/odishatv-khabar/media/post_attachments/uploadimage/library/16_9/16_9_0/IMAGE_1744216215.jpg)
Water Crisis
ଖରାଦିନ ସହ ସାମ୍ନାକୁ ଆସିଛି ପାଣି ସଙ୍କଟ । ଆଉ ଏହି ପାଣି ସମସ୍ୟା ଏତେଯେ, ବିବାହ ପାଇଁ ମିଳୁନାହାନ୍ତି ବୋହୂ । ଅବିବାହିତ ଅଛନ୍ତି ଗାଁର ଅଧିକାଂଶ ଯୁବକ । ଗାଁକୁ ବୋହୂ ମିଳୁନଥିବା ବେଳେ, ୮୦ରୁ ଅଧିକ ଯୁବକ ଅବିବାହିତ ରହିଛନ୍ତି । ବିବାହ କଲେ ବି ଛାଡିକି ଚାଲି ଯାଉଛନ୍ତି ।
ଏଠି ପାଣି ପାଇଁ ସବୁ ନାଟ । ସବୁର ମୂଳରେ ପିଇବା ପାଣିର ସଙ୍କଟ । ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡିର ବଡବାର୍ଲି ଗାଁର ନାଁ ଶୁଣିଲେ ଭାଙ୍ଗି ଯାଉଛି ବାହାଘର । ଝିଅ ଦେବାକୁ ରୋକଠୋକ୍ ମନା କରିଦେଉଛନ୍ତି ପରିବାର । ଯଦି କୌଣସି କାରଣରୁ ବାହାଘର ହୋଇଯାଉଛି, ଅଧିକ ଦିନ ତିଷ୍ଠିପାରୁନି ।
ଶାଶୁଘର ଛାଡି ବାପଘରକୁ ଫେରିଯାଉଛି ବୋହୂ । ଏଇ ଯେମିତି ରାଏସିଙ୍ଗ ନାୟକ । ବିବାହ ହୋଇ ୮ ମାସର ପୁଅ ବି ଅଛି । ହେଲେ ନିଇତି ପାଣିର ଦାଉ ଏତେ ସାଧିଲା ଯେ, ସ୍ବାମୀ ଓ କଅଁଳା ପୁଅକୁ ଛାଡି ବାପଘରକୁ ପଳାଇଲେ ସ୍ତ୍ରୀ । ବଣ ପାହାଡ ଘେରା ବଡବାର୍ଲି । ଗାଁକୁ ରାସ୍ତା ପଡିଛି, ବିଜୁଳି ବି ପହଁଚିଛି । ହେଲେ ପିଇବା ପାଣି ପାଇଁ ହାହାକାର । ଗାଁରେ ୨ଶହରୁ ଅଧିକ ପରିବାରର ହଜାରେରୁ ଅଧିକ ଲୋକ ।
ଆଉ ଏମାନଙ୍କ ଶୋଷ ମେଣ୍ଟାଉଛି ପାହାଡର ଝର ପାଣି । ଏହି ପାଣିରେ କେବଳ ପିଇବା ପାଇଁ ନୁହେଁ, ବରଂ ଗାଧୁଆ ପାଧୁଆ, ରୋଷେଇ, ବାସନ ଧୁଆ ସବୁକିଛି ହୋଇଥାଏ । ଝରପାଣିକୁ ପାଇପ ଲଗାଇ ବର୍ଷ ବର୍ଷ ହେଲା ଚାଲିଛି ବ୍ୟବହାର । ଗାଁରେ ୪ଟି ନଳକୂପ ରହିଛି, ସେଥିରୁ ୩ଟି ଶୁଖିଲା ଏବଂ ଗୋଟିଏରେ ଅଛି ଗୋଳିଆ ପାଣି । ୨ ବର୍ଷ ତଳେ ମେଗା ପାନୀୟ ଜଳ ପ୍ରକଳ୍ପରେ ଗାଁରେ ପାଣି ଟାଙ୍କି ତିଆରି ହୋଇଛି ।
ଘରକୁ ଘର ବିଛାଯାଇଛି ପାଇପ୍ । ହେଲେ, ଆଜିଯାଏ କାହାକୁ ବି ମିଳିନି ବୁନ୍ଦାଏ ପାଣି । ଶୁଦ୍ଧିକ୍ରିୟା ପାଇଁ ଯିବାକୁ ପଡୁଛି ୨ କିଲୋମିଟର ଦୂର ପଡୋଶୀ ଗାଁକୁ । ପିଇବା ପାଣି ପାଇଁ ବାରମ୍ବାର ଜିଲ୍ଲା ପ୍ରଶାସନ ଓ ନେତାଙ୍କ ନିକଟରେ ଗୁହାରି କରିଛନ୍ତି ଗ୍ରାମବାସୀ । ହେଲେ ବ୍ୟବସ୍ଥା ହୋଇପାରିନି । ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି ଗ୍ରାମବାସୀ । ସେପଟେ ବଡବାର୍ଲି ଗାଁ ରେଡ୍ ଜୋନରେ ଥିବା କହିଛନ୍ତି ଗ୍ରାମ୍ୟ ପାନୀୟଜଳ ଯୋଗାଣ ଅଧୀକ୍ଷଣ ଯନ୍ତ୍ରୀ । ସେ ଜାତୀୟ ରାଜପଥ ବିଭାଗକୁମେଗା ପାନୀୟଜଳ ପ୍ରକଳ୍ପର ବିଫଳତା ପାଇଁ ଦାୟୀ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)