟ୍ରପତି ବନିଛନ୍ତି ସିନେଟ୍ ଅଧ୍ୟକ୍ଷ ସାଦିକ୍ ସଞ୍ଜରାନି । ତେଣୁ ଆରିଫ୍ ବିଦେଶରୁ ଫେରିବା ପୂର୍ବରୁ ସାଦିକ୍ ଏହି ବିଲକୁ ମଞ୍ଜୁର କରିପାରନ୍ତି ବୋଲି ଅନୁମାନ କରାଯାଉଛି । ତେବେ ବିରୋଧୀ ଅଭିଯୋଗ କରିଛନ୍ତି ଯେ, ଆସନ୍ତା ନିର୍ବାଚନରେ ପ୍ରଧାନମନ୍ତ୍ରୀ ଭାବେ ନୱାଜ ଶରିଫଙ୍କୁ ପ୍ରସ୍ତୁତ କରିବା ଲାଗି ତାଙ୍କ ଭାଇ ଶେହବାଜ ସରିଫଙ୍କ ନେତୃତ୍ୱାଧୀନ ସରକାର ଏଭଳି କସରତ ଆରମ୍ଭ କରିଛନ୍ତି ।...

Advertisment

ତିନି ତିନିଥର ପାକିସ୍ତାନ ପ୍ରଧାନମନ୍ତ୍ରୀ ବନିଛନ୍ତି ନୱାଜ ଶରିଫ । ତେବେ ୨୦୧୭ ମସିହାରେ ପାକିସ୍ତାନ ସୁପ୍ରିମକୋର୍ଟର ୫ ଜଣିଆ ଖଣ୍ଡପୀଠ ନୱାଜଙ୍କୁ ଆଜୀବନ ଅଯୋଗ୍ୟ ଘୋଷିତ କରିଥିଲେ। ପରେ ଦୁର୍ନୀତି ମାମଲାରେ ମଧ୍ୟ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୧୮ରେ ପାନାମା ପେପର୍ସ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ପରେ ସେ ଆଜୀବନ ସରକାରୀ ପଦବୀରେ ରହିବାକୁ ଅଯୋଗ୍ୟ ହୋଇଥିଲେ। ଏଥିସହ ସେ ଜେଲରେ ୭ ବର୍ଷ ସଜା ମଧ୍ୟ କାଟୁଥିଲେ । ତେବେ ନଭେମ୍ବର ୨୦୧୯ରେ ନିଜର ଚିକିତ୍ସା ଲାଗି ଲଣ୍ଡନ ଯାଇ ଆଉ ପାକିସ୍ତାନ ଫେରିନାହାନ୍ତି ନୱାଜ ଶରିଫ । ସେ ସେଠାରେ ଏକପ୍ରକାର ସ୍ୱ-ନିର୍ବାସନରେ ରହିଆସୁଛନ୍ତି ।

ତେବେ ସେଠାରେ ରହି ସାନଭାଇ ଶେହବାଜ ସରିଫଙ୍କ ଜରିଆରେ ସେ ପିଏମ୍ଏଲ୍ଏନ୍ ଦଳର ଏପରିକି ପାକିସ୍ତାନ ସରକାରର ସମସ୍ତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଥିବା କୁହାଯାଉଛି । ତେବେ ଯଦି ନିର୍ବାଚନ ଆଇନ ସଂଶୋଧନ ବିଧେୟକ ଆଇନରେ ପରିଣତ ହୁଏ, ତେବେ ନୱାଜଙ୍କ ଅଯୋଗ୍ୟତା ଅବଧି ସମାପ୍ତ ହେବ ଏବଂ ତାଙ୍କ ପାଇଁ ପୁଣିଥରେ ପାକିସ୍ତାନ ନିର୍ବାଚନ ଲଢ଼ିବା ପାଇଁ ବାଟ ଫିଟିବ । ଆସନ୍ତା ଅଗଷ୍ଟ ୧୩ରେ ଚଳିତ ସରକାରର କାର୍ଯ୍ୟକାଳ ସରିବାକୁ ଥିବା ବେଳେ, ଅକ୍ଟୋବରରେ ସାଧାରଣ ନିର୍ବାଚନ ହୋଇପାରେ ।...

