• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୋଭିଡ୍ ନେଇଛି କେତେ ଭାରତୀୟଙ୍କ ଜୀବନ ? ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟକୁ ନେଇ ମୁଣ୍ଡ ଟେକିଛି ବିବାଦ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ ସଦ୍ୟତମ ରିପୋର୍ଟରେ ଭାରତରେ କୋଭିଡ୍ ମୃତ୍ୟୁସଂଖ୍ୟା ୪୭ ଲକ୍ଷ ବୋଲି ଦର୍ଶାଯାଇଛି, ଯାହାକି ଭାରତର ସରକାରୀ ତଥ୍ୟଠୁ ବହୁଗୁଣ ଅଧିକ । ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସଂଖ୍ୟା ତଥ୍ୟ ଭିତ୍ତିକ ନୁହେଁ ବୋଲି କହିବା ସହିତ ଏହାକୁ ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରି ଦେଇଛନ୍ତି କେନ୍ଦ୍ର ସରକାର । ତେଣେ ଏହାକୁ ନେଇ ରାଜନୀତି ବି ତେଜିଛି ।

ବିଶ୍ୱରେ କୋଭିଡ୍ ନେଇଛି ୧କୋଟି ୫୦ ଲକ୍ଷ ଜୀବନ । ଭାରତରେ ମହାମାରୀର ଶିକାର ହୋଇଛନ୍ତି ୪୭ ଲକ୍ଷ । ଗୁରୁବାର ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ତରଫରୁ ଜାରି ସଂଶୋଧିତ ତାଲିକାରେ ଏହି ତଥ୍ୟ ଦିଆଯାଇଛି । ସମଗ୍ର ବିଶ୍ୱରେ ୬୦ଲକ୍ଷ ଲୋକଙ୍କର କୋଭିଡ୍ରେ ମୃତ୍ୟୁ ହୋଇଥିବା ପୂର୍ବରୁ କୁହାଯାଇଥିଲା । ମାତ୍ର ଏବେ ଏହାକୁ ଅଢେଇ ଗୁଣା ଅର୍ଥାତ୍ ୧କୋଟି ୫୦ ଲକ୍ଷକୁ ବୃଦ୍ଧି କରାଯାଇଛି । ସେହିପରି ଭାରତର କୋଭିଡ୍ ମୃତ୍ୟୁ ସଂଖ୍ୟାକୁ ପ୍ରାୟ ୧୦ ଗୁଣ ବଢ଼ାଯାଇଛି ।

ମହାମାରୀ ଯୋଗୁଁ ଦେଶରେ ୪ଲକ୍ଷ ୮୦ ହଜାର ଲୋକଙ୍କ ଜୀବନ ଯାଇଥିବା ସରକାରୀ ଭାବେ କୁହାଯାଇଥିଲା । ଏପଟେ ବିଶ୍ୱ ବ୍ୟାଙ୍କ ରିପୋର୍ଟ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ବିଜ୍ଞାନ ମିଛ କହେନି, ମୋଦି କୁହନ୍ତି ବୋଲି ଟୁଇଟ୍ କରିଛନ୍ତି ରାହୁଲ । ମୃତକଙ୍କ ପରିବାରକୁ ନିୟମ ଅନୁଯାୟୀ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଦେବାକୁ ସେ ଦାବି କରିଛନ୍ତି ।

ତେବେ କେନ୍ଦ୍ର ସରକାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରିପୋର୍ଟକୁ ସଂପୂର୍ଣ୍ଣ ଭାବେ ଅଗ୍ରାହ୍ୟ କରିଦେଇଛନ୍ତି । ଏହା ତଥ୍ୟଭିତ୍ତିକ ଓ ବିଜ୍ଞାନ ସମ୍ମତ ନୁହେଁ ବୋଲି କୁହାଯାଇଛି । ଭାରତରେ ଜନ୍ମ-ମୃତ୍ୟୁ ପଞ୍ଜୀକରଣର ନିର୍ଭୁଲ ବ୍ୟବସ୍ଥା ରହିଛି । ଅନ୍ୟପରକ୍ଷରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ସଂଗ୍ରହ ପ୍ରକ୍ରିୟାକୁ ନେଇ ଭାରତ ବାରମ୍ବାର ପ୍ରଶ୍ନ ଉଠାଇଥିଲା । ମାତ୍ର ଏହାକୁ ବିଚାରକୁ ନନେଇ ଡବ୍ଲୁଏଚ୍ଓ ନିଜ ସଂଶୋଧିତ ତାଲିକା ପ୍ରକାଶ କରିଥିବା କହିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ସେପଟେ ରାହୁଲଙ୍କ ଟୁଇଟର ଜବାବ ରଖି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି ।

