• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଡାଇବେଟିସ୍ ହେଉଛି ଏକ କ୍ରନିକ୍ ମେଟାବୋଲିକ୍ ରୋଗ । ଯେଉଁଥିପାଇଁ ଶରୀର ସଠିକ୍ ପରିମାଣର ଇନସୁଲିନ୍ ଉତ୍ପାଦନ କରିବାରେ କିମ୍ବା ଏହାକୁ ସଠିକ୍ ଭାବରେ ବ୍ୟବହାର କରିବାରେ ଅସମର୍ଥ ହୋଇଥାଏ । ଯେଉଁ କାରଣରୁ ରକ୍ତରେ ଶର୍କରା ସ୍ତର ବଢ଼ିବାରେ ଲାଗେ, ଯାହାକି ହୃଦୟ ଏବଂ ସ୍ନାୟୁ ଭଳି ଶରୀରର ଅନେକ ଅଂଶକୁ ପ୍ରଭାବିତ କରିଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତକୁ ବିଶ୍ୱର ଡାଇବେଟିସ୍ କ୍ୟାପିଟାଲ ବୋଲି କୁହାଯାଏ । କାରଣ ଏଠାରେ ଏହି ରୋଗର ମାତ୍ରା ଖୁବ୍ କ୍ଷୀପ୍ରଗତିରେ ବୃଦ୍ଧି ପାଉଛି ।

ଭାରତରେ ମଧୁମେହ ଆକ୍ରାନ୍ତଙ୍କ ସଂଖ୍ୟା

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ-ଡାଇବେଟିସ୍ ଇଣ୍ଡିଆ ଅନୁଯାୟୀ, ୨୦୨୩ରେ ପ୍ରାୟ ୧୦.୧ କୋଟି ଡାଇବେଟିସ୍ ମାମଲା ସାମ୍ନାକୁ ଆସିଥିଲା । ଆଇଡିଏଫ୍ ଡାଇବେଟିସ୍ ଆଟଲାସ୍‌ର ୨୦୨୧ ସର୍ଭେ ଅନୁଯାୟୀ, ବିଶ୍ୱରେ ଚାଇନା ପରେ ଭାରତରେ ସର୍ବାଧିକ ଡାଇବେଟିସ୍ କେସ୍ ଦେଖିବାକୁ ମିଳୁଛି । ଯାହା ଆଗାମୀ ୧୦ ବର୍ଷରେ ପ୍ରାୟ ଦୁଇଗୁଣ ଅଧିକ ହୋଇପାରେ ।

ଡାଇବେଟିସ୍‌ କେସ୍‌ ଏତେ ସଂଖ୍ୟାରେ ସାମ୍ପାକୁ ଆସୁଛି ଯେ, ଏହି ରୋଗ ହେତୁ ଅନେକ ଗୁରୁତର ପରିସ୍ଥିତି ଦେଖିବାକୁ ମିଳିପାରେ । ଏହାର ଅନ୍ଦାଜ ଲଗାଇବା ବି କଷ୍ଟକର । ଏହି ମେଟାବୋଲିକ୍ ରୋଗର କାରଣ ହେଉଛି ଖରାପ ଜୀବନଶୈଳୀ । ଅସ୍ୱାସ୍ଥ୍ୟକର ଖାଇବା ଅଭ୍ୟାସଠାରୁ ଆରମ୍ଭ କରି ଶୋଇବା ଏବଂ ଉଠିବା ପର୍ଯ୍ୟନ୍ତ, ଗତ ଦଶ ବର୍ଷ ମଧ୍ୟରେ ଲୋକଙ୍କ ଭିତରେ ଅନେକ ପରିବର୍ତ୍ତନ ଆସିଛି । ନିକଟରେ ଏକ ସର୍ଭେରୁ ମଧ୍ୟ ଜଣାପଡ଼ିଛି ଯେ, ଆମର ନିଦ ଏବଂ ମଧୁମେହ ମଧ୍ୟରେ ଅନେକ ସଂଯୋଗ ରହିଛି ।

ଜାମା ଓପନ୍ ନେଟୱାର୍କରେ ପ୍ରକାଶିତ ଅନୁସନ୍ଧାନରୁ ଜଣାପଡିଛି ଯେ ଯେଉଁମାନେ ପ୍ରତିଦିନ ମାତ୍ର ୩ ରୁ ୫ ଘଣ୍ଟା ଶୋଇଥାନ୍ତି, ସେମାନେ ମଧୁମେହରେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ଥାଏ । ଏହି ଅନୁସନ୍ଧାନ ପାଇଁ ୟୁକେ ବାୟୋ ବ୍ୟାଙ୍କର ଲୋକଙ୍କ ତଥ୍ୟ ଅଧ୍ୟୟନ କରାଯାଇଥିଲା ଏବଂ ସେମାନଙ୍କ ଉପରେ ପ୍ରାୟ ୧୦ ବର୍ଷ ପର୍ଯ୍ୟନ୍ତ ନଜର ରଖାଯାଇଥିଲା ।

ରିସର୍ଚ୍ଚରୁ କ’ଣ ମିଳିଲା?

ଏହି ଅନୁସନ୍ଧାନରେ ଜଣାପଡିଛି ଯେ ଯେଉଁ ଲୋକମାନେ ପ୍ରତିଦିନ ମାତ୍ର ୩ ରୁ ୫ ଘଣ୍ଟା ଶୋଇଥାନ୍ତି, ସେମାନଙ୍କ କ୍ଷେତ୍ରରେ ଟାଇପ୍-୨ ମଧୁମେହ ହେବାର ଆଶଙ୍କା ଅଧିକ ଥାଏ । କିନ୍ତୁ ସୁସ୍ଥ ଖାଦ୍ୟ ପାନୀୟ ଦ୍ୱାରା ମଧୁମେହ ହେବାର ଆଶଙ୍କାକୁ କମ୍ କରାଯାଇପାରେ । ଅନ୍ୟପଟେ ଏହି ରିସର୍ଚ୍ଚରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଯେଉଁମାନେ ସୁସ୍ଥ ଖାଦ୍ୟ ପ୍ରକ୍ରିୟା ଅନୁସରଣ କରନ୍ତି କିନ୍ତୁ ୬ ଘଣ୍ଟାରୁ କମ୍ ଶୋଇଥାନ୍ତି, ସେମାନେ ବି ଏହି ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ଥାଏ ।

ଶୋଇବା ଆମ ସ୍ୱାସ୍ଥ୍ୟ ଉପରେ କେତେ ଗଭୀର ପ୍ରଭାବ ପକାଇଥାଏ ତାହା ଏହି ରିସର୍ଚ୍ଚରୁ ଜଣାପଡ଼ୁଛି । ତେଣୁ, ମଧୁମେହ ଆଶଙ୍କା ହ୍ରାସ କରିବାକୁ ହେଲେ ଆମକୁ ଶୋଇବା ଅଭ୍ୟାସରେ ପରିବର୍ତ୍ତନ କରିବାକୁ ପଡ଼ିବ ବା ୬ରୁ ୮ ଘଣ୍ଟା ଶୋଇବାକୁ ପଡ଼ିବ । ତେବେ ଆମ ଜୀବନଶୈଳି ଏମିତି ହୋଇସାରିଲାଣି ଯେ, ସଠିକ୍‌ ସମୟରେ ଶୋଇବା କଷ୍ଟକର ହୋଇପଡ଼ୁଛି ।