• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଫଗାନିସ୍ତାନରେ ରସାତଳ ମୁହାଁ ମିଡିଆ ଶିଳ୍ପ । ଗତ ୨ ଦଶନ୍ଧି ଭିତରେ ସେଠାରେ ବୈଦ୍ୟୁତିକ ଗଣମାଧ୍ୟମରେ ଅଭୂତପୂର୍ବ ଉନ୍ନତି ଆସିଥିବା ବେଳେ ଗତ ଅଗଷ୍ଟ ୧୫ରେ ତାଲିବାନର କ୍ଷମତା ଦଖଲ ପରେ ଏହା ପୁଣି ଥରେ ଭୁଶୁଡ଼ି ପଡ଼ିଛି । ତାଲିବାନ ସରକାରର ଜୁଲମ୍, ସେନ୍ସରସିପ୍ ଓ ନାନାଦି କଟକଣା ଭିତରେ ପ୍ରେସ୍ ସ୍ୱାଧୀନତା ବୋଲି କିଛି ନାହିଁ କହିଲେ ଚଳେ । ଅଧାରୁ ଅଧିକ ସାମ୍ବାଦିକ ଚାକିରି ହରାଇଥିବା ବେଳେ, ମହିଳା ସାମ୍ବାଦିକଙ୍କ ଦୁର୍ଭାଗ୍ୟ କଥା ତ କହିଲେ ନସରେ ।

ଦୁର୍ଦ୍ଦଶାରେ ଆଫଗାନୀ ସାମ୍ବାଦିକ ଓ ମିଡିଆ ଶିଳ୍ପ । ତାଲିବାନର କ୍ଷମତା ଦଖଲ ପରେ ଚାକିରି ହରାଇଲେଣି ୬ ହଜାର ୪ଶହରୁ ଅଧିକ ସାମ୍ବାଦିକ । ପ୍ରାୟ ୬୦ ପ୍ରତିଶତ ସାମ୍ବାଦିକ ଓ ଗଣମାଧ୍ୟମ କର୍ମଚାରୀ ଚାକିରି ହରାଇଥିବା ବେଳେ ୮୪ ପ୍ରତିଶତ ମହିଳା ସାମ୍ବାଦିକ କ୍ୟାରିୟରକୁ ବାଏ ବାଏ କରିବାକୁ ବାଧ୍ୟ ହୋଇଛନ୍ତି । ବହୁ ମିଡିଆ ସଂସ୍ଥା ତାଲିବାନ ଭୟରେ ମହିଳା ସାମ୍ବାଦିକଙ୍କୁ ଚାକିରି ଦେଉନାହାନ୍ତି । ରିପୋର୍ଟର୍ସ ଓ୍ୱିଦାଉଟ୍ ବର୍ଡର୍- RSF ଓ ଆଫଗାନ୍ ଇଣ୍ଡିପେଣ୍ଡେଣ୍ଟ୍ ଜର୍ଣ୍ଣାଲିଷ୍ଟ୍ ଆସୋସିଏସନ୍- AIJA ସଂଗଠନ ପକ୍ଷରୁ ହୋଇଥିବା ସର୍ଭେରୁ ଏଭଳି ଉଦ୍‌ବେଗଜନକ ତଥ୍ୟ ସାମ୍ନାକୁ ଆସିଛି । କେବଳ ଏତିକି ନୁହେଁ, ୨୩୧ଟି ମିଡିଆ ଆଉଟ୍‌ଲେଟ୍ ବନ୍ଦ ହୋଇଯାଇଛି । ଦେଖିବାକୁ ଗଲେ ହାରାହାରି ୧୦ଟିରୁ ୪ଟି ମିଡିଆ ଆଉଟ୍‌ଲେଟ୍ ଉଭାନ୍ ହୋଇଯାଇଛି ।

୪ ମାସ ତଳେ ଆଫଗାନିସ୍ତାନର ପ୍ରାୟ ସବୁ ପ୍ରଦେଶରେ ଅତିକମ୍‌ରେ ୧୦ଟି ଲେଖାଏଁ ଘରୋଇ ମିଡିଆ ଆଉଟ୍‌ଲେଟ୍ ଥିଲା । କିନ୍ତୁ ଏବେ କିଛି ଅଞ୍ଚଳରେ ଗୋଟିଏ ବି ସ୍ଥାନୀୟ ମିଡିଆ ନାହିଁ । ପାହାଡ଼ିଆ ପରଓ୍ୱାନ୍ ପ୍ରଦେଶରେ ୧୦ଟି ମିଡିଆ ଆଉଟ୍‌ଲେଟ୍ ଥିଲା, କିନ୍ତୁ ଏବେ ମାତ୍ର ୩ଟି ଚାଲିଛି । ହେରାତ୍ ଓ ଆଖପାଖ ପ୍ରଦେଶରେ ୫୧ରୁ ୧୮ଟି କାର୍ଯ୍ୟକ୍ଷମ ରହିଛି । ରାଜଧାନୀ କାବୁଲରେ ଦେଶର ଅନ୍ୟ ପ୍ରଦେଶ ଅପେକ୍ଷା ସବୁଠୁ ଅଧିକ ମିଡିଆ ଆଉଟ୍‌ଲେଟ୍ ଥିବା ବେଳେ, ତାଲିବାନ ସରକାରରେ ସେଥିରୁ ଅର୍ଦ୍ଧାଧିକ ବନ୍ଦ ହୋଇଯାଇଛି । 