ଦେଶର ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତ୍ରୁଟିପୂର୍ଣ୍ଣ ରିପୋର୍ଟକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି । କୋଭିଡ୍ ଓ୍ୱାର୍କିଂ ଗ୍ରୁପ୍ ମୁଖ୍ୟ ଡାକ୍ତର ଏନ୍.କେ ଆରୋରା ରିପୋର୍ଟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । କୌଣସି ରିପୋର୍ଟରେ ୧୦ରୁ ୧୨ ପ୍ରତିଶତ ପ୍ରଭେଦ ହୋଇପାରେ, ମାତ୍ର ୧୦ରୁ ୧୨ ଗୁଣା ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ସେହିପରି ICMR, ଦିଲ୍ଲୀ AIIMS ଏବଂ ନୀତି ଆୟୋଗ ସଦସ୍ୟ ମଧ୍ୟ ରିପୋର୍ଟକୁ ଅଗ୍ରାହ୍ୟ କରିଦେଇଛନ୍ତି ।

କୋଭିଡ୍ ମୃତ୍ୟୁ କାହାକୁ କୁହାଯିବ । ସେନେଇ କୌଣସି ନିର୍ଦ୍ଦିଷ୍ଟ ଗାଇଡଲାଇନ ନାହିଁ । ଆଜି ସଂକ୍ରମିତ ହୋଇ ୧୫ ଦିନ ପରେ ମୃତ୍ୟୁ ହେଲେ, ନା ୨ ମାସ ପରେ ମୃତ୍ୟୁ ହେଲେ, କିମ୍ବା ୬ ମାସ ପରେ ମୃତ୍ୟୁ ହେଲେ ତାକୁ କୋଭିଡ୍ ମୃତ୍ୟୁ କୁହାଯିବ, ଏହାର ଉତ୍ତର ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପାଖରେ ବି ନାହିଁ । ଭାରତରେ ୧୩୦ କୋଟି ଲୋକଙ୍କର ଟିକାକରଣ ହୋଇଛି । ଏମାନଙ୍କ ମଧ୍ୟରୁ ଶତକଡ଼ା ୯୮ ଭାଗ ଲୋକଙ୍କ ତଥ୍ୟ କେନ୍ଦ୍ର ସରକାରଙ୍କ ନିକଟରେ ଅଛି । ଆମ ନିକଟରେ ଯୁକ୍ତି ଭିତ୍ତିକ ତଥ୍ୟ ଥିବା ବେଳେ ମଡେଲ୍ ତଥ୍ୟ ଉପରେ ଭରସା କରିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଇଣ୍ଡିଆନ କାଉନସିଲ ଅଫ୍ ମେଡିକାଲ ରିସର୍ଚ୍ଚ ବା ICMR ଡିଜି ବଳରାମ ଭାର୍ଗବ ।

ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଇଥିବା କୋଭିଡ୍ ମୃତ୍ୟୁସଂଖ୍ୟାର ବୈଧତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନୀତି ଆୟୋଗ ସଦସ୍ୟ ଭିକେ ପଲ୍ । ସେ କହିଛନ୍ତି ତଥ୍ୟ ଓ ପ୍ରମାଣକୁ ବିଚାରକୁ ନନେଇ ମ୍ୟାଥମେଟିକାଲ ମଡେଲ ଆଧାରରେ ସଂଖ୍ୟା ନିର୍ଦ୍ଧାରଣ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଯାହ ଭାରତ କ୍ଷେତ୍ରରେ ପ୍ରଜୁଯ୍ୟ ନୁହେଁ ଦିଲ୍ଲୀ ଏମ୍ସ ମୁଖ୍ୟ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ତଥ୍ୟ ବାସ୍ତବତା ଠାରୁ ବହୁ ଦୂରରେ ବୋଲି ଭାରତ ବାରମ୍ବାର କହିଆସିଛି । ସେହିପରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ବ୍ୟବହାର କରାଯାଉଥିବା ମ୍ୟାଥମେଟିକାଲ ମଡେଲ ଭାରତ ପାଇଁ ପ୍ରଜୁଯ୍ୟ ନୁହେଁ ବୋଲି ସରକାର ଜଣାଇ ଦେଇଥିଲେ । ଅନ୍ୟପକ୍ଷରେ ୧୭ଟି ରାଜ୍ୟର କୋଭିଡ୍ ମୃତ୍ୟୁ ସଂପର୍କିତ ତଥ୍ୟ ବିଭିନ୍ନ ୱେବସାଇଟ ଓ ରିପୋର୍ଟ ଆଧାରରେ ସଂଗ୍ରହ କରାଯାଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କର୍ତ୍ତୃପକ୍ଷ ମାନିଥିଲେ । ତେଣୁ ସଂଶୋଧିତ ରିପୋର୍ଟର ବୈଧତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ।