• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

କଟକ(ପ୍ରଭାତ ବିଶୋୟୀ) : କଟକ ଏସସିବି ମେଡିକାଲର ଇନଡୋର ରୋଗୀଙ୍କ ପାଇଁ ମାଗଣା ମେଡିସିନ୍ ବ୍ୟବସ୍ଥା ଠପ୍ ହୋଇଯାଇଛି । ନ୍ୟୁରୋଲୋଜି ବିଭାଗରେ ରୋଗୀଙ୍କୁ ମିଳୁନି ଆବଶ୍ୟକ ଇଞ୍ଜେକସନ୍ । ସରକାର ଗୋଟିଏ ପଟେ ମାଗଣା ସ୍ମାର୍ଟ ସ୍ୱାସ୍ଥ୍ୟକାର୍ଡ ବଣ୍ଟନ ପ୍ରଚାର ସାଙ୍ଗକୁ ମାଳମାଳ ହୋର୍ଡିଂ ମାରି ବାହାବା ନେବାରେ ବ୍ୟସ୍ତ ଥିବାବେଳେ ଅନ୍ୟପଟେ ବାସ୍ତବ ଚିତ୍ର କିଛି ଏମିତି ଲାଗୁଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଏବେ ବାଟବଣା ।

୨୦୧୮ ମସିହାରେ ଏସସିବି ମେଡିକାଲରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତ ଇନଡୋର ରୋଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମାଗଣା ମେଡିସିନ ବ୍ୟବସ୍ଥା କରାଯାଇଥିଲା । ଅନୁବନ୍ଧିତ ମେଡିସିନ ଷ୍ଟୋର ଏହି ମେଡିସିନ ଯୋଗାଇବା ଦାୟିତ୍ୱ ନେଇ ଆସୁଛନ୍ତି । ଏଠାରେ କୋଟି କୋଟି ଟଙ୍କାର ବକେୟା ଥିବାରୁ ମେଡିସିନ ଯୋଗାଣ ବନ୍ଦ ରହିଛି । ବିଭାଗରେ ଭର୍ତ୍ତି ରୋଗୀଙ୍କୁ ଆବଶ୍ୟକ ଇଂଜେକସନ ମିଳିପାରୁନି ଦାମୀ ଇଂଜେକସନ ନପାଇ ଏବେ ସବୁ ରୋଗୀଙ୍କ ଅବସ୍ଥା ଧିରେ ଧିରେ ଗୁରୁତର ହେବାରେ ଲାଗିଲାଣି ।

ଏଠାରେ ଏମିତି ଅନେକ ରୋଗୀମାନେ ଦୁର୍ଦ୍ଦଶାରେ ରହିଛନ୍ତି । ଏମିତିକି ଗୋଟିଏ IVIG ଇଞ୍ଜେକସନର ଦାମ ଦଶ ହଜାର ଉପରେ ଥିବାବେଳେ ଗରିବ ଶ୍ରେଣୀର ରୋଗୀଙ୍କ ପାଇଁ ତାହା କିଣିବା ଅସମ୍ଭବ ହୋଇପଡେ । ସେଥିରେ ଶିଘ୍ର ଇଞ୍ଜେକସନ ନଦେଲେ ଯେକୌଣସି ସମୟରେ କିଛି ବି ହୋଇପାରେ ବୋଲି ଡାକ୍ତରଙ୍କ କହିଥାନ୍ତି। ଏତେ ଦାମୀ ମେଡିସିନ କିଣିବା ପାଇଁ ସମର୍ଥ ନଥିବାରୁ ମେଡିସିନ ଅପେକ୍ଷାରେ ଭାଗ୍ୟକୁ ଆଦରି ବାରଣ୍ଡାରେ ପଡିରହିଛନ୍ତି ରୋଗୀ । ମେଡିକାଲ କତ୍ତୃପକ୍ଷଙ୍କୁ ବାରମ୍ବାର ଗୁହାରି କଲେ ମଧ୍ୟ ଫଳ ଶୂନ । ସେପଟେ ଘଟଣାକୁ ସ୍ୱିକାର କରିବା ସହ ଇଞ୍ଜେକସନ ଆଣିବା ପାଇଁ ଚେଷ୍ଟା ଜାରି ରହିଛି ବୋଲି କହିଛନ୍ତି ମେଡିକାଲ କତ୍ତୃପକ୍ଷ । ତେବେ ଖୋଦ୍‌ କଟକ ସହରରେ ଯଦି ଏଅବସ୍ଥା ତେବେ ଉପାନ୍ତରେ କଣ ହେଉଥିବ ।