୨୦୦୧ରେ ଆମେରିକୀୟ ସେନା ଆଫ୍‌ଗାନିସ୍ତାନରେ ପ୍ରବେଶ କରିବା ପୂର୍ବରୁ ସେଠାରେ ତାଲିବାନ୍ ରାଜ୍ ଥିଲା । ସେତେବେଳେ କେବଳ ଗୋଟିଏ ରେଡିଓ ଷ୍ଟେସନ୍‌କୁ ଛାଡ଼ିଦେଲେ ଘରୋଇ ମିଡିଆ ବୋଲି ସେଭଳି କିଛି ନଥିଲା । ତେବେ ୨୦୦୧ ପରେ ସେଠାରେ ମିଡିଆ ଶିଳ୍ପରେ ଅଚାନକ୍ ଅଭିବୃଦ୍ଧି ଆସିଥିଲା । ବହୁ ଘରୋଇ ମିଡିଆ ସଂସ୍ଥା ଖବର ପ୍ରସାରଣ ଆରମ୍ଭ କରିବା ସହ ସାମ୍ବାଦିକ ଓ ଖାସ୍ କରି ମହିଳା ସାମ୍ବାଦିକଙ୍କୁ କ୍ୟାରିୟର୍ ଗଢ଼ିବା ଓ ନିଜ ସ୍ୱପ୍ନ ପୂରଣ କରିବା ପାଇଁ ସୁଯୋଗ ଆସିଥିଲା । ହେଲେ ଗତ ଅଗଷ୍ଟରେ ତାଲିବାନ ପୁଣି କ୍ଷମତା ଦଖଲ କରିବା ପରେ, ମହିଳାଙ୍କ ଅଧିକାର, ପ୍ରେସ୍ ସ୍ୱାଧୀନତା ଓ ସରକାରୀ କର୍ମଚାରୀଙ୍କୁ କ୍ଷମା ଦେବାକୁ ପ୍ରତିଶ୍ରୁତି ଦେଇଥିଲା । କିନ୍ତୁ ତାର କଥା ଓ କାମ ମଧ୍ୟରେ ଆକାଶ ପାତାଳ ଫରକ ସ୍ପଷ୍ଟ ହୋଇଛି ।

ପ୍ରଥମେ ପ୍ରତିବାଦ ଓ ଶୋଭାଯାତ୍ରା ଆଦି ଖବର ସଂଗ୍ରହ କରୁଥିବା ସାମ୍ବାଦିକଙ୍କୁ ତାଲିବାନ ଅତ୍ୟାଚାର କରୁଥିବା ଖବର ମଧ୍ୟ ସାମ୍ନାକୁ ଆସୁଥିବା ବେଳେ ଏବେ ସେନ୍‌ସରସିପ୍ ପାଇଁ ୧୧ଟି ସାମ୍ବାଦିକତା ନିୟମ ଜାରି କରିଛି ତାଲିବାନ ସରକାର । ମିଡିଆ ସ୍ୱାଧୀନତା ବୋଲି କିଛି ନାହିଁ କହିଲେ ଚଳେ । ସଂସ୍କୃତି ମନ୍ତ୍ରାଳୟ ସାମ୍ବାଦିକଙ୍କୁ କଣ ଖବର ସଂଗ୍ରହ କରାଯିବ ବତାଇବା ସହ ପ୍ରତିକ୍ଷେତ୍ରରେ ଅନୁମତି ନେବାକୁ କହୁଛି । ଏବଂ ରିପୋର୍ଟିଂ ପରେ ପ୍ରସାରଣ ପୂର୍ବରୁ ତାହାର ଫଳାଫଳ ସଂପର୍କରେ ଜଣାଇବାକୁ କୁହାଯାଉଛି ।

ରିପୋର୍ଟର୍ସ ଓ୍ୱିଦାଉଟ୍ ବର୍ଡର୍ ସଂଗଠନର ସୂଚନା ଅନୁସାରେ ଗତ ଅଗଷ୍ଟ ମାସରେ ଆଫଗାନିସ୍ତାନରେ ୧୦ ହଜାର ୭୯୦ ଗଣମାଧ୍ୟମ କର୍ମଚାରୀ କାର୍ଯ୍ୟକରୁଥିଲେ, ଯାହା ମଧ୍ୟରୁ ୨ ହଜାର ୪୯୦ ମହିଳା ଥିଲେ । କିନ୍ତୁ ଏବେ ୪ ମାସ ପରେ ଗଣମାଧ୍ୟମ କର୍ମଚାରୀଙ୍କ ସଂଖ୍ୟା ୪ ହଜାର ୩୬୦କୁ ଖସିଆସିଛି  ଯେଉଁଥିରୁ ମାତ୍ର ୪୧୦ ଜଣ ମହିଳା ।