କଥାରେ ଅଛି ଗ୍ରୀଷ୍ମେ ବୈଶାଖ, ଜ୍ୟେଷ୍ଠ ମାସ, ପ୍ରଚଣ୍ଡ ରୌଦ୍ର ପରକାଶ । ହେଲେ ଏଥର ତ ବୈଶାଖ ନ ଆସୁଣୁ ଚୈତ୍ରରେ ଅଥୟ କଲାଣି ଖରା । ତା' ସହ ତାଳ ଦେଇ ବଢିଚାଲିଛି ଜଳକଷ୍ଟ । କାହିଁକି ନା ଏବେଠୁ ଶୁଖିଗଲାଣି ନଦୀର ଧାର, ଜଳାଶୟରୁ ଉଭାନ ଜଳ । ସହରିଆ ତ କୌଣସି ପ୍ରକାରେ ନିଜ ଆବଶ୍ୟକତା ମେଣ୍ଟାଇ ଦିଅନ୍ତି, ହେଲେ ଉପାନ୍ତରେ ସ୍ଥିତି ବିକଳ । ପାଣି ପାଇଁ ଏବେଠୁ ଗାଁ ଗଣ୍ଡାରେ ପଡିଲାଣି ହାହାକାର । କେଉଁଠି ନଈ, ପୋଖରୀ ଶୁଖିଗଲାଣି, ଆଉ କେଉଁଠି ଅଚଳ ହୋଇ ପଡିଲାଣି ନଳକୂପ ।
ଅଧିକ ପଢ଼ନ୍ତୁ: ରାଜ୍ୟରେ ଫେରିଲା ତାତି, ୩ ଦିନ ପାଇଁ ହିଟୱେଭ୍ ୱାର୍ଣ୍ଣିଂ
ଉମରକୋଟ ବ୍ଲକ ତୋହରା ପଞ୍ଚାୟତର ଆମପାଣି ଗାଁ ପାଇଁ ତ ଜଳକଷ୍ଟ ନୂଆ ନୁହେଁ । କାରଣ ତାଙ୍କର ଏହି ସଂଘର୍ଷ ୪୨ ବର୍ଷର । ଗାଁ ସ୍ଥାପନ ହେଲା ଦିନୁ ନେତା ଓ ସରକାରୀ ବାବୁଙ୍କ ପ୍ରତିଶ୍ରୁତି ସେମାନଙ୍କ ଦେହସୁହା ହୋଇଗଲାଣି । ଏଣୁ ଆଉ ବାବୁଙ୍କୁ ଭରସା ନକରି ଖୋଲା କୂଅର ପାଣି ପିଉଛନ୍ତି ଗାଁର ୨୪ ପରିବାରର ପ୍ରାୟ ୧୫୦ ଶହ ଲୋକ ।
#ବସୁଧା_ଏଠି_ବାଟବଣା_କିପରି_ମେଣ୍ଟିବ_ଶୋଷ?
— ଓଟିଭି (@otvkhabar) March 28, 2025
ବୈଶାଖ ନ ଆସୁଣୁ ଚୈତ୍ରରେ ଅଥୟ କଲାଣି ଖରା । ତା ସହ ତାଳ ଦେଇ ବଢିଚାଲିଛି ଜଳକଷ୍ଟ । ଉପାନ୍ତରେ ସ୍ଥିତି ବିକଳ । କାରଣ ସରକାରଙ୍କ ବସୁଧା ଯୋଜନା ଗାଁକୁ ପହଞ୍ଚୁ ପହଞ୍ଚୁ ଯେମିତି ବାଟବଣା ହୋଇଯାଇଛି । #WaterProblem #Nabarangpur #OdishaTV #OTV pic.twitter.com/bKdfAxC1oW
ସେହିପରି ପାଖ ଯୋଗୀଡଙ୍ଗରିରେ ବି ପାଣି ମୁନ୍ଦିଏ ପାଇଁ କସରତ କରନ୍ତି ଲୋକ । ୨ ହଜାର ଲୋକ ବସବାସ କରୁଥିବା ଏହି ଗାଁରେ ରହିଛି ମାତ୍ର ଗୋଟିଏ ନଳକୂପ । ସରକାରଙ୍କ ବସୁଧା ଯୋଜନା ଗାଁକୁ ପହଞ୍ଚୁ ପହଞ୍ଚୁ ଯେମିତି ବାଟବଣା ହୋଇଯାଇଛି । ଏନେଇ ବିଡିଓଙ୍କୁ ପଚାରିବାରୁ କହିଛନ୍ତି ଏଥର ଲୋକଙ୍କ ଶୋଷ ମେଣ୍ଟିବ ।
ବାଲେଶ୍ବର ବସ୍ତା ବ୍ଲକ ଇଡିଦା ଗାଁ ଲୋକେ ବି ପାଣି ପାଇଁ ନିଇତି କରନ୍ତି ସଂଘର୍ଷ । ଏଠି କିନ୍ତୁ ଓଭରହେଡ ଟ୍ୟାଙ୍କ ଅଛି, ଟ୍ୟାପରେ ପାଣି ବି ଆସୁଛି । ହେଲେ ଗୋଳିଆ ପାଣି ନା ପିଇ ହେଉଛି ନାଁ ରୋଷେଇ କାମରେ ଲାଗୁଛି । ଏଣୁ ଗାଁର ମହିଳାମାନେ ଅଧା କିଲୋମିଟର ବାଟ ଚାଲି ଚାଲି ଯାଆନ୍ତି ଜଣେ ବ୍ୟକ୍ତିଙ୍କ ଘରକୁ ପାଣି ପାଇଁ ।
ଯଦି କେବେ ବିଦ୍ୟୁତ କାଟ ହୁଏ ପୋଖରୀ ପାଣି ଶେଷ ଭରସା । ଏଭଳି ସ୍ଥିତିରେ ଜିଲ୍ଲାପାଳ ଗାଁ ଲୋକଙ୍କୁ ସଫା ପିଇବା ପାଣିର ଆଶା ଦେଖାଇଛନ୍ତି । ତେବେ ଖରାଦିନେ ଆସିଲେ ରାଜ୍ୟର ଅଧିକାଂଶ ଗାଁରେ ପାଣି ପାଇଁ ଡହଳବିକଳ ହୁଅନ୍ତି ଲୋକେ, ଆଉ ପ୍ରଶାସନ କିମ୍ବା ରାଜନେତାଙ୍କ ପ୍ରତିଶ୍ରୁତି ପାଲଟିଥାଏ ପାଣିର ଗାର ।