ତେବେ ନୱାଜ ଶରିଫଙ୍କ ପାଇଁ ଅଡ଼ୁଆ ସାଜିଛି ଏକାଧିକ ଦୁର୍ନୀତି ମାମଲା । ଯେମିତି ବି ହେଉ ତାଙ୍କୁ ଆଇନଜାଲରୁ ମୁକୁଳାଇବାକୁ ଚାଲିଛି ପ୍ରୟାସ । କିଛି ଦିନ ତଳେ ଏକ ୩୭ ବର୍ଷ ପୁରୁଣା ଦୁର୍ନୀତି ଅଭିଯୋଗରେ ନୱାଜ ଶରିଫଙ୍କୁ ଦୋଷମୁକ୍ତ କରିଛନ୍ତି କୋର୍ଟ । ଏହି କ୍ଲିନଚିଟ୍ ପରେ ୭୩ ବର୍ଷୀୟ ନୱାଜଙ୍କ ପାଇଁ ପିଏମ୍ଏଲ୍-ଏନ୍ ଦଳର ନେତୃତ୍ୱ ନେବା ଏବଂ ଚଳିତବର୍ଷ ଶେଷ ଆଡ଼କୁ ହେବାକୁ ଥିବା ସାଧାରଣ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ବାଟ ଫିଟିଛି । ୧୯୮୬ ମସିହାରେ ନୱାଜ ଲାହୋରର ମୁଖ୍ୟମନ୍ତ୍ରୀ ଥିବା ବେଳେ, ସେଠାକାର ପ୍ରାୟ ୭ ଏକର ପରିମିତ ମୂଲ୍ୟବାନ ସରକାରୀ ଜମିକୁ ଲାଞ୍ଚ ଆକାରରେ ଏକ ଗଣମାଧ୍ୟମ ସଂସ୍ଥା ମାଲିକଙ୍କୁ ଦେଇଥିବା ଅଭିଯୋଗ ହୋଇଥିଲା । ଯାହା ଫଳରେ ଟିକସଦାତାଙ୍କୁ ପ୍ରାୟ ୧୪ କୋଟି ଟଙ୍କା କ୍ଷତି ହୋଇଥିବା ଦର୍ଶାଇଥିଲା ନ୍ୟାସନାଲ ଆକାଉଣ୍ଟେବିଲିଟି ବ୍ୟୁରୋ ।

 ନିକଟରେ ଶେହବାଜ ସରକାର ଦ୍ୱାରା କରାଯାଇଥିବା ଆଇନ ସଂଶୋଧନ ପରେ, ଏହି ମାମଲା ସେମାନଙ୍କ ଅଧୀନରେ ଆସୁନଥିବା କୋର୍ଟଙ୍କୁ ଦର୍ଶାଇଥିଲା NAB । ଫଳରେ କୋର୍ଟ ନୱାଜଙ୍କୁ ଦୋଷମୁକ୍ତ ଘୋଷଣା କରିଛନ୍ତି । ତେବେ ତାଙ୍କ ବିରୋଧରେ ଆହୁରି ଦୁଇ ଦୁଇଟି ଆର୍ଥିକ ଅନିୟମିତତା ମାମଲା ବିଚାରାଧୀନ ରହିଛି ।...

କିଛି ଦିନ ତଳେ ଶେହବାଜ ସରିଫ ସରକାର ଆଉ ଏକ ଗୁରୁତ୍ବପୂର୍ଣ୍ଣ ଆଇନରେ ମଧ୍ୟ ସଂଶୋଧନ କରିଛନ୍ତି । ଏହା ରାଷ୍ଟ୍ରପତିଙ୍କ ଦ୍ୱାରା ମଞ୍ଜୁର ମଧ୍ୟ ହୋଇସାରିଛି । ଏହି ସଂଶୋଧନ ଅନୁସାରେ, ଏଣିକି ପାକିସ୍ତାନ ସୁପ୍ରିମକୋର୍ଟର ରାୟକୁ ପୁନଃବିଚାର ପାଇଁ ମଧ୍ୟ ଆଉ ଥରେ ଅପିଲ୍ କରିହେବ । ଏଭଳି ସଂଶୋଧନ ପରେ ଖୁବଶୀଘ୍ର ନୱାଜ ଶରିଫ ସୁପ୍ରିମକୋର୍ଟଙ୍କ ଦଣ୍ଡାଦେଶର ପୁନଃବିଚାର ପାଇଁ ଅପିଲ୍ କରିବେ ବୋଲି ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ, ନୱାଜ ଶରିଫ କିଛି ଦିନ ତଳେ ପିଏମ୍ଏଲ୍ଏନ୍ ଦଳର ବରିଷ୍ଠ ନେତାଙ୍କ ସହିତ ଲଣ୍ଡନରେ ବୈଠକ କରିଥିଲେ ଏବଂ ଏହାର କିଛି ଦିନ ପରେ ଦୁବାଇରେ ପାକିସ୍ତାନର ମିଳିତ ସରକାରରେ ଥିବା ଦଳୀୟ ନେତୃମଣ୍ଡଳୀଙ୍କୁ ଭେଟିଥିଲେ । ସେଠାରେ ଆଗାମୀ ନିର୍ବାଚନ ରଣନୀତି ସଂପର୍କରେ ଆଲୋଚନା ହେବା ସହିତ ତାଙ୍କ ବିରୋଧରେ ଥିବା ମାମଲା ଗୁଡ଼ିକୁ କିପରି ହଟାଇହେବ ସେସଂପର୍କରେ ଆଇନଗତ ବିଚାରବିମର୍ଶ ହୋଇଥିଲା । ନୱାଜଙ୍କୁ ଆଇନର ଜାଲରୁ ରକ୍ଷା କରିବା ପାଇଁ ପାକିସ୍ତାନ ଆଇନ ମନ୍ତ୍ରୀ ଆଜନ ନଜୀର ତରାରଙ୍କ ନେତୃତ୍ୱରେ ଲିଗାଲ୍ ଏକ୍ସପର୍ଟ ଟିମ୍ ଗଠିତ ହୋଇଥିବା ସୂଚନା ମିଳିଛି ।

Pakistan Nawaz Sharif
Advertisment
Advertisment